ଭୁବନେଶ୍ଵର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ରଙ୍କ ସହ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଚିଲିକା ହ୍ରଦର ଦୀର୍ଘକାଳୀନ ସୁରକ୍ଷା ଏବଂ ପୁନରୁଦ୍ଧାର ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଏସିଆର ସବୁଠାରୁ ବଡ଼ ହ୍ରଦ, ପର୍ଯ୍ୟଟନ ଦୃଷ୍ଟିରୁ ସମୃଦ୍ଧ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନଜୀବିକାର ଉତ୍ସ। ଏହି ହ୍ରଦର ସମୟାନୁକ୍ରମେ ବଦଳୁଥିବା ସ୍ଥିତି ବାବଦରେ ଆଇଆଇଟି ମାଡ୍ରାସ୍ ବିଜ୍ଞାନ ଭିତ୍ତିକ ଅଧ୍ୟୟନ କରି ଏହି ହ୍ରଦର ପୁନରୁଦ୍ଧାର ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି। ଏହି ଆର୍ଦ୍ରଭୂମିର ପରିବେଶୀୟ ସୁରକ୍ଷା ପାଇଁ ସମୟୋଚିତ ଓ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ବାବଦରେ ଏହି ଅଧ୍ୟୟନରୁ ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୂର୍ବରୁ ହୋଇଥିବା ବିସ୍ତୃତ ଆଲୋଚନା ଆଧାରରେ କେନ୍ଦ୍ର–ରାଜ୍ୟ ସମନ୍ୱିତ ପଦ୍ଧତି ବାବଦରେ ଆଜି ଆଲୋଚନା କରାଯାଇଥିଲା। ଚିଲିକାର ପୁନରୁଦ୍ଧାର ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ପରିବେଶର ସୁରକ୍ଷାରେ ବିଶେଷ ସହାୟକ ହେବ।


