Categories
ଆଜିର ଖବର

ଡାକ୍ତରଙ୍କ ସୁରକ୍ଷା ସମ୍ପର୍କିତ ଯାଚିକାର ଆଗାମୀ ଶୁଣାଣୀ ଜୁଲାଇରେ ହେବ : ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗରେ ଡାକ୍ତର ଆକ୍ରମଣକୁ ଦେଶ ସାରା ବିରୋଧ ପ୍ରଦର୍ଶନ ପୂର୍ବକ ଡାକ୍ତରମାନେ ଧର୍ମଘଟ କରିଥିଲେ। ଏହି ସମ୍ପର୍କିତ ଏକ ମାମଲା ସୁପ୍ରିମ୍‌କୋର୍ଟରେ ଦାଏର କରାଯାଇଥିଲା। ଆଜି ସୁପ୍ରିମ୍‌କୋର୍ଟ ଏହି ଯାଚିକାର ଶୁଣାଣୀ କରି ଏହି ସମ୍ପର୍କିତ ଆଗାମୀ ଶୁଣାଣୀ ଜୁଲାଇରେ ହେବ ବୋଲି ନିଷ୍ପତ୍ତି ଦେଇଛନ୍ତି। ଗତକାଲି ମମତା ସରକାର ଓ ଡାକ୍ତରଙ୍କ ବୈଠକ ସଫଳ ରହିଥିବାବେଳେ ଧାରଣାରୁ ଓହରିଛନ୍ତି ଡାକ୍ତର ସମୂହ। ସୁପ୍ରିମ୍‌କୋର୍ଟ ଡାକ୍ତରଙ୍କ ସୁରକ୍ଷା ଏକ ବଡ଼ ପ୍ରଶ୍ନ ବୋଲି କହିଛନ୍ତି। ଏହି ମାମଲାରେ ବିସ୍ତୃତ ଶୁଣାଣୀ କରି ଆଦେଶ ଜାରି କରିବା ପାଇଁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଦେବା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।

Categories
ଆଜିର ଖବର

ଅଭିବୃଦ୍ଧି, ରୋଜଗାର ଓ ସୁରକ୍ଷାକୁ ନେଇ ମୋଦି ସରକାର ଗଠନ କଲେ ନୂଆ କମିଟି

ରୋଜଗାର ବିଷୟକୁ ନେଇ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ରୋଜଗାର ସ୍ତରକୁ ଦେଖି ଏକ କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ଏହା ସହିତ ପ୍ରଥମଥର ପାଇଁ ବିକାଶ, ନିବେଶ ଓ ସ୍କିଲ୍‌ ଡେଭଲପ୍‌ମେଣ୍ଟକୁ ନେଇ ମଧ୍ୟ ଏକ କମିଟି ଗଠନ କରାଯାଇଛି। ରୋଜଗାର ଓ କୌଶଲ ବିକାଶ କ୍ୟାବିନେଟ୍‌ କମିଟିରେ ପିଏମ୍‌ ମୋଦିଙ୍କ ବ୍ୟତୀତ ଅମିତ୍‌ ଶାହା, ପୀୟୁଷ ଗୋଏଲ୍‌, ନରେନ୍ଦ୍ର ସିଂ ତୋମାର, ମହେନ୍ଦ୍ର ପାଣ୍ଡେ, ସନ୍ତୋଷ ଗଙ୍ଗଓ୍ବାର, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ ସାମିଲ୍‌ ରହିଛନ୍ତି। ସେହିପରି ନିବେଶ ଓ ବିକାଶକୁ ନେଇ ଗଠିତ କ୍ୟାବିନେଟ୍‌ କମିଟିରେ ପିଏମ୍‌ ମୋଦିଙ୍କ ବ୍ୟତୀତ ନୀତିନ୍‌ ଗଡକାରୀ, ପୀୟୂଷ ଗୋଏଲ୍‌, ଅମିତ୍‌ ଶାହା ଓ ନିର୍ମଳା ସୀତାରମଣ ରହିଛନ୍ତି। ସେହିପରି ସରକାର ସୁରକ୍ଷା ମାମଲାର କ୍ୟାବିନେଟ୍ କମିଟି ଅର୍ଥାତ ସିସିଏସର ନୂତନ ଭାବେ ଗଠନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ। ଏହି ସମସ୍ତ କମିଟିର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିବେ।

Categories
ଆଜିର ଖବର

ଏୟାରସେଲ୍‌-ମାକ୍ସିସ୍‌ ମାମଲା : କର୍ତ୍ତୀ ଚିଦାମ୍ବରମ୍‌ଙ୍କ ପୁଅକୁ ଗିରଫରୁ ଅନ୍ତରୀଣ ସୁରକ୍ଷା

ଏୟାରସେଲ-ମାକ୍ସିସ୍‌ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କୁ ଗିରଫରଚ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସ୍ବତନ୍ତ୍ର କୋର୍ଟ। ମେ ୩୦ ତାରିଖରେ ଦିଲ୍ଳୀର ଏକ କୋର୍ଟ କର୍ତ୍ତୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛି। ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ କୋର୍ଟ କର୍ତ୍ତୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର ବିଚାରପତି ଓ ପି ସାଇନି ଏହି ମାମଲାର ବିଚାର କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ମାମଲାରେ କର୍ତ୍ତୀଙ୍କ ଆଗୁଆ ଜାମିନ ଆବେଦନ ଉପରେ ରିପୋର୍ଟ ଦାଖଲ କରିବା ପାଇଁ ତିନି ସପ୍ତାହ ସମୟ ମାଗିଥିବାରୁ ସ୍ବତନ୍ତ୍ର କୋର୍ଟ କର୍ତ୍ତୀଙ୍କୁ ସୁରକ୍ଷା ପ୍ରଦାନର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଇଡିର ମୁଖ୍ୟ ସିଙ୍ଗାପୁର ଗସ୍ତରେ ରହିଥିବାରୁ ରିପୋର୍ଟ ପ୍ରସ୍ତୁତିରେ ବିଳମ୍ବ ହେଉଛି ବୋଲି ଇଡି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର

ପ୍ରଥମ ଥର ପାଇଁ ପ୍ରଦର୍ଶନୀ ପଡିଆରେ ହେବ ଶପଥ ଗ୍ରହଣ : ସୁରକ୍ଷା ବ୍ୟବସ୍ଥା ନେଇ ଡିଜିଙ୍କ ସମୀକ୍ଷା ବୈଠକ

କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଶପଥ ଗ୍ରହଣ ଉତ୍ସବର ସୁରକ୍ଷା ବ୍ୟବସ୍ଥା ନେଇ ଡିଜିଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମ ଥର ପାଇଁ ରାଜବଭନ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଦର୍ଶନୀ ପଡିଆରେ ଡିଜି ଆର.ପି. ଶର୍ମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ଶପଥ ନେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ସମୀକ୍ଷା ବୈଠକରେ ପୋଲିସ୍‌ ଡିଜିଙ୍କ ସମେତ ପୋଲିସ୍‌ କମିଶନର, ଡିସିପି, ବିଡିଏ କମିଶନର ଏବଂ ପୂର୍ତ୍ତ ବିଭାଗ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକରେ ଟ୍ରାଫିକ୍‌ ସମସ୍ୟା ଏବଂ ସର୍ବସାଧାରଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ ଆର. ପି. ଶର୍ମା।

Categories
ଆଜିର ଖବର

ନିର୍ବାଚନୀ ହିଂସା ଘଟଣା : ଜଗନ୍ନାଥ ଓ ଅନନ୍ତଙ୍କୁ ମିଳିବ ସୁରକ୍ଷା

ଆସନ୍ତାକାଲି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ସାରା ରାଜ୍ୟରେ ଦେଖାଦେଇଛି ନିର୍ବାଚନୀ ହିଂସା। ଗତକାଲି ରାତିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ଦିବସ ଥିବାବେଳେ ମଧ୍ୟ ଭୁବନେଶ୍ବରର ନିର୍ବାଚନୀ ହିଂସା ଦେଖାଯାଇଥିଲା। ଉଭୟ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ଅତି ଗୁରୁତର ସହ ନେଇ ପୋଲିସ୍‌ କମିଶନରେଟ୍‌ ତଦନ୍ତ ଆରମ୍ଭ କରିଥିବାବେଳେ ନିର୍ବାଚନ ଶେଷ ଯାଏ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୁରକ୍ଷା ଦିଆଯିବ। ଉଭୟଙ୍କୁ ସୁରକ୍ଷା କର୍ମୀ ଓ ଏସକର୍ଟ ଯୋଗାଇ ଦିଆଯିବ ବୋଲି ଆଜି ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି। ଗତକାଲି ମଧ୍ୟ-ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ସେ ପ୍ରଚାର ଶେଷ କରି କର୍ମୀଙ୍କ ସହ ଆଲୋଚନା କରିବା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯାଇଥିଲା। ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ମଧ୍ୟ-ଭୁବନେଶ୍ୱର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଝାରପଡ଼ା କେନାଲ ରୋଡ୍‌ ପାଖରେ ତାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅନନ୍ତ କହିଛନ୍ତି। ଏଥରେ ଅନନ୍ତ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଅନନ୍ତ ନାରାୟଣଙ୍କଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।