ନିର୍ବାଚନୀ ହିଂସା ଘଟଣା : ଜଗନ୍ନାଥ ଓ ଅନନ୍ତଙ୍କୁ ମିଳିବ ସୁରକ୍ଷା

Published: Apr 22, 2019, 4:32 pm IST

ଆସନ୍ତାକାଲି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ସାରା ରାଜ୍ୟରେ ଦେଖାଦେଇଛି ନିର୍ବାଚନୀ ହିଂସା। ଗତକାଲି ରାତିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ଦିବସ ଥିବାବେଳେ ମଧ୍ୟ ଭୁବନେଶ୍ବରର ନିର୍ବାଚନୀ ହିଂସା ଦେଖାଯାଇଥିଲା। ଉଭୟ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ଅତି ଗୁରୁତର ସହ ନେଇ ପୋଲିସ୍‌ କମିଶନରେଟ୍‌ ତଦନ୍ତ ଆରମ୍ଭ କରିଥିବାବେଳେ ନିର୍ବାଚନ ଶେଷ ଯାଏ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୁରକ୍ଷା ଦିଆଯିବ। ଉଭୟଙ୍କୁ ସୁରକ୍ଷା କର୍ମୀ ଓ ଏସକର୍ଟ ଯୋଗାଇ ଦିଆଯିବ ବୋଲି ଆଜି ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି। ଗତକାଲି ମଧ୍ୟ-ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ସେ ପ୍ରଚାର ଶେଷ କରି କର୍ମୀଙ୍କ ସହ ଆଲୋଚନା କରିବା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯାଇଥିଲା। ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ମଧ୍ୟ-ଭୁବନେଶ୍ୱର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଝାରପଡ଼ା କେନାଲ ରୋଡ୍‌ ପାଖରେ ତାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅନନ୍ତ କହିଛନ୍ତି। ଏଥରେ ଅନନ୍ତ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଅନନ୍ତ ନାରାୟଣଙ୍କଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।

Related posts