Categories
ଆଜିର ଖବର ରାଜ୍ୟ ଖବର

ଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣା, ରାତିରେ ସେଠାରେ କେହି ଲୁଛି ଥିଲେ ବୋଲି କହିଲେ ମୁଖ୍ୟ ସଚିବ

ପୁରୀ: ପ୍ରଭୃ ଶ୍ରୀଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣାର ନୂଆ ତଥ୍ୟ ପଦାକୁ ଆସିଛି। ତାହା ହେଲା ଯେ, ରାତିରେ ଶ୍ରୀମନ୍ଦିର ବନ୍ଦ ପୂର୍ବରୁ ସେହି ସ୍ଥାନରେ କେହି ଲୁଚି ରହିଥିବାର ସନ୍ଦେହ ହେଉଛି। ଫଳରେ ସେ ରାତିରେ ଏହି ଚୁଲା ଭଙ୍ଗା କାର୍ଯ୍ୟ କରିଛି। ପରେ ସକାଳେ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ମେଳରେ ସେ ଖସି ପଳାଇଛି। ଏହିପରି ତଥ୍ୟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଆଜି ସଂଧ୍ୟାରେ ମୁଖ୍ୟଶାସନ ସଚିବ ଏବଂ ପୋଲିସ ଡିଜି ଶ୍ରୀମନ୍ଦିର ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ସେ ଜଗନ୍ନାଥଙ୍କ ଚୁଲା ବାହାରୁ ଦେଖିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଫୁଟେଜକୁ ଅନୁଧ୍ୟାନ କରାଯାଉଛି। ଏହାପରେ ପ୍ରକୃତ ତଥ୍ୟ ଆସିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅନ୍‌ଲାଇନ୍‌ରେ ମିଳିବ ଜଗା ଦର୍ଶନ

ପୁରୀ : ଏଣିକି ଜଗାର ଦର୍ଶନ ଅନ୍‌ଲାଇନ୍‌ରେ କରିପାରିବେ।  ପରିଚୟପତ୍ର ଓ ତଥ୍ୟ ଦେଇ ଜଣେ ଅନଲାଇନ୍‌ରେ ବୁକିଂ କରିପାରିବେ। କେଉଁଦିନ ଏବଂ କେଉଁ ସମୟରେ ଦର୍ଶନ ସୁବିଧା ମିଳିବ, ସେନେଇ ଜଣାଇ ଦିଆଯିବ। ଅନଲାଇନ୍‌ ଜରିଆରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବା ନେଇ ପ୍ରଶାସନ ବିଚାର ବିମର୍ଷ କରିଛି। ଏନେଇ ଜିଲ୍ଲାପାଳ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଥମେ ପୁରୀବାସୀ ଏବଂ ପରେ ଅନ୍ୟମାନଙ୍କୁ ଦର୍ଶନ ସୁବିଧା ମିଳିବ  ବୋଲି ସୂଚନା ରହିଛି।

Categories
ଆଜିର ଖବର

ସ୍ନାନ ସାରି ଜ୍ବରରେ ଶ୍ରୀଜୀଉ : ଶ୍ରୀଅଲରାନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ

ମଙ୍ଗଳବାରଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମାପନ ହେବା ପରେ ମହାପ୍ରଭୁ ଅଣସରରେ ରହିଛନ୍ତି। ଶ୍ରୀଜୀଉ ମହାସ୍ନାନ ପରେ ଜ୍ବରରେ ପୀଡ଼ିତ ରହିବେ। ଏଥିପାଇଁ ଅଣସର ଘରେ ରହିବେ। ଏହି ସମୟରେ ତାଙ୍କୁ ଓଷୁଦ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରା କରିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ  ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।

Categories
ବିଶେଷ ଖବର ମତାମତ

ରଥଯାତ୍ରା ମନ୍ଦିର ପ୍ରଶାସନର ବ୍ୟବସାୟ ନୁହେଁ, ଏହାର ସିଧା ପ୍ରସାରଣ ଲାଗି ନିଲାମ ଡାକିବା ଏକ ନିର୍ବୋଧ ନିଷ୍ପତ୍ତି

କେଦାର ମିଶ୍ର

ଶେଷରେ ଆମେ କ୍ରିକେଟ ଓ ରଥଯାତ୍ରାକୁ ଗୋଟିଏ ବ୍ରାଣ୍ଡ ବୋଲି ଗ୍ରହଣ କରିନେଲୁ!କ୍ରିକେଟର ଯେମିତି ତେଲି ପ୍ରସାରଣ ଅଧିକାର ନିଲାମ ହୁଏ, ଏବେ ରଥଯାତ୍ରାର ବି ସେଯା ହେବାକୁ ଯାଉଛି। ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ କହିଲେ ଯେ ପୁରୀର ରଥଯାତ୍ରା ପ୍ରସାରଣ ଲାଗି ନିଲାମ ଡକାଯିବ ଓ ଯିଏ ଅଧିକ ଦର ହାଙ୍କିବ ତାକୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ଦିଆଯିବ। ତେବେ ଏହା କେବଳ ଟେଲିକାଷ୍ଟ ପାଇଁ ସୀମିତ ନା ଏହା ୱେବ କାଷ୍ଟ ପାଇଁ ମଧ୍ୟ ଲାଗୁ ହେବ, ସେ ବିଷୟରେ ସ୍ପଷ୍ଟତା ନାହିଁ। ତେବେ ଏକ ଧାର୍ମିକ ଯାତ୍ରାର ବ୍ୟାବସାୟିକ ପ୍ରସାରଣ ଲାଗି ସରକାର ବା ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇପାରିବେ କି? ଟେଲି ପ୍ରସାରଣ ସହିତ ବ୍ୟାପକ ପ୍ରାୟୋଜକ ଅର୍ଥ ଜଡିତ ରହୁଥିବାରୁ ଏହାର ଲାଭ ମନ୍ଦିର ପ୍ରଶାସନ ପାଇବା ଉଚିତ ବୋଲି କେହି କେହି କହୁଛନ୍ତି। ତେବେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଟେଲିଭିଜନ କମ୍ପାନୀମାନେ ଯେତିକି ପୁଞ୍ଜି ବିନିଯୋଗ କରନ୍ତି, ସେଇ ଅନୁସାରେ ତାଙ୍କୁ ଲାଭ ମିଳେ କି? ବିଜ୍ଞାପନ ବାବଦକୁ ଚାନେଲ ଗୁଡିକ ଯେତିକି ଅର୍ଥ ପାଆନ୍ତି ତାର ଏକ ନିରପେକ୍ଷ ଆକଳନ ମନ୍ଦିର ପ୍ରଶାସନ କରିଛି କି?

ପ୍ରଥମତଃ ଏହା ଏକ ଧାର୍ମିକ ଉତ୍ସବ ହୋଇଥିବାରୁ ଏହାର ପ୍ରସାରଣ ଅଧିକାରକୁ ବ୍ୟବସାୟର ନିୟମରେ ଦେଖା ଯାଇ ପାରିବ ନାହିଁ। ତେବେ ଟେଲିଭିଜନ ଚାନେଲ ଗୁଡିକ ଏଥିରୁ ବ୍ୟାବସାୟିକ ଲାଭ ଉଠାଉଥିବାରୁ ସେମାନେ ନିଜର ଲାଭାଂଶ ମନ୍ଦିର ପ୍ରଶାସନକୁ ଦେବା କଥା, କୁହାଯାଉଛି। ହେଲେ ବାସ୍ତବରେ ଏ ଲାଭ କେତେ? ଯଦି ଗୋଟିଏ ସଂସ୍ଥାକୁ ଏହି ଅଧିକାର ଦିଆଯାଏ, ସେ ଏହାକୁ ନେଇ ଏକଚାଟିଆ କାରବାର କରିବ। ରଥଯାତ୍ରାକୁ ନେଇ ଯେଉଁ ବିବିଧ ଅନୁଭବ ଓ ସାଂସ୍କୃତିକ ମୂଲ୍ୟବୋଧ ରହିଛି, ତାହା ଗୋଟିଏ କମ୍ପାନୀର ଅକ୍ତିଆର ରେ ରହିବ। ଯେ ଅଧିକ ପଇସା ଦେଲା ସେ ହିଁ ରଥଯାତ୍ରାର ଦୃଶ୍ୟାବଳୀର ମାଲିକ ହୋଇଯିବ। ଆସନ୍ତାକାଲି ହୁଏତ ସାଧାରଣ ଭକ୍ତଟିଏ ଆଉ ନିଜ ମୋବାଇଲରେ ଫୋଟୋଟିଏ ମଧ୍ୟ ଉଠାଇପାରିବ ନାହିଁ। ରଥଯାତ୍ରାରେ ସାର୍ବଜନୀନତାର ଯେଉଁ ମୂଳ ବାର୍ତ୍ତା ଟି ରହିଛି ଏହା ଦ୍ଵାରା ସେଥିରେ ଆମେ ଗଭୀର ପ୍ରହାର କରୁଛୁ।

ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଏହା ରଥଯାତ୍ରାର କର୍ପୋରେଟିକରଣ ବୋଲି କୁହାଯାଇପାରେ। ନିଲାମ ମାଧ୍ୟମରେ କେବଳ ବଡ କର୍ପୋରେଟ ମାନେ ଏହାର ସିଧା ପ୍ରସାରଣ ଅଧିକାର ପାଇବେ ଓ ଓଡିଶାର ଛୋଟ ଛୋଟ ଗଣମାଧ୍ୟମ ସଂସ୍ଥା ଏଥିରୁ ବଞ୍ଚିତ ହେବେ। ଓଡିଆ ଭାଷାରେ ଯେଉଁ ଗଣମାଧ୍ୟମ ସଂସ୍ଥା ଗୁଡିକ ଅଛନ୍ତି, ସେମାନଙ୍କ ପ୍ରତି ଏହା ସିଧାସଳଖ ଅନ୍ୟାୟ। ଓଡିଶାରେ ରହି ଓଡିଆ ଭାଷାରେ ସମ୍ବାଦ ପରିବେଷଣ କରୁଥିବା ସଂସ୍ଥା ଗୁଡିକ ପ୍ରବଳ ଆର୍ଥିକ ଚାପରେ ରହୁଛନ୍ତି। ପରୋକ୍ଷରେ ରଥଯାତ୍ରାର ସିଧା ପ୍ରସାରଣ ସେମାନଙ୍କୁ ହୁଏତ କିଛିଟା ଲାଭ ଦେଉଛି। ସେହି ନାମମାତ୍ର ଲାଭ ଉପରେ ମନ୍ଦିର ପ୍ରଶାସନ ଆଖି ପକାଇବା, ସଂପୂର୍ଣ୍ଣ ରୂପେ ଅନୁଚିତ।

କୌଣସି ପ୍ରସଙ୍ଗରେ ସବୁ ଦିଗକୁ ତର୍ଜମା ନକରି ସିଧା ସିଧା ମନ୍ତବ୍ୟ ଦେବାର ଏକ ସାଧାରଣ ପ୍ରବୃତ୍ତି ଏବେ ସୋସିଆଲ ମିଡିଆର ସବୁଠୁ ବଡ ଅବଦାନ। ଏହି ପ୍ରସଙ୍ଗରେ ମଧ୍ୟ ଏମିତି ପ୍ରତିକ୍ରିୟା ଆସୁଛି, ସଟେକି ରଥଯାତ୍ରା ପ୍ରସାରଣରୁ ହଜାର ହଜାର କୋଟି ଟଙ୍କା ଗଣମାଧ୍ୟମ ସଂସ୍ଥା ଖାଇ ଯାଉଛନ୍ତି। ବାସ୍ତବତା ତାହାଠାରୁ ଯଥେଷ୍ଟ ଭିନ୍ନ। ବିଜ୍ଞାପନ ଅର୍ଥକୁ ନେଇ କମ୍ପାନୀମାନଙ୍କ ସହ ମିଡିଆ ପରିଚାଳକଙ୍କ ମୂଲଚାଲ ଦେଖିଥିବା ଲୋକ କେବେହେଲେ ଏକଥା ବିଶ୍ଵାସ କରିବା ନାହିଁ। କମ୍ପାନୀ ଗୁଡିକ ଏଥିରେ ନିଜର ଯେତିକି ଅର୍ଥ ଓ ମାନବ ସମ୍ବଳ ବିନିଯୋଗ କରନ୍ତି, ସେହି ତୁଳନାରେ ଲାଭ ଖୁବ ଗୋଟେ ବିରାଟ ଉପଲବ୍ଧି ନୁହେଁ।

ଏବେ ହୁଏତ ରିଲାଏନ୍ସ କିମ୍ବା ଅନ୍ୟ କୌଣସି ଜାତୀୟ କମ୍ପାନୀ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇବେ। ସେମାନଙ୍କ ସହିତ ଓଡିଆ ଗଣମାଧ୍ୟମ ସଂସ୍ଥା ପ୍ରତିଯୋଗିତା କରିପାରିବେ ନାହିଁ। ଏହା ପ୍ରତ୍ୟକ୍ଷ ଭାବରେ ମନ୍ଦିର ପ୍ରଶାସନର କାର୍ପୋରେଟିକରଣ ଓ ଏହାକୁ ସବୁସ୍ତରରେ ବିରୋଧ କରାଯିବା ନିହାତି ଉଚିତ।

Categories
ଆଜିର ଖବର

ନିର୍ବାଚନୀ ହିଂସା ଘଟଣା : ଜଗନ୍ନାଥ ଓ ଅନନ୍ତଙ୍କୁ ମିଳିବ ସୁରକ୍ଷା

ଆସନ୍ତାକାଲି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ସାରା ରାଜ୍ୟରେ ଦେଖାଦେଇଛି ନିର୍ବାଚନୀ ହିଂସା। ଗତକାଲି ରାତିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ଦିବସ ଥିବାବେଳେ ମଧ୍ୟ ଭୁବନେଶ୍ବରର ନିର୍ବାଚନୀ ହିଂସା ଦେଖାଯାଇଥିଲା। ଉଭୟ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ଅତି ଗୁରୁତର ସହ ନେଇ ପୋଲିସ୍‌ କମିଶନରେଟ୍‌ ତଦନ୍ତ ଆରମ୍ଭ କରିଥିବାବେଳେ ନିର୍ବାଚନ ଶେଷ ଯାଏ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୁରକ୍ଷା ଦିଆଯିବ। ଉଭୟଙ୍କୁ ସୁରକ୍ଷା କର୍ମୀ ଓ ଏସକର୍ଟ ଯୋଗାଇ ଦିଆଯିବ ବୋଲି ଆଜି ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି। ଗତକାଲି ମଧ୍ୟ-ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ସେ ପ୍ରଚାର ଶେଷ କରି କର୍ମୀଙ୍କ ସହ ଆଲୋଚନା କରିବା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯାଇଥିଲା। ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ମଧ୍ୟ-ଭୁବନେଶ୍ୱର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଝାରପଡ଼ା କେନାଲ ରୋଡ୍‌ ପାଖରେ ତାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅନନ୍ତ କହିଛନ୍ତି। ଏଥରେ ଅନନ୍ତ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଅନନ୍ତ ନାରାୟଣଙ୍କଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।

Categories
ବିଶେଷ ଖବର

ଶ୍ରୀ ମନ୍ଦିର ସଂସ୍କାର ; ସମ୍ଭାବନା ଓ ଆଶଙ୍କା

କେଦାର ମିଶ୍ର

ଇତିମଧ୍ୟରେ ମାନ୍ୟବର ସୁପ୍ରିମ କୋର୍ଟ ଜଗନ୍ନାଥ ମନ୍ଦିର ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଲାଗି ଏକ ସାମାଜିକ ଓ ବୈଧାନିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ସେଇ ସମୟରେ ତାକୁ ମୂଳରୁ ମାରିବାର ପ୍ରକ୍ରିୟା ବିଭିନ୍ନ ସ୍ତରରେ ଆରମ୍ଭ ହୋଇଯାଇଛିସେଥିଲାଗି ପୁରୀ ବନ୍ଦ, ହିଂସାକାଣ୍ଡ, ରାଜନୈତିକ ଷଡଯନ୍ତ୍ର ଇତ୍ୟାଦି ଚାଲିଛି।

  ଶହ ଶହ ବର୍ଷ ଧରି ମନ୍ଦିର ପରିଚାଳନାରେ ବିଶୃଙ୍ଖଳା ଓ ଅରାଜକତା ଆମ ଇତିହାସର ଅଂଶ ପାଲଟି ଯାଇଛି। ଜଗନ୍ନାଥ ମନ୍ଦିର ପରିଚାଳନାରେ  ଅରାଜକତା ଆମ ଲାଗି ସେଇ ପୁରୁଣା ଘା’ ଯାହାକୁ ଆମେ ସମୟକ୍ରମେ ନିଜ ଶରୀରର ଏକ ଅଂଶ ବୋଲି ଗ୍ରହଣ କରିନେଇଛୁ। ସେଇ ଘା’ ପ୍ରତି ଆମର ଅଧିକାର ପ୍ରବଣତା ଏତେ ଅଧିକ ଯେ ତାର ଚିକିତ୍ସା କଥା ଭାବିଲେ ଇ ଆମେ ଉତ୍ତେଜିତ ହୋଇପଡୁଛୁ। ସେ ଘା’ ଓ ତାର ଯନ୍ତ୍ରଣାର ପ୍ରେମରେ ଆମର ଧର୍ମ ଓ ପରମ୍ପରା ଉଭା ହୋଇଛି ବୋଲି ଆମେ ଧରି ନେଇଛୁ

ପ୍ରଥମକରି ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ବରେ ଶ୍ରୀମନ୍ଦିର ଆଇନ ପ୍ରଣୀତ ହେଲା ଓ ଏହାର ଉଦ୍ଦେଶ୍ୟ ରେ ସ୍ପଷ୍ଟ କୁହାଯାଇଥିଲା ଯେ ଏଇ ଆଇନର ଲକ୍ଷ୍ୟ ହେଉଛି ମନ୍ଦିରକୁ କୁପରିଚାଳନାରୁ ରକ୍ଷା କରିବା(to felicitate proper administration of the Puri Shri Jagannath temple preventing mismanagement thereof) ୧୯୫୨ ପରେ ୧୯୫୫ରେ ଏହି ଆଇନକୁ ସମ୍ପ୍ରସାରିତ କରାଗଲାତେବେ ଏଇ ସଂସ୍କାରକୁ ବିରୋଧ କରି ସେତେବେଳେ ମନ୍ଦିର ପରିଚାଳନାର ମୁଖ୍ୟ ଥିବା ଗଜପତି ରାମଚନ୍ଦ୍ର ଦେବ ଓଡିଶା ହାଇ କୋର୍ଟ ରେ ଏକ ମାମଲା ଦାୟର କାଲେକୋର୍ଟ ରେ ନିଜର ପକ୍ଷ ରଖି ଗଜପତି କହିଥିଲେ ଯେ ପୁରୀ ମନ୍ଦିର ହେଉଛି ଗଜପତି ପରିବାରର ବ୍ୟକ୍ତିଗତ ସମ୍ପତ୍ତି । ସେଇ ଯୁକ୍ତିର ସମର୍ଥନରେ ଆଉ ଜେନ ସେବାୟତଙ୍କ ତରଫରୁ ଭିନ୍ନ ଏକ ମତ ରଖାଯାଇଥିଲାଜନୈକ ସେବାୟତ ସେତେବେଳେ ଯୁକ୍ତି କରିଥିଲେ ଯେ ଜଗନ୍ନାଥ ଧର୍ମ ହିନ୍ଦୁ ଧର୍ମର ଅଂଶ ନୁହେଁ ଓ ଏହା ଏକ ଭିନ୍ନ ଓ ସ୍ଵତନ୍ତ୍ର ଧର୍ମ ( separate religious denomination)ଜଗନ୍ନାଥ ଧର୍ମ ସନାତନ ହିନ୍ଦୁଧର୍ମର ଆଚାର ଓ ବ୍ୟବହାରଠାରୁ ଅଲଗା ବୋଲି ସେଇ ଶୁଣାଣୀ ବେଳେ କୁହାଯାଇଥିଲାତେବେ କୋର୍ଟ ସେଇ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ। (AIR1959 Ori 5)

ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ଲାଗି ଯେତେବେଳେ ବି ପ୍ରୟାସ ହୋଇଛି ତାକୁ ବିରୋଧ କରାଯାଇଛିତେଣୁ ଆଜି ମାନ୍ୟବର ସୁପ୍ରିମ କୋର୍ଟ ଯେଉଁ ସଂସ୍କାର ର ସଙ୍କେତ ଦେଇଛନ୍ତି ତା ବିରୋଧରେ ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ତତ୍ପର ହୋଇ ଉଠିଲେଣିଗତ ଜୁଲାଇ ୫ ତାରିଖରେ ସୁପ୍ରିମ କୋର୍ଟ ତାଙ୍କର ଏକ ମଧ୍ୟବର୍ତ୍ତୀ ଆଦେଶରେ ଯେଉଁ କିଛି ପ୍ରସ୍ତାବ ଦେଇଛନ୍ତି ସେଥିରେ ରହିଛି- ୧ ସେବାୟତ ବ୍ୟବସ୍ଥାରେ ବଂଶାନୁକ୍ରମିକ ନିୟମର ପରିବର୍ତ୍ତନ, ୨ଅନ୍ନଦାନ ଓ ଆଟିକା ବ୍ୟବସ୍ଥାରେ ଦକ୍ଷିଣା ବ୍ୟବସ୍ଥାର ଉଚ୍ଛେଦ ୩ ରୋଷଘର ଓ ଚୁଲି ର ସରକାରୀକରଣ ୪ ଧାଡି ଦର୍ଶନ ବ୍ୟବସ୍ଥା ଇତ୍ୟାଦିତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଜଗନ୍ନାଥ ମନ୍ଦିରର ଦୁଆର ସବୁ ଧର୍ମ ଓ ବିଶ୍ବାସର ଲୋକଙ୍କ ଲାଗି ଉନ୍ମୁକ୍ତ ରଖିବାର ପ୍ରସ୍ତାବ ବିଷୟରେ ବିଚାର କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି। ଏହି ପରାମର୍ଶ ପଛରେ ମାନ୍ୟବର ବିଚାରପତି ଦୁଇଟି ଅତ୍ୟନ୍ତ ଅକାଟ୍ୟ ଯୁକ୍ତି ରଖିଛନ୍ତି। ଭାଗବତ ଗୀତାର ଆଧାରରେ ସବୁ ମତ ଓ ବିଶ୍ବାସର ବ୍ୟକ୍ତି ମୋତେ ପୂଜା କରିବାର ଅଧିକାର ପାଇଛନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ସେହିପରି ସୁପ୍ରିମ କୋର୍ଟଙ୍କ ଏକ ରାୟରେ ହିନ୍ଦୁ ଧର୍ମ କୌଣସି ନିର୍ଦ୍ଦିଷ୍ଟ ମତ, ପନ୍ଥ, ଗୁରୁ ଓ ଶାସ୍ତ୍ରରେ ବିଶ୍ଵାସ କରୁନଥିବା ଧର୍ମ ନୁହେଁ, ବରଂ ଏହା ସନାତନ ମାନବୀୟ ମୂଲ୍ୟବୋଧର ଧର୍ମ ବୋଲି ବ୍ୟାଖ୍ୟା କରାଯାଇଛି। ସେଇ ଆଧାରରେ ସବୁ ମଣିଷ ମନ୍ଦିର ପ୍ରବେଶର ଅଧିକାର ପାଇବାକୁ ଯୋଗ୍ୟ ହେବା ଉଚିତ ନୁହଁ କି?

ମନ୍ଦିର ସଂସ୍କାରର ସବୁ ବିତର୍କ ଏବେ ବଂଶାନୁକ୍ରମିକ ସେବା ଓ ଅଣ ହିନ୍ଦୁଙ୍କ ମନ୍ଦିର ପ୍ରସଙ୍ଗରେ ଅଟକି ଯାଇଛି। ଏପରିକି ଗଜପତି (ଯିଏ ସ୍ଵୟଂ ବଂଶାନୁକ୍ରମେ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ) ଅଣହିନ୍ଦୁଙ୍କ ମନ୍ଦିର ପ୍ରବେଶ ପ୍ରତି ସମର୍ଥନ ଦେଇନାହାନ୍ତି। ତାଙ୍କ ମତରେ ପୁରୀ ଶଙ୍କାରାଚାର୍ୟ ଏହାର ଏକମାତ୍ରନିର୍ଣ୍ଣାୟକ, ଯାହାକି ଇତିହାସ ବା ଶାସ୍ତ୍ର ସମର୍ଥିତ ନୁହେଁ। ୧୮୭୦ ମସିହାରେ ହଣ୍ଟର ସାହେବ ଲେଖିଥିବା “ଏ ଷ୍ଟାଷ୍ଟିଷ୍ଟିକାଲ ଏକାଉଣ୍ଟ ଅଫ ବେଙ୍ଗଲ” ରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ “ପୁରୀ ଜଗନ୍ନାଥ ମନ୍ଦିର ଯାହା ଗୋଟେ ସମୟରେ ସବୁ ଧର୍ମ, ବିଶ୍ବାସ, ଜାତି ଓ ଶ୍ରେଣୀରଲୋକଙ୍କୁ ଆଶ୍ରୟ ଦେଉଥିଲା ଆଜି ତାହା ତଳ ଜାତିର ଲୋକଙ୍କ ପାଇଁ ଦୁଆର ବନ୍ଦ କରିଦେଇଛି। “ ହଣ୍ଟର ମନ୍ଦିର ଭିତରେ ପ୍ରବେଶ ଅଧିକାର ନଥିବା ହିନ୍ଦୁ ଓ ଅଣହିନ୍ଦୁ ମାନଙ୍କର ଏକ ତାଲିକା ଦେଇଛନ୍ତି। ମୁସଲମାନ, ଖ୍ରୀଷ୍ଟିୟାନ, ଆଦିବାସୀ ଓ ଅନ୍ୟାନ୍ୟ ୨୧ ଟି ଦଳିତ ଜାତିର ଲୋକଙ୍କୁ ମନ୍ଦିର ପ୍ରବେଶର ଅଧିକାରରୁ ବଞ୍ଚିତ କରାଯାଉଥିଲା। ଆଜି ଦଳିତ ଓ ଆଦିବାସୀଙ୍କୁ ମନ୍ଦିର ପ୍ରବେଶ ଅଧିକାର ମିଳିଛି। ଏଥିଲାଗି ଏ ଦେଶର ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥା ଦାୟୀ। ସେ ଅଧିକାର କେହି ରାଜା, ସାଧୁ ବା ସେବାୟତ ଦେଇନାହାନ୍ତି। ସୁପ୍ରିମ କୋର୍ଟ ଶଙ୍କାରାଚାର୍ୟଙ୍କ ମତ ମାନିବାକୁ ବାଧ୍ୟ ବୋଲି ବଡ ଉଦ୍ଭଟ ଯୁକ୍ତି କରାଯାଉଛି।

ସେହିପରି ବଂଶାନୁକ୍ରମିକ ସେବା ବ୍ୟବସ୍ଥା ଉଚ୍ଛେଦ ପ୍ରଥମେ ଗଜପତି, ରାଜଗୁରୁ, ପୁରୋହିତ, ମୁଦିରସ୍ତ, ଦେଉଳ କରଣ ଇତ୍ୟାଦି ବଡ ବଡିଆଙ୍କ ପାଖରୁ ଆରମ୍ଭ ହେବା ଦରକାର। ଯେତେବେଳେ ଗୋଟେ ପ୍ରଥା ମଣିଷ ବିରୋଧୀ ଓ ଶୋଷଣକାରୀ ହୁଏ ସେତେବେଲେ ସେ ପରମ୍ପରାର ସଂସ୍କାର ଆବଶ୍ୟକ ନିହାତି ଜରୁରୀ। ସଂସ୍କାର ଓ ପରମ୍ପରା ଗୋଟେ ବନ୍ଧନୀ ରେ ରହିପାରିବେ ନାହିଁ।  ମନ୍ଦିର ପରିଚାଳନାରେ ବୃହତ୍ତର ସଂସ୍କାର ଆଣିବାକୁ ହେଲେ ଆଇନଗତ ଦିଗ ଓ ସାମାଜିକ ଆବଶ୍ୟକତା କୁ ଆଧାର ଭାବେ ଗ୍ରହଣ କରିବାକୁ ପଡିବ। ତାହା ନକରି ଆମେ ଯଦି ପରମ୍ପରାର ବାଟ ବାଛିବା, ତାହେଲେ ସଂସ୍କାର କେବେବି ଆସିବ ନାହିଁ