(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ସୁରଙ୍ଗୀ ମନ୍ଦରଡା ରାସ୍ତାରେ ଗୋଟିଏ ଗଛକୁ ମୋଟରସାଇକେଲ ଧକ୍କା ହେବା ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଘଟଣାରୁ ପ୍ରକାଶ ଯେ, କେଦାର ନାଇକ, ରାହୁଳ ନାଇକ ଓ ରଞ୍ଜନ ନାଇକ ନାମକ ତିନି ବନ୍ଧୁ ଗୋଟିଏ ମୋଟରସାଇକେଲରେ ନିକଟସ୍ଥ ତିତିଗାଁରୁ ମନ୍ଦରଡା ଗାଁ କୁ ଫେରୁଥିଲେ। କିନ୍ତୁ ମୋଟରସାଇକେଲଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଜୋରରେ ଧକ୍କା ଦେଇଥିଲା। ଯାହାଫଳରେ ତିନି ଯୁବକ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ଯନ୍ତ୍ରଣା ପାଉଥିଲେ। ଏହାପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତରଖାନାକୁ ପଠାଇ ଥିଲେ। ଡାକ୍ତର କେଦାର ଓ ରାହୁଳକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ରଞ୍ଜନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।
ଖବର ପାଇ ଜରଡା ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।


