ଭୁବନେଶ୍ଵର: କଟକ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମାନୁଆଲ୍ ଥେରାପି ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମିଳନୀରେ ଭାରତ ସମେତ ବିଦେଶର ପ୍ରସିଦ୍ଧ ଚିକିତ୍ସକ, ଶିକ୍ଷାବିତ୍, ଗବେଷକ ଅଭ୍ୟାସ ଏବଂ ନବସୃଜନ ଉପରେ ବିଚାର-ବିମର୍ଶ କରିବେ।
ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ପୁନର୍ବାସ ସେବାକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପୁନର୍ବାସ ବିଜ୍ଞାନରେ ବୈଜ୍ଞାନିକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବାରେ ପ୍ରତିଷ୍ଠାନର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଆଶୁତୋଷ ବିଶ୍ୱାସ, ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ପତିତପବନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।


