ଭୁବନେଶ୍ଵର: ବଡ଼ି ବିଲଡିଂକୁ ନେଇ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଅନେକ ଆଗରେ ଥିବା ବେଳେ ଟ୍ରାନ୍ସଫର୍ମିୟମ କ୍ଲାସିକ୍ସ ଅନୁଷ୍ଠାନ ତରଫରୁ ଏକ ସର୍ବ ଭାରତୀୟ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ଫେବୃଆରୀ ୭ ଓ ୮ ତାରିଖରେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜନ ହେବ। ଏହି ଅବସରରେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଆୟୋଜକ ମିଷ୍ଟର ଜୀବନ ଜ୍ୟୋତି ପ୍ରତିଯୋଗିତା ସମ୍ପର୍କରେ ସମସ୍ତ ବିବରଣୀ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ। ଏହି ପ୍ରତିଯୋଗିତାକୁ କ୍ରିପାଲ ଫିଟନେସ, ଚିତ୍ତରଞ୍ଜନ ବେହେରା, ସୁଶାନ୍ତ ସେଠି, ଶଙ୍କର ସହଯୋଗ କରୁଛନ୍ତି।
ଓଡ଼ିଶାରେ ଏହା ପ୍ରଥମଥର ପାଇଁ ଏକ ବଡ଼ ପରିକଳ୍ପନାରେ ହେବାକୁ ଯାଉଛି। ୨୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରତିଯୋଗିତା ସର୍ବ ଭାରତୀୟ ସ୍ତରରେ ହେବ। ଓଡିଶା ତଥା ଅନ୍ୟ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ୧୫୦ ଜଣ ବଡି ବିଲଡର ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେବେ। ଦେଶର ବହୁ ନାମୀ ଆଥଲେଟ୍ସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିବେ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ଆୟୋଜକ କର୍ତ୍ତୃପକ୍ଷ ସମେତ ଅନେକ ପ୍ରତିଯୋଗୀ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇଥିଲେ ଏବଂ ଏହି ପ୍ରତିଯୋଗିତା ପାଇଁ ସେମାନେ ବହୁତ ଉତ୍ସାହିତ ଥିବା କଥା ପ୍ରକାଶ କରିଥିଲେ। ପ୍ରତିଯୋଗୀ ମାନେ ଖୁବ କମ୍ ଦେୟରେ ପଞ୍ଜିକରଣ କରିପାରିବେ ବୋଲି ଆୟୋଜକ କହିଥିଲେ।
ଅନେକ ପ୍ରତିଯୋଗୀ ଓଡିଶା ବାହାରକୁ ଯାଇ ଖର୍ଚ୍ଚ କରି ଖେଳିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ତେଣୁ ଆୟୋଜକ ସେହି ସ୍ତରର ଏକ ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜନ କରିବାକୁ ସ୍ଥିର କରିଛନ୍ତି ଯାହା ଫଳରେ ଗ୍ରାମାଞ୍ଚଳର ପ୍ରତିଯୋଗୀ ମାନେ ମଧ୍ୟ ଭାଗ ନେଇ ଖେଳି ପାରିବେ ଏବଂ ସେମାନଙ୍କର ପ୍ରତିଭାର ପ୍ରଦର୍ଶନ କରିପାରିବେ।


