Categories
ବିଶେଷ ଖବର ରାଜ୍ୟ ଖବର

ଜୀବନକୁ ବଡ ପରିବର୍ତ୍ତନ କରେ ଯୋଗ, ଏବେ ବି ମୁଁ ତାହା କରୁଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର:  ଆଜି ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସିଧା ବିମାନ ବନ୍ଦରରୁ ଆସି ଏହି ସଭାରେ ଯୋଗଦେଇ ଥିଲେ। ସେ ପ୍ରଥମେ ଜୟ ଜଗନ୍ନାଥ କହି ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ସେ ଭାଷଣରେ ତାଙ୍କର ନିଜର ଅନୁଭୂତି କଥା ଉପସ୍ଥିତ ଜନତାଙ୍କ ନିକଟରେ ବାଣ୍ଟିଥିଲେ। ସେ କହିଥିଲେ ଯେ, ବାପା, ମାଆଙ୍କ ଫଟୋକୁ ପୂଜା କରିବା ନୁହେଁ ବରଂ ତାଙ୍କର ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ।  ମାତୃଶକ୍ତି ଉତ୍ଥାନ ସଂସ୍ଥାରେ ପହଞ୍ଚି ମାଆଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି।

ସେ କହିଥିଲେ ଯେ, ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା। ମାତୃଶକ୍ତି ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ଜଣେ ଆଦର୍ଶ ଜନନୀ ପରମହଂସ ଜଗାନନ୍ଦଙ୍କ ମାଆ ଜ୍ଞାନପ୍ରଭାଙ୍କ ନାଁରେ ଅନୁଷ୍ଠାନ ନାମିତ ହେବା, ଆଧ୍ୟାତ୍ମିକ ଜଗତରେ ନାରୀ ସଂଗଠନ ପ୍ରତିଷ୍ଠା ହେବା ଗୌରବର କଥା। ମାତୃ କରୁଣା ଓ ପ୍ରେରଣା ମଣିଷକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରେ।

ଏହି ଅବସରରେ ନିଜ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ ରାଷ୍ଟ୍ରପତି। ସେ କହିଥିଲେ ଯେ, ‘ଜୀବନର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ମୁଁ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିଲି। ଯୋଗ ସହିତ ଯୁକ୍ତ ହେବା ପରେ ଧୀରେ ଧୀରେ ମୁଁ ଶାରୀରିକ ଓ ମାନସିକ ଦୁର୍ବଳତାରୁ ମୁକ୍ତ ହେଲି । ମୋ ଭିତରେ ପୁନର୍ବାର ଜୀବନ ପ୍ରତି ଆସ୍ଥା ଓ ଆଶା ସଞ୍ଚରିତ ହେଲା।’

ସେହିପରି ସେ କହିଥିଲେ ଯେ, ଏବେ ବିଶ୍ବ ପାଇଁ ପ୍ରକୃତିର ଅସ୍ବାଭାବିକ ଆଚରଣ ବଡ଼ ବିପଦ । ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ । ତେଣୁ ପ୍ରକୃତି ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଜ୍ଞାନପ୍ରଭା ମିଶନ ବତିଖୁଣ୍ଟ ପରି ମାନବ ସମାଜକୁ ଦିଗଦର୍ଶନ ଦେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ ରୂପରେ ସଜେଇ ହେଲା ଭୁବନେଶ୍ବରର ଉତ୍କଳ ମଣ୍ଡପ, ଖର୍ଚ୍ଚ ହେଲା ୯୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି। ଏହି ମଣ୍ଡପର ଏବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି। ଏଣିକି ଦର୍ଶକମାନେ ଏକ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ।

ରାଜ୍ୟ ସରକାରଙ୍କ ତରଫରୁ ୯୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାସ୍ତା ଓ କୋଠାବାଡି (ପୂର୍ତ୍ତ) ବିଭାଗ ଦ୍ୱାରା ଏହି କାର‌୍ୟ୍ୟ ସମାପ୍ତ କରାଯାଇଛି। ଏଠାରେ ଯେପରି ସାଂସ୍କୃତିକ ଦଳମାନେ ନିଜକୁକାର‌୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି କରିପାରିବେ, ସେଥିପାଇଁ ମଞ୍ଚ ପଛପଟେ ଥିବା ୨ ଟି ବେସମେଣ୍ଟ ହଲ ଓ ଗ୍ରୀନରୁମ୍ଗୁଡିକର ଆଧୁନିକୀକରଣ କରାଯାଇଛି।

ସବୁ ପ୍ରକୋଷ୍ଠରେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଦର୍ପଣ ଲଗାଯାଇଥିବାବେଳେ ଏଲ୍.ଇ.ଡି ଆଲୋକରେ ମଞ୍ଚ ସଜେଇହୋଇଛି । ନବୀକରଣ କରାଯାଇଥିବା ଏହି ଉତ୍କଳମଣ୍ଡପରେ ଏଣିକି ବିଭିନ୍ନ ସଂସ୍ଥା ଦ୍ୱାରା ସାଂସ୍କୃତିକ ଆୟୋଜନ କରିବା ସହଜ ହୋଇଛି।

ଏଠାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଇଚ୍ଛୁକ ଅନୁଷ୍ଠାନମାନେ eDistrict.odisha.gov.in ଓ୍ୱେବ୍ ସାଇଟ୍ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନ୍ ଲାଇନ୍ ଯୋଗେ ଉତ୍କଳ ମଣ୍ଡପ ବୁକିଂ କରିପାରିବେ ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସୌନ୍ଦର‌୍ୟ୍ୟକରଣ କରାଯାଇଥିବା ଏହି ଉତ୍କଳ ମଣ୍ଡପକୁ ଆଜି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ବିଭାଗୀୟ ଅଧିକାରୀଙ୍କ ସମେତ ପରିଦର୍ଶନ କରିଥିଲେ।

ପ୍ରକାଶ ଥାଉକି,ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ , (ରାସ୍ତା ଓ କୋଠାବାଡି) ଡିଭିଜନ-୪,ନିର୍ମାଣସୌଧ,ଭୁବନେଶ୍ୱର ଓ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ପ୍ରମୁଖ ପରିଦର୍ଶନ କରି ଏହାର ନବୀକରଣ ନିମନ୍ତେ ଉତ୍କଳମଣ୍ଡପ ପରିଦର୍ଶନ କରିଥିଲେ।

ତଦନୁସାରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି(ପୂର୍ତ୍ତ) ବିଭାଗକୁ ଉତ୍କଳମଣ୍ଡପର ନବୀକରଣ କାର‌୍ୟ୍ୟ ପାଇଁ ଗତ ମଇ ୨ ତାରିଖରେ ହସ୍ତାନ୍ତର କରାଯାଇଥିଲା ଓ ଇତିମଧ୍ୟରେ ମଣ୍ଡପର ନବୀକରଣ କାର୍ଯ୍ୟ ସଂପାଦନ କରାଯାଇଛି।

ଆଜି ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କ ଉତ୍କଳମଣ୍ଡପ ପରିଦର୍ଶନ ସମୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଉପ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ମିଶ୍ର, ଉତ୍କଳ ମଣ୍ଡପର ପରିଚାଳକ ଶ୍ରୀ ପ୍ରମୋଦ ବିଶ୍ୱାଳଙ୍କ ସମେତ ପୂର୍ତ୍ତ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।