ଖୋର୍ଦ୍ଧା: ଗତକାଲିଠାରୁ ଜିଲ୍ଲା ସଦର ମହକୁମା ଟିଏଲସି ରୋଡ଼ ବିଡିଏ ପଡ଼ିଆରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳାର ଆଜି ଦ୍ୱିତୀୟ ସନ୍ଧ୍ୟାରେ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା। ଓଡ଼ିଶାର ବିଶ୍ୱ ବିଦିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତିର ଏବଂ ଓଡ଼ିଆ ଅସ୍ମିତାର କିମ୍ବଦନ୍ତୀ ଓଡ଼ିଶୀ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା।
ସମ୍ବଲପୁର ଜିଲ୍ଲାର ପାରମ୍ପାରିକ ପୁରାତନ ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ଏବଂ ଖୋର୍ଦ୍ଧା ଜିଲ୍ଲାର ପାଇକ ମାନଙ୍କର ବୀରତ୍ୱର ଗାଥା ପାଇକ ଯୋଦ୍ଧା ଯୁଦ୍ଧ ତଥା ପାଇକ ଆଖଡ଼ା ନୃତ୍ୟ ବହୁ ସଂଖ୍ୟାରେ ଦର୍ଶକ ମାନେ ଉପଭୋଗ କରିଥିଲେ। ଜିଲ୍ଲାର ବହୁ ଦୂରଦୂରାନ୍ତରୁ ମା’ମାନେ ଏବଂ ଜନସାଧାରଣ ମେଳା କୁ ଆଗମନ ହେବାସହ ବହୁ ଜନ ସମାବେଶ ଦେଖିବାକୁ ମିଳିଛି।
ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳା ଚାଲିଥିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା ବେଳେ ଜନ ସାଧାରଣ ମାନେ ଗ୍ରାମୀଣ ଉତ୍ପାଦ କ୍ରୟ କରିବାରେ ସୁଯୋଗ ପାଇ ପାରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଲଦୀପ ପଟ୍ଟନାୟକ, ସାନୋତ୍ କୁମାର ଏବଂ ଜେଡ୍ ଫାୟାର ଡାନ୍ସ ଗ୍ରୁପ୍ ର ଟିମ୍ ଅଂଶ ଗ୍ରହଣ କରିଥିଲେ।


