Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ ଅଭିଯାନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚୟନ କରାଯାଇଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଭାରତୀୟ ସଂସ୍କୃତିର ‘ବିବିଧତା ମଧ୍ୟରେ ଏକତା’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଚତୁର୍ଦ୍ଦଶ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ଉଦଘାଟନ କରିଥିଲେ।

ପ୍ରତିଷ୍ଠାନର ଆର୍ଯ୍ୟଭଟ୍ଟ, ଅଗ୍ନି, ସୌର୍ଯ୍ୟ, ସ୍ଫୁଟନିକ ହାଉସ ଓ ଡିଏମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସମ୍ବଲପୁରୀ, ଓଡ଼ିଶୀ, ଭାରତନାଟ୍ୟମ, ମହାକାଳୀ ସ୍ମୃତି ଆଦି ପରିବେଷଣ କରାଯାଇଥିଲା। ଯାହାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ସେହିପରି ଆପୋଲୋ ଓ ରୋହିଣୀ ହାଉସର ଛାତ୍ରଛାତ୍ରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ଡିନ୍‌ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଏବଂ ଶିକ୍ଷୟିତ୍ରୀ ଜ୍ୟୋତି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନ ଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ରଶ୍ମୀରେଖା ସେଠୀ, ଡକ୍ଟର ଏଲିଜାବେଥ୍‌ ଗଙ୍ଗମେର ଓ ନୃତ୍ୟଗୁରୁ ବିଜନ ପଲାଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Categories
ବିଶେଷ ଖବର

ବିଜୁବାବୁଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନର କିଛି ସ୍ମରଣୀୟ ଦୃଷ୍ଟାନ୍ତ

ଦିଲ୍ଲୀପ ହାଲି

ସିକେକ୍ରିଟିକ୍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ କରିବା ଲାଗି ସ୍ଥିର ହେଲା। ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି ନିମନ୍ତ୍ରଣ କରିବାକୁ ସିନେକ୍ରିଟିକ୍ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ମୁଁ ଯାଇଥିଲୁ। ବିଜୁବାବୁ ଚିଠିଟି ପଢ଼ି ତା’ ଉପରେ ଲେଖି ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ହାତରେ ଧରାଇ ଦେଲେ। ଆମେ ଖୁସିରେ ତାଙ୍କ ପ୍ରକୋଷ୍ଠରୁ ବାହାରି ଆସୁଛୁ, ହଠାତ୍ ପଛରୁ ଡାକି ପଚାରିଲେ – What is the Prasanta Nanda Silver Night ? Who is Prasanta Nanda ? Why this Silver Night ତା’ପରେ ଆମେ ବିଜୁବାବୁଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ସମ୍ପର୍କରେ ସବୁ ବିଷୟ ଜଣାଇଲୁ।

ତାଙ୍କ ଚଳଚ୍ଚିତ୍ର ଜୀବନରେ ୨୫ ବର୍ଷ ପୂରି ଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି ଜଣାଇଲୁ। ଏଥିସହିତ ପ୍ରଦୋଷ ବାବୁ, ଓଡ଼ିଆ ପ୍ରାଣ ମୁଖ୍ୟମନ୍ତ୍ରୀଙ୍କୁ ମହାନ୍ ଓଡ଼ିଆ ବୀର ଖାରବେଳଙ୍କ ଉପରେ ପ୍ରଶାନ୍ତ ନନ୍ଦ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ଏହି କଥା ପଦକ ବିଜୁବାବୁଙ୍କୁ ଖୁବ୍ ଆନନ୍ଦ ଦେଇଥିଲା ଏବଂ ଆହୁରି ଖୁସି ହୋଇ ଉତ୍ସବକୁ ଆସିବେ ବୋଲି କହିଥିଲେ। ଆଗକୁ ଆସୁଥିବା ରାଜ୍ୟସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଚୟନ ନେଇ ବରିଷ୍ଠ ମନ୍ତ୍ରୀ ଓ ଦଳୀୟ ନେତାମାନଙ୍କ ସହ ବିଜୁବାବୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିମଗ୍ନ ଥିଲେ ଏବଂ ଉତ୍ସବ ବିଷୟ ସେ ପୁରାପୁରି ଭୁଲି ଯାଇଥିଲେ।

ରବୀନ୍ଦ୍ର ମଣ୍ଡପରେ ତାଙ୍କର ପହଞ୍ଚିବାରେ ବିଳମ୍ବ ଦେଖି ତିନିଜଣ କଳାକାରଙ୍କୁ ସଚିବାଳୟ ପଠାଇ ବିଜୁ ବାବୁଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲୁ। ତା’ପରେ ବିଜୁବାବୁ ହସି ହସି ଦଳୀୟ ସଭାପତି ଅଶୋକ ଦାସଙ୍କୁ ବୈଠକର ଦାୟିତ୍ୱ ନ୍ୟସ୍ତ କରି ଚଳଚ୍ଚିତ୍ର ଉତ୍ସବକୁ ଚାଲିଆସିଲେ। ସେଦିନର ଉତ୍ସବରେ ଜଣେ କଳାକାର ଅନ୍ୟ ଜଣେ କଳାକାରଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବେ ବୋଲି ଆମେ ପୂର୍ବରୁ ସ୍ଥିର କରିଥିବା ଶୁଣି ବିଜୁବାବୁ ବିରକ୍ତ ହୋଇ ନିଜେ ସବୁ ପୁରସ୍କାର ବାଣ୍ଟିବେ ବୋଲି କହିଥିଲେ ଏବଂ ଉତ୍ସବରେ ଦୁଇଘଣ୍ଟା ଧରି ଉପସ୍ଥିତ ଥିଲେ।

ସେଦିନ ଉତ୍ସବରେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ଖାରବେଳଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସାରେ ପୋତି ପକାଇ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। କଳିଙ୍ଗ ସମ୍ରାଟ୍ ଖାରବେଳଙ୍କ ବୀରତ୍ୱ ଓ ସାହସ ବିଜୁ ପଟ୍ଟନାୟକଙ୍କୁ କିପରି ଉଦ୍‌ବୁଦ୍ଧ ଓ ଅନୁପ୍ରାଣିତ କରିଥିଲା, ସେଦିନ ସେହି ଉତ୍ସବରେ ତାହା ପ୍ରତିଫଳିତ ହୋଇଥିଲା।

ଏକଦା ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ପ୍ରଥମେ ସିନେକ୍ରିଟିକ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ଭାରତର ସଂସଦ ଭବନରେ ବିଜୁବାବୁଙ୍କ ମୃତ୍ୟୁ ପରେ ତାଙ୍କର ଏକ ତୈଳଚିତ୍ର ସ୍ଥାନ ପାଉ। ଏହି ପ୍ରସ୍ତାବଟି ସଂସ୍କୃତି ମନ୍ତ୍ରୀ ତତ୍‌କ୍ଷଣାତ୍ ଗ୍ରହଣ କରି ଏହା କେଉଁ ଶିଳ୍ପୀଙ୍କ ଦ୍ୱାରା କରାଯିବ, ତା’ର ବ୍ୟବସ୍ଥା କରିବାକୁ କହିଲେ। କଟକସ୍ଥିତ ଆନନ୍ଦ ଭକବନରେ ବିଜୁ ପଟ୍ଟନାୟକଙ୍କର ଏକ ଫଟୋଚିତ୍ର ଥିଲା। ତାକୁ ଓଡ଼ିଶାର ତତ୍କାଳୀନ ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ଚନ୍ଦ୍ରମଣି ବିଶ୍ୱାଳ ପ୍ରସ୍ତୁତ କରିଥିଲେ। ଏହା ପ୍ରସ୍ତୁତ ହେଲାପରେ ସଂସଦ ଭବନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ ଏବଂ ସୁଷମା ସ୍ୱରାଜ ପ୍ରମୁଖଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା ଏବଂ ସେଠାରେ ଏହି ତୈଳ ଚିତ୍ରଟିକୁ ପ୍ରସ୍ତୁତ କରିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଚନ୍ଦ୍ରମଣି ବିଶ୍ୱାଳଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

୧୯୯୦ ଡିସେମ୍ବର ମାସର ଶୀତ ସନ୍ଧ୍ୟାରେ ଆୟୋଜିତ ଆଉ ଏକ ସିନେକ୍ରିଟିକ୍ ଉତ୍ସବରେ ଗୋଟିଏ କୌତୁହଳଜନକ ଘଟଣା ଘଟିଥିଲା। ଏଥିରେ ମୁଖ୍ୟ ଅତିଥି ବିଜୁବାବୁଙ୍କ ସହ ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ହିନ୍ଦୀ ଧାରାବାହିକର ଲୋକପ୍ରିୟ ଅଭିନେତା ମୋହନ ଗୋଖଲେ (ମିଃ. ଯୋଗୀ ଅଭିନୟ ପାଇଁ ପ୍ରସିଦ୍ଧ) ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଉତ୍ସବର ଅବ୍ୟବହିତ ପୂର୍ବରୁ ଏକ ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟା ବିତ୍ପାତରେ ଗଞ୍ଜାମ ଜିଲ୍ଲା ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏହି ଉତ୍ସବରେ ବିପୁଳ ଜନସମାଗମକୁ ଲକ୍ଷ୍ୟ କରି ବିଜୁବାବୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବିଷୟରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ବିଜୁଙ୍କ ଆବେଗଭରା ଆହ୍ୱାନ ଶୁଣି ଅଭିନେତା ମୋହନ ଗୋଖଲେ ନିଜେ ମଞ୍ଚ ଉପରୁ ଓହ୍ଲାଇ ଏକ ଟିଣ ଡବା ଧରି ଉପସ୍ଥିତ ଦର୍ଶକମଣ୍ଡଳୀଠାରୁ ଦାନ ସଂଗ୍ରହ କରିଥିଲେ । ତାଙ୍କ ଦେଖାଦେଖି ଅନ୍ୟ କଳାକାରମାନେ ମଧ୍ୟ ରବୀନ୍ଦ୍ର ମଣ୍ଡପର ଭରପୁର ପ୍ରେକ୍ଷାଳୟରୁ ଦାନ ସଂଗ୍ରହ ଆରମ୍ଭ କରିଦେଲେ। ମୋଟାମୋଟି ଭାବରେ ଏହି ଉତ୍ସବରେ ସଂଗୃହୀତ ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା। ସେଦିନର ସେହି ଉତ୍ସବରେ କଟକରୁ ଦୁଇ ଚକିଆ ଗାଡ଼ିରେ ଚଢ଼ି ଆସି ଯୋଗ ଦେଇଥିବା ଓଡ଼ିଆ ଚଳଚ୍ଚିତ୍ରର ବିଗତ ଦିନର ଅଗ୍ରଣୀ ବ୍ୟକ୍ତିତ୍ୱ ଗୌରପ୍ରସାଦ, ଘୋଷ, ପୀର ମିଶ୍ର ଓ ନିତାଇ ପାଲିତ୍‌, ସାମୁଏଲ୍ ସାହୁ ବାବି ପ୍ରମୁଖଙ୍କୁ ଦେଖି ଓ ପୁରସ୍କାର ପ୍ରଦାନ କରି ବିଜୁବାବୁ ଅତ୍ୟନ୍ତ ଉତ୍‌ଫୁଲିତ ହୋଇଉଠିଥିଳେ।

ତାଙ୍କଠାରୁ ବୟସରେ ବଡ଼ ଓ ତାଙ୍କ ଜ୍ୟେଷ୍ଠା ଭଗିନୀଙ୍କ ବାନ୍ଧବୀ ଉମା ଗୋଏଙ୍କା (ବାନାର୍ଜୀ) ଯେତେବେଳେ ପୁରସ୍କାର ଗ୍ରହଣ କରିବାକୁ ଆସିଲେ, ସେତେବେଳେ ବିଜୁବାବୁ ଭାବପ୍ରବଣ ହୋଇଉଠିଥିଲେ। ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ର ନାୟିକା ଉମା ମଧ୍ୟ ଖୁବ୍ ଆବେଗରେ ନିଜର କନିଷ୍ଠ ଭ୍ରାତା ସଦୃଶ ବିଜୁଙ୍କ ଗାଲକୁ ଧରି ତାଙ୍କୁ ଆଶୀର୍ବଦା ପ୍ରଦାନ କରିବାର ଦୃଶ୍ୟ ସେତେବେଳେ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା। ଅଭିନେତା ଉତ୍ତମ ମହାନ୍ତି ଉମା ଗୋଏଙ୍କାଙ୍କୁ ନେଇ ମଞ୍ଚକୁ ଯାଇଥିଲେ।

ସାମଗ୍ରିକ ଭାବରେ ବିଚାର କଲେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ମାନବବାଦୀ ଜନନେତା ରୂପେ ସୁପରିଚିତ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ଅନ୍ୟ ଦିଗଟି କିପରି କଳା ଓ ସଂସ୍କୃତିପ୍ରାଣତାରେ ଭରପୂର ଥିଲା, ତାହା ଏହି ସମସ୍ତ ଘଟଣା ଓ ଅନୁଭୂତି ସ୍ପଷ୍ଟ ଜଣାପଡ଼େ। ବିଜୁ ପଟ୍ଟନାୟକ ସଦାସର୍ବଦା ସକ୍ରିୟ ରାଜନୀତି ଭିତରେ ବୁଡ଼ି ରହିଥିଲେ ମଧ୍ୟ ତାଙ୍କର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଶେଷକରି ଗଜଲ ପ୍ରତି ସେ ଗଭୀର ଆକର୍ଷଣ ରହିଥିଲେ। ସେ ସମ୍ପର୍କରେ କାହାରି ଧାରଣା ନଥିଲା। ମାତ୍ର ଗୋଟିଏ ଥର ସିନେକ୍ରିଟିକ୍ ଉତ୍ସବରେ ସେ ସମସ୍ତଙ୍କୁ ଚକିତ କରି ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସେଥିସହିତ ଆମମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ମୁମ୍ବାଇରୁ ପଣ୍ଡିତ ହରିପ୍ରସାଦ ଚୌରାସିଆ କିମ୍ବା ସେହିଭଳି ଅନ୍ୟ ଯଶସ୍ୱୀ କଳାକାରଙ୍କୁ ଆଣି ଭୁବନେଶ୍ୱରରେ ଏକ ଗଜଲ ସନ୍ଧ୍ୟା ଆୟୋଜନ କରିବାକୁ। ସେ କେବଳ ସଙ୍ଗୀତକୁ ଭଲ ପାଉନଥିଲେ, ସେ ସମ୍ପର୍କରେ ତାଙ୍କର ଯଥେଷ୍ଟ ଜ୍ଞାନ ଓ ସ୍ପଷ୍ଟ ଧାରଣା ମଧ୍ୟ ରହିଥିଲା। ତାଙ୍କର ମୂଲ୍ୟବାନ ପରାମର୍ଶ ଗ୍ରହଣ କରି ଆମେ ଅଳ୍ପଦିନ ମଧ୍ୟରେ ସୂଚନା ଭବନ (ବର୍ତ୍ତମାନର ଜୟଦେବ ଭବନ) ଠାରେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂ ଆମେରିକାରେ ରହୁଥିବା ଓଡ଼ିଆ କଣ୍ଠଶିଳ୍ପୀ ସଙ୍ଗୀତା ମହାପାତ୍ରଙ୍କୁ ନେଇ ଏକ ଚିତ୍ତାକର୍ଷକ ଗଜଲ ସନ୍ଧ୍ୟା ଆୟୋଜନ କରିଥିଲୁ।

ସେଦିନ ସମଗ୍ର ସୂଚନା ଭବନ ଶ୍ରୋତାଙ୍କ ଉପସ୍ଥିତିରେ ଭରପୂର ହୋଇଯାଇଥିଲା। ବିଜୁବାବୁଙ୍କ ସହ ସିନେକ୍ରିଟିକ୍ ଆସୋସିଏସନ୍‌ର ନିବିଡ଼ ସମ୍ପର୍କ ରହିଥିଲେ ମଧ୍ୟ ଏହି ସଂସ୍ଥା କୌଣସି ସମୟରେ ତାଙ୍କଠାରୁ କିଛି ଫାଇଦା ହାସଲ କରିବାକୁ ଉଦ୍ୟମ କରିନଥିଲା। ଏହା ହିଁ ତାଙ୍କୁ ଆମ ଅନୁଷ୍ଠାନ ଆଡ଼କୁ ଅଧିକ ଆକର୍ଷିତ କରିଥିଲା।

ଓଡ଼ିଆ ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ବିଜୟା ଜେନା ଓରଫ୍ ଡଳି ଜେନା ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁ ପଟ୍ଟନାୟକଙ୍କ ତାଙ୍କ ବାସଭବନରେ ଭେଟି ଅନୁରୋଧ କରିଥିଲେ। ଏଥିପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମରୁ ଋଣ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁବାବୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ। ସେତେବେଳର ଶିଳ୍ପମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ଏଥିପାଇଁ ସାହାଯ୍ୟ କରିଥିଲେ। ତା’ପରେ ଓଡ଼ିଆ ଚଳଚ୍ଚିତ୍ର ‘ତାରା’ ନିର୍ମାଣ ହେଲା, ଯାହାକି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ତାରା’ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିଲା।

ଓଡ଼ିଆ ସଂସ୍କୃତି ଓ କଳାପ୍ରତି ଏହି ମହାନ୍ ବରପୁତ୍ରଙ୍କର ଯେଉଁ ବିପୁଳ ଅବଦାନ ରହିଥିଲା, ତାକୁ ଏ ଜାତି ଆଦୌ ଭୁଲିପାରିବ ନାହିଁ। ହେଲେ ଆଜି ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷରେ ଏ ସମ୍ପର୍କରେ ବିେଶେଷ ଆଲୋଚନା କରାଯିବାର ପ୍ରାସଙ୍ଗିକତା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ। ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜେଲଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଶ୍ରୀ ଅରବିନ୍ଦଙ୍କ ସ୍ମରଣରେ ହେଉଛି।

ଏହି କାର୍ଯ୍ୟକ୍ରମରେ ଯୋଗ ଏବଂ ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ ଓ ଆଦର୍ଶ ଆଧାରରେ ଜେଲର ଅନ୍ତେବାସୀମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯିବା ଉଦେଶ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ଯେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କର ଜୀବନରେ ପରିବର୍ତ୍ତନ ଆବଶ୍ୟକ। ଏହି ପରିବର୍ତ୍ତନ ଆତ୍ମ ଚିନ୍ତନ ଓ ଅନୁଭବ ମାଧ୍ୟମରେ ଘଟିପାରିବ। ସେମାନଙ୍କ ଜୀବନରେ ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ଏକ ନୂଆ ଅନୁଭବ ଓ ପରିବର୍ତ୍ତନ ଆଣି ନୂଆ ଜୀବନ ଆରମ୍ଭ ପାଇଁ ମାର୍ଗଦର୍ଶନ କରିବ।

ଦେଶର ଆଧ୍ୟାତ୍ମିକ ଗୁରୁମାନଙ୍କ ସହଯୋଗରେ ସଂସ୍କୃତ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମ ସମ୍ପାଦନା କରିବ। ଦେଶର ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଦେଶର ୭୫ଟି ଜେଲକୁ ଏହି କାର୍ଯ୍ୟକ୍ରମ ପାଇଁ ଚିହ୍ନଟ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ରାମକୃଷ୍ଣ ମିଶନ, ପତଞ୍ଜଳୀ, ଆର୍ଟ ଅଫ ଲିଭିଙ୍ଗ, ଈଶା ଫାଉଣ୍ଡେସନ ଏବଂ ସତସଙ୍ଗ ଫାଉଣ୍ଡେସନ ସହିତ ଯୋଗାଯୋଗ କରାଯାଇଛି। ଦେଶର ୨୩ଟି ରାଜ୍ୟରେ ଯୋଗ, ଧ୍ୟାନ ଏବଂ ଶ୍ରୀ ଅରବିନ୍ଦଙ୍କ ନୈତକି ବାଣୀ ଜେଲର ଅନ୍ତେବାସୀମାନଙ୍କୁ ଶିକ୍ଷା ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ ଭଗବତୀଙ୍କ ପୀଠରେ ରଜ ମହୋତ୍ସବ: ୪ ଦିନ ବ୍ୟାପୀ ସଂଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚଳିତ ବର୍ଷ ରଜ ପର୍ବ ୪ ଦିନ ଧରି ମହାଆଡମ୍ବରରେ ପାଳନ କରାଯିବ। ରାଜ୍ୟ ସଂସ୍କୃତି ଓ ପର୍ଯଟନ ବିଭାଗ ତରଫରୁ ପ୍ରତିଦିନ ସଂଧ୍ୟାରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ, ଛଉ, ଭଜନ ପରି ବହୁ ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି।

ଏଥିରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବହୁ କଳାକାର ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିବେ। କେବଳ କୁନିକୁନି ପିଲାଙ୍କ ପାଇଁ ରଜ ଦୋଳିର ବ୍ୟବସ୍ଥା ହୋଇଛି। ମନ୍ଦିର ବାହାରେ ବିଭିନ୍ନ ଦୋକାନ ବଜାର ମଧ୍ୟ ବସିବ। ଶ୍ରଦ୍ଧାଳୁମାନେ ରଜର ମଜା ଉଠାଇ ମା’ଙ୍କୁ ଦର୍ଶନ କରି ଶୃଙ୍ଖଳାର ସହିତ ଫେରିବାର ବ୍ୟାବସ୍ଥା ହୋଇଥିବା ବିଷୟ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ। ସେହିପରି ଭାବେ ତା ୧୭.୦୬.୨୨ ରିଖ ଠାକୁରାଣୀ ବୁଡ଼ ଦିନ ମା’ ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ।

Categories
ଜାତୀୟ ଖବର ବିଶେଷ ଖବର

ଏଣିକି ହେବ ସାଂସ୍କୃତିକ କାର୍ଯ୍ୟକ୍ରମ, କେନ୍ଦ୍ର ସଂସ୍କୃତି ବିଭାଗ ଜାରୀ କଲେ ଗାଇଡ ଲାଇନ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ “ସାଂସ୍କୃତିକ ସମାରୋହ ଏବଂ କାର୍ଯ୍ୟକ୍ରମ” ଆୟୋଜନ ଲାଗି ବିସ୍ତୃତ ଏସଓପି ଜାରି କରାଯାଇଛି। ଏହି ଏସଓପି ପାଳନ ସମୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ।

ଏସବୁ ଗାଇଡଲାଇନରେ ସାଧାରଣ ମାନକ ପଦ୍ଧତି (ଏସଓପି) ରହିଛି ଯାହାକୁ ଥିଏଟର ଓ ପ୍ରଦର୍ଶନୀ ସ୍ଥଳୀର ପରିଚାଳକ, ମନୋରଞ୍ଜନ/ସୃଜନଶୀଳ ସଂସ୍ଥା, କଳାକାର ଏବଂ ଅନ୍ୟ ସଦସ୍ୟମାନେ ପାଳନ କରିବେ। ଏମାନେ ଦେୟଯୁକ୍ତ କିମ୍ବା ମାଗଣାରେ କୌଣସି ସଭା ମଣ୍ଡପ କିମ୍ବା ଅନ୍ୟ କୌଣସି ଖୋଲା/ନିବୁଜ ପ୍ରଦର୍ଶନସ୍ଥଳୀ ଅକ୍ତିଆର କରିବା ସମୟରେ ଏହି ଏସଓପି ପାଳନ କରିବେ। କଳାକାର ଏବଂ ଅନ୍ୟ ସଦସ୍ୟ, ଗ୍ରୀନ ରୁମ ପରିଚାଳନା କର୍ତ୍ତୃପକ୍ଷ, ମଞ୍ଚ ପରିଚାଳନା କର୍ତ୍ତୃପକ୍ଷ, କଷ୍ଟ୍ୟୁମ ଓ ମେକଅପ ଟ୍ରାଏଲ ମଞ୍ଚ, ମୁକ୍ତ ବସିବା ସ୍ଥାନ ଆଦି ସମେତ ସମାରୋହ ସ୍ଥଳୀର ସାନିଟାଇଜେସନ ପାଇଁ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି।

ଏସବୁ ଗାଇଡଲାଇନ ତୁରନ୍ତ ଲାଗୁ କରାଯିବ ଏବଂ ଅନ୍ୟାଦେଶ ନଆସିବା ପର୍ଯ୍ୟନ୍ତ ଜାରି ରହିବ। କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ସାଂସ୍କୃତିକ ଓ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି। ତେବେ, ସାଂସ୍କୃତିକ କାର‌୍ୟ୍ୟକଳାପ ଏବେ ଧୀରେ ଧୀରେ ପୁଣିଥରେ ଆରମ୍ଭ ହେଉଛି। ତେଣୁ ସାଂସ୍କୃତିକ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ ଓ ଏଜେନ୍ସି, ସମେତ ଏପରି ସେବାର ଉପଭୋକ୍ତାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଭାରତରେ ଏପରି ସାଂସ୍କୃତିକ କାର୍ଯ୍ୟକଳାପ ପୁଣିଥରେ ଆରମ୍ଭ କରିବା ନିମନ୍ତେ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି।

ବିଭିନ୍ନ ସମୟରେ ଅନଲକ ଗାଇଡଲାଇନଗୁଡ଼ିକ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଉଛି ଏବଂ ଏହା ସମସ୍ତ କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥାନରେ ଲାଗୁ ହେଉଛି। ତେବେ ଏହାକୁ ଲାଗୁ କରିବା ସମୟରେ ସମ୍ପୃକ୍ତ ସହର/ରାଜ୍ୟରେ କଣ୍ଟେନମେଣ୍ଟ ଜୋନ ସଂକ୍ରାନ୍ତରେ ଜାରି ବିଜ୍ଞପ୍ତିର ସର୍ତ୍ତାବଳୀ ପ୍ରତି ଧ୍ୟାନ ଦିଆଯିବ।

ସାମାଜିକ/ଶିକ୍ଷାଗତ/କ୍ରୀଡ଼ା/ମନୋରଞ୍ଜନ/ସାଂସ୍କୃତିକ/କ୍ରୀଡ଼ା ଏବଂ ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ସମାରୋହ ପାଇଁ କଣ୍ଟେନମେଣ୍ଟ ଜୋନ ବାହାରେ ୧୦୦ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଲାଗି ଅନୁମତି ଦିଆଯାଇଛି । ଯାହାକି ୨୧ ସେପ୍ଟେମ୍ବର, ୨୦୨୦ରୁ ଲାଗୁ ହୋଇଛି। ତେବେ ଏହି ଜନସମାବେଶ ସମୟରେ ସମସ୍ତ କୋଭିଡ-୧୯ ନିୟମ ଯେପରିକି ସାମାଜିକ ଦୂରତା, ସାନିଟାଇଜେସନ ଆଦି ପାଳନ କରିବାର ସର୍ତ୍ତ ରହିଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନଲକ ଗାଇଡଲାଇନ ୫.୦ ସେପ୍ଟେମ୍ବର ୩୦, ୨୦୨୦ରେ ଜାରି କରାଯାଇଛି ଏବଂ ଏହା ବର୍ତ୍ତମାନ ଲାଗୁ ହୋଇଛି। ଏସବୁ ଗାଇଡଲାଇନର ଉପଯୁକ୍ତ ଅଂଶ ଯାହାକି ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ପ୍ରଯୁଜ୍ୟ

1-“କଣ୍ଟେନମେଣ୍ଟ ଜୋନ ବାହାରେ ସାମାଜିକ/ଶିକ୍ଷାଗତ/କ୍ରୀଡ଼ା/ମନୋରଞ୍ଜନ/ସାଂସ୍କୃତିକ/ଧାର୍ମିକ/ରାଜନୈତିକସମାରୋହ ଏବଂ ଅନ୍ୟାନ୍ୟ ଜନସମାବେଶ ଲାଗି ୧୦୦ ଜଣ ପର‌୍ୟ୍ୟନ୍ତ ଲୋକ ଏକତ୍ରିତ ହେବାର ସୀମା ସହିତ ପୂର୍ବରୁ ଅନୁମତି ମିଳିଛି।

2-କଣ୍ଟେନମେଣ୍ଟ ଜୋନ ବାହାରେ, ଏପରି ସମାବେଶ ପାଇଁ ୧୦୦ରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବା ଲାଗି ଅକ୍ଟୋବର ୧୫, ୨୦୨୦ ପରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ଅନୁମତି ଦେଇପାରିବେ ତେବେ ଏଥିପାଇଁ ନିମ୍ନ ସର୍ତ୍ତଗୁଡ଼ିକୁ ପାଳନ କରିବାକୁ ହେବ:

3-ନିବୁଜ ସ୍ଥାନରେ, ସଭାଗୃହର ୫୦% କ୍ଷମତା ସହିତ ଜନସମାବେଶକୁ ଅନୁମତି ମିଳିବ, ଯାହାକି ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ଫେସ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରିବା ଏବଂ ହାତ ସଫା ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ ହେବ।

4-ଖୋଲା ସ୍ଥାନରେ, ସମାବେଶ ସ୍ଥଳୀ/ପଡ଼ିଆର ଆକାରକୁ ଦୃଷ୍ଟିରେ ରଖି ତଥା ଫେସମାସ୍କ, ଥର୍ମାଲ ସ୍କାନିଂ ଏବଂ ହାତସଫା ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇ ଜନସମାବେଶକୁ ଅନୁମତି ମିଳିଛି।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଜନସମାବେଶ ନିୟନ୍ତ୍ରଣ କରିବା ଲାଗି ବିସ୍ତୃତ ଏସଓପି ଜାରି କରିବେ ଏବଂ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ।”

ସଂପୂର୍ଣ୍ଣ ଗାଇଡ ଲାଇନ ଜାଣିବା ପାଇଁ ନିମ୍ନରେ କ୍ଲିକ କରନ୍ତୁ

http://164.100.117.97/WriteReadData/userfiles/SOPs%20for%20cultural%20programs15October2020.pdf