ଭୁବନେଶ୍ଵର: ପ୍ରବୀଣ ଅଭିନେତା ସ୍ବର୍ଗତ ଅଜିତ ଦାସଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ “ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍ ଅଫ୍ ଥିଏଟର” (AJIT) ତା’ର ୧୪ତମ ଅଜିତ ଜାତୀୟ ନାଟ୍ୟ ମହୋତ୍ସବ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଯାହା ଜାନୁଆରୀ ୨୧ରୁ ଜାନୁଆରୀ ୨୩ ସନ୍ଧ୍ୟା ୬ଘଟିକା ୩୦ମିନିଟ ସମୟରେ ଭଞ୍ଜକଳା ମଣ୍ଡପରେ ପାରିବେଶିତ ହେବ। ନାଟ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଗୌହାଟି ସ୍ଥିତ ଏକ ନାଟ୍ୟ ଅନୁଷ୍ଠାନ ପୂର୍ବରଙ୍ଗାର କଳାକାରଙ୍କ ଦ୍ୱାରା ଆସାମୀ ଭାଷାର ନାଟକ ‘ବାସବଦତ୍ତ’ ନାଟକ ପ୍ରଦର୍ଶିତ ହେବ। ଯାହା ପ୍ରଖ୍ୟାତ ନାଟ୍ୟକାର ଗୁଣାକାର ଦେବ ଗୋସ୍ୱାମୀଙ୍କ ଦ୍ୱାରା ନିର୍ଦ୍ଦେଶିତହୋଇଛି।
ନାଟ୍ୟ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ବରିଷ୍ଠ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା ଏବଂ ଯୁବ କଳାକାର କେକେ ଙ୍କୁ “ଅଜିତ ନାଟ୍ୟ ସମ୍ମାନ” ଏବଂ “ଅଜିତ ଯୁବ ନାଟ୍ୟ ସମ୍ମାନ”ରେ ସମ୍ମାନିତ କରାଯିବ। ଦ୍ୱିତୀୟ ସନ୍ଧ୍ୟାରେ ନାଟ୍ୟ ପ୍ରେମୀଙ୍କୁ ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ପୁରୀର ଏକ ପ୍ରସିଦ୍ଧ ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳାର କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ଓଡ଼ିଆ ନାଟକ ‘ନିସିଧ କାଖ୍ୟା’ ପରିବେଷଣ କରାଯିବ। ସେହି ସନ୍ଧ୍ୟାରେ ପ୍ରସିଦ୍ଧ ନାଟ୍ୟ ବ୍ୟକ୍ତିତ୍ୱ ପିତାମ୍ବର ସେନାପତିଙ୍କୁ ‘ଅଜିତ ନାଟ୍ୟ ସମ୍ମାନ’ରେ ସମ୍ମାନିତ କରାଯିବ। ସେହିଭଳି ୨୩ ତାରିଖ ଅର୍ଥାତ ଉଦଯାପନୀ ସନ୍ଧ୍ୟାରେ ଦୀପକ ରଞ୍ଜନ ପତି (ଅମନ)ଙ୍କ ନିର୍ଦ୍ଦେଶନାରେ ଅଜିତ (AJIT) ର ନିଜସ୍ୱ ନାଟକ ‘ସମକାଳ’ ପରିବେଷଣ ହେବ। ସମାପନା ସମାରୋହରେ, ବରିଷ୍ଠ କଳାକାର ପ୍ରେମାଞ୍ଜନ ପରିଡାଙ୍କୁ “ଅଜିତ ନାଟ୍ୟ ସମ୍ମାନ” ଏବଂ ପ୍ରଣୟ ଜେଠୀଙ୍କୁ “ଅଜିତ ସାମ୍ବାଦିକ ସମ୍ମାନ” ପ୍ରଦାନ କରାଯିବ ବୋଲି ଅଜିତ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରିଛନ୍ତି। ଦ୍ଵିତୀୟ ଏବଂ ତୃତୀୟ ସନ୍ଧ୍ୟାରେ ପରିବେଷଣ ହେବାକୁ ଥିବା ଦୁଇଟି ନାଟକର ନାଟ୍ୟକାର ହେଉଛନ୍ତି ଶଙ୍କର ପ୍ରସାଦ ତ୍ରିପାଠୀ।
ତେବେ ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଭଞ୍ଜ କଳା ମଣ୍ଡପରେ ବହୁ ସଂଖ୍ୟାରେ ନାଟ୍ୟପ୍ରେମୀ ଏକାଠି ହୋଇ ନାଟ୍ୟ ମନସ୍କ ହେବା ପାଇଁ ଅଜିତ ନାଟ୍ୟ ଅନୁଷ୍ଠାନର ସମ୍ପାଦିକା ଡଃ ମାୟା ଦାସ ନିମନ୍ତ୍ରଣ କରିଛନ୍ତି।


