Categories
ଆଜିର ଖବର ଖେଳ ମନୋରଂଜନ

ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ସ୍ମୃତିରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ

ଭୁବନେଶ୍ୱର: କିମ୍ବଦନ୍ତୀର ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତି ଓ ଅଜିତ୍ ଦାସ ସେମାନଙ୍କ ଅଭିନୟ ପ୍ରତିଭା ପ୍ରଦର୍ଶନ କରି ଓଡ଼ିଆ ସିନେ ଦର୍ଶକଙ୍କ ହ୍ୟଦୟରେ ଅଲିଭା ଛାପ ଛାଡି ଯାଇଛନ୍ତି। ସେମାନଙ୍କ ଅମ୍ଳାନ ସ୍ମୃତିରେ ସ୍ଥାନୀୟ ନୟାପଲ୍ଲୀସ୍ଥିତ ଇନ୍ଦିରା ମୈଦାନରେ ଏକ ଦିବାରାତ୍ର୍ କ୍ରିକେଟ ପ୍ରତିଯୋଗିତାର ଆୟୋଜନ କରାଯାଇଛି।

ଆସନ୍ତା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଦିନ ୨ ଟା ୩୦ରୁ ରାତି ୧୦ ଟା ୩୦ ପର୍ଯ୍ୟନ୍ତ ଏହି ମ୍ୟାଚର ଆୟୋଜନ କରାଯିବ । ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଓ ଅଜିତ୍ ଦାସ ଯିଏକି ଓଡ଼ିଆ ସିନେଦର୍ଶକଙ୍କ ହୃଦୟରେ ଚିରଦିନ ବରାଜିତ ଅଛନ୍ତି ସେମାନଙ୍କ ଅମ୍ଳାନ ସ୍ମୃତିରେ ହେଉଥିବା ଏହି ମ୍ୟାଚ୍‌ରେ ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେବାପାଇଁ ବିଶିଷ୍ଟ ସିନେ ଅଭିନେତା ଆକାଶ ଦାସ ନାୟକ, ବବି ମିଶ୍ର, ଶ୍ରୀତମ ଦାସ ଙ୍କ ସହିତ ଖେଳ ଓ ସିନେ ଜଗତ ସହିତ ଜଡିତ ଜୟ ସାମନ୍ତ, ହେମରାଜ ଅଗ୍ରୱାଲ, ରମେଶ ରାଉତ୍‌, ଚିଙ୍କୁ ସାମଲ, ରମେଶ ବାରିକ, କେ ତମନ୍ନା, ଜ୍ୟୋତି କର ପ୍ରମୁଖ ଅନୁରୋଧ କରିଛନ୍ତ।

Categories
ବିଶେଷ ଖବର ରାଜ୍ୟ ଖବର ସିନେମା

ଚଳଚିତ୍ର ଓ ନାଟକର ଏକ ସମିଶ୍ରଣ ଧାରା ସୃଷ୍ଟି କରିଥିଲେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅଜିତ ଦାସ

ଦିଲ୍ଲୀପ ହାଲି

ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟ୍ୟ ଜଗତର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ବ ହେଉଛନ୍ତି ଅଜିତ ଦାସ। ୧୯୪୯ ମସିହା ଜାନୁୟାରୀ ୨୦ ତାରିଖରେ ବାରିପଦାରେ ଜନ୍ମ ଗ୍ରହଣ କରିଥିବା ଅଜିତ ଦାସ ଓଡିଆ ନାଟ୍ୟ ଓ ଚଳଚିତ୍ର ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଇତିହାସ। ଅଶି ଦଶକରେ ଯେଉଁମାନେ ଓଡିଆ ଚଳଚିତ୍ରରେ ଅଜିତଙ୍କ ଅଭିନୟକୁ ଦେଖିଛନ୍ତି ସେମାନେ ସମସ୍ତେ ତାଙ୍କର କଳାକୁ ମନେ ରଖିଛନ୍ତି। ସେହିପରି ବର୍ତ୍ତମାନ ସମୟର ଚଳଚିତ୍ର ‘ଆମ ଭିତରେ କିଛି ଅଛି କି’ ଯେ ଦେଖିଛି ସେ ମଧ୍ୟ ଅଜିତଙ୍କ ଅଭିନୟ କଳା କଣ ତାହା ବାରିପାରିଛି।

ଅଜିତଙ୍କ ଚଳଚିତ୍ର ଯାତ୍ରା ୧୯୭୬ ମସିହାର ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ଆରମ୍ଭ ହୁଏ। ସେହି ଚଳଚିତ୍ର ହିଁ ତାଙ୍କ ପାଇଁ ଆଣି ଦେଇଥିଲା ପ୍ରସିଦ୍ଧି। ଏହା ପରେ ସେ ଗୋଟିଏ ପରେ ଗୋଟିଏ ଚଳଚିତ୍ରରେ ଅଭିନୟ କରି ନିଜର ଏକ ସ୍ଥିତି ଜାହିରି କରିପାରିଥିଲେ । ସିନ୍ଦୁର ବିନ୍ଦୁ ପରେ ‘ପୁନଃମିଳନ’, ‘ପିପାସା’, ‘ଶଙ୍ଖ ମହୁରୀ’, ‘ଗୌରୀ’, ‘ବଳିଦାନ’, ‘ବାଟ ଅବାଟ’, ‘ମେଘମୁକ୍ତି’, ‘ଦେବଯାନୀ’, ‘ଟିକେହସ ଟିକେ ଲୁହ’, ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ହାକିମ ବାବୁ’, ‘ଆଶାର ଆକାଶ’, ‘ଜନନୀ’, ‘ମୁଁ ତୁମେ ଓ ସେ’, ‘ପର ଝିଅ ଘର ଭାଙ୍ଗେନା’, ‘ତୁଣ୍ଡ ବାଇଦ’, ‘ଗୋଲାମ ଗିରି’, ‘ମମତାର ଡୋରୀ’, ‘ପରଦେଶୀ ଚଢେଇ’, ‘ଆମ ଘର ଆମ ସଂସାର’,  ‘ମୁଖ୍ୟମନ୍ତ୍ରୀ’, ‘ଧନରେ ରଖିବୁ ଶପଥ ମୋର’ ‘ଆମ ଭିତରେ କିଛି ଅଚି କି’, ‘ଚାନ୍ଦନା ତୁମେ ତାରା’, ‘ପର୍ଶୁରାମ’ ପ୍ରମୁଖ ଚଳଚିତ୍ର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ।

ତାଙ୍କ ଅଭିନିତ ଚଳଚିତ୍ର ‘ହାକିମ ବାବୁ’ ସେତେବେଳେ ଏକ ସାଂପ୍ରତିକ ଘଟଣା ଉପରେ ପର୍ଯ୍ୟବେସିତ ନିଖୁଣ ଚଳଚିତ୍ରଟିଏ ଥିଲା। ଏଥିରେ ଜଣେ ଗାଁର ପିଲାଟିଏ ଆଇଏଏସ ପାଇଁ କଲେକ୍ଟର ହେବା ପରେ କିପରି ତାହାର ପରିବର୍ତ୍ତନ ହେଲା କାହାଣୀ ଉପରେ ପର୍ଯ୍ୟବେସିତ ଥିଲା। ଏଥିରେ ଅଜିତ ଦାସ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଜିଲ୍ଲାପାଳ ଭୂମିକାଟି ଏପରି ବାସ୍ତବତା ଥିଲା, ତାହା କେହି ବି କଳ୍ପନା କରିପାରିବ ନାହିଁ। ସେହି ଚଳଚିତ୍ରରେ ନିଖୁଣ ଅଭିନୟ ପାଇଁ ଅଜିତ ଦାସ ୧୯୮୫ ମସିହାରେ ଶ୍ରେଷ୍ଠ ଅଭିନୟ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଥିଲେ। ସେତେବେଳେ ଏହି ଚଳଚିତ୍ରଟି ମଧ୍ୟ ଜାତୀୟ ପୁରସ୍କାର ହାସଲ କରିଥିଲା।

ତେବେ ଚଳଚିତ୍ରରେ ସେ ଯେତିକି ପରିଚିତ ତାଠାରୁ ଢେର ଅଧିକ ପରିଚିତ ଥିଲେ ନାଟ୍ୟ ଜଗତରେ। ସେ ଏବଂ ବିଜୟ ମହାନ୍ତି ଉଭୟ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ପାଶ କରିବା ପରେ ନିଜକୁ ନାଟ୍ୟ ଜଗତ ଭିତରେ ବୁଡାଇ ରଖିଥିଲେ। ଏପରିକି ଉଭୟ ଉତ୍କଳ ସଂଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଅଧ୍ୟାପକ ଭାବେ ବୃତିଗତ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ। ଅଜିତ ଦାସ ନିଜେ ଏକ ନାଟ୍ୟ ଅନୁଷ୍ଠାନ ଗଠନ କରି ଓଡିଆ ନାଟ୍ୟ ଜଗତକୁ ଯେପରି ଅବଦାନ ଦେଇଛନ୍ତି ତାହା ବିରଳ। ତାଙ୍କ ନାଟ୍ୟ ସଂସ୍ଥାର ନାମ ଥିଲା, ‘ଅଭିନୟ ଜାଗ୍ରୁତି ଇନିଷ୍ଟିଚ୍ୟୁଟ ଅଫ ଥିଏଟର’ ବା ସଂକ୍ଷେପରେ ଅଜିତ।

ଏଥିରେ ସେ ଯେଉଁ ନାଟକ ମଞ୍ଚସ୍ଥ କରାନ୍ତି ତାହା ସବୁ ଖାଣ୍ଟି ଓଡିଆ ଘରର କାହାଣୀ ଓ ଚାଲିଚଳନି ଉପରେ ପର୍ଯ୍ୟବେସିତ। ସେହିପରି ପ୍ରାଚୀନ ଓଡିଆ ସାହିତ୍ୟ ଗଳ୍ପକୁ ଯେ ସୁନ୍ଦର ନାଟକ କରାଯାଇପାରିବ ସେ କଳା କେବଳ ଅଜିତ ଦାସଙ୍କ ପାଖରେ ଥିଲା। ତାଙ୍କ ଦ୍ବାରା ନିର୍ଦ୍ଦେଶିତ ‘ବୁଢା ଶଙ୍ଖାରୀ’ ‘ଶାସ୍ତୀ’, ‘ଛ ମାଣ ଆଠ ଗୁଣ୍ଠ’ ‘ତଟ ନିରଂଜନା’ ଏବଂ ‘ଜୟଦେବ’ ପରି ନାଟକ ବେଶ୍ ଆଦୃତି ଲାଭ କରିପାରିଛି।

ସେହିପରି ସେ ପ୍ରାଚୀନ ସଂସ୍କୃତି ଭାଷାର ଏକ ନାଟକ ‘ପର୍ଶୁରାମ ବିଜୟ’ ମଞ୍ଚସ୍ଥ କରି ଓଡିଆ ନାଟ୍ୟ ଜଗତରେ ଏକ ଚହଳ ସୃଷ୍ଟି କରିଥିଲେ। ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ “ସାକ୍ଷୀ ଇତିହାସ’ ପରି ଏକ ବିରାଟ ପରିକଳ୍ପନାର ନାଟକ କରିବା କେବଳ ଅଜିତଙ୍କ ପକ୍ଷରେ ହିଁ ସମ୍ଭବ ହୋଇପାରିଛି। କହିବାକୁ ଗଲେ ଓଡିଆ ନାଟ୍ୟ ଜଗତରେ ଅଜିତ ଦାସ ବେଶ୍ ପରୀକ୍ଷା ନିରୀକ୍ଷା କରିଛନ୍ତି। ସେଥିପାଇଁ ତାଙ୍କୁ 2010-2011 ମସିହାରେ ମଞ୍ଚ ନିର୍ଦ୍ଦେଶନା ପାଇଁ ପ୍ରଦାନ କରାଯାଇଥିଲା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର।

ଅଜିତ ଦାସଙ୍କ କଳାକାର ଜୀବନକୁ ଯଦି ପର୍ଯ୍ୟାଲୋଚନା କରାଯାଏ ତେବେ ଗୋଟଏ କଥା ସ୍ପଷ୍ଟ ହେବ ଯେ, ସେ ଚଳଚିତ୍ର ଅପେକ୍ଷା ନାଟକକୁ ବେଶୀ ଗୁରତ୍ବ ଦେଉଥିଲେ। ସକାଳୁ ଉଠିଲେ ବସିଲେ ସେ କେବଳ ନାଟକ କଥା ହିଁ ଚିନ୍ତା କରୁଥିଲେ। ସେଭଳି ଏକ ବହୁମୁଖୀ ପ୍ରତିଭା ଓଡିଶାକୁ ଆଉ କେବେ ମିଳିବ ତାହା ଆଶା କରିବା ବୃଥା ହେବ।