Categories
ଆଜିର ଖବର ଖେଳ ମନୋରଂଜନ

ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ସ୍ମୃତିରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ

ଭୁବନେଶ୍ୱର: କିମ୍ବଦନ୍ତୀର ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତି ଓ ଅଜିତ୍ ଦାସ ସେମାନଙ୍କ ଅଭିନୟ ପ୍ରତିଭା ପ୍ରଦର୍ଶନ କରି ଓଡ଼ିଆ ସିନେ ଦର୍ଶକଙ୍କ ହ୍ୟଦୟରେ ଅଲିଭା ଛାପ ଛାଡି ଯାଇଛନ୍ତି। ସେମାନଙ୍କ ଅମ୍ଳାନ ସ୍ମୃତିରେ ସ୍ଥାନୀୟ ନୟାପଲ୍ଲୀସ୍ଥିତ ଇନ୍ଦିରା ମୈଦାନରେ ଏକ ଦିବାରାତ୍ର୍ କ୍ରିକେଟ ପ୍ରତିଯୋଗିତାର ଆୟୋଜନ କରାଯାଇଛି।

ଆସନ୍ତା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଦିନ ୨ ଟା ୩୦ରୁ ରାତି ୧୦ ଟା ୩୦ ପର୍ଯ୍ୟନ୍ତ ଏହି ମ୍ୟାଚର ଆୟୋଜନ କରାଯିବ । ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଓ ଅଜିତ୍ ଦାସ ଯିଏକି ଓଡ଼ିଆ ସିନେଦର୍ଶକଙ୍କ ହୃଦୟରେ ଚିରଦିନ ବରାଜିତ ଅଛନ୍ତି ସେମାନଙ୍କ ଅମ୍ଳାନ ସ୍ମୃତିରେ ହେଉଥିବା ଏହି ମ୍ୟାଚ୍‌ରେ ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେବାପାଇଁ ବିଶିଷ୍ଟ ସିନେ ଅଭିନେତା ଆକାଶ ଦାସ ନାୟକ, ବବି ମିଶ୍ର, ଶ୍ରୀତମ ଦାସ ଙ୍କ ସହିତ ଖେଳ ଓ ସିନେ ଜଗତ ସହିତ ଜଡିତ ଜୟ ସାମନ୍ତ, ହେମରାଜ ଅଗ୍ରୱାଲ, ରମେଶ ରାଉତ୍‌, ଚିଙ୍କୁ ସାମଲ, ରମେଶ ବାରିକ, କେ ତମନ୍ନା, ଜ୍ୟୋତି କର ପ୍ରମୁଖ ଅନୁରୋଧ କରିଛନ୍ତ।

Categories
ବିଶେଷ ଖବର

ଓଡିଆ ସିନେମାରେ ଏକ ଯୁଗର ଅବସାନ, ଆଉ ନାହାନ୍ତି ବିଜୟ ମହାନ୍ତି

ଓଡିଆ ସିନେମାର ଅନ୍ୟତମ ଯୁଗ ନାୟକ ବିଜୟ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ଗତ ପଚାଶ ବର୍ଷ ଧରି ଓଡିଆ ସିନେମା, ରଙ୍ଗମଞ୍ଚ ଓ କଳା ଶିକ୍ଷା କ୍ଷେତ୍ରରେ ଅନୁପମ ଅବଦାନ ରଖି ଆସିଥିବା ମହାନ ଅଭିନେତା ବିଜୟ ମହାନ୍ତିଙ୍କର ମୃତ୍ୟୁରେ ଓଡିଆ କଳା ଜଗତ ସ୍ତବ୍ଧ ହୋଇ ପଡିଛି। ୧୯୭୭ ମସିହାରେ ଦୁଇଟି ପ୍ରସିଦ୍ଧ ସିନେମା “ଚିଲିକା ତୀରେ” ଏବଂ “ନାଗଫାଶ” ଜରିଆରେ ବିଜୟ ମହାନ୍ତିଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଉଭୟ ନାୟକ ଏବଂ ଖଳ ନାୟକ ଭୂମିକାରେ ଓଡିଶାର ଦର୍ଶକ ତାଙ୍କୁ ଭଲ ପାଇ ଆସିଛନ୍ତି।

୮, ଏପ୍ରିଲ, ୧୯୫୦ ରେ ବିଜୟ ମହାନ୍ତି କେନ୍ଦ୍ରାପଡା ଜିଲାର ପାଣ୍ଡିରି ଗାଁରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପିଲାଦିନ ବିତିଥିଲା ବାରିପଦାରେ। ବାରିପଦା ଗୋଟେ ସମୟରେ ଓଡିଆ ସିନେମାକୁ ସର୍ବାଧିକ ସଫଳ କଳାକାର ଦେଇଥିଲା। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଜଣେ ସଫଳ ସ୍ନାତକ ଭାବରେ ତାଙ୍କର ଅଭିନୟ  ଜୀବନ ଏକ ସଫଳ ଆଧାର ପାଇଥିଲା। ସିନେମା ଓ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ଆଜୀବନ ନିବିଡ ହୋଇ ରହିଥିଲା।

ନାଗଫାଶ, ଚିଲିକା ତୀରେ, ଦଣ୍ଡା ବାଳୁଙ୍ଗା, ଜାଗା ହାତରେ ପଘା, ସହରୀ ବାଘ, ହାକିମ ବାବୁ, ଶଙ୍ଖା ସିନ୍ଦୁର, ଅସ୍ତରାଗ, ସ୍ଵପ୍ନ ସାଗର, ରାମ ରହିମ, କାବେରୀ, ଭୁଲି ହୁଏନା ଥୁ ଆରମ୍ଭ କରି ଲଭ ଡଟ କମ ପର୍ୟନ୍ତ ଶତାଧିକ ସିନେମାରେ ବିଜୟ ମହାନ୍ତିଙ୍କର ଅଭିନୟ ଓଡିଆ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେ ଥିଲେ ଓଡିଆ ସିନେମାରେ ଅଭିନୟର ଜୀବନ୍ତ କିମ୍ବଦନ୍ତୀ। ଜୀବନର ବାସ୍ତବତା ସହିତ ଚରିତ୍ରର ବ୍ୟକ୍ତିତ୍ବକୁ ଏକାକାର କରିବାରେ ତାଙ୍କର ତୁଳନା ନାହିଁ। ଓଡିଆ ସିନେମାର ଅନ୍ୟତମ ମହାନାୟକ ଭାବରେ ତାଙ୍କର କୌଣସି ବିକଳ୍ପ ନାହିଁ।

ଜଣେ ଅଭିନେତା ଭାବରେ ସେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ, କିନ୍ତୁ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟର ନାଟ୍ୟ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବରେ ଶହ ଶହ ଅଭିନେତା ଓ ଅଭିନେତ୍ରୀ ତିଆରି କରିବାରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଜଣେ ସଫଳ ନାଟ୍ୟକାର ଭାବରେ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ମିଳିଥିଲା।

ନିଜର ନିଖୁଣ ଅଭିନୟ ଲାଗି ସେ ରାଜ୍ୟର ସର୍ବୋଚ୍ଚ ସିନେମା ପୁରସ୍କାର “ଜୟଦେବ ପୁରସ୍କାର” ରେ ତାଙ୍କୁ ସମ୍ମାନୀତ କରାଯାଇଥିଲା। ତେବେ ଓଡିଶାବାସୀଙ୍କର ହୃଦୟରେ ସେ ସବୁଦିନ ଶିଖର ନାୟକ ଭାବରେ ଆମର ହୋଇ ରହିଥିବେ।

Categories
ଆଜିର ଖବର ରାଜ୍ୟ ଖବର

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ବର: ଓଲିଉଡ୍‌ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ୭୦ ବର୍ଷ ବୟସରେ ବିଜୟ ମହାନ୍ତି ପରଲୋକ ଗମନ କରିଛନ୍ତି। ଆଜି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲ ନିଆଯାଇଥିଲା। ଏଠାରେ ତାଙ୍କର ମୃତ୍ୟୁ ହୋଇଥିବାର କେୟାର ହସ୍ପିଟାଲ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଏକ ଯୁଗର ଅବସାନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି  ହେବ ନାହିଁ। ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲେ ବିଜୟ ମହାନ୍ତି। ୧୯୭୭ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ବିଜୟ ମହାନ୍ତି ନିଜ ଜୀବନକାଳ ମଧ୍ୟରେ ୧୭୫ ଟି ଫିଲ୍ମରେ ଅଭିନୟ କରିଛନ୍ତି।

‘ନାଗ ଫାଶ’ ଚଳଚ୍ଚିତ୍ରରୁ ଅଭିନୟ କରିଥିବା ବିଜୟ ମହାନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜୟୀ ହୋଇଛନ୍ତି। ଉଭୟ ଚଳଚ୍ଚିତ୍ର, ମଞ୍ଚ ଓ ଯାତ୍ରା ଜଗତରେ ସେ ଛାଡି ଯାଇଛନ୍ତି ଏକ ସ୍ବତନ୍ତ୍ର ଛାପ।

୧୯୭୭ ମସିହାରେ ବିଜୟ ମହାନ୍ତି  ଅଭିମାନ ଚଳଚ୍ଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ। ସେ ଚରିତ୍ର ଅଭିନେତା ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରି ଓଡ଼ିଆ ଫିଲ୍ମ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ‘ଚିଲିକା ତୀରେ’ ଫିଲ୍ମରେ ସେ ପ୍ରଥମେ ଅଭିନୟ କରିଥିଲେ ସୁଦ୍ଧା ନାଗଫାଶ ଚଳଚ୍ଚିତ୍ରଟି ତାଙ୍କର ପ୍ରଥମେ ମୁକ୍ତିଲାଭ କରିଥିଲା ।  ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ସବୁ ଚରିତ୍ରରେ ସେ ନିଜର ଅଭିନୟର ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି ।

ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୪ ମସିହାରେ ଜୟଦେବ ସମ୍ମାନରେ ସମ୍ମାନିତ ହୋଇଥିବାବେଳେ ୨୦୦୯ ମସିହାରେ ନାଟକ ‘ଅଜାତି’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ସେହିପରି ଓଡ଼ିଆ କଥାଚିତ୍ର  ‘ଆରତୀ’, ଏଇ ଆମ ସଂସାର’, ‘ମମତା ମାଗେ ମୂଲ’, ‘ଭାଇ ହେଲା ଭଗାରି’ ଆଦି ଚଳଚ୍ଚିତ୍ର ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

କେବଳ ଅଭିନୟ ନୁହେଁ, ରାଜନୀତିରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ବିଜୟ ମହାନ୍ତି । ୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ମାତ୍ର ଏଥିରେ ସେ ବିଜୟୀ ହୋଇପାରିନଥିଲେ । ଏହା ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ । 

ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିଜୟ ମହାନ୍ତି ବିବାହ କରିଥିବାବେଳେ ତାଙ୍କର ଏକ ଝିଅ ଅଛନ୍ତି ।  ତାଙ୍କ ଅଭିନୀତ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରଗୁଡିକ ମଧ୍ୟରେ ରହିଛି – ‘ସଉତୁଣୀ’, ‘ଚିଲିକା ତୀରେ’, ‘ସମୟ ବଡ ବଳବାନ’, ‘ଜଗା ହାତରେ ପଘା’, ‘ବଳିଦାନ’, ‘ସହରୀ ବାଘ’, ‘ସ୍ବପ୍ନ ସାଗର’ , ‘କାବେରୀ’, ‘ହାକିମ ବାବୁ’, ‘ଧର୍ମର ହେବ ଜୟ’, ‘ଚକା ଚକା ଭଉଁରୀ’, ‘ଭାଇ ଭଗାରୀ’, ‘ ନାରୀ ନୁହେଁ ତୁ ନାରାୟଣୀ’, ‘ବୋଉ’,  ’ଦଣ୍ଡାବାଳୁଙ୍ଗା’, ‘ଅଣ୍ଟି ଛୁରୀ ତଣ୍ଟି କାଟେ’, ‘ଭୀଷ୍ମ ପ୍ରତିଜ୍ଞା’, ‘ପଞ୍ଜୁରୀ ଭିତରେ ଶାରୀ’, ‘କି ହେବ ଶୁଆ ପୋଷିଲେ’ ପରି ଶତାଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ’ଭୁଲି ହୁଏନା’ରେ ସେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୀର୍ଘ 22 ଘଣ୍ଟାର ଯାତ୍ରା ପରେ ବିଜୟ ମହାନ୍ତି ଭୁବନେଶ୍ବରରେ ପହଞ୍ଚିଛନ୍ତି ।  ଗତକାଲି ମଧ୍ୟାହ୍ନ ପ୍ରାୟ 12ଟାରେ ହାଇଦ୍ରାବାଦରୁ ବାହାରିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ।

ବିଜୟ ମହାନ୍ତିଙ୍କୁ ଓଡ଼ିଶା ଆଣିବାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢାଇଥିଲେ। ହସ୍ପିଟାଲରେ ବିଜୟ ମହାନ୍ତି ପହଞ୍ଚିବା ପରେତାଙ୍କ ଶୁଭେଚ୍ଛମାନଙ୍କର ଭିଡ ଦେଖିବାକୁ ମିଳିଛି ।