ଓଡିଆ ସିନେମାରେ ଏକ ଯୁଗର ଅବସାନ, ଆଉ ନାହାନ୍ତି ବିଜୟ ମହାନ୍ତି

Published: Jul 20, 2020, 9:49 pm IST

ଓଡିଆ ସିନେମାର ଅନ୍ୟତମ ଯୁଗ ନାୟକ ବିଜୟ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ଗତ ପଚାଶ ବର୍ଷ ଧରି ଓଡିଆ ସିନେମା, ରଙ୍ଗମଞ୍ଚ ଓ କଳା ଶିକ୍ଷା କ୍ଷେତ୍ରରେ ଅନୁପମ ଅବଦାନ ରଖି ଆସିଥିବା ମହାନ ଅଭିନେତା ବିଜୟ ମହାନ୍ତିଙ୍କର ମୃତ୍ୟୁରେ ଓଡିଆ କଳା ଜଗତ ସ୍ତବ୍ଧ ହୋଇ ପଡିଛି। ୧୯୭୭ ମସିହାରେ ଦୁଇଟି ପ୍ରସିଦ୍ଧ ସିନେମା “ଚିଲିକା ତୀରେ” ଏବଂ “ନାଗଫାଶ” ଜରିଆରେ ବିଜୟ ମହାନ୍ତିଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଉଭୟ ନାୟକ ଏବଂ ଖଳ ନାୟକ ଭୂମିକାରେ ଓଡିଶାର ଦର୍ଶକ ତାଙ୍କୁ ଭଲ ପାଇ ଆସିଛନ୍ତି।

୮, ଏପ୍ରିଲ, ୧୯୫୦ ରେ ବିଜୟ ମହାନ୍ତି କେନ୍ଦ୍ରାପଡା ଜିଲାର ପାଣ୍ଡିରି ଗାଁରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପିଲାଦିନ ବିତିଥିଲା ବାରିପଦାରେ। ବାରିପଦା ଗୋଟେ ସମୟରେ ଓଡିଆ ସିନେମାକୁ ସର୍ବାଧିକ ସଫଳ କଳାକାର ଦେଇଥିଲା। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଜଣେ ସଫଳ ସ୍ନାତକ ଭାବରେ ତାଙ୍କର ଅଭିନୟ  ଜୀବନ ଏକ ସଫଳ ଆଧାର ପାଇଥିଲା। ସିନେମା ଓ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ଆଜୀବନ ନିବିଡ ହୋଇ ରହିଥିଲା।

ନାଗଫାଶ, ଚିଲିକା ତୀରେ, ଦଣ୍ଡା ବାଳୁଙ୍ଗା, ଜାଗା ହାତରେ ପଘା, ସହରୀ ବାଘ, ହାକିମ ବାବୁ, ଶଙ୍ଖା ସିନ୍ଦୁର, ଅସ୍ତରାଗ, ସ୍ଵପ୍ନ ସାଗର, ରାମ ରହିମ, କାବେରୀ, ଭୁଲି ହୁଏନା ଥୁ ଆରମ୍ଭ କରି ଲଭ ଡଟ କମ ପର୍ୟନ୍ତ ଶତାଧିକ ସିନେମାରେ ବିଜୟ ମହାନ୍ତିଙ୍କର ଅଭିନୟ ଓଡିଆ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେ ଥିଲେ ଓଡିଆ ସିନେମାରେ ଅଭିନୟର ଜୀବନ୍ତ କିମ୍ବଦନ୍ତୀ। ଜୀବନର ବାସ୍ତବତା ସହିତ ଚରିତ୍ରର ବ୍ୟକ୍ତିତ୍ବକୁ ଏକାକାର କରିବାରେ ତାଙ୍କର ତୁଳନା ନାହିଁ। ଓଡିଆ ସିନେମାର ଅନ୍ୟତମ ମହାନାୟକ ଭାବରେ ତାଙ୍କର କୌଣସି ବିକଳ୍ପ ନାହିଁ।

ଜଣେ ଅଭିନେତା ଭାବରେ ସେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ, କିନ୍ତୁ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟର ନାଟ୍ୟ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବରେ ଶହ ଶହ ଅଭିନେତା ଓ ଅଭିନେତ୍ରୀ ତିଆରି କରିବାରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଜଣେ ସଫଳ ନାଟ୍ୟକାର ଭାବରେ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ମିଳିଥିଲା।

ନିଜର ନିଖୁଣ ଅଭିନୟ ଲାଗି ସେ ରାଜ୍ୟର ସର୍ବୋଚ୍ଚ ସିନେମା ପୁରସ୍କାର “ଜୟଦେବ ପୁରସ୍କାର” ରେ ତାଙ୍କୁ ସମ୍ମାନୀତ କରାଯାଇଥିଲା। ତେବେ ଓଡିଶାବାସୀଙ୍କର ହୃଦୟରେ ସେ ସବୁଦିନ ଶିଖର ନାୟକ ଭାବରେ ଆମର ହୋଇ ରହିଥିବେ।

Related posts