ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଇଏଏସ ଅନୁ ଗର୍ଗଙ୍କୁ ଭେଟି ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶର ପ୍ରଗତି ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଗଠନମୂଳକ ଏବଂ ବ୍ୟାପକ ଆଲୋଚନା କରିଛନ୍ତି।
ଏହି ବୈଠକରେ , ମହାପ୍ରବନ୍ଧକ ବଡ଼ ଧରଣର ରେଳ କାର୍ଯ୍ୟ ସମ୍ପାଦନ ସମୟରେ ସାଧାରଣତଃ ଉପୁଜୁଥିବା ସମସ୍ୟାଗୁଡ଼ିକର ଏକ ସମୀକ୍ଷା ଅଂଶୀଦାର କରିଥିଲେ ଏବଂ ସେଗୁଡ଼ିକର ସମୟାନୁବର୍ତ୍ତୀ ସମାଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଭୂମି ଅଧିଗ୍ରହଣ, ଜଙ୍ଗଲ ଅଧିକାର, ଜବରଦଖଲ ଉଚ୍ଛେଦ, ଉପଯୋଗୀତା ସ୍ଥାନାନ୍ତର ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଆଇନଗତ ମାମଲାଗୁଡ଼ିକର ଶୀଘ୍ର ସମାଧାନ ସମ୍ବନ୍ଧୀୟ ପ୍ରସଙ୍ଗ ଅନ୍ତର୍ଭୁକ୍ତ। ସେ ରୋଡ୍ ଓଭର ବ୍ରିଜ୍ (ROB) ନିର୍ମାଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ ଭଳି କାର୍ଯ୍ୟର ସୁଗମ ସମ୍ପାଦନ ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ସମଗ୍ର ଓଡ଼ିଶାରେ ରେଳବାଇ କାର୍ଯ୍ୟକୁ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ସହଯୋଗକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ ବ୍ୟକ୍ତ କରିଥିଲେ ଯେ, ନିରନ୍ତର ସହଯୋଗ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଇପାରିଲେ ରାଜ୍ୟରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ସହିତ ଭବିଷ୍ୟତ ରେଳ ଭିତ୍ତିଭୂମି ପଦକ୍ଷେପଗୁଡ଼ିକର ସମୟୋଚିତ ଆରମ୍ଭ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ।
ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସମୟାନୁବର୍ତ୍ତୀ ନୀତିସ୍ତରୀୟ ନିଷ୍ପତ୍ତି ଏବଂ ଆବଶ୍ୟକୀୟ ପରିଚାଳନାଗତ ନିର୍ଦ୍ଦେଶନାମା ଜାରି କରିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସୁଗମ କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ନିର୍ମାଣ ସମ୍ବଳର ବର୍ଦ୍ଧିତ ଉପଲବ୍ଧତା, ତ୍ୱରିତ ବୈଧାନିକ ମଞ୍ଜୁରୀ ଏବଂ ପ୍ରକ୍ରିୟାଗତ ବିଷୟଗୁଡ଼ିକର ଶୀଘ୍ର ସମାଧାନ ପ୍ରକଳ୍ପ ସମୟସୀମା ପାଳନ ଏବଂ ବିଳମ୍ବକୁ ଏଡ଼ାଇବା ଦିଗରେ ବହୁତ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବୈଠକରେ ଉପସ୍ଥାପିତ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ ଏବଂ ଆଶ୍ୱାସନା ଦେଇଥିଲେ ଯେ ସମ୍ପୃକ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହିତ ପରାମର୍ଶ କରି ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକର ଅନୁଧ୍ୟାନ କରାଯିବୋଲି ଆଶ୍ୱାସନା ଦେଇଥିଲେ। ସେ ସମସ୍ୟାର ଶୀଘ୍ର ସମାଧାନ ଏବଂ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟୋଚିତ ସମାପ୍ତି ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ, ଯାହା ସଂଯୋଗୀକରଣରେ ଉନ୍ନତି ଆଣିବା ଏବଂ ଓଡ଼ିଶାର ସାମଗ୍ରିକ ବିକାଶକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ।


