ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ, କଳା ସମନ୍ୱୟ ଶିକ୍ଷା ମାଧ୍ୟମରେ ଅଭିଜ୍ଞତାଭିତ୍ତିକ ଶିକ୍ଷଣ ଓ ଆନନ୍ଦଦାୟୀ ଶ୍ରେଣୀଗୃହ ଗଠନର ଲକ୍ଷ୍ୟ ନେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବଭାରତୀୟ କଳାଏକୀକୃତ ଶିକ୍ଷା ପଦ୍ଧତି ‘ସମୃଦ୍ଧି’ (୨୦୨୫–୨୬) ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ୨୯ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ।
ସିଆଇଇଟି-ଏନସିଇଆରଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା ଏହି ସମାରୋହକୁ ଉଦଘାଟନ କରିଥିଲେ। ସେ କହିଥିଲେ ଯେ, ଦେଶର ସମୃଦ୍ଧ କଳା ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ‘ସମୃଦ୍ଧି’ କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ। ବିଦ୍ୟାଳୟ ଶିକ୍ଷାର ପ୍ରତ୍ୟେକ ବିଷୟକୁ ଆକର୍ଷଣୀୟ କରିବା ପାଇଁ ଭାଷା ସହ କଳାର କୌଶଳ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱାଗତ ଭାଷଣ ପ୍ରଦାନ ସହ, କଳା ଶିକ୍ଷକଙ୍କ ଆବଶ୍ୟକତା ଓ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରସ୍ତାବିତ କଳା ସମନ୍ୱୟ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ।
ପ୍ରାରମ୍ଭରେ ଏନସିଇଆରଟିର କଳା ଓ ସୌନ୍ଦର୍ଯ୍ୟବୋଧ ଶିକ୍ଷା ବିଭାଗର ଅଧ୍ୟକ୍ଷା ପ୍ରଫେସର ଜ୍ୟୋତ୍ସ୍ନା ତିୱାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସ୍ପଷ୍ଟ କରି, ଦେଶର ବିଭିନ୍ନ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଶିକ୍ଷକ ପ୍ରତିନିଧି ଏବଂ ପ୍ରତିଷ୍ଠିତ କଳା ବିଶେଷଜ୍ଞମାନଙ୍କୁ ବିଚାରକ ଭାବେ ଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।
‘ସମୃଦ୍ଧି’ର ଜାତୀୟ ସଂଯୋଜିକା ଡ଼. ଶର୍ବରୀ ବାନାର୍ଜୀ ଧନ୍ୟବାଦ ଜଣାଇ, ଓଡ଼ିଶା ପରି କଳା-ସଂସ୍କୃତିର ରାଜ୍ୟରେ ଏଭଳି ଜାତୀୟସ୍ତରୀୟ କଳାତ୍ମକ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ।
ତିନି ଦିନିଆ ଏହି ସର୍ବଭାରତୀୟ ସମାରୋହରେ ଦେଶର ବିଭିନ୍ନ ପ୍ରଦେଶ, କେନ୍ଦ୍ରଶାସିତ ଅଞ୍ଚଳ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାୟ ୯୮ ଜଣ ଶିକ୍ଷକ ପ୍ରତିନିଧି ଯୋଗ ଦେଇଥିଲେ। ଏହା ସହ କଳା ମାଧ୍ୟମରେ ଶିକ୍ଷାକୁ କିପରି ଅଧିକ ପ୍ରଭାବଶାଳୀ କରାଯାଇପାରିବ, ସେଥିରେ ପ୍ରତିଯୋଗିତା ମାଧ୍ୟମରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରଫେସର ରମାକାନ୍ତ ମହାଳିକ ଓ ପ୍ରଫେସର ରଶ୍ମିରେଖା ସେଠୀ ଏହି ତିନିଦିନିଆ ସମାରୋହର ଆଞ୍ଚଳିକ ସଂଯୋଜକ ଭାବେ ସଂଯୋଜନା କରୁଛନ୍ତି।


