ଭୁବନେଶ୍ଵର: ରାଜ୍ୟରେ କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CDMS) 3.0 ର ଶୁଭାରମ୍ଭ କରିଛନ୍ତି ପୂର୍ତ୍ତ ଏବଂ ଆଇନ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଲୋକସେବା ଭବନଠାରେ କଣ୍ଟ୍ରାକ୍ଟର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ଏହାର ଶୁଭାରମ୍ଭ କରାଯାଇଛି। ଏହା ରାଜ୍ୟର ନିର୍ମାଣ କ୍ଷେତ୍ର ପାଇଁ ଏକ ଗେମ୍-ଚେଞ୍ଜର୍ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଦୁର୍ନୀତି ହ୍ରାସ, କାମର ଗୁଣବତ୍ତା ବୃଦ୍ଧି ଓ ଉତ୍ପାଦନ ବଢ଼ାଇବା ଦିଗରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
ଏହାର ପରିଚାଳନା ନିମନ୍ତେ ପୂର୍ତ୍ତ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ଏହା ବ୍ୟତୀତ ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମଧ୍ୟ ଏହି ନୂତନ ବ୍ୟବସ୍ଥାର ସଦୁପଯୋଗ କରିପାରିବେ। ଏହି କେନ୍ଦ୍ରୀୟ ଡିଜିଟାଲ୍ ଡାଟାବେସରେ କଣ୍ଟ୍ରାକ୍ଟରଙ୍କ ସୂଚନା, ଲାଇସେନ୍ସ, ପ୍ରମାଣପତ୍ର ଓ କାର୍ଯ୍ୟଦକ୍ଷତା ରେକର୍ଡ ସଂରକ୍ଷିତ ରହିବ।


