ବାଲୁଗାଁ: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ସେ କିହଥିଲେ ଯେ, ବାଲୁଗାଁ ମହାବିଦ୍ୟାଳୟ ଆମ୍ଭ ଅଞ୍ଚଳକୁ ନିରବଚ୍ଛିନ୍ନ ଭାବେ ଶିକ୍ଷାଲୋକ ବିତରଣ କରି ସମୁଜ୍ଜ୍ଵଳ ପ୍ରତିଭାସମ୍ପନ୍ନ ସୁନାଗରିକ ମାନଙ୍କୁ ସମର୍ପଣ କରି ନିଜକୁ ମହିମାମଣ୍ଡିତ କରିପାରିଛି।
ସେ ଆହୁରି କହିଥିଲେ ଯେ, ଆଜିର ବିଦ୍ୟାର୍ଥୀ ସମାଜ ମୋବାଇଲ ଓ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ। ଶିକ୍ଷା, ସଂସ୍କାର ଓ ସମର୍ପଣ ମାଧ୍ୟମରେ ହିଁ ଆମେ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା। ଏହି ଅବସରରେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ପ୍ରଫେସର ଡ଼ଃ ନିରଞ୍ଜନ ପାଢ଼ୀ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଅଶ୍ରୁମୋଚନ ମହାନ୍ତି,ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ, ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।


