ରଣପୁର: ଆଜି ଜାନୁୟାରୀ ୩୦ ତାରିଖ ଗାନ୍ଧିଜୀଙ୍କ ୭୮ତମ ସହିଦ୍ ଦିବସ ସିପିଆଇ (ଏମ୍) ତରଫରୁ ରଣପୁର ସ୍ଥିତ ସହିଦ୍ ରଘୁଦିବାକର ଭବନ ଠାରେ ପାଳିତ ହୋଇଯାଇଛି। ପ୍ରଥମେ ରଣପୁର କୋର୍ଟ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଆୟୋଜକମାନେ ମାଲ୍ୟାର୍ପଣ କରିବା ସହ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସାଥୀ ଦୁଃଶାସନ ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଆଲୋଚନା ସଭାରେ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡ଼ା ଓ ସୁରେଶ ସ୍ବାଇଁ ଗାନ୍ଧୀଜୀ ଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ।
ସ୍ଵାଧୀନତା ଆନ୍ଦୋଳନର ମହାନ ନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି, ସ୍ଵଦେଶୀ ନୀତି, ସତ୍ୟାଗ୍ରହ ସହ ଭାତୃତ୍ବ ଓ ସାମ୍ପ୍ରଦାୟିକ ସଦ୍ଭାବ ନୀତିରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ। ଆମ ଦେଶରେ ବିଭିନ୍ନତା ମଧ୍ୟରେ ଏକତାକୁ ରକ୍ଷା କରିବା ପାଇଁ ସେ ଶତ ଚେଷ୍ଟା କରୁଥିଲେ। ବିଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଏକତା ଓ ଧର୍ମ ନିରପକ୍ଷତା ହିଁ ନୂଆ ଭାରତ ଗଠନ ପରିକଳ୍ପନାକୁ ସାକାର କରିପାରିବ ବୋଲି ଗାନ୍ଧୀଜୀ ପ୍ରତିଟି ମୁହୂର୍ତ୍ତରେ ବିଚାର କରୁଥିଲେ। ଯାହାକି ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଭାତୃତ୍ବ ପ୍ରେମ ଜାଗ୍ରତ କରି ଦେଶର ଏକତା ରକ୍ଷା ପାଇଁ ଅହରହ ସଂଗ୍ରାମ କରୁଥିଲେ। କିନ୍ତୁ ନାଥୁରାମ ଗଡସେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା।
ବିଭିନ୍ନ ଦେଶରେ ଗାନ୍ଧିଆନ ଦର୍ଶନ ପ୍ରସାରିତ ହେବା ସହ ୧୪୨ ଦେଶରେ ତାଙ୍କ ନାମରେ ଆଜି ବିଭିନ୍ନ ମାର୍ଗ ଓ ସହରକୁ ନାମିତ କରାଯାଉଛି। ଠିକ୍ ସେତିକି ବେଳେ ହତ୍ୟାକାରୀଙ୍କ ଦାୟାଦ ଯଥା ସ୍ଵାଧୀନତା ଆନ୍ଦୋଳନ ବିପକ୍ଷରେ ଥିବା ସଂଘ ପରିବାରର ପରାମର୍ଶରେ ଚାଲୁଥିବା ବିଜେପି ସରକାର ଗାନ୍ଧୀ ବିଚାର ଓ ଦର୍ଶନକୁ ଖତମ କରିବା ପାଇଁ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତା ଉପରେ ଆକ୍ରମଣ କରିବା ସହ ଗାନ୍ଧୀଜୀଙ୍କ ଉପରେ କୁତ୍ସା ରଟନା କହୁଛନ୍ତି।
ସାଂପ୍ରଦାୟିକ ହିଂସା ସମାଜରେ ବଢ଼ି ଚାଲିଛି। ଗାନ୍ଧୀଜୀଙ୍କ ନାମରେ ଥିବା ମହତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭଳି ବିଭିନ୍ନ ଯୋଜନାକୁ ପରିବର୍ତ୍ତନ କରି ଗାନ୍ଧୀ ବିରୋଧୀ ପ୍ରଚାର ପାଇଁ ଲାଗି ପଡିଛନ୍ତି। ଏଭଳି ବିଚାରରୁ ସରକାର ନିୟନ୍ତ୍ରଣ ହେବାକୁ ଵକ୍ତା ମାନେ ଆଲୋଚନା କରିବା ସହ ଦେଶର ଏକତା ଓ ଭାତୃତ୍ବ ପାଇଁ ଆଜି ଦିନରେ କାର୍ଯ୍ୟ କଲେ ହିଁ ଗାନ୍ଧୀଙ୍କ ବଳିଦାନର ମୂଲ୍ୟ ରହିବ ବୋଲି କହିଥିଲେ।


