(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ଉପକଣ୍ଠ ଗୋଷାଣୀ ନୂଆଗାଁ ହଳଦିଆ ପଦର ସଂଯୋଗ ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ୫ ଜଣ ମୋଟରସାଇକେଲ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସଙ୍କଟାପନ୍ନ ଅବସ୍ଥାରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୁଚନା ମୁତାବକ ବ୍ରହ୍ମପୁର ସହର ଅଭିମୁଖେ ଯାଉଥିବା ୩ ଟି ମୋଟରସାଇକେଲରେ ୬ ଜଣ ଆରୋହୀକୁ ଏକ ବଡ଼ ଟ୍ରକ୍ ଧକ୍କା ଦେଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା। ଅନ୍ୟ ପକ୍ଷରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ତଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ଆଉ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଆଉ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ଜଣାପଡିଛି।
ଖବର ପାଇ ରାଜପଥ ପୋଲିସ ପହଞ୍ଚି ଘଟଣାସ୍ଥଳରେ ଉପୁଜୁଥିବା ଉତ୍ତେଜନା ପରିସ୍ଥିତିକୁ ଆୟତ୍ତ କରିଛି। ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି।


