ରଣପୁର/ନୟାଗଡ: ସିନ୍ଦୁରିଆ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ବରପଲ୍ଲୀ ଗ୍ରାମର ବିକାଶ ପ୍ରଧାନ (୨୨ ବର୍ଷ) ପିତା ଭୀମସେନ ପ୍ରଧାନ।
ସୂଚନା ଅନୁସାରେ ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ବିକାଶ ପ୍ରଧାନ ଗତ ସୋମବାର ଦିନ ନିକଟସ୍ଥ କୋଦାଳ ପଲ୍ଲୀ ଗ୍ରାମକୁ ବିବାହ ଭୋଜି ଖାଇବାକୁ ଯାଇ ଥିଲେ। କିନ୍ତୁ ସେଠାରୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ପୁଅକୁ ନପାଇବାରୁ ୨୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।
ତେବେ ଶନିବାର ସକାଳୁ ଯୁବକଙ୍କ ମୃତ ଦେହ ସିନ୍ଦୁରିଆ ଗ୍ରାମ ନିକଟରେ ବହିଯାଇଥିବା ଏକ ପରିତ୍ୟକ୍ତ ନଦୀରେ ଭାସୁଥିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରାଜସୁନାଖଳା ଫାଣ୍ଡି ପୋଲିସ, ରଣପୁର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେହି ହତ୍ୟା କରି ଉକ୍ତ ନାଳରେ ଫିଙ୍ଗିଦେଇ ଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି।


