ଭୁବନେଶ୍ଵର: ଢେଙ୍କାନାଳ ଜିଲ୍ଲାର ଗଜମରାଠାରେ ପ୍ରାୟ 1ହଜାର 1ଶହ ଏକର ଜମିରେ ଅଟୋମୋଟିଭ ଏରୋସ୍ପେସ୍ ଓ ପ୍ରତିରକ୍ଷା ଉପକରଣ ଉତ୍ପାଦନ କଂପ୍ଲେକ୍ସ ପ୍ରତିଷ୍ଠା କରାଯିବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, କଲ୍ୟାଣୀ ଗ୍ରୁପ୍ ଦ୍ବାରା ଏହା ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ 17ହଜାର 250 କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବାର ପ୍ରସ୍ତାବ ରହିଛି। ଓଡ଼ିଶାକୁ କଞ୍ଚାମାଲର ଯୋଗାଣକାରୀ ଭୂମିକାରୁ ଉଚ୍ଚମୂଲ୍ୟ, ପ୍ରଯୁକ୍ତିବିଦ୍ୟା ବୃଦ୍ଧି ଏବଂ ରପ୍ତାନୀଯୋଗ୍ୟ ସାମଗ୍ରୀ ଉତ୍ପାଦନକାରୀ ଭୂମିକାରେ ପହଞ୍ଚାଇବା ଦିଗରେ ଏହି ପ୍ରକଳ୍ପ ସହାୟକ ହେବ।
କଲ୍ୟାଣ ଷ୍ଟିଲର ସ୍ବତନ୍ତ୍ର ଇସ୍ପାତ ପ୍ରକଳ୍ପ ବ୍ୟତୀତ ନୂତନ ସମନ୍ବିତ କଂପ୍ଲେକ୍ସରେ ସାରଲୋହା ଆଡଭାନ୍ସଡ ମ୍ୟାଟେରିଆଲ୍ସ ପ୍ରାଇଭେଟ ଲିମିଟେଡର ସୁପର ଆଲଏଡ ପ୍ରକଳ୍ପ ଏବଂ ଭାରତ ଫୋର୍ଜର ଶିଳ୍ପ କମ୍ପୋନେଟ୍ସ କାଷ୍ଟିଂ ଓ ଫୋର୍ଜିଂ ୟୁନିଟ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ। ପ୍ରକଳ୍ପ ନିର୍ମାଣ ଓ ଉତ୍ପାଦନ କାର୍ଯ୍ୟ ସମୟରେ 4ହଜାର 8ଶହରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ଓ 5ହଜାର 5ଶହ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି।


