ରଣପୁର: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହୀତ ୪ଟି ଶ୍ରମ କୋଡ଼କୁ ବାତିଲ କରିବା ଦାବିରେ ଦେଶବ୍ୟାପୀ ଆୟୋଜିତ ୧୨ ଘଣ୍ଟିଆ ସାଧାରଣ ଧର୍ମଘଟକୁ ରଣପୁର ଅଞ୍ଚଳରେ ଦୃଢ଼ ସମର୍ଥନ ମିଳିଛି। ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡେରେସନଙ୍କ ଡାକରାରେ, ବିଭିନ୍ନ ରାଜନୈତିକ ଦଳ ଓ ସଂଯୁକ୍ତ କିଶାନ ମୋର୍ଚ୍ଚାର ସମର୍ଥନରେ ଏହି ଧର୍ମଘଟ ଅନୁଷ୍ଠିତ ହୋଇଥିଲା।
ସିଆଇଟିଉ, ଆଇଏନଟିଉସି, ଏଆଇଟିଉସି, ଓଡ଼ିଶା କୃଷକ ସଭା ଓ କ୍ଷେତମଜଦୁର ୟୁନିୟନଙ୍କ ନେତୃତ୍ୱରେ ଶତାଧିକ ଆଶା କର୍ମୀ, ପାଚିକା, ଅଙ୍ଗନବାଡ଼ି କର୍ମୀ, ନିର୍ମାଣ ଶ୍ରମିକ, ଚାଷୀ ଓ ମୂଲିଆମାନେ ପଞ୍ଚୁଦୋଳ ପଡ଼ିଆ ଶହୀଦ ମଣ୍ଡପରେ ସକାଳ ୮ଟାରୁ ସମ୍ମିଳିତ ହୋଇ ଶାନ୍ତିପୂର୍ଣ୍ଣ ଧରଣାରେ ବସିଥିଲେ। ବ୍ଲକ, ତହସିଲ, ବ୍ୟାଙ୍କ, ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖାଯାଇଥିଲା। ରାସ୍ତାରେ ଯାନଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।
ଶ୍ରମିକ ନେତା ସୁରେଶ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବକ୍ତାମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି, ବୃଦ୍ଧିଶୀଳ ମହଙ୍ଗାଇ, ବେକାରି ସମସ୍ୟା ଓ ଶ୍ରମିକ ସୁରକ୍ଷା ଆଇନର ପରିବର୍ତ୍ତନକୁ ତୀବ୍ର ସମାଲୋଚନା କରିଥିଲେ। ୪୪ଟି ଶ୍ରମ ଆଇନକୁ ବିଲୋପ କରି ୪ଟି ନୂତନ ଶ୍ରମ କୋଡ଼ ଲାଗୁ କରାଯାଇଥିବାରେ ଶ୍ରମିକ ଶ୍ରେଣୀର ଅଧିକାର କ୍ଷୀଣ ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ।
ଏହାସହ ଚାଷୀଙ୍କ ପାଇଁ ଲାଭଜନକ ଫସଲ ଦର, ମୂଲିଆଙ୍କୁ ଯଥେଷ୍ଟ କାମ, ସ୍କିମ୍ କର୍ମୀଙ୍କୁ ସ୍ଥାୟୀ ମାନ୍ୟତା, ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା ଓ ମାସିକ ପେନସନ ୧୦ ହଜାର ଟଙ୍କା ଦେବା ଦାବି ଉଠିଥିଲା। ରାଜ୍ୟ ସରକାରଙ୍କ କାର୍ଯ୍ୟସମୟ ବୃଦ୍ଧି ଓ ସ୍ମାର୍ଟ ମିଟର ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା।
ଧର୍ମଘଟ ଶେଷରେ ପଞ୍ଚୁଦୋଳ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲା। ସାଧାରଣ ଧର୍ମଘଟକୁ ସମର୍ଥନ କରିଥିବାରୁ ରଣପୁରବାସୀଙ୍କୁ ଆନ୍ଦୋଳନ ପକ୍ଷରୁ ଧନ୍ୟବାଦ ଜଣାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, କ୍ଷେତମୂଲିଆ ନେତା ନିତ୍ୟାନନ୍ଦ ପରିଡ଼ା, ଶତ୍ରୁଘନ ପାଇକରାୟ, ସୁଶାସନ ଜେନା, ସବ୍ୟସାଚୀ ସେନାପତି, ଗଦାଧର ପ୍ରଧାନ, ସତ୍ୟରଞ୍ଜନ ମତ୍ତା, ମନୋଜ ପାତ୍ର, ମଞ୍ଜୁଲତା ପ୍ରଧାନ, ସୁଶିଲ ମହାନ୍ତି, କୁଳମଣି ପଲେଇ, କଳ୍ପତରୁ ନାୟକ, ଅନିଲ ପରିଡ଼ା, ସୁରେଶ ମହାରଣା, ସୁଦର୍ଶନ ପ୍ରଧାନ, ପ୍ରଭାତ କୁମାର ଦଳେଇ, ପ୍ରଶନ୍ନ ସାମନ୍ତରାୟ, ପପୁ ନାୟକ, ଛାତ୍ରନେତା ଆଲୋକ କୁମାର ଜେନା, ସୁକାନ୍ତି ଜେନା, ଆଶା ନେତ୍ରୀ ସଂଯୁକ୍ତା ପରିଡ଼ା ଓ ମଞ୍ଜୁଲତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ।


