ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ମାନ୍ୟବର ବିଚାରପତି ଅଭିଳାଷ ସେନାପତି ଦୁଷ୍କର୍ମ ଅଭିଯୁକ୍ତ କୁ କଠୋର ଦଣ୍ଡାଦେଶ ଶୁଣାଇବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦,୦୦୦ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏଥିରେ ୫୦ ହଜାର ଟଙ୍କା ଜରିମାନା, ୧୦ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବାକୁ ଡିଏଲଏସଏ (DLSA) ସମ୍ବଲପୁରକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି।
ପ୍ରକାଶ ଯେ, ଗତ ୨୦୨୨ ମସିହା ମେ ମାସ ରେ ପୀଡ଼ିତା ନାବାଳିକା ଙ୍କ ପରିବାର ଲୋକେ କୌଣସି ରୋଗର ଚିକିତ୍ସା ସକାଶେ ବାହାରକୁ ଯାଇଥିଲେ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଦଲକି ଗ୍ରାମର ଭୀଷ୍ମ ପୁଲେଇ ଏହାର ସୁଯୋଗ ଦେଖି ନାବାଳିକା ଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ। ଏହି ଖବର ଜାଣିବା ପରେ ପୀଡ଼ିତାଙ୍କ ବାପା ଘରକୁ ଚାଲି ଆସିଥିଲେ। ନାବାଳିକା ଙ୍କ ମାଟ୍ରିକ ପରୀକ୍ଷା ଚାଲିଥିବା କାରଣରୁ ଗୋଟିଏ ଦିନ ବିଳମ୍ବରେ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ଏହି ମାମଲାରେ ମାନ୍ୟବର କୋର୍ଟ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଉକ୍ତ ଅଭିଯୁକ୍ତଙ୍କୁ ପୋକ୍ସ ଆକ୍ଟର ଧାରା ୪ (୨) ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଏଥିରେ ୫୦ ହଜାର ଟଙ୍କା ଜରିମାନା ପ୍ରଦାନ ନ କଲେ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ପାଇବାକୁ ଆଦେଶ ମଧ୍ୟ ଦେଇଛନ୍ତି। ଏଥି ସହିତ “ଓଡ଼ିଶା ପୀଡ଼ିତା କ୍ଷତିପୂରଣ (ସଂଶୋଧନ) ଯୋଜନା, ୨୦୨୫” ଅନୁଯାୟୀ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବାକୁ ଡିଏଲଏସଏ (DLSA) ସମ୍ବଲପୁରକୁ ନିର୍ଦ୍ଦେଶ ଦେଇଛନ୍ତି।


