ରଣପୁର: ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତି, ଗ୍ରାମୀଣ ପରମ୍ପରା ଓ ପ୍ରତିଭାକୁ ଆଗକୁ ଆଣିବାର ଲକ୍ଷ୍ୟରେ ଆୟୋଜିତ ଲୋକ ମହୋତ୍ସବ “ବର୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଫେବୃୟାରୀ ୧୨, ୧୩ ଓ ୧୪ ତାରିଖରେ ରଣପୁର ଅଞ୍ଚଳରେ ଧୁମଧାମରେ ଉଦଯାପିତ ହୋଇଯାଇଛି। ତିନିଦିନିଆ ଏହି ମହୋତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହେବା ସହ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଗ୍ରାମୀଣ ସଂସ୍କୃତିର ସୁରକ୍ଷା ଓ ପ୍ରଚାରରେ ଏପରି ମହୋତ୍ସବର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏହିପରି ଆୟୋଜନ ଲୋକମାନଙ୍କୁ ଏକତ୍ର କରି ସମାଜରେ ଭାଇଚାରା, ସଂସ୍କୃତି ଓ ପରମ୍ପରାକୁ ସୁଦୃଢ଼ କରେ।
ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀ ଯୋଗଦେଇ ସମାଜ ଗଠନରେ ଏକତା, ଶିକ୍ଷା ଓ ସଂସ୍କୃତିର ଭୂମିକା ବିଷୟରେ ଉଦ୍ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ରଞ୍ଜିତ ପଟ୍ଟନାୟକ ଓ ସୁଶାନ୍ତ କୁମାର ସାହୁ ଯୋଗଦେଇ ମହୋତ୍ସବର ଭବ୍ୟ ଆୟୋଜନକୁ ପ୍ରଶଂସା କରିଥିଲେ।
ଦ୍ୱିତୀୟ ଦିବସରେ ନୟାଗଡ ବିଧାୟିକା ଅରୁଣ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟିକା ସତ୍ୟ ନାରାୟଣ ପ୍ରଧାନ ଓ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ଉନ୍ନତି ପାଇଁ ଏହିପରି ଆୟୋଜନର ପ୍ରଶଂସା କରିଥିଲେ।
ପ୍ରଥମ ଦିବସରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସାଂସଦ ପ୍ରତିନିଧି ତଥା ଆଇନିଜିବି ପ୍ରିୟବ୍ରତ ପ୍ରହରାଜ, ରଣପୁର ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ, ଯୁବ ସମାଜସେବୀ ତ୍ରିନାଥ ବିଶ୍ୱାଳ ଓ ଯୁବ ସମାଜସେବୀ ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଜ୍ଜ୍ୱଳ କରିଥିଲେ।
ପ୍ରତିଦିନ ସଭାକାର୍ଯ୍ୟ ସରପଞ୍ଚ ବନିତା ବାଲିଆରସିଂଙ୍କ ସଭାପତିତ୍ୱରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା ଏବଂ ସାଂସ୍କୃତିକ ମଞ୍ଚ କାର୍ଯ୍ୟକ୍ରମକୁ ଅଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ।
ମହୋତ୍ସବ ଅବସରରେ ପଞ୍ଚାୟତର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା।
ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ ଓ ସଙ୍ଗୀତ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା।
ମହୋତ୍ସବର ସଭାପତି ସିଦ୍ଧାନ୍ତ ଦଳେଇ, ସମ୍ପାଦକ ଦିଲ୍ଲୀପ କୁମାର ସାମନ୍ତରାୟ, ଉପଦେଷ୍ଟା ବିରଞ୍ଚି ପ୍ରଧାନ, ସଦସ୍ୟ ରବୀନ୍ଦ୍ର ସଂଗ୍ରାମସିଂ, ପ୍ରଦୀପ ମାନସିଂହ ଓ ସମସ୍ତ କମିଟି ସଦସ୍ୟଙ୍କ ଉଦ୍ୟମ ସହ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗରେ ମହୋତ୍ସବଟି ଶାନ୍ତି, ଶୃଙ୍ଖଳା ଓ ଭବ୍ୟତାର ସହ ସଫଳତାର ସହ ସମାପ୍ତ ହୋଇଥିଲା।
ଏହି ମହୋତ୍ସବ ଅଞ୍ଚଳରେ ସଂସ୍କୃତି, ଐକ୍ୟ ଓ ସାମାଜିକ ସମ୍ପ୍ରୀତିର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ ଗର୍ବର ଭାବନା ସୃଷ୍ଟି କରିପାରିଛି।


