Odisha Tourism Budget: ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ଦୃଢ ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାର 2026-27 ବଜେଟ୍ରେ ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ 1,023 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଯାହା ଗତ ବର୍ଷ ତୁଳନାରେ 25 % ଅଧିକ । ଓଡିଶାର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ପାଇଁ ଭୁବନେଶ୍ୱରଠାରେ 800 କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।
ସେହିପରି ପୁରୀଠାରେ ଏକ ମେରାଇନ୍ ଆକ୍ୱାରିୟମ୍ ପ୍ରତିଷ୍ଠା ସହ ସମ୍ବଲପୁର, କଟକ, ଭୁବନେଶ୍ୱର, ବାରିପଦା ଏବଂ ବୈତରଣୀ ନଦୀ କୂଳରେ 500 କୋଟି ଟଙ୍କା ବ୍ୟୟରେ ନଦୀପଠାର (Riverfront) ସାମଗ୍ରିକ ବିକାଶ କରାଯିବ । ଏହାବ୍ୟତୀତ, ଆମେ 2047 ସୁଦ୍ଧା 25 ହଜାର ହୋଟେଲ ରୁମ୍ (Hotel Keys) ନିର୍ମାଣ ଲକ୍ଷ୍ୟରେ ଏକ ପର୍ଯଟନ ଲ୍ୟାଣ୍ଡ ବ୍ୟାଙ୍କ’ ଯୋଜନା ଆରମ୍ଭ କରୁଛନ୍ତି।
ଇକୋ-ଟୁରିଜିମ୍କୁ ପ୍ରୋତ୍ସାହିତ କରିବା ପାଇଁ ବାଲିପୁଟ, ସିମିଳିପାଳର ନୱାନା ଏବଂ କରଞ୍ଜିଆର ଦେଓଠାରେ ନୂତନ କେନ୍ଦ୍ର ସ୍ଥାପନ କରାଯିବା ସହ ଚିଲିକା ହ୍ରଦର ପୁନରୁଦ୍ଧାର ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ କରାଯିବ । କେନ୍ଦୁଝରର ସାନଘାଗରା ଠାରେ 91 କୋଟି ଟଙ୍କା ବ୍ୟୟରେ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରର (RPRC) ଏକ ଉପ-କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ।


