ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଆଜି ବିଭିନ୍ନ ମନ୍ଦିର ଚୋରି ଘଟଣାରେ ସଂଶ୍ଲିଷ୍ଟ ଥିବା ଦୁଇ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରାଧୀ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର କୃଷ୍ଣ ଚନ୍ଦ୍ର ବେହେରା (30) ଓରଫ ପାପା ଏବଂ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ପାଣ୍ଡଵପାଟଣା ଗ୍ରାମର ବାଇଧର ପ୍ରଧାନ (28) ଓରଫ ମିତେଇ। ଉକ୍ତ ଦୁଇ ଅଭିଯୁକ୍ତ ଚଳିତ ମାସ 14 ତାରିଖରେ ବାଲୁଗାଁ ଅଞ୍ଚଳର ଏକାଧିକ ମନ୍ଦିର ଗୁଡ଼ିକରୁ ମୂଲ୍ୟବାନ ଅଳଙ୍କାର ସମେତ ଏକ ରୁପା ମୁକୁଟ ଚୋରି କରିଥିଲେ।
ସେମାନଙ୍କ ନିକଟରୁ ଗଳାଇଥିବା ରୂପାର ମୁକୁଟ, ଲୁହା ରଡ଼, କଳା ହାତମୋଜା, ନକଦ 1200 ଟଙ୍କା ଓ ରାମ-ହନୁମାନ ଚିତ୍ର ଥିବା ଧାତୁର ମୁଦ୍ରା ଜବତ କରିଛି ପୋଲିସ। ଦୁଇ ଅଭିଯୁକ୍ତ ବାଲୁଗାଁ ଅଞ୍ଚଳର ଅନେକ ମନ୍ଦିରରେ ଚୋରି କରିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଉକ୍ତ ସମସ୍ତ ମନ୍ଦିର ଚୋରି ଘଟଣାରେ ସାମିଲ ଥିବା ଅନ୍ୟ ଅପରାଧୀଙ୍କ ତଲାସ ପୋଲିସ ଜାରି ରଖିଥିବା ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।
ମନ୍ଦିର ସମ୍ପତ୍ତି ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ସଦାବେଳେ ସଜାଗ ଥିବାବେଳେ ଯଦି କୌଣସି ବ୍ୟକ୍ତି ଅଞ୍ଚଳରେ ସନ୍ଦେହଜନକ ଗତିବିଧି ଲକ୍ଷ କରନ୍ତି ତେବେ ତୁରନ୍ତ ପୋଲିସ କୁ ଜାଣିବାକୁ ଆଇଆଇସି ଶ୍ରୀ ପରିଡ଼ା ଅନୁରୋଧ କରିଛନ୍ତି।


