Categories
ଆଞ୍ଚଳିକ

ଚୋରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚୋରି ଅଭିଯୋଗରେ ଆଜି ବାଲୁଗାଁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରାପୁଟ ଗ୍ରାମର ବାବୁଲା ଦାସ (୨୮), ଗବପଦର ଗ୍ରାମର ବନମାଳୀ ବେହେରା (୭୫) ଏବଂ ବଡ଼କୁଳ ଗ୍ରାମର ଶିବପ୍ରସାଦ ସାହୁ (୩୩)।

ପୋଲିସ ସୂଚନା ମୁତାବକ ବଡ଼କୁଳ ଗ୍ରାମର ପାଣ୍ଡଵ ମହାରଣା ପ୍ଳଟିଙ୍ଗ ଓ କନଷ୍ଟ୍ରକସନ କାମ ଉପଲକ୍ଷେ ନିର୍ମାଣ ସାମଗ୍ରୀ ରଖିବା ପାଇଁ ଚନ୍ଦ୍ରାପୁଟ ଗ୍ରାମର ଏକ ଘରକୁ ଭଡ଼ାସୂତ୍ରରେ ନେଇଛନ୍ତି। ତେବେ ଦୁଇ ଦିନ ତଳେ ଉକ୍ତ ଭଡ଼ା ଘରୁ ସମସ୍ତ ନିର୍ମାଣ ସାମଗ୍ରୀ ଚୋରି ହୋଇଯାଇଥିବା ପାଣ୍ଡଵ ଦେଖିବାକୁ ପାଇଥିଲେ।

ଏ ନେଇ ପାଣ୍ଡଵ ବାଲୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର ୫୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତରୁ ଜଣାପଡିଥିଲା କି ବାବୁଲା ଦାସ ପାଣ୍ଡଵଙ୍କ ଉକ୍ତ ସାମଗ୍ରୀ ଭଡ଼ା ଘରୁ ଚୋରି କରି ଶିବପ୍ରସାଦଙ୍କୁ ବିକ୍ରି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଶିବପ୍ରସାଦ ଉକ୍ତ ଚୋରି ସାମଗ୍ରୀକୁ କବାଡିଆ ଦୋକାନୀ ବନମାଳୀ ବେହେରାଙ୍କୁ ବିକ୍ରି କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାର ବାଲୁଗାଁ ଥାନାଧିକାରୀ ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବହୁଚର୍ଚ୍ଚିତ ରଘୁନାଥପୁର ଗ୍ରାମ ହତ୍ୟାକାଣ୍ଡ ମାମଲା: ଫେରାର ଅଭିଯୁକ୍ତକୁ ଗିରଫ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବହୁଚର୍ଚ୍ଚିତ ରଘୁନାଥପୁର ଗ୍ରାମ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତକୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ। ସୂଚନା ମୁତାବକ ବାଲୁଗାଁ ଥାନା କେଶ ନଂ ୧୫୧/୨୦୨୨ ମୁତାବକ ରଘୁନାଥପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ଅତି ନିର୍ମମ ହତ୍ୟା କରାଯାଇଥିଲା।

ପୂର୍ବରୁ ଉକ୍ତ ହତ୍ୟା ମାମଲାରେ ୫ଜଣ ଗିରଫ ହୋଇଥିବା ବେଳେ ସିଙ୍ଗେଶ୍ୱର ଗ୍ରାମର ନାରାୟଣ ବେହେରାଙ୍କ ପୁଅ ଅନିଲ ବେହେରା ଓରଫ ଚିରୁ ଦୀର୍ଘ ଦିନ ଧରି ଫେରାର ଥିଲେ। ଏ ନେଇ ତାଙ୍କ ବିରୁଦ୍ଧରେ ଅଦାଲତ ଜି ଆର କେଶ ନଂ ୩୧୫/୨୦୨୨ ଆଧାରରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା ସଦଳବଳେ ପହଞ୍ଚି ଅଭିଯୁକ୍ତ ଚିରୁଙ୍କୁ ଗିରଫ କରିବାରେ ସଫଳ ହେଇଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ପରିଡା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହର ପ୍ରଲୋଭନ ଦେଇ ଧୋକା: ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ପ୍ରେମିକକୁ ବାନ୍ଧିଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଫେସବୁକରେ ବନ୍ଧୁତା ପରେ ପ୍ରେମ କରି ପ୍ରେମିକାର ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ବାଲୁଗାଁ ପୋଲିସ।

ସୂଚନା ମୁତାବକ ଗତ ବର୍ଷେ ପୂର୍ବେ ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଚକାଶୀରାମପୁର ଗ୍ରାମର ଗଦାଧର ଦାସଙ୍କ ପୁଅ ବିକାଶ ଦାସ (୨୬) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସବୁକରେ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ।ଧିରେ ଧିରେ ତାହା ପ୍ରେମରେ ପରିଣତ ହୋଇଥିଲା। ଏପରିକି ବିବାହ ପ୍ରଲୋଭନ ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଯାହାକି ପ୍ରେମିକା ଅଗୋଚରରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରି ନିଜ ମୋବାଇଲରେ କଏଦ କରି ରଖିଥିଲେ ପ୍ରେମିକ ଜଣକ।

ଏହାପରେ ଯୁବତୀଙ୍କୁ ବାରମ୍ବାର ଅନୈତିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରିବା ସହ ଟଙ୍କା ଦେବାକୁ କହି ବ୍ଲାକମେଲ କରିଆସୁଥିଲେ। ଯୁବତୀ ଜଣକ ଏଥିରେ ନିରୁତ୍ସାହିତ ହୋଇ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ବିକାଶ ଅଶ୍ଳୀଳ ଫଟୋ ଓ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ।

ଏହି ଘଟଣାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଗତ ବର୍ଷ ଜୁନ ୨୧ ରେ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ କେଶ ନଂ ୧୩୭/୨୩ ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଜାରି ରଖିଥିଲା। ସାଇବର ସେଲର ସହାୟତାରେ ଅଭିଯୁକ୍ତକୁ ଧରିବାପାଇଁ ପୋଲିସ ଜାଲ ବିଛାଇ ଥିଲା।

ତେବେ ଅଭିଯୁକ୍ତ ବିକାଶ ମହାରାଷ୍ଟ୍ର ରାଜ୍ୟ ପୁନେ ଠାରେ ଥିବା ଖବର ପାଇ ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କ ନେତୃତ୍ୱରେ ଏକ ଟିମ ଯାଇଥିବା ବେଳେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ତେବେ ବିକାଶ ଭୁବନେଶ୍ୱରରେ ଥିବା ଖବର ଜଣାପଡିବା ପରେ ଥାନାଧିକାରୀ ଶ୍ରୀ ପରିଡା ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।

ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ମହିଳାଙ୍କ ଗଳିତ ଶବ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏ ନେଇ ବାଲୁଗାଁ ପୋଲିସ ସୂଚନା ଦେଇଛି।

ସୂଚନା ମୁତାବକ ଆଜି ସକାଳେ ଲମ୍ବୋଦରପୁର ଓ ବାଙ୍କିଆପଲ୍ଲୀ ଗ୍ରାମ ମଝିରେ ଥିବା କଂସାରି ବ୍ରିଜ ନିକଟସ୍ଥ ଏକ ଖଜୁରୀ ଗଛ ମୂଳରେ ଉକ୍ତ ମହିଳାଙ୍କ ଗଳିତ ଶବ ପଡ଼ିଥିବା ଖବର ପାଇ ପୋଲିସ ଶବ ଜବତ କରିଛି। ତେବେ ମହିଳାଙ୍କ ଘର ଲମ୍ବୋଦରପୁର ଗ୍ରାମର ସ୍ବର୍ଗତ ରାଘବ ସିଂହଙ୍କ ଝିଅ ବାସନ୍ତି ସିଂହ ବୋଲି ଜଣାପଡିଥିବା ବେଳେ ସେ ବିକୃତ ମସ୍ତିଷ୍କର ହୋଇଥିବା ସୂଚନା ମିଳିଛି। ତାଙ୍କ ବୟସ ଆନୁମାନିକ ୪୫ ବର୍ଷ ହେବ।

ଶବଟି ଦୀର୍ଘ ଦିନରୁ ସେଠାରେ ପଡିରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ମହିଳାଙ୍କ ମୃତ୍ୟୁ ସନ୍ଦେହଘେରରେ ଥିବାବେଳେ ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଧାନ ବେଙ୍ଗଳା ମେସିନ ତଳେ ଚାପି ହୋଇ ଯୁବ ଚାଷୀ ମୃତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଶିଖରପଦର ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ଖବର ମୁତାବକ ଆଜି ସକାଳେ ଶିଖରପଦର ଗ୍ରାମର ରଘୁନାଥ ପଲେଇ (୪୩) ବେଙ୍ଗଳା ପକାଇବା ପାଇଁ ନିଜ ଧାନ କ୍ଷେତକୁ ଯାଇଥିଲେ। ଧାନ ବେଙ୍ଗଳା ମେସିନରେ ଗୋଟିଏ କ୍ଷେତରୁ ଧାନ ଅମଳ ସାରି ସେହି ଗାଡ଼ିରେ ଅନ୍ୟ କ୍ଷେତକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବିଲ ମଧ୍ୟରେ ଗାଡିଟି ଓଲଟି ପଡିଥିଲା। ଯାହାଫଳରେ ଉକ୍ତ ମେସିନ ତଳେ ରଘୁନାଥ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବାଲୁଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ବାଣ ଦୋକାନ ସିଜ କଲା ବାଲୁଗାଁ ପୋଲିସ, ମାଲିକ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବେଆଇନ ବାଣ ଗୋଦାମକୁ ସିଲ କରିବା ସହ ହଜାର ହଜାର ଟଙ୍କାର ବାଣ ଜବତ କରିଛି ବାଲୁଗାଁ ପୋଲିସ। ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ଜଳବାୟୁ ପ୍ରଦୂଷିତ ନେଇ ଉଚ୍ଚତମ ନ୍ୟାୟାଳୟ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ। ମାତ୍ର ଦୀପାବଳିରେ ବାଣ ଫୁଟାଇବା ପରମ୍ପରା ଥିବାରୁ ସରକାରୀ ନିୟମ ଅନୁସାରେ ବାଣ ବଜାର ମାନ ଗଢି ଉଠିଥିଲା।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଅଶୋକ ନଗର ସ୍ଥିତ ଖୋଲା ପଡ଼ିଆରେ ଅସ୍ଥାୟୀ ବାଣ ବଜାର ଖୋଲାଯାଇଥିଲା। ମାତ୍ର କିଛି ବାଣ ବେପାରୀ ବେଆଇନ ଭାବେ ବାଣ ବିକ୍ରି କରୁଥିବା ନେଇ ଖବର ପ୍ରସାରିତ ହେବାପରେ ସ୍ଥାନୀୟ ପୋଲିସ ପକ୍ଷରୁ ଧରପଗଡ଼ କରି ସମ୍ପୃକ୍ତ ବେପାରୀଙ୍କ ଠାରୁ ବାଣ ଜବତ କରାଯାଇଥିଲା। ମାତ୍ର ତନାଘନା ପରେ ଆଜି ସନ୍ଧ୍ୟାରେ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନେତୃତ୍ୱରେ ସଦଳବଳେ ଚଢ଼ାଉ ଜାରି ରହିଥିବା ବେଳେ ଏକ ବାଣ ଗୋଦାମରେ ଗଚ୍ଛିତ ଥିବା ହଜାର ହଜାର ଟଙ୍କାର ବାଣ ଜବତ କରିବାସହ ଉକ୍ତ ଗୋଦାମକୁ ସିଲ କରାଯାଇଛି।

ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୪୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ସମ୍ପୃକ୍ତ ବାଣ ଗୋଦାମ ମାଲିକ ଜିତେନ୍ଦ୍ର ମହାରଣାଙ୍କ ବିରୁଦ୍ଧରେ କେଶ ନଂ ୩୨୫/୨୩ ରେ ମାମଲା ରୁଜୁ କରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆଈଆଈସି ଶ୍ରୀ ପରିଡା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଦିନ ଦ୍ବିପ୍ରହରରେ ବୃଦ୍ଧଙ୍କୁ ଠାରୁ ଟଙ୍କା ଝାମ୍ପି ନେଲେ ଲୁଟେରା: ସିସିଟିଭି ଯାଞ୍ଚ କରୁଛି ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଦ୍ବିପ୍ରହରରେ ବାଲୁଗାଁ ବଜାର ମଧ୍ୟରେ ବୃଦ୍ଧଙ୍କୁ ଠାରୁ ଟଙ୍କା ଝାମ୍ପି ନେଇ ଦୁର୍ବୁତ୍ତ ଫେରାର ହୋଇଯାଇଥିବା ଖବର ମିଳିଛି। ଖବର ମୁତାବକ ବାଲୁଗାଁ ସରଳାପଦର ଗ୍ରାମର ନବକିଶୋର ସାହୁ (୬୦) ନିକଟସ୍ଥ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଇ ଏକ ପଲିଥିନ ମଧ୍ୟରେ ରଖି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଠିକ ଏତିକି ବେଳେ ହଠାତ ଦୁଇ ଜଣ ଯୁବକ ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ବୃଦ୍ଧ ଜଣକ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି। ଦିନ ଦ୍ଵିପ୍ରହରେ ବାଲୁଗାଁ ଅଞ୍ଚଳ ଚଳଚଞ୍ଚଳ ଥିବାବେଳେ ଏଭଳି ଲୁଟ ହୋଇଥିବାରୁ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମଣୁନଥିବା ଆଲୋଚନା ହେଉଛି। ତେବେ ଏହା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଥିବା ବେଳେ ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବା ନେଇ ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ମହଙ୍ଗା ପଡ଼ିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଳାଇବା: ଏକାଧିକ ବୁଲେଟ ଜବତ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବିକଟାଳ ଶବ୍ଦ କରି ବୁଲେଟ ମଟରସାଇକେଲ ଚଳାଇବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଏକାଧିକ ବୁଲେଟ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ବାଲୁଗାଁ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଅମାନିଆ ବାଇକ ଚାଳକ। ଏକାଧିକ ବାଇକ ଚାଳକମାନେ ନିଜ ବାଇକରେ ବିକଟାଳ ଶବ୍ଦ ସୃଷ୍ଟି କରିବା ଭଳି ଯନ୍ତ୍ରପାତି ଲଗାଇ କ୍ଷିପ୍ର ଗତିରେ ବଜାରରେ ବାଇକ ଚଳାଉଛନ୍ତି। ବିଶେଷ କରି ବୁଲେଟ ମଟରସାଇକେଲରେ ବିକଟାଳ ଶବ୍ଦ ସୃଷ୍ଟି କରି ଦିନରାତି ବାଲୁଗାଁ ବଜାରରେ ବାଇକ ଚଲାଉଛନ୍ତି ଅମାନିଆ।

ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବାଲୁଗାଁ ପୋଲିସ। ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଜୟପ୍ରକାଶ ପରିଡ଼ା ଆଜି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲୁଗାଁ ବଜାରରେ ପିକେଟିଂ ଜାରି ରଖିଥିଲେ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବୁଲେଟ ଚାଳକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସମୁଦାୟ ୫ ଗୋଟି ବୁଲେଟ ମଟରସାଇକେଲ ଜବତ କରିଛନ୍ତି ଆଇଆଇସି।

ଆସନ୍ତାକାଲି ଉକ୍ତ ବୁଲେଟ ଗୁଡ଼ିକରୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ପାଇପ କଢ଼ାଯିବ ଏବଂ ବୁଲେଟ ମାଲିକମାନେ ଉପଯୁକ୍ତ ସାଇଲେନ୍ସର ପାଇପ ଲଗାଇବା ପରେ ଗାଡି ଗୁଡିକୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ତେବେ ବାଲୁଗାଁ ପୋଲିସର ଉକ୍ତ ପଦକ୍ଷେପକୁ ସବୁ ବର୍ଗ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ଅନୁରୂପ ଭାବେ ବାଣପୁର ପୋଲିସ ମଧ୍ୟ ଏଭଳି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବାଲୁଗାଁ ମୁସଲିମ ସାହିର ନାଜିର ଖାନଙ୍କ ପୁତ୍ର ପାପା ଓରଫ ସାଜିଦ ଖାନ,

ପୋଲିସ ସୂଚନା ମୁତାବକ ଧୂଆଁଳ ଗ୍ରାମର କୁଳମଣି ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଗତକାଲି ରାତିରେ ଗ୍ରାମ ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତ ପାପା ତାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ଏଥିରେ ଭୟଭୀତ ନହୋଇ ଲକ୍ଷ୍ମୀପ୍ରିୟା ବାଲୁଗାଁ ଥାନାରେ ପାପାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସଙ୍ଗେସଙ୍ଗେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପାପା ଓରଫ ସାଜିଦ ଖାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।

ତେବେ ବାଲୁଗାଁ ଥାନା ଅଞ୍ଚଳରେ ମହିଳାଙ୍କ ସୁରକ୍ଷା ପୋଲିସର ପ୍ରାଥମିକତା ରହିଛି ଏବଂ ଏପରି କାର୍ଯ୍ୟକଳାପକୁ ଜମାବି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଆଇଆଇସି ଶ୍ରୀ ପରିଡ଼ା।

Categories
ଆଞ୍ଚଳିକ

ଖବର ପ୍ରସାରଣ ପରେ ବେଆଇନ ଲଜ ଉପରେ ବାଲୁଗାଁ ପୋଲିସର ଚଢ଼ାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ଓ ବଡ଼କୁଳ ପାନ୍ଥ ନିବାସ ରୋଡ଼ରେ ଦିନକୁଦିନ ବେଆଇନ ଭାବେ ଲଜ ମାନ ଗଢ଼ି ଉଠୁଥିବା ବେଳେ ସମ୍ପୃକ୍ତ ଲଜ ମାନଙ୍କରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ହେଇଆସୁଥିଲା। ଯାହାକୁ ନେଇ କିଛି ଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ତେବେ ଆଜି ବାଲୁଗାଁ ପୋଲିସ ଗୁରୁତର ସହ ନେଇ ସମସ୍ତ ଲଜ ଉପରେ ଚଢ଼ାଉ ଜାରି ରଖିଛି। ଅଚାନକ ଚଢ଼ାଉ ଦେଖି ଲଜ ମାଲିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଥିବା ବେଳେ ଏପରି କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ ଜଣାଇଛନ୍ତି।

ବେଆଇନ କାର୍ଯ୍ୟକୁ ରୋକିବା ଆମର କର୍ତ୍ତବ୍ୟ ଏବଂ ପ୍ରତିଟି ମୁହୂର୍ତ୍ତରେ ଏପରି ଚଢ଼ାଉ ଜାରି ରହିବ ବୋଲି ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଏଥିସହିତ ସରକାରୀ ନିୟମ ଅନୁଯାୟୀ ଲଜ ମାନଙ୍କର ଲାଇସେନ୍ସ ସମେତ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ପାଇଁ ଲଜ ମାଲିକମାନଙ୍କୁ ତାଗିଦ କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ୪ ଚୋରି ମୋବାଇଲ ସହ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ବାଲୁଗାଁ ପୋଲିସ ଗିରଫ କରିବାସହ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ଭୁବନେଶ୍ୱର ନୟାପଲି ୟୁନିଟ ୮ ସ୍ଥିତ ସ୍ବର୍ଗତ ଋଷି ବଳିଆରିସିଂହଙ୍କ ପୁଅ ହରିବନ୍ଧୁ ବଳିଆରିସିଂହ (୪୮) ବୋଲି ଜଣାପଡିଛି। କେଶ ନଂ ୫୯/୨୩ ଆଇପିସି ଧାରା ୩୭୯/୩୪ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି।

ଖବର ମୁତାବକ ତଳ ଦିନେ ବାଲୁଗାଁ ଅଞ୍ଚଳର ଏକ ମୋବାଇଲ ଦୋକାନୀ ଭୁବନେଶ୍ୱରରୁ ବସ ଯୋଗେ କିଛି ମୋବାଇଲ ଫୋନ ପଠାଇ ଥିବାବେଳେ ଉକ୍ତ କାର୍ଟୁନରୁ ମୋବାଇଲ ଚୋରି ହୋଇଥିବା ନେଇ ବାଲୁଗାଁ ଥାନାରେ ଏତଲା ଦେଇଥିଲେ। ତେବେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ଆଜି ୪ଟି ଚୋରି ମୋବାଇଲ ସହ ଅଭିଯୁକ୍ତକୁ ଗିରଫ କରିବାରେ ବାଲୁଗାଁ ପୋଲିସ ସଫଳତା ହାସଲ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ ଅଦଳବଦଳ, ୧୦ ଇନ୍ସପେକ୍ଟର ଜିଲ୍ଲା ପାର

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ନିକଟତର ଥିବାବେଳେ ନିର୍ବାଚନ କମିଶନରଙ୍କ ନିୟମ ମୁତାବକ ଆଜି କେନ୍ଦ୍ରାଞ୍ଚଳ ଆଇଜି ଇନ୍ସପେକ୍ଟର ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ଗୋଟିଏ ଜିଲ୍ଲାରେ ତିନି ବର୍ଷ କିମ୍ବା ଉକ୍ତ ଜିଲ୍ଲାରେ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ରହିଥିବା ପୋଲିସ ଅଧିକାରୀଙ୍କ ବଦଳି ହୋଇଛି ।

କେନ୍ଦ୍ରାଞ୍ଚଳ ଅଧୀନରେ ଥିବା କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ବଡ଼ ଅଦଳବଦଳ ହୋଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ୧୦ ଇନ୍ସପେକ୍ଟରଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି ।

ବଦଳି ହୋଇଥିବା ଅଧିକାରୀ ମାନେ ହେଲେ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ନୟାଗଡ଼ ଜିଲ୍ଲା ,ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା, ବାଲୁଗାଁ ଅତିରିକ୍ତ ଆଇଆଇସି ରଶ୍ମିବାଳା ସେଠି ଜଗତସିଂହପୁର ଜିଲ୍ଲା,ବୋଲଗଡ଼ ଆଇଆଇସି ରଶ୍ମିରଞ୍ଜନ ସାହୁ ନୟାଗଡ଼ ଜିଲ୍ଲା,ସଦର ଆଇଆଇସି ବିଦିତା ନାୟକ ପୁରୀ ଜିଲ୍ଲା, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ପୁରୀ ଜିଲ୍ଲା, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର କବିତା ସାହୁ ପୁରୀ ଜିଲ୍ଲା, ଅର୍ଚନା ମଲିକ କଟକ ଜିଲ୍ଲା,ଲକ୍ଷ୍ମୀପ୍ରସାଦ ଶତପଥୀ ପୁରୀ ଜିଲ୍ଲା ଏବଂ ବିଜୟିନୀ ମଲ୍ଲଙ୍କ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହୋଇଛି ।

Categories
ଆଞ୍ଚଳିକ

ଅଭ୍ୟାସଗତ ମଦ ବେପାରୀଙ୍କୁ ବାନ୍ଧିଲା ବାଲୁଗାଁ ପୋଲିସ: ଦେଶୀ ବିଦେଶୀ ମଦ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଆଜି ଜଣେ ଅଭ୍ୟାସଗତ ମଦ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦେଶୀ ବିଦେଶୀ ମଦ ଜବତ କରିଛି। ଅଭିଯୁକ୍ତ ଜଣକ ହେଲେ ବଡ଼କୁଳ ଗ୍ରାମର କେଶର ସାହୁ। ତାଙ୍କ ନିକଟରୁ ସମୁଦାୟ ୨୩ ଲିଟର ଦେଶୀ ବିଦେଶୀ ମଦ ଜବତ କରିଛି ପୋଲିସ।

ସୂଚନା ଥାଉକି କେଶର ଜଣେ ଅଭ୍ୟାସଗତ ମଦ ବେପାରି ଥିବା ବେଳେ ତାଙ୍କୁ ଗତବର୍ଷ ବାଲୁଗାଁ ପୋଲିସ ଦୁଇ ଦୁଇ ଥର ଗିରଫ ମଧ୍ୟ କରିଥିଲା। ଏହି ପରିପ୍ରେକ୍ଷୀରେ ତାଙ୍କ ବିରୁଦ୍ଧରେ ସିଆରପିସି ଦଫା ୧୧୦ ମଧ୍ୟ ଲଗାଯିବ ବୋଲି ଆଇଆଇସି ରଶ୍ମିରଂଜନ ଦାସ କହିଛନ୍ତି। ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନା ଥାଉକି ଏହାକୁ ମିଶାଇ ବିଗତ ୧୦ ଦିନ ମଧ୍ୟରେ ବାଲୁଗାଁ ପୋଲିସ ବିଭିନ୍ନ ସ୍ଥାନରୁ ୪ ଗୋଟି ମଦ ମାମଲା ଠାବ କରିବାରେ ସଫଳ ହୋଇଛି।

Categories
ଆଞ୍ଚଳିକ

ବାଲୁଗାଁ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ କଲା ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଆଜି ଗିରଫ କରିଛି ପୋଲିସ। ଅପରାଧୀ ଜଣକ ହେଉଛନ୍ତି ଚନ୍ଦ୍ରାପୁଟ ଗ୍ରାମର ମାନସ ଦାସ। ମାନସ ଙ୍କ ନାମରେ ୧୪ ଗୋଟି ଅପରାଧିକ ମାମଲା ଏବଂ ଦୁଇ ଗୋଟି ଏନବିଡବ୍ଲୁ ରହିଛି। ତନ୍ମଧ୍ୟରୁ ତିନି ଗୋଟି ମରଣାନ୍ତକ ଆକ୍ରମଣ ମାମଲା ରହିଛି।

ପୋଲିସ ସୂଚନା ଅନୁଯାୟୀ ମାନସ ଦୀର୍ଘ ଦିନ ଧରି ବେଆଇନ ମଦ ବେପାରରେ ଜଡ଼ିତ ଥିଲେ । ତାଙ୍କୁ ପୁର୍ବରୁ ମଧ୍ୟ ଏକାଧିକ ଥର ପୋଲିସ ଗିରଫ କରିବା ପାଇଁ ଚଢ଼ାଉ କରିଥିଲେ ସୁଦ୍ଧା ସେ ଖସି ପଳେଇବାରେ ସଫଳ ହେଉଥିଲେ। ତେବେ ନିକଟରେ ତାଙ୍କରି ଗ୍ରାମର ସନ୍ତୋଷ ମାଳି ନାମକ ବ୍ୟକ୍ତିଙ୍କୁ ମଦ ବ୍ୟବସାୟରେ ଶତ୍ରୁତା କୁ ନେଇ ମାନସ ମରଣାନ୍ତକ ଆକ୍ରମଣ କରିଥିଲେ।

ଫଳରେ ପୋଲିସ କେସ ନମ୍ବର ୯୬/୨୩ ଦଫା ୩୦୭ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା। ଶେଷରେ ନିଜ ଗୁଇନ୍ଦା ସୂଚନା ଦ୍ୱାରା ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ମାନସ ଗିରଫ ହେବା ଦ୍ୱାରା ମଦ ମାଫିଆ ଙ୍କ ମନରେ ଛନକା ପଶିଯାଇଛି ଏବଂ ତାଙ୍କ ସହଯୋଗୀ ମାନେ ଖୁବଶୀଘ୍ର ଗିରଫ ହେବେ ବୋଲି ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଗଣ୍ଡଗୋଳ ଅଭିଯୋଗରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗଣ୍ଡଗୋଳ ଅଭିଯୋଗରେ ଆଜି ପାଞ୍ଚ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି। ସୂଚନା ମୁତାବକ କିଛି ଦିନ ହେଲା ଚିଲିକା ଜେଟି ନିକଟରେ କିଛି ଅସାମାଜିକ ବ୍ୟକ୍ତିମାନେ ବେଆଇନ ନିଶା ସାମଗ୍ରୀ ଯଥା ମଦ, ଗଞ୍ଜେଇ ଆଦି ବିକ୍ରି କରିବା ସହ ବେଆଇନ ବିକ୍ରି ସ୍ଥାନ କବଜା ପାଇଁ ନିଜ ନିଜ ମଧ୍ୟରେ ଝଗଡା କରିଆସୁଥିଲେ। ଏପରିକି ଚିଲିକା ଜେଟି ଏବଂ ଏହାର ଆଖପାଖ ବୁଦା ଓ ଜଙ୍ଗଲ ଅଞ୍ଚଳରେ ଏହି ଅସାମାଜିକ ବ୍ୟକ୍ତି ମାନେ ଲୁଚେଇ ନିଶା ସାମଗ୍ରୀ ବିକ୍ରି କରୁଥିଲେ। ଏହା ଫଳରେ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନାଗରିକ ମାନେ ନିଜକୁ ଅସୁରକ୍ଷିତ ମନେ କରୁଥିଲେ।

ତେବେ ବାଲୁଗାଁ ପୋଲିସ ଏହା ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ ରବିବାର ରାତିରେ ନିଶା ଦ୍ରବ୍ୟ ବିକ୍ରି ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ପୋଲିସ ଉଭୟ ଗୋଷ୍ଠୀଙ୍କ ବିରୁଦ୍ଧରେ କେସ ନମ୍ବର ୯୪/୨୩ ଏବଂ ୯୫/୨୩ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ଆଜି ଉଭୟ ଗୋଷ୍ଠୀର ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଥିବାର ସୂଚନା ଦେଇଛନ୍ତି ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ। ଅଭିଯୁକ୍ତମାନେ ହେଲେ ଅଜୟ ବେହେରା, ସନ୍ତୋଷ ବେହେରା, ବାପି ବେହେରା, ଶେଷ ବେହେରା ଓ ଚନ୍ଦନ ବେହେରା।

ସେହିପରି ଭାବେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କ ସୂଚନା ପାଇଛି ଏବଂ ଖୁବଶୀଘ୍ର ସେମାନେ ଗିରଫ ହେବେ ବୋଲି କହିଛନ୍ତି ଆଇଆଇସି ଶ୍ରୀ ଦାସ।

Categories
ଆଞ୍ଚଳିକ

ମଦ ବୋଝେଇ କାର ଜବତ କଲା ବାଲୁଗାଁ ପୋଲିସ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ପୋଲିସ ମଦ ବୋଝେଇ କାର ଜବତ କରିଛି। ଏଥିରୁ ବିପୁଳ ପରିମାଣରେ ଆସ୍କା-୪୦ ମଦ ଜବତ କରାଯାଇଛି। ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ଏବଂ ଏଏସଆଇ ଶରତ ପଟ୍ଟନାୟକ ସହଯୋଗରେ ପେଟ୍ରୋଲିଂ ଜାରି ରହିଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବୁଚୁଡ଼ି ଛକରେ ଏକ କାର ଉପରେ ସନ୍ଦେହ ହେବାରୁ ତଲାସି ନିଆଯାଇଥିଲା। ତାଲାସି ବେଳେ ଉକ୍ତ କାର ରୁ ୭୫ ବୋତଲ ଆସ୍କା-୪୦ ମଦ ଜବତ କରାଯାଇଥିଲା। କାର ର ଡ଼ିକିରୁ ଉକ୍ତ ମଦ ଜବତ ହୋଇଥିଲା।

ତେବେ ଉକ୍ତ ଘଟଣାରେ ଟାଙ୍ଗୀ ଥାନା ହାଟବରଡ଼ି ଅଞ୍ଚଳର ଅଭିଯୁକ୍ତ ଚିତ୍ତରଞ୍ଜନ ସାହୁଙ୍କୁ ପୋଲିସ ଗିରଫ କରିଛି। ତତସହିତ ଉକ୍ତ ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଖୁବ ଶୀଘ୍ର ଗିରଫ ହେବେ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମଦ୍ୟପ ଗାଡ଼ି ଚାଳକଙ୍କୁ ସାବାଡ଼ କଲା ବାଲୁଗାଁ ପୋଲିସ: ଚାରି ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୋଲିସକୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ସହରରେ ମଦ୍ୟପଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସମୟରେ ସେମାନେ ନିଶାସକ୍ତ ଅବସ୍ଥାରେ କ୍ଷିପ୍ର ବେଗରେ ଗାଡ଼ି ଚଲାଉଛନ୍ତି। ଯାହା ଫଳରେ ନାଗରିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି।

ଅନୁରୂପ ଭାବେ ମଦ୍ୟପ ଗାଡିଚାଳକ ମାନେ ପଥଯାତ୍ରୀଙ୍କୁ ଗାଳିଗୁଲଜ କରୁଥିବାର ମଧ୍ୟ ଅଭିଯୋଗ ହେଉଛି। ଏହାକୁ ଗମ୍ଭୀରିତାର ସହ ନେଇ ଆଜି ବାଲୁଗାଁ ପୋଲିସ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଦୀର୍ଘ ସମୟ ଧରି ଚଢ଼ାଉ ଜାରି ରଖିଥିଲା। ମଦ୍ୟପ ଗାଡ଼ି ଚାଳକଙ୍କୁ ଖୋଜି ଖୋଜି ପୋଲିସ ଧରିଥିଲା।

ଏହି ପରିପ୍ରେକ୍ଷୀରେ ଚାରି ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ବାଲୁଗାଁ ମେଡିକାଲରେ ସେମାନେ କେତେ ପରିମାଣରେ ମଦ୍ୟପାନ କରିଛନ୍ତି ତାହାର ପରୀକ୍ଷା କରାଯାଇଥିଲା। ଗିରଫ ଚାରି ଅଭିଯୁକ୍ତମାନେ ହେଲେ ସୁକାନ୍ତ ପାଣିଗ୍ରାହୀ, ଅକ୍ଷୟ ପଣ୍ଡା, ଅରୁଣ ଜେନା ଓ ପପୁ ସାମଲ।

ସେମାନଙ୍କ ନିକଟରୁ ଦୁଇ ଗୋଟି ବାଇକ ଜବତ କରିଛି ପୋଲିସ। ତେବେ ବାଲୁଗାଁ ବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ କହିଛନ୍ତି। ପୋଲିସର ଏପରି ପଦକ୍ଷେପକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ପୋଲିସ ସବଡିଭିଜନରେ ଡିଜେ ହେଲା ବ୍ୟାନ, ଏସଡିପିଓ ମାନସ ବାରିକ ଦେଲେ ନିର୍ଦ୍ଦେଶ

ସୀତାରାମ ଅଗ୍ରୱାଲା

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ବ୍ୟାନ ହୋଇଛି ଡିଜେ। ସୂଚନା ଥାଉ କି ବାରମ୍ବାର ପୋଲିସର ଅନୁରୋଧ ସତ୍ବେ ବାଲୁଗାଁ ପୋଲିସ ସବଡିଭିଜନ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିଳମ୍ବିତ ରାତ୍ରି ଯାଏଁ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ହେଉଛି।

ନିକଟରେ ମଧ୍ୟ ଏସଡିପିଙ୍କ ନିର୍ଦେଶକ୍ରମେ ଚଳିତ ବର୍ଷ ଗଣେଶ ପୂଜା ଭସାଣି ସମୟରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସ ଏକାଧିକ ଡିଜେ ଗାଡ଼ି ଜବତ କରିଥିଲା। ତଥାପି ଉପଜିଲ୍ଲାପାଳଙ୍କ ବିନା ଅନୁମତି ପତ୍ରରେ ବେଆଇନ ଭାବେ ଉଚ୍ଚ ଶବ୍ଦରେ ଡିଜେ ବଜାଉଛନ୍ତି ଜନସାଧାରଣ ମାନେ। ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ଅଞ୍ଚଳରୁ ସମାନ ଅଭିଯୋଗ ଆସିବାପରେ ଆଜି ଏସଡିପିଓ ବାଣପୁର, ବାଲୁଗାଁ, ଟାଙ୍ଗୀ ଏବଂ ନିରାକାରପୁର ଥାନାଧିକାରୀଙ୍କୁ ଏପରି ନିର୍ଦେଶ ଦେଇଛନ୍ତି l ଯଦି ଉକ୍ତ ନିର୍ଦେଶନାମା ରେ ଖିଲାପ ହୁଏ ତେବେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅମାନିଆ ଗାଡ଼ିଚାଳକଙ୍କ ଉପରେ ବାଲୁଗାଁ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଦଶ ଗୋଟି ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏକ ମାନଦଣ୍ଡ ହାସଲ କରିଛି। ଦ୍ରୁତ ଗତିରେ ଯାଉଥିବା ବାଇକ୍ ଆରୋହୀ ଯେଉଁମାନେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ଯୋଜନା ପୋଲିସ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ବାଲୁଗାଁ ଏସଡିପିଓଙ୍କ ସକ୍ରିୟ ତତ୍ୱାବଧାନରେ ବାଲୁଗାଁ ଥାନା ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ୧୦ ଗୋଟି ମାମଲା ରୁଜୁ କରିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଉକ୍ତ ମାମଲାଗୁଡିକର ତଦନ୍ତ ଶେଷ କରି ୨୪ ଘଣ୍ଟା ମଧ୍ୟରେ ଚିଲିକା କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି ପୋଲିସ। ଏବଂ ଚିଲିକା କୋର୍ଟରେ ଶୁଣାଣି ଆରମ୍ଭ ହେବାସହ ବିଚାରପତି ଆଇନ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଲଗାଇଛନ୍ତି।

ସୂଚନା ଥାଉକି ଏହି ଯୋଜନାକୁ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ନିଆଯାଇଛି, ଯେଉଁଥିରେ ପୋଲିସ୍ ଗାଡ଼ିଚାଳନା ସମୟରେ ଦୃତ ଗତିରେ ଗାଡ଼ି ଚଲାଉଥିବା ଚାଳକ, ମଦ୍ୟପ ଚାଳକ ଏବଂ ମୋବାଇଲ୍ ବ୍ୟବହାରକାରୀଙ୍କ ଉପରେ ନଜର ରଖିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂଜା ପୁର୍ବରୁ ସଜାଗ ହେଲା ବାଲୁଗାଁ ପୋଲିସ, ୩ ଦିନରେ ୨୭ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିମାନେ ଏହାର ସୁଯୋଗ ନେଇ ଅପରାଧ ଘଟାଇବାକୁ ପଛାଇନଥାନ୍ତି।  ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ପୂଜା ଉପଲକ୍ଷେ ସଜାଗ ରହିବା ସହ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଖୋର୍ଦ୍ଧା ଏସପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଥାନା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ଏବଂ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଗତ ୩ ଦିନ ମଧ୍ୟରେ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ଏନବିଡବ୍ଲୁ ୱାରେଣ୍ଟ, ମଦ ବେପାରି ଓ ଅପରାଧୀ ମାନେ ସାମିଲ ଥିବା ଜଣାପଡିଛି। ସେହିପରି ଭାବେ ଗତକାଲି ଖଣତ ଗ୍ରାମରୁ ୬୦ ବୋତଲ ବିଦେଶୀ ମଦ ସହ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଥିବା ବେଳେ ନାଭାଲ ଫାଣ୍ଡି ପରିସରରେ ଆଇଆଇସି ‘ଆମ ପୋଲିସ କାର୍ଯ୍ୟକ୍ରମ’ର ଆୟୋଜନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଜନସାଧାରଣ ଯୋଗଦେଇ ନିଜର ଅଭିଯୋଗ ଆଇଆଇସି ଙ୍କୁ ଜଣାଇଥିଲେ ଏବଂ ଆଇଆଇସି ତାହାର ସମାଧାନ ମଧ୍ୟ କରିଥିଲେ।  ଅପରାଧମୁକ୍ତ ବାଲୁଗାଁ ଗଢିବାରେ ଜନସାଧାରଣଙ୍କ ସହାୟତା ଆଇଆଇସି ଲୋଡ଼ିଥିବା ବେଳେ ପୂଜା ସମୟରେ ଯଦି କେହି ଦାଦାବଟି ମାଗନ୍ତି ତେବେ ତୁରନ୍ତ ଆଇଆଇସି ଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

ସେହିପରି ବାଣପୁର ପୋଲିସ ୩ ଗୋଟି ଏନବିଡବ୍ଲୁ ୱାରେଣ୍ଟ ଗିରଫ କରିଥିବାବେଳେ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବାର ଆଇଆଇସି ଜୟ ପ୍ରକାଶ ପରିଡ଼ା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ପୋଲିସ ପାଳିଲା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଚିଲିକା ବ୍ଲକ କିମ୍ଭିରୀପଡା ଗ୍ରାମସ୍ଥିତ ଵୃଦ୍ଧାଶ୍ରମକୁ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ନିଜ ଟିମ ସହ ପରିଦର୍ଶନକୁ ଯାଇ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିଛନ୍ତି। ଅନ୍ତେବାସୀଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କୁ ଫଳ, ମିଠା ବାଣ୍ଟିଛି ବାଲୁଗାଁ ପୋଲିସ।

ତତସହିତ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ମଧ୍ୟ କରାଯାଇଛି। ଇତିମଧ୍ୟରେ ଜଣେ ଅନ୍ତେବାସୀଙ୍କୁ ପୁନଶ୍ଚ ନିଜ ଘରକୁ ପଠାଇବା ପାଇଁ ଆଇଆଇସି ପ୍ରତିଶୃତି ଦେଇଥିବାର ଜଣା ପଡ଼ିଛି। ଯଦି ବାଲୁଗାଁ ଥାନା ଅଞ୍ଚଳର କୌଣସି ବରିଷ୍ଠ ନାଗରିକମାନେ ସେମାନଙ୍କ ପରିବାର ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ଅଥବା ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ତୁରନ୍ତ ଆଇନଗତ ସାହାଯ୍ୟ ପାଇଁ ଆଇଆଇସି କୁ ଯୋଗାଯୋଗ କରନ୍ତୁ ବୋଲି ଅପିଲ କରିଛନ୍ତି ଶ୍ରୀ ଦାସ।