ମଦ୍ୟପ ଗାଡ଼ି ଚାଳକଙ୍କୁ ସାବାଡ଼ କଲା ବାଲୁଗାଁ ପୋଲିସ: ଚାରି ଗିରଫ

Published: Mar 29, 2023, 6:27 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୋଲିସକୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ସହରରେ ମଦ୍ୟପଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସମୟରେ ସେମାନେ ନିଶାସକ୍ତ ଅବସ୍ଥାରେ କ୍ଷିପ୍ର ବେଗରେ ଗାଡ଼ି ଚଲାଉଛନ୍ତି। ଯାହା ଫଳରେ ନାଗରିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି।

ଅନୁରୂପ ଭାବେ ମଦ୍ୟପ ଗାଡିଚାଳକ ମାନେ ପଥଯାତ୍ରୀଙ୍କୁ ଗାଳିଗୁଲଜ କରୁଥିବାର ମଧ୍ୟ ଅଭିଯୋଗ ହେଉଛି। ଏହାକୁ ଗମ୍ଭୀରିତାର ସହ ନେଇ ଆଜି ବାଲୁଗାଁ ପୋଲିସ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଦୀର୍ଘ ସମୟ ଧରି ଚଢ଼ାଉ ଜାରି ରଖିଥିଲା। ମଦ୍ୟପ ଗାଡ଼ି ଚାଳକଙ୍କୁ ଖୋଜି ଖୋଜି ପୋଲିସ ଧରିଥିଲା।

ଏହି ପରିପ୍ରେକ୍ଷୀରେ ଚାରି ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ବାଲୁଗାଁ ମେଡିକାଲରେ ସେମାନେ କେତେ ପରିମାଣରେ ମଦ୍ୟପାନ କରିଛନ୍ତି ତାହାର ପରୀକ୍ଷା କରାଯାଇଥିଲା। ଗିରଫ ଚାରି ଅଭିଯୁକ୍ତମାନେ ହେଲେ ସୁକାନ୍ତ ପାଣିଗ୍ରାହୀ, ଅକ୍ଷୟ ପଣ୍ଡା, ଅରୁଣ ଜେନା ଓ ପପୁ ସାମଲ।

ସେମାନଙ୍କ ନିକଟରୁ ଦୁଇ ଗୋଟି ବାଇକ ଜବତ କରିଛି ପୋଲିସ। ତେବେ ବାଲୁଗାଁ ବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ କହିଛନ୍ତି। ପୋଲିସର ଏପରି ପଦକ୍ଷେପକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।

Related posts