ମହଙ୍ଗା ପଡ଼ିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଳାଇବା: ଏକାଧିକ ବୁଲେଟ ଜବତ କଲା ବାଲୁଗାଁ ପୋଲିସ

Published: Oct 25, 2023, 10:11 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବିକଟାଳ ଶବ୍ଦ କରି ବୁଲେଟ ମଟରସାଇକେଲ ଚଳାଇବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଏକାଧିକ ବୁଲେଟ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ବାଲୁଗାଁ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଅମାନିଆ ବାଇକ ଚାଳକ। ଏକାଧିକ ବାଇକ ଚାଳକମାନେ ନିଜ ବାଇକରେ ବିକଟାଳ ଶବ୍ଦ ସୃଷ୍ଟି କରିବା ଭଳି ଯନ୍ତ୍ରପାତି ଲଗାଇ କ୍ଷିପ୍ର ଗତିରେ ବଜାରରେ ବାଇକ ଚଳାଉଛନ୍ତି। ବିଶେଷ କରି ବୁଲେଟ ମଟରସାଇକେଲରେ ବିକଟାଳ ଶବ୍ଦ ସୃଷ୍ଟି କରି ଦିନରାତି ବାଲୁଗାଁ ବଜାରରେ ବାଇକ ଚଲାଉଛନ୍ତି ଅମାନିଆ।

ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବାଲୁଗାଁ ପୋଲିସ। ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଜୟପ୍ରକାଶ ପରିଡ଼ା ଆଜି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲୁଗାଁ ବଜାରରେ ପିକେଟିଂ ଜାରି ରଖିଥିଲେ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବୁଲେଟ ଚାଳକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସମୁଦାୟ ୫ ଗୋଟି ବୁଲେଟ ମଟରସାଇକେଲ ଜବତ କରିଛନ୍ତି ଆଇଆଇସି।

ଆସନ୍ତାକାଲି ଉକ୍ତ ବୁଲେଟ ଗୁଡ଼ିକରୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ପାଇପ କଢ଼ାଯିବ ଏବଂ ବୁଲେଟ ମାଲିକମାନେ ଉପଯୁକ୍ତ ସାଇଲେନ୍ସର ପାଇପ ଲଗାଇବା ପରେ ଗାଡି ଗୁଡିକୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ତେବେ ବାଲୁଗାଁ ପୋଲିସର ଉକ୍ତ ପଦକ୍ଷେପକୁ ସବୁ ବର୍ଗ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ଅନୁରୂପ ଭାବେ ବାଣପୁର ପୋଲିସ ମଧ୍ୟ ଏଭଳି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Related posts