Categories
ଆଞ୍ଚଳିକ

ଚିଲିକା: ମହଙ୍ଗା ପଡିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଇବା: ଛଅ ବାଇକ ଜବତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକାଧିକ ବ୍ୟକ୍ତି କ୍ଷିପ୍ରଗତିରେ ଏବଂ ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଉଥିବା ଅଭିଯୋଗ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଏକ ଟିମ ଗଠନ କରି ଆଜି ଅମାନିଆ ବାଇକ ଚାଳକଙ୍କ ଉପରେ ଚଢ଼ାଉ କରିଥିଲେ। ଫଳସ୍ୱରୂପ ଆଜି ଛଅ ଗୋଟି ବାଇକ ଜବତ କରିଛି ପୋଲିସ। ଉକ୍ତ ବାଇକ ଚାଳକ ମାନେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ନାଚୁଣୀ ବଜାରରେ ବାଇକ ଚଲାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି।

ନାଚୁଣୀ ପୋଲିସ ଉକ୍ତ ବାଇକ ଜବତ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି।  ତେବେ ନାଚୁଣୀ ଅଞ୍ଚଳରେ ଏପରି ଗତିବିଧିକୁ କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି।  ନାଚୁଣୀ ପୋଲିସର ଉକ୍ତ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ମହଙ୍ଗା ପଡ଼ିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଳାଇବା: ଏକାଧିକ ବୁଲେଟ ଜବତ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବିକଟାଳ ଶବ୍ଦ କରି ବୁଲେଟ ମଟରସାଇକେଲ ଚଳାଇବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଏକାଧିକ ବୁଲେଟ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ବାଲୁଗାଁ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଅମାନିଆ ବାଇକ ଚାଳକ। ଏକାଧିକ ବାଇକ ଚାଳକମାନେ ନିଜ ବାଇକରେ ବିକଟାଳ ଶବ୍ଦ ସୃଷ୍ଟି କରିବା ଭଳି ଯନ୍ତ୍ରପାତି ଲଗାଇ କ୍ଷିପ୍ର ଗତିରେ ବଜାରରେ ବାଇକ ଚଳାଉଛନ୍ତି। ବିଶେଷ କରି ବୁଲେଟ ମଟରସାଇକେଲରେ ବିକଟାଳ ଶବ୍ଦ ସୃଷ୍ଟି କରି ଦିନରାତି ବାଲୁଗାଁ ବଜାରରେ ବାଇକ ଚଲାଉଛନ୍ତି ଅମାନିଆ।

ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବାଲୁଗାଁ ପୋଲିସ। ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଜୟପ୍ରକାଶ ପରିଡ଼ା ଆଜି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲୁଗାଁ ବଜାରରେ ପିକେଟିଂ ଜାରି ରଖିଥିଲେ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବୁଲେଟ ଚାଳକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସମୁଦାୟ ୫ ଗୋଟି ବୁଲେଟ ମଟରସାଇକେଲ ଜବତ କରିଛନ୍ତି ଆଇଆଇସି।

ଆସନ୍ତାକାଲି ଉକ୍ତ ବୁଲେଟ ଗୁଡ଼ିକରୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ପାଇପ କଢ଼ାଯିବ ଏବଂ ବୁଲେଟ ମାଲିକମାନେ ଉପଯୁକ୍ତ ସାଇଲେନ୍ସର ପାଇପ ଲଗାଇବା ପରେ ଗାଡି ଗୁଡିକୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ତେବେ ବାଲୁଗାଁ ପୋଲିସର ଉକ୍ତ ପଦକ୍ଷେପକୁ ସବୁ ବର୍ଗ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ଅନୁରୂପ ଭାବେ ବାଣପୁର ପୋଲିସ ମଧ୍ୟ ଏଭଳି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।