ବିବାହର ପ୍ରଲୋଭନ ଦେଇ ଧୋକା: ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ପ୍ରେମିକକୁ ବାନ୍ଧିଲା ବାଲୁଗାଁ ପୋଲିସ

Published: Jan 17, 2024, 5:49 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଫେସବୁକରେ ବନ୍ଧୁତା ପରେ ପ୍ରେମ କରି ପ୍ରେମିକାର ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ବାଲୁଗାଁ ପୋଲିସ।

ସୂଚନା ମୁତାବକ ଗତ ବର୍ଷେ ପୂର୍ବେ ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଚକାଶୀରାମପୁର ଗ୍ରାମର ଗଦାଧର ଦାସଙ୍କ ପୁଅ ବିକାଶ ଦାସ (୨୬) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସବୁକରେ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ।ଧିରେ ଧିରେ ତାହା ପ୍ରେମରେ ପରିଣତ ହୋଇଥିଲା। ଏପରିକି ବିବାହ ପ୍ରଲୋଭନ ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଯାହାକି ପ୍ରେମିକା ଅଗୋଚରରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରି ନିଜ ମୋବାଇଲରେ କଏଦ କରି ରଖିଥିଲେ ପ୍ରେମିକ ଜଣକ।

ଏହାପରେ ଯୁବତୀଙ୍କୁ ବାରମ୍ବାର ଅନୈତିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରିବା ସହ ଟଙ୍କା ଦେବାକୁ କହି ବ୍ଲାକମେଲ କରିଆସୁଥିଲେ। ଯୁବତୀ ଜଣକ ଏଥିରେ ନିରୁତ୍ସାହିତ ହୋଇ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ବିକାଶ ଅଶ୍ଳୀଳ ଫଟୋ ଓ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ।

ଏହି ଘଟଣାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଗତ ବର୍ଷ ଜୁନ ୨୧ ରେ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ କେଶ ନଂ ୧୩୭/୨୩ ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଜାରି ରଖିଥିଲା। ସାଇବର ସେଲର ସହାୟତାରେ ଅଭିଯୁକ୍ତକୁ ଧରିବାପାଇଁ ପୋଲିସ ଜାଲ ବିଛାଇ ଥିଲା।

ତେବେ ଅଭିଯୁକ୍ତ ବିକାଶ ମହାରାଷ୍ଟ୍ର ରାଜ୍ୟ ପୁନେ ଠାରେ ଥିବା ଖବର ପାଇ ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କ ନେତୃତ୍ୱରେ ଏକ ଟିମ ଯାଇଥିବା ବେଳେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ତେବେ ବିକାଶ ଭୁବନେଶ୍ୱରରେ ଥିବା ଖବର ଜଣାପଡିବା ପରେ ଥାନାଧିକାରୀ ଶ୍ରୀ ପରିଡା ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।

ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ପରିଡା କହିଛନ୍ତି।

Related posts