Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହର ପ୍ରଲୋଭନ ଦେଇ ଧୋକା: ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ପ୍ରେମିକକୁ ବାନ୍ଧିଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଫେସବୁକରେ ବନ୍ଧୁତା ପରେ ପ୍ରେମ କରି ପ୍ରେମିକାର ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ବାଲୁଗାଁ ପୋଲିସ।

ସୂଚନା ମୁତାବକ ଗତ ବର୍ଷେ ପୂର୍ବେ ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଚକାଶୀରାମପୁର ଗ୍ରାମର ଗଦାଧର ଦାସଙ୍କ ପୁଅ ବିକାଶ ଦାସ (୨୬) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସବୁକରେ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ।ଧିରେ ଧିରେ ତାହା ପ୍ରେମରେ ପରିଣତ ହୋଇଥିଲା। ଏପରିକି ବିବାହ ପ୍ରଲୋଭନ ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଯାହାକି ପ୍ରେମିକା ଅଗୋଚରରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରି ନିଜ ମୋବାଇଲରେ କଏଦ କରି ରଖିଥିଲେ ପ୍ରେମିକ ଜଣକ।

ଏହାପରେ ଯୁବତୀଙ୍କୁ ବାରମ୍ବାର ଅନୈତିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରିବା ସହ ଟଙ୍କା ଦେବାକୁ କହି ବ୍ଲାକମେଲ କରିଆସୁଥିଲେ। ଯୁବତୀ ଜଣକ ଏଥିରେ ନିରୁତ୍ସାହିତ ହୋଇ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ବିକାଶ ଅଶ୍ଳୀଳ ଫଟୋ ଓ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ।

ଏହି ଘଟଣାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଗତ ବର୍ଷ ଜୁନ ୨୧ ରେ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ କେଶ ନଂ ୧୩୭/୨୩ ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଜାରି ରଖିଥିଲା। ସାଇବର ସେଲର ସହାୟତାରେ ଅଭିଯୁକ୍ତକୁ ଧରିବାପାଇଁ ପୋଲିସ ଜାଲ ବିଛାଇ ଥିଲା।

ତେବେ ଅଭିଯୁକ୍ତ ବିକାଶ ମହାରାଷ୍ଟ୍ର ରାଜ୍ୟ ପୁନେ ଠାରେ ଥିବା ଖବର ପାଇ ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କ ନେତୃତ୍ୱରେ ଏକ ଟିମ ଯାଇଥିବା ବେଳେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ତେବେ ବିକାଶ ଭୁବନେଶ୍ୱରରେ ଥିବା ଖବର ଜଣାପଡିବା ପରେ ଥାନାଧିକାରୀ ଶ୍ରୀ ପରିଡା ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।

ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ପରିଡା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଫେସବୁକରେ ଧାର୍ମିକ ଭାବନାକୁ ଆଘାତ ଦେବା ପରି ଆପତ୍ତିଜନକ ପୋଷ୍ଟ କରି ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ନିକଟରେ ଖୋର୍ଦ୍ଧା ଟାଉନ ଥାନା ମୁକୁନ୍ଦପ୍ରସାଦରେ ଗୋ ହତ୍ୟାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ଯଦି କୌଣସି ବ୍ୟକ୍ତି ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପୁନଶ୍ଚ କିଛି ଉତ୍ତେଜନା ମୂଳକ କାର୍ଯ୍ୟ କରେ ତେବେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଥିଲା।

ତେବେ ଉକ୍ତ ଘଟଣାକୁ ନେଇ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ମୁକୁନ୍ଦପ୍ରସାଦ ଅଞ୍ଚଳର ହବିବ ଖାନ (୨୫) ବୋଲି ଜଣାପଡିଛି। ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଧାର୍ମିକ ଭାବନା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି ଅପମାନଜନକ ପୋଷ୍ଟ କରିଥିଲେ।

ଏହା ଜାଣିବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ବାସୁଦେବ ଜୟସିଂହ ନିଜଆଡୁ କେସ ନମ୍ବର ୪୭୦/୨୩, ଦଫା ୨୯୪, ୫୦୬, ୧୫୩ (କ) ରେ ମାମଲା ରୁଜୁ କରିଛନ୍ତି।

ଅନୁରୂପ ଭାବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଯଦି କୌଣସି ବ୍ୟକ୍ତି ଧାର୍ମିକ ଭାବନାକୁ ଆଘାତ ଦେବା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି କାର୍ଯ୍ୟ କରିବ ତାକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ତଦନ୍ତକାରି ଅଧିକାରିଣୀ ଶ୍ରୀମତୀ ବରାଳ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି

ନୂଆଦିଲ୍ଲୀ: ଫେସବୁକ, ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମକୁ ସଂଚାଳିତ କରୁଥିବା ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍ କ୍ଲେଗ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି।

ଭାରତର ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ମେଟା ଟେକ୍ନୋଲୋଜିକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ଏହି ବୈଠକ କାଳରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଜାତୀୟ ଶିକ୍ଷା ନୀତି ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେଉଛି। ଷ୍ଟାର୍ଟଅପରେ ନିୟୋଜିତ ଥିବା ଯୁବ ଉଦ୍ୟୋଗୀମାନେ କିପରି ସେମାନଙ୍କର ବ୍ୟବସାୟକୁ ଟେକ୍ନୋଲୋଜି ମାଧ୍ୟମରେ ବଢାଇପାରିବେ ସେ ବାବଦରେ ଅବଗତ କରାଇଥିଲେ। ସେହିପରି ଟେକ୍ନୋଲୋଜି ଇନୋଭେସନ, ଉଦ୍ୟମିତା କ୍ଷେତ୍ରକୁ ଉପଯୋଗ କରିବା ଉପରେ ଚର୍ଚ୍ଚା ସହ ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ମିଶନ ସଶକ୍ତ କରିବା ପାଇଁ ମେଟାକୁ ନିମନ୍ତ୍ରଣ କରିଥିଲେ କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକ୍ କ୍ଲେଗଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିବା ସମୟରେ ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ କଳାକାରଙ୍କ ସମେତ ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଉପରେ ଚର୍ଚ୍ଚା କରିଥିଲେ। ଦେଶ ସମେତ ଓଡ଼ିଶା ଭଳି ରାଜ୍ୟରେ ମେଟା ଟେକ୍ନୋଲୋଜି କିଭଳି ଯୁବ ପ୍ରତିଭାଙ୍କୁ ଅଧିକ ଦକ୍ଷ କରିବା ସହ ସ୍କିଲ୍ କ୍ଷେତ୍ରକୁ ମଜଭୂତ୍ କରିବ, ତାହା ଉପରେ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଫେସବୁକରୁ ପରକୀୟା ପ୍ରୀତି, ସ୍ତ୍ରୀ ଓ ପିଲାକୁ ଛାଡି ସ୍ୱାମୀ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିକାଲି ସାମାଜିକ ଗଣମାଧ୍ୟମ ବିନା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡୁଛି। ସାମାଜିକ ଗଣମାଧ୍ୟମ ଦ୍ଵାରା ଅନେକ ଲାଭ ମିଳୁଥିବା ବେଳେ ମାନବ ସଭ୍ୟତା ପାଇଁ ସମ ପରିମାଣରେ କ୍ଷତି ମଧ୍ୟ ହେଉଛି।

ଫେସବୁକ ଦ୍ୱାରା ବିବାହ ବନ୍ଧନରେ ଯୁବକ ଯୁବତୀ ଯୋଡି ହେଉଥିବା ବେଳେ କେତେକାଂଶରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଫେସବୁକ ଯୋଗୁଁ ଜଣେ ବିବାହିତ ପୁରୁଷ ଅନ୍ୟ ଏକ ଅଜଣା ଯୁବତୀଙ୍କୁ ପ୍ରେମ କରି ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳରେ ଠିକ ଏଭଳି ଏକ ଘଟଣା ଘଟିଯାଇଛି। ସ୍ଵାମୀ ଫେସବୁକ ମାଧ୍ୟମରେ ଜଣେ ଅଜଣା ଯୁବତୀଙ୍କୁ ପ୍ରେମ କରିବା ପରେ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି ଫେରାର ହୋଇଯାଇଛି। ଫଳରେ ସ୍ତ୍ରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳଙ୍କ ପାଞ୍ଚବର୍ଷ ତଳେ ପୁରୀ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁତ୍ର ରବି ନାରାୟଣ ଗୋଡ଼ିଙ୍କ ସହ ହିନ୍ଦୁ ରିତିରେ ବିବାହ ହୋଇଥିଲା। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ବିଭିନ୍ନ ଆସବାବପତ୍ର, ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ଦେଇଥିଲେ। ବର୍ତ୍ତମାନ ଉଭୟଙ୍କ ଏକ ଚାରି ବର୍ଷର ଝିଅ ଟିଏ ଅଛି।

ତେବେ କିଛି ମାସ ତଳେ ରବିଙ୍କ ଗୋଆରେ ଚାକିରୀ ହୋଇଯିବାରୁ ସପରିବାର ଗୋଆରେ ରହୁଥିଲେ। ଗୋଆରେ ରହିବା ସମୟରେ ଫେସବୁକ ଜରିଆରେ ରବି ନାରାୟଣଙ୍କ ଅନ୍ୟ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହାକୁ ନେଇ ଦୀପାଞ୍ଜଳି ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ନାରାୟଣଙ୍କ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାର ଦୀପାଞ୍ଜଳି ଅଭିଯୋଗ କରିଛନ୍ତି। ଏପରିକି ଏକଥା କାହାରିକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥାନ୍ତି।

ପରିଶେଷରେ ଗତ ୧୨ ତାରିଖ ଦିନ ସ୍ବାମୀ ରବି ନାରାୟଣ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଗୋଆରେ ଛାଡିଦେଇ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ବାରମ୍ବାର ସ୍ୱାମୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ତେବେ ବାପ ଘର ଲୋକଙ୍କ ସହଯୋଗ ଦ୍ୱାରା ଦୀପାଞ୍ଜଳି ଏବଂ ତାଙ୍କର ଚାରି ବର୍ଷର ଝିଅ ସୁଦୂର ଗୋଆରୁ ଗମ୍ଭାରୀମୁଣ୍ଡା ଆସିଛନ୍ତି।

ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କୁ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଅଶ୍ରୁଳ ନିବେଦନ କରିଥିଲେ। ଯାହାଦ୍ୱାରା ଗତକାଲି ରାତିରେ ମିଶନ ଶକ୍ତିର ମହିଳାମାନଙ୍କ ଉପସ୍ଥିତିରେ ଦୀପାଞ୍ଜଳି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆତ୍ମହତ୍ୟାର ଧମକ ଦେଇ ବିବାହ କଲେ ଯୁବକ: ପରେ ପତ୍ନୀଙ୍କ ଅଳଙ୍କାର, ଟଙ୍କା ଧରି ହେଲେ ଫେରାର

କୋଲକୋତା: ଜଣେ ଯୁବକ ଫେସବୁକରେ ବନ୍ଧୁତା ସ୍ଥାପନ କରି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଯୁବତୀଜଣଙ୍କ ବିବାହ ପାଇଁ ରାଜି ନହେବାରୁ ସମ୍ପୃକ୍ତ ଯୁବକଜଣଙ୍କ ଆତ୍ମହତ୍ୟାର ଧମକ ଦେଇ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଯୁବକଜଣଙ୍କ ପତ୍ନୀଙ୍କ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଧରି ଫେରାର ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଅଭିଷେକ ଆର୍ଯ୍ୟା ନାମକ ଜଣେ ଯୁବକ କୋଲକୋତାର ଦୀପାଲି (ଛଦ୍ମ ନାମ) ନାମକ ଜଣେ ଯୁବତୀଙ୍କ ମଧ୍ୟରେ ଫେସବୁକ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ଅଭିଷେକ ପ୍ରେମ ନିବେଦନ କରିଥିଲେ। ଏପରିକି ଦୀପାଲି ବିବାହ ନକଲେ ବ୍ଲେଡ଼ ଦ୍ଵାରା ଗଳା କାଟି ଆତ୍ମହତ୍ୟା କରିବେ ବୋଲି ଅଭିଷେକ ଧମକ ଦେଇଥିଲେ। ଏହା ପରେ ତାଙ୍କର ବିବାହ ହୋଇଥିଲା।

କିନ୍ତୁ ବିବାହ ପରେ ଅଭିଷେକ ତାଙ୍କ ପତ୍ନୀଙ୍କ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଏପରି ଘଟଣା ପରେ ମହିଳାଜଣଙ୍କ ପତିଙ୍କ ଘର ଉତ୍ତରପ୍ରଦେଶ ଯାଇଥିଲେ। କିନ୍ତୁ ଅଭିଷେକଙ୍କ ଘର ବନ୍ଦ ଥିବାରୁ ଦୀପାଲୀ ଫତେପୁର ପୋଲିସ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପୋଲିସ ଶୀଘ୍ର ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ଦୀପାଲିଙ୍କୁ ପ୍ରତୁଶ୍ରୁତି ଦେଇଛି। (ଏଜେନ୍ସି)