ବାଣପୁର: ଫେସବୁକରୁ ପରକୀୟା ପ୍ରୀତି, ସ୍ତ୍ରୀ ଓ ପିଲାକୁ ଛାଡି ସ୍ୱାମୀ ଫେରାର

Published: Jul 17, 2021, 11:15 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିକାଲି ସାମାଜିକ ଗଣମାଧ୍ୟମ ବିନା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡୁଛି। ସାମାଜିକ ଗଣମାଧ୍ୟମ ଦ୍ଵାରା ଅନେକ ଲାଭ ମିଳୁଥିବା ବେଳେ ମାନବ ସଭ୍ୟତା ପାଇଁ ସମ ପରିମାଣରେ କ୍ଷତି ମଧ୍ୟ ହେଉଛି।

ଫେସବୁକ ଦ୍ୱାରା ବିବାହ ବନ୍ଧନରେ ଯୁବକ ଯୁବତୀ ଯୋଡି ହେଉଥିବା ବେଳେ କେତେକାଂଶରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଫେସବୁକ ଯୋଗୁଁ ଜଣେ ବିବାହିତ ପୁରୁଷ ଅନ୍ୟ ଏକ ଅଜଣା ଯୁବତୀଙ୍କୁ ପ୍ରେମ କରି ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳରେ ଠିକ ଏଭଳି ଏକ ଘଟଣା ଘଟିଯାଇଛି। ସ୍ଵାମୀ ଫେସବୁକ ମାଧ୍ୟମରେ ଜଣେ ଅଜଣା ଯୁବତୀଙ୍କୁ ପ୍ରେମ କରିବା ପରେ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି ଫେରାର ହୋଇଯାଇଛି। ଫଳରେ ସ୍ତ୍ରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳଙ୍କ ପାଞ୍ଚବର୍ଷ ତଳେ ପୁରୀ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁତ୍ର ରବି ନାରାୟଣ ଗୋଡ଼ିଙ୍କ ସହ ହିନ୍ଦୁ ରିତିରେ ବିବାହ ହୋଇଥିଲା। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ବିଭିନ୍ନ ଆସବାବପତ୍ର, ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ଦେଇଥିଲେ। ବର୍ତ୍ତମାନ ଉଭୟଙ୍କ ଏକ ଚାରି ବର୍ଷର ଝିଅ ଟିଏ ଅଛି।

ତେବେ କିଛି ମାସ ତଳେ ରବିଙ୍କ ଗୋଆରେ ଚାକିରୀ ହୋଇଯିବାରୁ ସପରିବାର ଗୋଆରେ ରହୁଥିଲେ। ଗୋଆରେ ରହିବା ସମୟରେ ଫେସବୁକ ଜରିଆରେ ରବି ନାରାୟଣଙ୍କ ଅନ୍ୟ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହାକୁ ନେଇ ଦୀପାଞ୍ଜଳି ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ନାରାୟଣଙ୍କ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାର ଦୀପାଞ୍ଜଳି ଅଭିଯୋଗ କରିଛନ୍ତି। ଏପରିକି ଏକଥା କାହାରିକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥାନ୍ତି।

ପରିଶେଷରେ ଗତ ୧୨ ତାରିଖ ଦିନ ସ୍ବାମୀ ରବି ନାରାୟଣ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଗୋଆରେ ଛାଡିଦେଇ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ବାରମ୍ବାର ସ୍ୱାମୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ତେବେ ବାପ ଘର ଲୋକଙ୍କ ସହଯୋଗ ଦ୍ୱାରା ଦୀପାଞ୍ଜଳି ଏବଂ ତାଙ୍କର ଚାରି ବର୍ଷର ଝିଅ ସୁଦୂର ଗୋଆରୁ ଗମ୍ଭାରୀମୁଣ୍ଡା ଆସିଛନ୍ତି।

ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କୁ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଅଶ୍ରୁଳ ନିବେଦନ କରିଥିଲେ। ଯାହାଦ୍ୱାରା ଗତକାଲି ରାତିରେ ମିଶନ ଶକ୍ତିର ମହିଳାମାନଙ୍କ ଉପସ୍ଥିତିରେ ଦୀପାଞ୍ଜଳି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।

Related posts