Categories
ଆଜିର ଖବର ଜାତୀୟ ଖବର

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ୱାଙ୍ଗମୟୀ ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାଙ୍ଗାଲୋରସ୍ଥିତ ବାସଭବନରେ ଏହି ବିବାହ ସମ୍ପନ୍ନ ହୋଇଛି। ବିବାହ ସମାରୋହର ଫଟୋ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଘରେ ପରକଳା ୱାଙ୍ଗମୟୀ ଏକ ସରଳ ସମାରୋହରେ ବିବାହ କରିଥିଲେ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ।

ବିବାହ ସମାରୋହରେ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳି ନଥିଲା। ପରକଳା ୱାଙ୍ଗମୟୀଙ୍କ ସ୍ୱାମୀଙ୍କ ନାମ ପ୍ରତୀକ। ଅର୍ଥମନ୍ତ୍ରୀଙ୍କ ଝିଅଙ୍କ ବିବାହ ବ୍ରାହ୍ମଣ ପରମ୍ପରା ଅନୁଯାୟୀ ଏବଂ ଉଦୁପି ଅଦାମାରୁ ମଠଙ୍କ ଆଶୀର୍ବାଦରେ ହୋଇଥିଲା।

ପରକଳା ୱାଙ୍ଗମୟୀ ବୃତ୍ତି ଅନୁଯାୟୀ ମଲ୍ଟିମିଡିଆ ସାମ୍ବାଦିକ। ତାଙ୍କର ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟ, ବୋଷ୍ଟନ୍, ମାସାଚୁସେଟ୍ସରୁ ସାମ୍ବାଦିକତାରେ ମାଷ୍ଟର ଅଫ୍ ସାଇନ୍ସ ଅଛି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ BM ଏବଂ MA କରିଛନ୍ତି। ସେ ଲାଇଭ ମିଣ୍ଟ, ଦ ଭଏସ୍ ଅଫ୍ ଫ୍ୟାଶନ୍ ଏବଂ ଦି ହିନ୍ଦୁ ଭଳି ସଂଗଠନ ସହ କାମ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ବିବାହ ବନ୍ଧନରେ ବାନ୍ଧି ହେଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ, ସାମ୍ନାକୁ ଆସିଲା ଫଟୋ ​​

ନୂଆଦିଲ୍ଲୀ: ବଲିଉଡର ଲଭବାର୍ଡ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ସାତ ଫେରେ ନେବା ପରେ ସାତୋଟି ଜନ୍ମ ପାଇଁ ଏକାଠି ହୋଇଛନ୍ତି। ଉଭୟ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ଧୁମଧାମରେ ବିବାହ କରିଛନ୍ତି। ବିବାହ ପରେ ଦମ୍ପତିଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି।

ବିବାହର ଏହି ଫଟୋଗୁଡ଼ିକ କିଆରା ଏବଂ ସିଦ୍ଧାର୍ଥ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ଉଭୟ ମଣ୍ଡପରେ ବସିଥିବାର ନଜର ଆସିଛନ୍ତି। ଫଟୋଗୁଡ଼ିକରେ, କିଆରା ସବୁଜ ଅଳଙ୍କାର ସହିତ ଗୋଲାପୀ ଲେହେଙ୍ଗାରେ ବହୁତ ସୁନ୍ଦର ବର ଦେଖାଯାଉଛନ୍ତି। ଅନ୍ୟପକ୍ଷରେ ସିଦ୍ଧାର୍ଥ ସୁବର୍ଣ୍ଣ ଶେରୱାନୀରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋଗୁଡିକ ସେୟାର କରି ଅଭିନେତା ଲେଖିଛନ୍ତି ଯେ, ‘ବର୍ତ୍ତମାନ ଆମର ସ୍ଥାୟୀ ବୁକିଂ ସରିଯାଇଛି .. ଆମର ଆଗାମୀ ଯାତ୍ରା ପାଇଁ ଆପଣଙ୍କର ଆଶୀର୍ବାଦ ଏବଂ ଭଲ ପାଇବା ଚାହୁଁ’। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ୍ ହେବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ କିସାନ

କନ୍ଦର୍ପ ବେହେରା

ରେଢାଖୋଲ: ନିପଟ ମଫସଲରୁ ଯାଇ ଜର୍ମାନରେ ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ରେଢାଖୋଲ ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଆଜି ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କରିଛନ୍ତି।

ଆଜି ଅପରାହ୍ନ ୩ ଟା ସମୟରେ ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ପରିସରରେ ବାଲେଶ୍ୱରର ଜୟଶ୍ରୀ ଜେନାକୁ ରେଜେଷ୍ଟ୍ରି ବିବାହ କରିଛନ୍ତି। ଏହି ବିବାହ ସମୟରେ ଶେଷ କିସାନଙ୍କ ଶାଶୁ ଏବଂ ଅଜା ଶ୍ୱଶୁର ଉପସ୍ଥିତ ଥିଲେ। ଡଃ ଶେଷ କିସାନଙ୍କ ଓକିଲ ପରୀକ୍ଷିତ ଦାସଙ୍କ ସହ ସବ୍ ରେଜିଷ୍ଟାର ଦେବାଶିଷ ପାତ୍ର ଏବଂ ସାକ୍ଷ୍ୟ ଭାବରେ ସୁନନ୍ଦ ପ୍ରଧାନ, ରମଣୀ ରଞନ ମେଣ୍ଡୁଲୀ ଏବଂ ପ୍ରଫୁଲ୍ଲ କର୍ଣ ଉପସ୍ଥିତ ଥିଲେ। ଆଇନ୍ ସହାୟତାରେ ସେ ଏଇ ରେଜେଷ୍ଟ୍ରି ବିବାହ କରିଥିବା ଜଣା ପଡିଛି। ରେଜେଷ୍ଟ୍ରି ଅଫିସ୍ ପରିସରରେ କେକ୍ କାଟି ଉଭୟେ ଉଭୟଙ୍କୁ ଫୁଲମାଳ ଦେଇ ବିବାହ କରିଛନ୍ତି। ଭିସା ପାଇଁ ଅସୁବିଧା ହେଉଥିବାରୁ ସେ ପ୍ରଥମେ ରେଜେଷ୍ଟ୍ରି ବିବାହ କରିଥିବା ଜଣା ପଡିଛି।

ସୂଚନା ଥାଉକି, ବଲାସିଂହା ଭଳି ଏକ ଅନୁନ୍ନତ ଅଂଚଳରୁ ଆସିଥିବା ଶେଷ କିସାନ୍ ଛୋଟ ସମୟରୁ ମା, ବାପାଙ୍କୁ ହରାଇଥିଲେ। ଏପରିକି ମୂଲମଜୁରୀ ଲାଗି ପେଟ ପୋଷିବା ସହ ବିଦ୍ୟାଳୟରେ ପାଠ ପଢିଥିଲେ। ବହୁ ସଂଘର୍ଷ କରି ସେ ଆଜି ଜର୍ମାନରେ ଜଣେ ବୈଜ୍ଞାନିକ ଭାବରେ କାମ କରି ସାରା ଭାରତରେ ଏକ ଇତିହାସ ପାଲଟିଛନ୍ତି। ନିଜର ଅସାଧାରଣ ପ୍ରତିଭା, ମନୋବଳ ଓ ଇଚ୍ଛାଶକ୍ତି ବଳରେ ଜର୍ମାନର ଗଟିଜେନସି ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବରେ କାମ କରୁଥିଲେ। ଆସନ୍ତା ନଭେମ୍ବର ୨୨ ତାରିଖରେ ସେ ପୁନର୍ବାର ବୈଦିକ ରୀତିନିତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଫେସବୁକରୁ ପରକୀୟା ପ୍ରୀତି, ସ୍ତ୍ରୀ ଓ ପିଲାକୁ ଛାଡି ସ୍ୱାମୀ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିକାଲି ସାମାଜିକ ଗଣମାଧ୍ୟମ ବିନା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡୁଛି। ସାମାଜିକ ଗଣମାଧ୍ୟମ ଦ୍ଵାରା ଅନେକ ଲାଭ ମିଳୁଥିବା ବେଳେ ମାନବ ସଭ୍ୟତା ପାଇଁ ସମ ପରିମାଣରେ କ୍ଷତି ମଧ୍ୟ ହେଉଛି।

ଫେସବୁକ ଦ୍ୱାରା ବିବାହ ବନ୍ଧନରେ ଯୁବକ ଯୁବତୀ ଯୋଡି ହେଉଥିବା ବେଳେ କେତେକାଂଶରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଫେସବୁକ ଯୋଗୁଁ ଜଣେ ବିବାହିତ ପୁରୁଷ ଅନ୍ୟ ଏକ ଅଜଣା ଯୁବତୀଙ୍କୁ ପ୍ରେମ କରି ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳରେ ଠିକ ଏଭଳି ଏକ ଘଟଣା ଘଟିଯାଇଛି। ସ୍ଵାମୀ ଫେସବୁକ ମାଧ୍ୟମରେ ଜଣେ ଅଜଣା ଯୁବତୀଙ୍କୁ ପ୍ରେମ କରିବା ପରେ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି ଫେରାର ହୋଇଯାଇଛି। ଫଳରେ ସ୍ତ୍ରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳଙ୍କ ପାଞ୍ଚବର୍ଷ ତଳେ ପୁରୀ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁତ୍ର ରବି ନାରାୟଣ ଗୋଡ଼ିଙ୍କ ସହ ହିନ୍ଦୁ ରିତିରେ ବିବାହ ହୋଇଥିଲା। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ବିଭିନ୍ନ ଆସବାବପତ୍ର, ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ଦେଇଥିଲେ। ବର୍ତ୍ତମାନ ଉଭୟଙ୍କ ଏକ ଚାରି ବର୍ଷର ଝିଅ ଟିଏ ଅଛି।

ତେବେ କିଛି ମାସ ତଳେ ରବିଙ୍କ ଗୋଆରେ ଚାକିରୀ ହୋଇଯିବାରୁ ସପରିବାର ଗୋଆରେ ରହୁଥିଲେ। ଗୋଆରେ ରହିବା ସମୟରେ ଫେସବୁକ ଜରିଆରେ ରବି ନାରାୟଣଙ୍କ ଅନ୍ୟ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହାକୁ ନେଇ ଦୀପାଞ୍ଜଳି ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ନାରାୟଣଙ୍କ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାର ଦୀପାଞ୍ଜଳି ଅଭିଯୋଗ କରିଛନ୍ତି। ଏପରିକି ଏକଥା କାହାରିକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥାନ୍ତି।

ପରିଶେଷରେ ଗତ ୧୨ ତାରିଖ ଦିନ ସ୍ବାମୀ ରବି ନାରାୟଣ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଗୋଆରେ ଛାଡିଦେଇ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ବାରମ୍ବାର ସ୍ୱାମୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ତେବେ ବାପ ଘର ଲୋକଙ୍କ ସହଯୋଗ ଦ୍ୱାରା ଦୀପାଞ୍ଜଳି ଏବଂ ତାଙ୍କର ଚାରି ବର୍ଷର ଝିଅ ସୁଦୂର ଗୋଆରୁ ଗମ୍ଭାରୀମୁଣ୍ଡା ଆସିଛନ୍ତି।

ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କୁ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଅଶ୍ରୁଳ ନିବେଦନ କରିଥିଲେ। ଯାହାଦ୍ୱାରା ଗତକାଲି ରାତିରେ ମିଶନ ଶକ୍ତିର ମହିଳାମାନଙ୍କ ଉପସ୍ଥିତିରେ ଦୀପାଞ୍ଜଳି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହର ୧୦ ଦିନ ନ ପୁରୁଣୁ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

କନ୍ଦର୍ପ ବେହେରା
ରେଢାଖୋଲ: ବିବାହ ଏକ ପବିତ୍ର ବନ୍ଧନ। ସାତ ପୁରୁଷକୁ ସାକ୍ଷୀ ରକ୍ଷୀ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ବର କନ୍ୟା। ବିବାହର କିଛି ମାସ ସୁଖ ସ୍ୱାଚ୍ଛନ୍ଦରେ ଦିନ ବିତାଇବାର ସମୟ ଥିଲେ ମଧ୍ୟ ସଦ୍ୟ ବିବାହିତ ଯୁବକ ଜଣଙ୍କ ବିବାହର ୧୦ ଦିନ ନ ପୁରୁଣୁ ବେକରେ ରଶି ଦେଇ ଆତ୍ମହତ୍ୟା ଭଳି ଏକ ଚରମ ପନ୍ଥାକୁ ଆପଣେଇ ନେବା ସମସ୍ତଙ୍କୁ ଚକିତ କରିଛି। ଘଟଣା ଘଟିଛି ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମରେ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଝୋରୀ ଗ୍ରାମର କବି ମାଝୀଙ୍କର ଏକ ମାତ୍ର ପୁତ୍ର ଦାମୋଦର ମାଝୀ (୨୮) ଚଳିତ ମାସ ୧୭ ତାରିଖରେ ସେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟସ୍ଥ ମାମୁରିଆ ଗ୍ରାମରେ ଦମୟନ୍ତି ନାମକ ଝିଅକୁ ବିବାହ କରିଥିଲେ। କିଛି ଦିନ ଆନନ୍ଦ ଉଲ୍ଲାସରେ ବୈବାହିକ ଜୀବନ ବିତାଇଥିଲେ ନବ ଦମ୍ପତି ଦାମୋଦର ଓ ଦମୟନ୍ତି।

ମଙ୍ଗଳବାର ନବଦମ୍ପତି ରାତିରେ ଆରାମରେ ହସଖୁସିରେ ଖାଇବା ପିଇବା କରି ଶୋଇଥିଲେ। ସକାଳେ (ବୁଧବାର) ନିଜର ବଗିଚାକୁ ପାଣି ଦେବାକୁ ଯାଇଥିଲେ ବାପା ମାଆ। ନିଜର ପତ୍ନୀ ଓ ଭଉଣୀ ଗାଧୋଇବାକୁ ଯାଇ ଫେରି ଦେଖନ୍ତି ତ ଘରର କବାଟ ଭିତର ପଟୁ ବନ୍ଦ ଅଛି। ଭଉଣୀ କବାଟ ଖୋଲି ଦେଖନ୍ତି ତ ଭାଇ ବେକରେ ଏକ ପ୍ଲାଷ୍ଟିକ୍ ଦଉଡି ଦେଇ ଆତ୍ମହତ୍ୟା କରିଛି। ତାକୁ ଉଦ୍ଧାର କରିଲା ବେଳକୁ ପ୍ରାଣବାୟୁ ଉଡି ଯାଇସାରିଥିଲା।

ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଜାମୁଯୋରୀ ଗ୍ରାମକୁ ପହଂଚି ଶବଟିକୁ ଜବତ କରିଥିଲା। ନାକଟିଦେଉଳ ପୋଲିସ ସଂଧ୍ୟାରେ ରେଢାଖୋଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଲିସ୍ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି। ଆତ୍ମହତ୍ୟା କରିବାର କୌଣସି କାରଣ ସ୍ପଷ୍ଟ ଜଣା ପଡିନାହିଁ।