ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’କୁ ନେଇ ଓଡ଼ିଶାରେ ବଢ଼ିଛି ଚିନ୍ତା। ବାତ୍ୟାର ଗତିପଥ ଓ ତୀବ୍ରତାକୁ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନୂଆ ଆକଳନ ଜାରି ହୋଇଥିବା ବେଳେ ଆଜି ରାତି ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଇଛି। ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।
ବାତ୍ୟା ଆଶଙ୍କାକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡ୍କୁ ଆସିଛି। ଜିଲ୍ଲାରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପାଣିପାଗଜନିତ ବିପଦକୁ ଆଖିଆଗରେ ରଖି ଏକାଧିକ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଅନୁସାରେ, ଆସନ୍ତା ୧୯ ଓ ୨୦ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିଜ ନିଜ ଦାୟିତ୍ୱରେ ଉପସ୍ଥିତ ରହିବାକୁ କୁହାଯାଇଛି। ଜରୁରୀ ପରିସ୍ଥିତିରେ ପ୍ରଶାସନକୁ ସହଯୋଗ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ତାରିଖ ଅନୁସାରେ ସତର୍କତା ଜାରି କରାଯାଇଛି।
– ୧୯ ତାରିଖ: ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ।
– ୨୦ ତାରିଖ: କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ଆଲର୍ଟ। ଏହା ସହ ଅନ୍ୟ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ।
– ୨୧ ତାରିଖ: ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ। ଅନ୍ୟ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ।
– ୨୨ ତାରିଖ: ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ। ଅନ୍ୟ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ।
ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।


