ବିବାହର ୧୦ ଦିନ ନ ପୁରୁଣୁ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

Published: Feb 25, 2021, 1:08 pm IST

କନ୍ଦର୍ପ ବେହେରା
ରେଢାଖୋଲ: ବିବାହ ଏକ ପବିତ୍ର ବନ୍ଧନ। ସାତ ପୁରୁଷକୁ ସାକ୍ଷୀ ରକ୍ଷୀ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ବର କନ୍ୟା। ବିବାହର କିଛି ମାସ ସୁଖ ସ୍ୱାଚ୍ଛନ୍ଦରେ ଦିନ ବିତାଇବାର ସମୟ ଥିଲେ ମଧ୍ୟ ସଦ୍ୟ ବିବାହିତ ଯୁବକ ଜଣଙ୍କ ବିବାହର ୧୦ ଦିନ ନ ପୁରୁଣୁ ବେକରେ ରଶି ଦେଇ ଆତ୍ମହତ୍ୟା ଭଳି ଏକ ଚରମ ପନ୍ଥାକୁ ଆପଣେଇ ନେବା ସମସ୍ତଙ୍କୁ ଚକିତ କରିଛି। ଘଟଣା ଘଟିଛି ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମରେ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଝୋରୀ ଗ୍ରାମର କବି ମାଝୀଙ୍କର ଏକ ମାତ୍ର ପୁତ୍ର ଦାମୋଦର ମାଝୀ (୨୮) ଚଳିତ ମାସ ୧୭ ତାରିଖରେ ସେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟସ୍ଥ ମାମୁରିଆ ଗ୍ରାମରେ ଦମୟନ୍ତି ନାମକ ଝିଅକୁ ବିବାହ କରିଥିଲେ। କିଛି ଦିନ ଆନନ୍ଦ ଉଲ୍ଲାସରେ ବୈବାହିକ ଜୀବନ ବିତାଇଥିଲେ ନବ ଦମ୍ପତି ଦାମୋଦର ଓ ଦମୟନ୍ତି।

ମଙ୍ଗଳବାର ନବଦମ୍ପତି ରାତିରେ ଆରାମରେ ହସଖୁସିରେ ଖାଇବା ପିଇବା କରି ଶୋଇଥିଲେ। ସକାଳେ (ବୁଧବାର) ନିଜର ବଗିଚାକୁ ପାଣି ଦେବାକୁ ଯାଇଥିଲେ ବାପା ମାଆ। ନିଜର ପତ୍ନୀ ଓ ଭଉଣୀ ଗାଧୋଇବାକୁ ଯାଇ ଫେରି ଦେଖନ୍ତି ତ ଘରର କବାଟ ଭିତର ପଟୁ ବନ୍ଦ ଅଛି। ଭଉଣୀ କବାଟ ଖୋଲି ଦେଖନ୍ତି ତ ଭାଇ ବେକରେ ଏକ ପ୍ଲାଷ୍ଟିକ୍ ଦଉଡି ଦେଇ ଆତ୍ମହତ୍ୟା କରିଛି। ତାକୁ ଉଦ୍ଧାର କରିଲା ବେଳକୁ ପ୍ରାଣବାୟୁ ଉଡି ଯାଇସାରିଥିଲା।

ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଜାମୁଯୋରୀ ଗ୍ରାମକୁ ପହଂଚି ଶବଟିକୁ ଜବତ କରିଥିଲା। ନାକଟିଦେଉଳ ପୋଲିସ ସଂଧ୍ୟାରେ ରେଢାଖୋଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଲିସ୍ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି। ଆତ୍ମହତ୍ୟା କରିବାର କୌଣସି କାରଣ ସ୍ପଷ୍ଟ ଜଣା ପଡିନାହିଁ।

Related posts