Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭୁଲ ସୂଚନା ଏବଂ ଡିପ୍‌ଫେକ୍‌କୁ ଚିହ୍ନଟ କରିବା ପାଇଁ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ଏକ ମାର୍ଗଦର୍ଶିକା ଜାରି କରି କେତେକ ଜରୁରି ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଲା :

● ଭୁଲ ସୂଚନା ଏବଂ ଡିପ୍‌ ଫେକ୍‌ (ମିଥ୍ୟା ସୂଚନା ପ୍ରସାର କରିବା ଲାଗି ଡିଜିଟାଲ ପଦ୍ଧତିରେ କୌଣସି ବ୍ୟକ୍ତିଙ୍କ ମୁଖମଣ୍ଡଳ କିମ୍ବା ଶାରୀରିକ ପରିବର୍ତ୍ତନ କରିବା)ବିଷୟବସ୍ତୁକୁ ଚିହ୍ନଟ କରିବା ପାଇଁ ଯଥେଷ୍ଟ ତତ୍ପରତା ଅବଲମ୍ବନ କରିବା ଏବଂ ଯୁକ୍ତିଯୁକ୍ତ ପ୍ରୟାସ କରିବାକୁ କୁହାଯାଇଛି । ବିଶେଷକରି, ନିୟମ ଓ ନିୟାମକ ଏବଂ / କିମ୍ବା ଉପଭୋକ୍ତା ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା ସୂଚନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

● ଆଇଟି ନିୟମ 2021 ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏଭଳି ମାମଲାଗୁଡ଼ିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

● ଏଭଳି ସୂଚନା/ବିଷୟବସ୍ତୁ/ଡିପ୍‌ ଫେକ୍‌ ବିଷୟବସ୍ତୁକୁ ହୋଷ୍ଟ ନକରିବା ପାଇଁ ବ୍ୟବହାରକାରୀଙ୍କୁ କୁହାଯାଇଛି ।

● ରିପୋର୍ଟ କରିବାର 36 ଘଣ୍ଟା ମଧ୍ୟରେ ଏଭଳି କୌଣସି ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ରହିଛି।

● ଆଇଟି ନିୟମାବଳୀ 2021 ଅନ୍ତର୍ଗତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଏବଂ ସାମଗ୍ରୀ/ସୂଚନା ପର୍ଯ୍ୟନ୍ତ ପହଞ୍ଚ (ଆକ୍ସେସ୍‌)କୁ ଡିଜେବଲ୍‌ ବା ଅକ୍ଷମ କରିବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

ମଧ୍ୟସ୍ଥମାନଙ୍କୁ ସ୍ମରଣ କରାଇ ଦିଆଯାଇଛି ଯେ ଆଇଟି ଆଇନ ଏବଂ ନିୟମର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାରେ ବିଫଳତା ଆଇଟି ନିୟମ, 2021ର ନିୟମ 7କୁ ଆକୃଷ୍ଟ କରିବ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, 2000ର ଧାରା 79(1) ଅନୁଯାୟୀ ଉପଲବ୍ଧ ସୁରକ୍ଷା ହରାଇବା ପାଇଁ ସଂଗଠନ ଦାୟୀ ହୋଇପାରେ ।

କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, “ଆମର ଡିଜିଟାଲ ନାଗରିକଙ୍କ ସୁରକ୍ଷା ଏବଂ ବିଶ୍ୱାସ ହେଉଛି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପାଇଁ ଅତୁଟ ପ୍ରତିବଦ୍ଧତା ଏବଂ ସର୍ବୋଚ୍ଚ ପ୍ରାଥମିକତା । ଭୁଲ ସୂଚନା ଏବଂ ଡିପ୍ ଫେକ୍ ଦ୍ୱାରା ସୃଷ୍ଟି ହେଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ (ଏମଇଆଇଟିଆଇ) ଗତ ଛଅ ମାସ ମଧ୍ୟରେ ଦ୍ୱିତୀୟ ମାର୍ଗଦର୍ଶିକା ଜାରି କରି ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ଡିପ୍ ଫେକ୍ ପ୍ରସାରଣ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଡିପଫେକ୍ ଏକ ବଡ଼ ଉଲ୍ଲଂଘନ ଏବଂ ବିଶେଷ କରି ମହିଳାମାନଙ୍କୁ କ୍ଷତି ପହଞ୍ଚାଇଥାଏ। ଆମ ସରକାର ସମସ୍ତ ନାଗରିକ, ବିଶେଷକରି ଏଭଳି ବିଷୟବସ୍ତୁ ଦ୍ୱାରା ଟାର୍ଗେଟ୍‌ ହେଉଥିବା ଆମର ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଓ ବିଶ୍ୱାସର ଦାୟିତ୍ୱକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ନିୟମ, 2021 ଅନୁଯାୟୀ କୌଣସି ଉପଭୋକ୍ତାଙ୍କ ଦ୍ୱାରା ଭୁଲ ସୂଚନା ପ୍ରସାରଣକୁ ରୋକିବା ଅନଲାଇନ୍ ପ୍ଲାଟଫର୍ମ ପାଇଁ ଏକ ଆଇନଗତ ବାଧ୍ୟତା। ଉପଭୋକ୍ତା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ପାଇବା ପରେ 36 ଘଣ୍ଟା ମଧ୍ୟରେ ଏଭଳି ବିଷୟବସ୍ତୁ ହଟାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ଆବଶ୍ୟକତାକୁ ପାଳନ କରିବାରେ ବିଫଳତା ନିୟମ 7 ଲାଗୁ କରେ, ଯାହା ପୀଡ଼ିତ ବ୍ୟକ୍ତିମାନଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ବ୍ୟବସ୍ଥା ଅନୁଯାୟୀ ଅଦାଲତକୁ ନେବା ପାଇଁ କ୍ଷମତା ପ୍ରଦାନ କରେ । ଏହି ବିପଦର ମୁକାବିଲା ପାଇଁ ପ୍ଲାଟଫର୍ମଗୁଡ଼ିକ ସକ୍ରିୟ ପଦକ୍ଷେପ ନେବା ଜରୁରୀ।

ଯେଉଁମାନେ ଡିପ୍ ଫେକ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି, ସେମାନେ  ନିକଟସ୍ଥ ପୋଲିସ ଷ୍ଟେସନରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଦାଖଲ କରନ୍ତୁ ଏବଂ ସୂଚନା ପ୍ରଯୁକ୍ତି (ଆଇଟି) ନିୟମ, ୨୦୨୧ ଅଧୀନରେ ପ୍ରଦାନ କରାଯାଇଥିବା ପ୍ରତିକାରର ଲାଭ ନିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏମକ୍ୟୁ-୯ ବି ଡ୍ରୋନ କ୍ରୟ ସଂକ୍ରାନ୍ତ ଭ୍ରମାତ୍ମକ ରିପୋର୍ଟକୁ ଖଣ୍ଡନ

ନୂଆଦିଲ୍ଲୀ: ଆମେରିକା ଠାରୁ ଏମକ୍ୟୁ ବି ଡ୍ରୋନ କ୍ରୟ ଏବଂ ଏହାର ମୂଲ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭ୍ରମାତ୍ମକ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି।

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୧୫ ଜୁନ୍, ୨୦୨୩ରେ ବିଦେଶୀ ସୈନ୍ୟ ବିକ୍ରି (ଏଫଏମଏସ) ମାଧ୍ୟମରେ ଆମେରିକାରୁ ତିନି ସେନାବାହିନୀ ପାଇଁ ୩୧ଟି ଏମକ୍ୟୁ-୯ ବି ଡ୍ରୋନ କିଣିବାକୁ ଅନୁମୋଦନ କରିଥିଲା। ଏଥିମଧ୍ୟରେ ରହିଛି ୧୬ଟି ଆକାଶ ରକ୍ଷକ ବା ସ୍କାଏ ଗାର୍ଡିଆନ ଏବଂ ୧୫ଟି ସମୁଦ୍ର ରକ୍ଷକ ବା ସି ଗାର୍ଡିଆନ୍ ଡ୍ରୋନ୍। ଏସବୁ ଡ୍ରୋନକୁ ହାଇ ଅଲ୍ଟିଚ୍ୟୁଡ୍ ଲଙ୍ଗ ଏଣ୍ଡ୍ୟୁରାନ୍ସ (ଏଚଏଏଲଇ) ରିମୋଟଲୀ ପାଇଲଟେଡ୍ ଏୟାରକ୍ରାଫ୍ଟ ସିଷ୍ଟମ (ଆରଏଏଏସ) କୁହାଯାଉଛି, ଅର୍ଥାତ୍ ଏସବୁ ଡ୍ରୋନକୁ ଅଧିକ ଉଚ୍ଚତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଇ ହେବ ଏବଂ ଦୂରରୁ ଥାଇ ଡ୍ରୋନର ଗତିବିଧିକୁ ନିୟନ୍ତ୍ରଣ କରାଯାଇପାରିବ। ଡ୍ରୋନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଏଓଏନରେ ମାନବବିହୀନ ବିମାନଗୁଡ଼ିକ ସଂଖ୍ୟା ଏବଂ ଏହା ସହ ଜଡ଼ିତ ଉପକରଣକୁ ସାମିଲ କରାଯାଇଥିଲା।

ଆବଶ୍ୟକତାର ମଞ୍ଜୁରି ଅଧୀନରେ ଆମେରିକା ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩,୦୭୨ ନିୟୁତ ଆମେରିକୀୟ ଡଲାରର ଆନୁମାନିକ ବ୍ୟୟ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ଆମେରିକା ସରକାରଙ୍କ ନୀତିଗତ ମଞ୍ଜୁରି ମିଳିବା ପରେ ଏହାର କ୍ରୟ ମୂଲ୍ୟକୁ ନେଇ ଆଲୋଚନା କରାଯିବ। ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ଜେନେରାଲ ଆଟୋମିକ୍ସ (ଜିଏ) ଦ୍ୱାରା ଶ୍ରେଷ୍ଠ କ୍ରୟ ମୂଲ୍ୟ ସହିତ କ୍ରୟ ମୂଲ୍ୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ତୁଳନା କରିବ। ବର୍ତ୍ତମାନ ଏହି ପ୍ରକ୍ରିୟା ଜାରି ରହିଛି ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଏହାକୁ ସମ୍ପୂର୍ଣ୍ଣ କରାଯିବ।

ବିଦେଶୀ ସୈନ୍ୟ କ୍ରୟ ମାର୍ଗ ଅଧୀନରେ ଆମେରିକା ସରକାରଙ୍କୁ ଏକ ଅନୁରୋଧ ପତ୍ର ପଠାଯିବ, ଯେଉଁଥିରେ ତିନି ସେନାବାହିନୀର ଆବଶ୍ୟକତା, ଉପକରଣ ବିବରଣୀ ଏବଂ କ୍ରୟର ସର୍ତ୍ତକୁ ସାମିଲ କରାଯିବ। ଅନୁରୋଧପତ୍ର ଆଧାରରେ ଆମେରିକା ସରକାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଶି ପ୍ରସ୍ତାବ ଓ ମଞ୍ଜୁରିକୁ ଅନ୍ତିମ ରୂପ ଦେବେ, ଯେଉଁଥିରେ ଉପକରଣର ବିବରଣୀ ଓ କ୍ରୟ ସର୍ତ୍ତ ଉପରେ ଆଲୋଚନା କରାଯିବ। ବିଦେଶୀ ସୈନ୍ୟ କ୍ରୟ କାର୍ଯ୍ୟକ୍ରମ ଓ ଆମେରିକା ସରକାର ଏବଂ ଜିଏ ଦ୍ୱାରା ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ମୂଲ୍ୟ ଓ ସର୍ତ୍ତକୁ ଅନ୍ତିମ ରୂପ ଦିଆଯିବ।

ଇତିମଧ୍ୟରେ ସାମାଜିକ ଗଣମାଧ୍ୟମରେ କିଛି ବର୍ଗଙ୍କ ମଧ୍ୟରେ ମୂଲ୍ୟ ଓ କ୍ରୟର ଅନ୍ୟ ସର୍ତ୍ତକୁ ଉଲ୍ଲେଖ କରାଯାଇ କେତେକ ଅଟକଳ ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଏଭଳି ରିପୋର୍ଟ ଭ୍ରମାତ୍ମକ ଏବଂ ଅବାଞ୍ଛିତ। ଏସବୁ ରିପୋର୍ଟ ର ଗୋପନୀୟ ଉଦ୍ଦେଶ୍ୟ ରହିଛି ଏବଂ ଉଚିତ୍ ଅଧିଗ୍ରହଣ ପ୍ରକ୍ରିୟାରେ ବାଧା ପହଞ୍ଚାଇବା ଲାଗି ଏଭଳି କରାଯାଉଛି। ତେଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଏଭଳି ଭ୍ରମାତ୍ମକ ଖବର ପ୍ରସାରିତ କରନ୍ତୁ ନାହିଁ ଏବଂ ଭୁଲ ସୂଚନା ଦିଅନ୍ତୁ ନାହିଁ। ଏଭଳି ଭ୍ରମାତ୍ମକ ଖବର ସେନାବାହିନୀର ମନୋବଳ ଉପରେ ଗମ୍ଭୀର ପ୍ରଭାବ ପକାଇବ ଏବଂ ଏହାଦ୍ୱାରା ଅଧିଗ୍ରହଣ ପ୍ରକ୍ରିୟା ପ୍ରଭାବିତ ହେବ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ଵର ବଡ଼ ବଡ଼ ସମସ୍ୟା ସମାଧାନ କରିବାର କ୍ଷମତା ଭାରତରେ ରହିଛି: ବିଲ ଗେଟ୍ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ଵର ଖ୍ୟାତନାମା ସମାଜସେବୀ ବିଲ ଗେଟ୍ସ ତାଙ୍କର ସ୍ମରଣୀୟ ଭାରତ ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମରେ ନିଜ ଅନୁଭୂତି ବାଣ୍ଟିଛନ୍ତି। ଏଥିରେ ସେ କହିଛନ୍ତି ଯେ ପୁଣିଥରେ ସେ ନିଶ୍ଚୟ ଭାରତ ଆସିବାକୁ ଚାହିଁବେ। କାରଣ ଏଠାରେ ପ୍ରତ୍ୟେକ ଥର ତାଙ୍କୁ ଚମତ୍କାର ଅନୁଭୂତି ମିଳିବା ସହିତ ଅନେକ କିଛି ଶିଖିବାର ସୁଯୋଗ ମିଳୁଛି। ଭାରତ ଆସିଥିବା ସମୟରେ ଶ୍ରୀ ଗେଟ୍ସ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିସବୁ କାର୍ଯ୍ୟକ୍ରମର ଫଟୋ ସେ ସାମାଜିକ ଗଣମାଧ୍ୟମରେ ଶେୟାର କରିବା ସହିତ ନିଜର ଅନୁଭୂତି ଲେଖିଛନ୍ତି।

ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା ବୋଲି ବିଲ ଗେଟ୍ସ କହିଛନ୍ତି। ସେ କହିଛନ୍ତି ଯେ, ଭାରତ ସ୍ୱାସ୍ଥ୍ୟ, ଆର୍ଥିକ ଅନ୍ତର୍ଭୂକ୍ତିକରଣ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଡିଜିଟାଲକରଣ କ୍ଷେତ୍ରରେ ପ୍ରଗତିର ନେତୃତ୍ୱ ନେଉଛି। ମୁମ୍ବାଇରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହୃତ ଏକ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବାକୁ ନେଇ ଶ୍ରୀ ଗେଟ୍ସ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବିଶ୍ଵର ସବୁଠୁ ଅଧିକ ସଂଖ୍ୟକ ଯକ୍ଷ୍ମା ରୋଗୀ ଭାରତରେ ଅଛନ୍ତି। ତେଣୁ ସେମାନଙ୍କ ପାଇଁ ଏଭଳି ଚିକିତ୍ସା ବ୍ୟବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ। ଭାରତରୁ ଯକ୍ଷ୍ମା ଉନ୍ମୁଳନ ପାଇଁ ଅଭିନେତ୍ରୀ ଅୟିୟୋ ଶ୍ରଦ୍ଧାଙ୍କ ସହିତ ହୋଇଥିବା ଫଳପ୍ରଦ ଆଲୋଚନା ବିଷୟରେ ମଧ୍ୟ ବିଲ ଗେଟ୍ସ ଉଲ୍ଲେଖ କରିଛନ୍ତି। ମୁମ୍ବାଇ ସହର ଏକ ନୂଆ ଆଭିମୁଖ୍ୟ ନେଇ ଯକ୍ଷ୍ମା ଦୂରୀକରଣ ପ୍ରୟାସରେ ଅଗ୍ରଣୀ ରହିଛି ବୋଲି ସେ କହିଛନ୍ତି। ସେହିପରି କିଶୋର ସେତୁ ପ୍ରେମୀ ଅଂଶୁଲ ଭଟ୍ଟଙ୍କ ସହିତ ହୋଇଥିବା ଆଲୋଚନାକୁ ନେଇ ମଧ୍ୟ ଶ୍ରୀ ଗେଟ୍ସ ଖୁସି ବ୍ୟକ୍ତ କରିଛନ୍ତି।

ଦିଲ୍ଲୀ ଗସ୍ତ ଅବସରରେ ଶ୍ରୀ ଗେଟ୍ସ ପ୍ରଥମେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନକୁ ଯାଇଥିଲେ। ମରୁଡ଼ି, ବନ୍ୟା ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ ଫସଲ ବିକାଶ ସମ୍ପର୍କରେ ଜାଣି ସେ ଆନନ୍ଦିତ ହୋଇଥିଲେ। ଏହି ଅବସରରେ ସେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିଥିଲେ ଏବଂ ଶିଶୁମାନଙ୍କର ଅନ୍ନପ୍ରାସନ ସମାରୋହରେ ସାମିଲ ହୋଇଥିଲେ। ମା’ କ୍ଷୀର ପରେ ନବଜାତ ଶିଶୁକୁ ଅନ୍ୟ ଖାଦ୍ୟ ଖୁଆଇବାର ଏହି ହିନ୍ଦୁ ପରମ୍ପରା ବାସ୍ତବରେ ପ୍ରେରଣାଦାୟୀ ବୋଲି ବିଲ ଗେଟ୍ସ କହିଛନ୍ତି। ଦିଲ୍ଲୀରେ ଧୂଆଁ ଓ ଶବ୍ଦ ପ୍ରଦୂଷଣମୁକ୍ତ ଇଲେକ୍ଟ୍ରିକ ଅଟୋ ରିକ୍ସା ଚଳାଇବାର ନିଜର ଅନୁଭୂତି ସମ୍ପର୍କରେ ଶ୍ରୀ ଗେଟ୍ସ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଅଙ୍ଗାରକାମ୍ଳ ମୁକ୍ତ ଏହି ବାହନ ବେଶ ପରିବେଶ ଉପଯୋଗୀ ବୋଲି ସେ କହିଛନ୍ତି।

ବିଲ ଗେଟ୍ସ ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ସହ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମହିଳା ଓ କମ ଆୟବର୍ଗର ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଡିଜିଟାଲ ଉପକରଣ ଏବଂ ଆପ୍ଲିକେସନଗୁଡ଼ିକର ବ୍ୟବହାରକୁ ନେଇ ସେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଭାରତ ସରକାରଙ୍କ ଅନ୍ୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ।

ବାଙ୍ଗାଲୋରର ହାଲାସୁର ଅଞ୍ଚଳରେ ଡିଜିଟାଲ ବ୍ୟାଙ୍କ ସେବା କିଭଳି ଭାବେ ଗରିବ ଓ ବଞ୍ଚିତ ସମୁଦାୟ ନିକଟରେ ପହଞ୍ଚିପାରିଛି ତାହା ଦେଖି ଶ୍ରୀ ଗେଟ୍ସ ପ୍ରଭାବିତ ହୋଇଥିଲେ। ଡାକ ବିଭାଗର କର୍ମଚାରୀମାନେ ଲୋକମାନଙ୍କ ଘର ପାଖରେ ବ୍ୟାଙ୍କ ସେବା ପହଞ୍ଚାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ଗେଟ୍ସ ଡାକ କର୍ମଚାରୀ ଓ ହିତାଧିକାରୀଙ୍କ ଫଟୋ ଶେୟାର କରି ନିଜର ଅନୁଭୂତି ବାଣ୍ଟିଛନ୍ତି। ଶେଷରେ ଶ୍ରୀ ଗେଟ୍ସ କହିଛନ୍ତି ଯେ, ତାଙ୍କର ସପ୍ତାହବ୍ୟାପୀ ଭାରତ ଗସ୍ତ ବ୍ୟସ୍ତବହୁଳ ଥିଲା। ତେବେ ଏହି ଗସ୍ତ ତାଙ୍କ ପାଇଁ ପ୍ରେରଣାଦାୟୀ ଥିଲା।

ଭାରତରୁ ମିଳିଥିବା ଅଭିଜ୍ଞତା ତାଙ୍କୁ ଭବିଷ୍ୟତର ସମସ୍ୟା ସମାଧାନ କରିବାରେ ସହାୟକ ହେବ ବୋଲି ବିଲ ଗେଟ୍ସ ଆଶା ବ୍ୟକ୍ତ କରିଛନ୍ତି। ସାରା ବିଶ୍ଵ ଆଜି ଯେଉଁସବୁ ବଡ଼ ସମସ୍ୟାର ସମ୍ମୁଖିନ ହେଉଛି ତାହାର ସମାଧାନ କରିବା ଲାଗି ଆମର କ୍ଷମତା ଆହୁରି ବଡ଼, ଭାରତରୁ ଫେରିବା ପରେ ସେ ଏହା ହୃଦୟଙ୍ଗମ କରିପାରିଥିବା ଶ୍ରୀ ଗେଟ୍ସ କହିଛନ୍ତି।

Categories
ବିଶେଷ ଖବର

ସାମାଜିକ ଗଣମାଧ୍ୟମରେ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର 

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷ ବା ସେଲିବ୍ରିଟି, ଇନଫ୍ଲୁଏନ୍ସର ଏବଂ ଭର୍ଚୁଆଲ ଇନଫ୍ଲୁଏନ୍ସରଙ୍କ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାର ଶୀର୍ଷକ ରହିଛି ‘‘ଏଣ୍ଡୋର୍ସମେଣ୍ଟ ନୋ-ହାଓଜ୍‌!’’ ଅର୍ଥାତ୍‌ ପ୍ରଚାର କିଭଳି କରିବେ ଜାଣନ୍ତୁ। କୌଣସି ଉତ୍ପାଦ କିମ୍ବା ସେବାର ପ୍ରଚାର କରିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ନିଜର ଦର୍ଶକମାନଙ୍କୁ ଯେପରି ପଥଭ୍ରଷ୍ଟ ନକରିବେ ତାହା ସୁନିଶ୍ଚିତ କରିବା ଏହି ମାର୍ଗଦର୍ଶିକାର ଉଦ୍ଦେଶ୍ୟ। ଏପରି କ୍ଷେତ୍ରରେ ଉପଭୋକ୍ତା ସୁରକ୍ଷା ଆଇନ ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ ନିୟମାବଳୀ ଓ ମାର୍ଗଦର୍ଶିକାର ଅନୁପାଳନ ସୁନିଶ୍ଚିତ କରିବା ପ୍ରତି ନୂଆ ମାର୍ଗଦର୍ଶିକାରେ ଗୁରୁତ୍ବାରୋପ କରାଯାଇଛି।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ପ୍ରଚାରଗୁଡ଼ିକ ସରଳ ଓ ସ୍ପଷ୍ଟ ଭାଷାରେ ହେବା ଉଚିତ ଏବଂ ‘ବିଜ୍ଞାପନ’ (ଏଡଭର୍ଟାଇଜମେଣ୍ଟ), ‘ପ୍ରାୟୋଜିତ’ (ସ୍ପନସର୍ଡ), ‘ସହଭାଗିତା’ (କୋଲାବରେସନ) କିମ୍ବା ‘ଆର୍ଥିକ ଲାଭ ପାଇଁ ପ୍ରଚାର’ (ପେଡ୍‌ ପ୍ରମୋସନ) ଭଳି ପରିଭାଷାକୁ ଏଥିରେ ବ୍ୟବହାର କରାଯିବା ଆବଶ୍ୟକ। ବ୍ୟକ୍ତିଗତ ଭାବେ ବ୍ୟବହାର କରିନଥିବା କିମ୍ବା ଅନୁଭୂତି ହାସଲ କରିନଥିବା କିମ୍ବା ସେମାନଙ୍କ ଦ୍ବାରା ବିଧିବଦ୍ଧ ଯାଞ୍ଚ କରାଯାଇନଥିବା ଉତ୍ପାଦ କିମ୍ବା ସେବା ସମ୍ପର୍କରେ ବ୍ୟକ୍ତିବିଶେଷମାନେ ପ୍ରଚାର କରିବା ଉଚିତ୍‌ ନୁହେଁ। କେଉଁ ପ୍ରକାରର ସହଭାଗିତା ପାଇଁ କେଉଁ ପ୍ରକଟୀକରଣ ବା ଡିସକ୍ଲୋଜର ଶବ୍ଦ ବ୍ୟବହାର କରାଯାଉଛି ତା’କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଥିବା ବିଭାଗର ନଜରକୁ ଆସିଛି। ତେଣୁ ଆର୍ଥିକ ଲାଭ ଥିବା କିମ୍ବା ବସ୍ତୁ ବିନିମୟ ବ୍ରାଣ୍ଡର ପ୍ରଚାର ସମୟରେ ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ପ୍ରକଟୀକରଣ ବା ଡିସକ୍ଲୋଜରଗୁଡ଼ିକୁ ଉପଯୋଗ କରାଯାଇପାରିବ ଯଥା : ‘‘ଏଡଭର୍ଟାଇଜ୍‌ମେଣ୍ଟ’’ (ବିଜ୍ଞାପନ), ‘ଆଡ୍‌’ (ବିଜ୍ଞାପନ), ‘‘ସ୍ପନସର୍ଡ’ (ପ୍ରାୟୋଜିତ), ‘‘କୋଲାବରେସନ’’ (ସହଭାଗିତା) କିମ୍ବା ‘‘ପାର୍ଟନରଶିପ’’ (ସହଭାଗିତା)। ତେବେ ଏହି ଶବ୍ଦଗୁଡ଼ିକୁ ହାଶଟ୍ୟାଗ୍‌ କିମ୍ବା ହେଡଲାଇନ୍‌ ଭାବରେ ବ୍ୟବହାର କରାଯିବା ଉଚିତ୍‌।

ମାର୍ଗଦର୍ଶିକାରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଛି ଯେ, ପ୍ରସିଦ୍ଧ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀ ବହୁସଂଖ୍ୟକ ଦର୍ଶକମାନଙ୍କ ନିକଟରେ ସହଜରେ ପହଞ୍ଚି ପାରିଥାନ୍ତି। ଏହାଛଡ଼ା ନିଜ ଦର୍ଶକମାନଙ୍କ ସହିତ ସେଲିବ୍ରିଟି, ଇନଫ୍ଲୁଏନ୍ସର୍‌ ମାନଙ୍କର ପ୍ରଭାବ, ଜ୍ଞାନ, କ୍ଷମତା କିମ୍ବା ସମ୍ପର୍କ ରହିଥିବା କାରଣରୁ କୌଣସି ଏକ ଉତ୍ପାଦ, ସେବା, ବ୍ରାଣ୍ଡ ସମ୍ପର୍କରେ ଦର୍ଶକମାନଙ୍କର କ୍ରୟ ନିଷ୍ପତ୍ତି କିମ୍ବା ଅନୁଭୂତି କିମ୍ବା ଦୃଷ୍ଟିକୋଣକୁ ପ୍ରଭାବିତ କରିବାର କ୍ଷମତା ସେମାନଙ୍କ ପାଖରେ ରହିଛି। ତେଣୁ ସେମାନେ କୌଣସି ପ୍ରଚାର କରିବା ସମୟରେ ବାସ୍ତବ ଉଦ୍ଦେଶ୍ୟକୁ ପ୍ରକଟ କରିବା ଉଚିତ୍‌।

ଏଥିରେ ଆହୁରି କୁହାଯାଇଛି ଯେ, ପ୍ରଚାର ବାର୍ତ୍ତାରେ ପ୍ରକଟୀକରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ଓ ପ୍ରମୁଖତାର ସହିତ କରାଯିବା ଉଚିତ ଏବଂ ଏହା ନିର୍ଦ୍ଦିଷ୍ଟ ଭାବେ ପ୍ରଚାର ଲାଗି ଉଦ୍ଦିଷ୍ଟ ବୋଲି ବୁଝି ହେଉଥିବା ଆବଶ୍ୟକ। ହାଶଟ୍ୟାଗ କିମ୍ବା ଲିଙ୍କ ସହିତ ପ୍ରକଟୀକରଣ କରାଯିବା ଉଚିତ୍‌।

ସେହିପରି ଫଟୋରେ କୌଣସି ପ୍ରଚାର କରାଯାଉଥିବା ସମୟରେ ପ୍ରକଟୀକରଣ ବାର୍ତ୍ତା ଦର୍ଶକଙ୍କ ଦ୍ବାରା ସ୍ପଷ୍ଟ ଭାବେ ଦେଖାଯିବା ଭଳି ସୁପରଇମ୍ପୋଜ ବା ଫଟୋ ଉପରେ ରଖାଯିବା ଉଚିତ୍‌। ଭିଡିଓ କିମ୍ବା ଏକ ଲାଇଭ ଷ୍ଟ୍ରିମ ମାଧ୍ୟମରେ ପ୍ରଚାର କରାଯିବା ସମୟରେ ପ୍ରଚାର ବାର୍ତ୍ତାକୁ ଉଭୟ ଅଡିଓ ଏବଂ ଭିଡିଓ ଫର୍ମାଟ ମାଧ୍ୟମରେ ପ୍ରକଟ କରାଯିବା ଉଚିତ ଏବଂ ଏହା ସମ୍ପୂର୍ଣ୍ଣ ଷ୍ଟ୍ରିମିଂ ସମୟରେ ଲଗାତାର ଓ ପ୍ରମୁଖତାର ସହିତ ପ୍ରଦର୍ଶିତ ହେଉଥିବା ଆବଶ୍ୟକ।

ମାର୍ଗଦର୍ଶିକାରେ ପ୍ରସିଦ୍ଧ ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦିଆଯାଇଛି ଯେ, ବିଜ୍ଞାପନଦାତା ବିଜ୍ଞାପନରେ କରାଯାଉଥିବା ଦାବିକୁ ପ୍ରମାଣିତ କରିବାର ସ୍ଥିତିରେ ଅଛନ୍ତି ବୋଲି ତାହା ସେମାନେ ସବୁବେଳେ ସମୀକ୍ଷା କରିବା ସହିତ ନିଜେ ସନ୍ତୁଷ୍ଟ ହେବା ଉଚିତ୍‌। ପ୍ରଚାର କରୁଥିବା ବ୍ୟକ୍ତି ଉତ୍ପାଦ ଓ ସେବାକୁ ବାସ୍ତବରେ ବ୍ୟବହାର କରିଥିବା କିମ୍ବା ତାହାର ଅନୁଭୂତି ହାସଲ କରିଥିବା ଆବଶ୍ୟକ।

ଶେଷରେ, କୌଣସି ଉତ୍ପାଦ କିମ୍ବା ସେବାର ପ୍ରଚାର କରିବା ସମୟରେ ବ୍ୟକ୍ତିବିଶେଷମାନେ ସେମାନଙ୍କର ଦର୍ଶକ ଓ ଅନୁଗାମୀମାନଙ୍କୁ ଯେପରି ପଥଭ୍ରଷ୍ଟ ନକରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ଏହା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ଏହା ସହ ଜଡ଼ିତ କୌଣସି ନିୟମାବଳୀ ଓ ମାର୍ଗଦର୍ଶିକାକୁ ପାଳନ କରୁଥିବା ଉଚିତ୍‌। ନିଜର ଦର୍ଶକମାନଙ୍କ ସହିତ ସ୍ବଚ୍ଛତା ଓ ବିଶ୍ବସନୀୟତା ବଜାୟ ରଖିବା ଲାଗି ଏସବୁ ମାର୍ଗଦର୍ଶିକାକୁ ପାଳନ କରିବା ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଜରୁରୀ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି ଲୋକମହୋତ୍ସବ ଘୁମୁରାର ମୂଲ୍ୟବୋଧ ହଜିଯାଉଥିବାର ଚର୍ଚ୍ଚା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଲୋକ ମହୋତ୍ସବ ମାଧ୍ୟମରେ କଳାହାଣ୍ଡିର କୋଣ ଅନୁକୋଣରେ ଥିବା ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ କଳାହାଣ୍ଡିର ତୃଣମୂଳ ସ୍ତରରେ ଥିବା କଳାର ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରିବା ପାଇଁ କଳାହାଣ୍ଡିର ଲୋକ ମହୋତ୍ସବର ପରିକଳ୍ପନା କରାଯାଇଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ନାମରେ ନାମିତ କରାଯାଇଥିବା କୁହାଯାଉଥିଲା। କଳାହାଣ୍ଡି ଉତ୍ସବ କଳାହାଣ୍ଡିର ଲୋକ ଉତ୍ସବ ହେବାର ପରିକଳ୍ପନା କରାଯାଇଥିବା ବେଳେ ଆଜି ଆଉ ଲୋକ ଉତ୍ସବ ହୋଇ ରହି ନାହିଁ
ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି।

ଆଜି ଆଉ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳର କଳାର ପୁନରୁତଥାନ ତ ହୋଇ ପାରୁନାହିଁ ନୂଆ ପୀଢି କୁ ସେଭଳି ସୁଯୋଗ ମଧ୍ୟ ମିଳି ପାରୁ ନ ଥିବାର କୁହା ଯାଉଛି। କଳାହାଣ୍ଡି ଲୋକଉତ୍ସବ ପାଳନ ଆରମ୍ଭ ହେବାର ପଚିଶ ବର୍ଷ ହୋଇଯାଇ ଥିଲେ ହେଁ କ୍ରମଶଃ ପୁରାତନ କଳା ସଂସ୍କୃତି ର ପୁନରୁତଥାନ ହେଉ ନ ଥିବା ଅଭିଯୋଗ ହେଉଛି।

ଦୀର୍ଘ ବର୍ଷ ହେବ ଜିଲ୍ଲାସ୍ତର ହେଉ କି ବ୍ଲକ ସ୍ତର ହେଉ କୌଣସି କମିଟିର ଅଦଳ ବଦଳ ହୋଇନ ଥିବା କିମ୍ବା ନୂଆ ସଭ୍ୟଙ୍କୁ ସାମିଲ କରାଯାଇ ନ ଥିବା କୁହା ଯାଉଛି। କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ମହୋତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟର ବିଚ୍ୟୁତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଲୋକେ ଅନୁଭବ କରୁଥିବା ଜଳ ଜଳ କରି ସୋସିଆଲ ମିଡ଼ିଆରେ ଦେଖାଯାଉଛି।

ପଂଚାୟତ ସ୍ତର ଠାରୁ ବ୍ଲକ ସ୍ତର ସବୁଠି ସେହି ଏକା ଅବସ୍ଥା ଦେଖାଯାଉଛି। ଜିଲ୍ଲା ସ୍ତରର ମହୋତ୍ସବ ଭବାନୀପାଟଣା ଓ ଧର୍ମଗଡ ଠାରେ ପାଳନ କରାଯାଉଥିବା ବେଳେ କେବଳ ଜୁନାଗଡ ଠାରେ ବ୍ଲକ ଓ ଏନ ଏ ସି ସ୍ତର ମହୋତ୍ସବ ଏକାଠି ପାଳନ କରାଯାଉଛି, ଯାହା ଫଳରେ ସେଠାରେ କେବଳ ସହରାଞ୍ଚଳ ବ୍ୟକ୍ତି ବିଶେଷଙ୍କ କବଜାରେ ସେହି ମହୋତ୍ସବ ପାଳନ କରାଯାଉଥିବା ବେଳେ ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଉ ନାହିଁ।

ଅନ୍ୟ ପକ୍ଷରେ କେଶିଙ୍ଗା ଠାରେ ସହରାଞ୍ଚଳ ସ୍ତରୀୟ ଉତ୍ସବ ସହିତ ବ୍ଲକ ସ୍ତର ରେ ସ୍ଵତନ୍ତ୍ର ଭାବେ ଗ୍ରାମାଞ୍ଚଳରେ କ୍ରମାନ୍ଵୟରେ ପାଳନ କରାଯାଉଥିବା ଦେଖାଯାଉଛି। ସେହିପରି ଧର୍ମଗଡ ଓ ଭବାନୀପାଟଣା ଠାରେ ସହରାଞ୍ଚଳ ସ୍ତରୀୟ, ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଭାବେ ସ୍ଵତନ୍ତ୍ର ଉତ୍ସବ ପାଳନ କରାଯାଉ ଥିବା ଦେଖା ଯାଉଛି, ଯାହା ଦ୍ବାରା ପ୍ରତ୍ୟେକ ସ୍ତରର ଲୋକେ ସେହି ଉତ୍ସବ ପାଳନ କରିବାର ସୁଯୋଗ ପାଇ ପାରୁଥିବା କୁହଯାଉଛି।

ବିଗତ ଦୁଇ ବର୍ଷ ବନ୍ଦ ହେବା ପରେ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ୨୦୨୩ ଧୂମ ଧାମରେ ଜିଲ୍ଲାସାରା ପାଳନ କରାଯିବାକୁ ପ୍ରସାଶନ ଓ ସଂସ୍କୃତି ପରିଷଦ ନିଷ୍ପତି କରିଥିବା ବେଳେ ଗତ ୨୩ ତାରିଖ ଠାରୁ ପଂଚାୟତ ସ୍ତରରେ ଏହାର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ସ୍ତରରେ ଆଗାମୀ ୧୪ ତାରିଖ ଆରମ୍ଭ ହେବାର ସ୍ଥିର କରାଯାଇଛି। ଦୁଇ ବର୍ଷ ଉତ୍ସବ ଦେଖି ପାରି ନ ଥିବା ଲୋକେ ଉତ୍ସାହିତ ହୋଇ ଥିବା ବେଳେ ଆୟୋଜନରେ ଲୋକେ ସାମିଲ ହୋଇ ପାରୁ ନଥିବା ବେଳେ ଜିଲ୍ଲାର ଲୋକ ମହୋତ୍ସବରୁ ଲୋକଙ୍କ ଅଂଶୀଦାର ଉଭେଇ ଯାଉଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। ମଞ୍ଚରୁ ଆରମ୍ଭ କରି ଆୟୋଜନ ସମସ୍ତ କ୍ଷେତ୍ର ରେ ରାଜନୀତି ହେଉଥିବା ଏବଂ ମହୋତ୍ସବ ଆଳରେ ଦଳୀୟ ରାଜନୀତି ହେଉଥିବା ସୋସିଆଲ ମିଡ଼ିଆରୁ ଜଣା ପଡିଛି। ଏପରିକି ଜୁନାଗଡ ଲଙ୍କେଶ୍ଵରୀ ମଞ୍ଚରେ ଅତିଥି ମାନଙ୍କ ଆସନ ପଛ ପଟେ ଏକ ବଡ ଏଲଇଡି ସ୍କ୍ରିନ ଲଗାଯାଇ ସେଥିରେ ନିର୍ଦ୍ଧିଷ୍ଟ ବ୍ୟବସାୟୀ ମାନଙ୍କ ବିଜ୍ଞାପନ ପ୍ରସାରିତ କରାଯାଇଥିବା ଦେଖା ଯାଇଛି।

କଳାହାଣ୍ଡି ଲୋକ ଉତ୍ସବରୁ ଏବେ ଲୋକ ଶବ୍ଦ ଉଭେଇ ଯାଇଥିବା କୁହଯାଉଛି। ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ତଥା ସହରାଞ୍ଚଳ ସବୁଠି ସେହି ଏକ ଅବସ୍ଥା। ମହୋତ୍ସବ ପାଳନ ଏବଂ ପରିଚାଳନା ଉଦ୍ଦେଶ୍ୟ ମୂଳକ ଭାବେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ରହିଥିବା କାରଣରୁ ସ୍ଥାନୀୟ ତଥା ଜିଲ୍ଲାର ଅନେକ ବୁଦ୍ଧିଜୀବି, ପ୍ରତିଷ୍ଠିତ କଳାକାର, ସମାଜସେବୀ, ଆଦି ସ୍ବାଭିମାନୀ ବ୍ୟକ୍ତି ବିଶେଷ ଏହି ଉତ୍ସବରୁ ଆପଣା ଛାଏ ଦୂରେଇ ରହୁଛନ୍ତି।

ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ, ଶିକ୍ଷାବିତ, ପ୍ରତିଷ୍ଠିତ ଚାଷୀ, ସ୍ବନାମ ଧନ୍ୟ କଳାକାର, ଗବେଷକ, ସାମ୍ବାଦିକ, ଡାକ୍ତର ଭଳି ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି କରିବା ତ ଦୂରର କଥା ସମ୍ମାନିତ କରାଯାଉ ନାହି, ଏପରିକି ଉତ୍ସବ ପାଇଁ ନିମନ୍ତ୍ରଣ ଖଣ୍ଡେ ଦିଆଯାଉନାହିଁ। ଅନ୍ୟ ପକ୍ଷରେ କଳାହାଣ୍ଡି ଉତ୍ସବ ଲୋକଙ୍କ ମହୋତ୍ସବ, ଅଞ୍ଚଳର ଲୋକ କଳା, ଲୋକ ସଂସ୍କୃତିର ଉତ୍ସବ କିନ୍ତୁ ଏଠାରେ ସ୍ଥାନୀୟ ଅଞ୍ଚଳର କଳାକାରଙ୍କୁ ଲୋକ ଲୋଚନକୁ ଆଣିବା ବଦଳରେ ବିଭିନ୍ନ ଅର୍କେଷ୍ଟ୍ରା ଦଳକୁ ସାମିଲ କରାଯାଉଛି। ଯେଉଁଠାରେ ସ୍ଥାନୀୟ ଲୋକନକୁ ସାମିଲ କରାଯାଉନାହି କିମ୍ବା ସ୍ଥାନୀୟ ଲୋକ କଳାକୁ ଗୁରୁତ୍ବ ଡିଆ ଯାଉ ନ ଥିବା ବେଳେ ଏହା କିପରି ଲୋକ ଉତ୍ସବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ଅଞ୍ଚଳର ବିଭିନ୍ନ ଅର୍କେଷ୍ଟ୍ରା ଆଣିବା ବଦଳରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ସହିତ ସ୍ଥାନୀୟ କଳା ଓ ସଂସ୍କୃତିକୁ ଗୁରତ୍ବ ଦବକୁ ବିଭିନ୍ନ ମହଲରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ମୌଳିକ ସୁବିଧା ପାଇଁ ଦାବି ପତ୍ର ଦେଲେ ଛାତ୍ରଙ୍କୁ ମିଳୁଛି କଲେଜରୁ ବହିଷ୍କାର ଧମକ

ସୀତାରାମ ଅଗ୍ରୱାଲ

ନାଚୁଣୀ: ମହାବିଦ୍ୟାଳୟରେ ମୌଳିକ ସୁବିଧା ପାଇଁ ଛାତ୍ରଛାତ୍ରୀମାନେ ଦାବିପତ୍ର ଦେଲେ ସେମାନଙ୍କୁ ଅଧ୍ୟକ୍ଷ ଟିସି ଦେବାର ଧମକ ଦେଉଥିବାର ଅଭିଯୋଗ ହେଉଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟରୁ ଏପରି ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ ନାଚୁଣୀ ମହାବିଦ୍ୟାଳୟର ଯୁକ୍ତି ତିନି ପ୍ରଥମ ବର୍ଷର ଛାତ୍ର ଆଶାତୀତ ସାହୁ ଗତକାଲୀ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ, ଯେଉଁଥିରେ କି ମହାବିଦ୍ୟାଳୟରେ ପରିସ୍ରାଗାର ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି ଏବଂ ଏହାକୁ ତୁରନ୍ତ ସୁଧାରିବା ପାଇଁ ଏକ ଦାବିପତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କୁ ପ୍ରଦାନ କରୁଛନ୍ତି। ତେବେ ଅଧ୍ୟକ୍ଷ ଉକ୍ତ ଭିଡ଼ିଓରେ ପରିସ୍ରାଗାରକୁ ଏକାଧିକ ଥର ହଜାର ହଜାର ଟଙ୍କାରେ ମରାମତି କରାଯାଉଛି ଏବଂ ପୁଣି ମରାମତି କରାଯିବନି ବୋଲି ରୋକଠୋକ ମନା କରୁଥିବାର କହୁଛନ୍ତି। ଏହାପରେ ଛାତ୍ରଜଣଙ୍କ ଉକ୍ତ ଦାବିପତ୍ର ଗ୍ରହଣ କରିବା ସହ ଏହାର ଏକ ନକଲରେ ସ୍ଵାକ୍ଷର କରି ଦେବାପାଇଁ ଅଧ୍ୟକ୍ଷଙ୍କୁ ଅନୁରୋଧ କରୁଥିବା ବେଳେ ସେ ତାହାକୁ ଫେରାଇଦେଉଥିବାର ଭିଡିଓରେ ଦେଖାଯାଉଛି।

ଉକ୍ତ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ବେଳେ ଅଧ୍ୟକ୍ଷଙ୍କ ଏପରି ବ୍ୟବହାରକୁ ସୋସିଆଲ ମିଡ଼ିଆ ୟୁଜର, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି। ମହାବିଦ୍ୟାଳୟରେ ସମସ୍ତ ମୌଳିକ ସୁବିଧା ପାଇବା ଛାତ୍ରଛାତ୍ରୀଙ୍କ ହକ ଏବଂ ତାହାପାଇଁ ଦାବିପତ୍ର ଦେଉଥୁବା ବେଳେ ଅଧ୍ୟକ୍ଷଙ୍କ ରୋଷର ଶିକାର ହେବାକୁ ପଡୁଛି ଛାତ୍ରଙ୍କୁ।

ତେବେ ଏ ନେଇ ସମ୍ପୃକ୍ତ ଛାତ୍ର ଆଶାତୀତ ଙ୍କୁ ପଚାରିବାରୁ ସେ ଅଧ୍ୟକ୍ଷଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦାବିପତ୍ର ଦେବା ପରେ ଅଧ୍ୟକ୍ଷ ତାଙ୍କୁ ଧମକ ଚମକ ଦେବା ସହ ଟିସି ଦେଇଦେବେ ବୋଲି ମଧ୍ୟ ଧମକ ଦେଇଥିବାର କହିଛନ୍ତି ଆଶାତୀତ।

ଅନୁରୂପ ଭାବେ ଉକ୍ତ ଦାବିପତ୍ରରେ ସ୍ଵାକ୍ଷର କରିଥିବା ଏକାଧିକ ଛାତ୍ରଙ୍କ ଅଭିଭାବକଙ୍କୁ ଅଧ୍ୟକ୍ଷ ଫୋନ କରି ସେମାନଙ୍କ ବିରୁଦ୍ଧରେ କହିବା ସହ ସୋମବାର ଦିନ କଲେଜ ଡକେଇଥିବାର କହିଛନ୍ତି ଆଶାତୀତ। ତେବେ ଏ ନେଇ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଦାବିପତ୍ର ଦେବାକୁ ଆସିଥିବା ଛାତ୍ର ଆଶାତୀତଙ୍କ ବ୍ୟବହାର ଭଲନଥିବା କହିବା ସହ କଲେଜ ର ଏକ ଛାତ୍ର ଗ୍ରୁପ ଅଛନ୍ତି ଯେଉଁମାନେ ପାଠ ନପଢି ଏପରି ଦିନ ସାରା କଲେଜରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କହିଥିଲେ।

ତତସହିତ ମହାବିଦ୍ୟାଳୟ ପକ୍ଷରୁ ସେ କୌଣସି ଛାତ୍ରଙ୍କ ଅଭିଭାବକଙ୍କୁ ଫୋନ କରିନଥିବାର ସଫେଇ ଦେଇଛନ୍ତି। ତେବେ ଦିନକୁ ଦିନ ନାଚୁଣୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏହା ଆଗକୁ ବିସ୍ଫୋରଣ ରୂପ ନେଇପାରେ ବୋଲି ବାରି ହେଉଛି।

ଅପରପକ୍ଷରେ ଅଧ୍ୟକ୍ଷଙ୍କ ଏପରି ବ୍ୟବହାରକୁ ଛାତ୍ରଛାତ୍ରୀ ମାନେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ଯଦି ଏହାର ସମାଧାନ କରାନଯାଏ ତେବେ ଛାତ୍ରଛାତ୍ରୀ ମାନେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଏହାର ସମାଧାନ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ନେବାପାଇଁ ସାଧରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁଣି ଚର୍ଚ୍ଚାରେ ଚିଲିକା ବିଧାୟକ: ଭାଇରାଲ ହେଉଛି ମଞ୍ଚରେ ନାଚୁଥିବାର ଭିଡିଓ, ଦେଖନ୍ତୁ

ଖୋର୍ଦ୍ଧା/ବେଗୁନିଆ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏଥର ମଞ୍ଚରେ ନାଚୁଥିବାର ଭିଡିଓକୁ ନେଇ ଚର୍ଚ୍ଚା ହେଉଛି। ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପରିଛଳ ବାଣିଜ୍ୟ ବିକାଶ ବଣିକ ସଂଘ ତରଫରୁ ଗଜଲକ୍ଷ୍ମୀ ମହୋତ୍ସବ ଆରମ୍ଭ ହୋଇଥିଲା। କିନ୍ତୁ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ମହୋତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ଧୁମଧାମରେ ପାଳନ କରାଯାଇଥିଲା। ଆୟୋଜିତ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେଣୁ ମଞ୍ଚରେ ନାଚ ଗୀତର ଆୟୋଜନ କରାଯାଇଥିଲା।

ତେବେ ଏହି ମଞ୍ଚରେ ହଠାତ ଚିଲିକା ବିଧାୟକଙ୍କ ଉପସ୍ଥିତି ଏବଂ କଳାକାରଙ୍କ ମେଳରେ ନାଚିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖ ଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ପାଇଁ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ହେଲେ ବିଧାୟକ ଶ୍ରୀ ସାହୁ ଏହି ଉତ୍ସବରେ ଯୋଗ ଦେଇନଥିବାରୁ ଆୟୋଜକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡିଛି। ସେପଟେ ମଞ୍ଚ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚକୁ ସ୍ଥାନୀୟ ଲୋକେ ବେଶ ଉପଭୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଫେସବୁକରୁ ପରକୀୟା ପ୍ରୀତି, ସ୍ତ୍ରୀ ଓ ପିଲାକୁ ଛାଡି ସ୍ୱାମୀ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିକାଲି ସାମାଜିକ ଗଣମାଧ୍ୟମ ବିନା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡୁଛି। ସାମାଜିକ ଗଣମାଧ୍ୟମ ଦ୍ଵାରା ଅନେକ ଲାଭ ମିଳୁଥିବା ବେଳେ ମାନବ ସଭ୍ୟତା ପାଇଁ ସମ ପରିମାଣରେ କ୍ଷତି ମଧ୍ୟ ହେଉଛି।

ଫେସବୁକ ଦ୍ୱାରା ବିବାହ ବନ୍ଧନରେ ଯୁବକ ଯୁବତୀ ଯୋଡି ହେଉଥିବା ବେଳେ କେତେକାଂଶରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଫେସବୁକ ଯୋଗୁଁ ଜଣେ ବିବାହିତ ପୁରୁଷ ଅନ୍ୟ ଏକ ଅଜଣା ଯୁବତୀଙ୍କୁ ପ୍ରେମ କରି ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳରେ ଠିକ ଏଭଳି ଏକ ଘଟଣା ଘଟିଯାଇଛି। ସ୍ଵାମୀ ଫେସବୁକ ମାଧ୍ୟମରେ ଜଣେ ଅଜଣା ଯୁବତୀଙ୍କୁ ପ୍ରେମ କରିବା ପରେ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି ଫେରାର ହୋଇଯାଇଛି। ଫଳରେ ସ୍ତ୍ରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳଙ୍କ ପାଞ୍ଚବର୍ଷ ତଳେ ପୁରୀ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁତ୍ର ରବି ନାରାୟଣ ଗୋଡ଼ିଙ୍କ ସହ ହିନ୍ଦୁ ରିତିରେ ବିବାହ ହୋଇଥିଲା। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ବିଭିନ୍ନ ଆସବାବପତ୍ର, ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ଦେଇଥିଲେ। ବର୍ତ୍ତମାନ ଉଭୟଙ୍କ ଏକ ଚାରି ବର୍ଷର ଝିଅ ଟିଏ ଅଛି।

ତେବେ କିଛି ମାସ ତଳେ ରବିଙ୍କ ଗୋଆରେ ଚାକିରୀ ହୋଇଯିବାରୁ ସପରିବାର ଗୋଆରେ ରହୁଥିଲେ। ଗୋଆରେ ରହିବା ସମୟରେ ଫେସବୁକ ଜରିଆରେ ରବି ନାରାୟଣଙ୍କ ଅନ୍ୟ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହାକୁ ନେଇ ଦୀପାଞ୍ଜଳି ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ନାରାୟଣଙ୍କ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାର ଦୀପାଞ୍ଜଳି ଅଭିଯୋଗ କରିଛନ୍ତି। ଏପରିକି ଏକଥା କାହାରିକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥାନ୍ତି।

ପରିଶେଷରେ ଗତ ୧୨ ତାରିଖ ଦିନ ସ୍ବାମୀ ରବି ନାରାୟଣ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଗୋଆରେ ଛାଡିଦେଇ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ବାରମ୍ବାର ସ୍ୱାମୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ତେବେ ବାପ ଘର ଲୋକଙ୍କ ସହଯୋଗ ଦ୍ୱାରା ଦୀପାଞ୍ଜଳି ଏବଂ ତାଙ୍କର ଚାରି ବର୍ଷର ଝିଅ ସୁଦୂର ଗୋଆରୁ ଗମ୍ଭାରୀମୁଣ୍ଡା ଆସିଛନ୍ତି।

ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କୁ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଅଶ୍ରୁଳ ନିବେଦନ କରିଥିଲେ। ଯାହାଦ୍ୱାରା ଗତକାଲି ରାତିରେ ମିଶନ ଶକ୍ତିର ମହିଳାମାନଙ୍କ ଉପସ୍ଥିତିରେ ଦୀପାଞ୍ଜଳି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନାକୁ ନେଇ ସାମାଜିକ ଗଣମାଧ୍ୟମରେ କୌଣସି ସୂଚନା ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ବଡ ଆଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଅମ୍ଳଜାନ, ବେଡ୍, ଔଷଧକୁ ନେଇ କୌଣସି ପୋଷ୍ଟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ନାଗରିକ ଦ୍ଵାରା କରାଯାଉଥିବା କରୋନା ସୂଚନା ପୋଷ୍ଟ ଉପରେ କୌଣସି ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଗୁଜବ ପ୍ରସାର କରୁଥିବା କହି ଯଦି କୌଣସି ନାଗରିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଅଦାଲତ ଅବମାନନା କେସ ରୁଜ୍ଜୁ କରାଯିବ ବୋଲି କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଡିଜିପିଙ୍କୁ ସୁପ୍ରିମକୋର୍ଟ କଡା ଆଦେଶ ଦେଇଛନ୍ତି।

ସମଗ୍ର ଦେଶରେ ଲୋକେ ଏକ ବଡ ସମସ୍ୟା ଦେଇ ଗତି କରୁଛନ୍ତି। ଯଦି ନାଗରିକମାନେ ତାଙ୍କର ସମସ୍ୟା ସାମାଜିକ ଗଣମାଧ୍ୟମରେ ଜଣାନ୍ତି, ତେବେ ସେଭଳି ସୂଚନା ଉପରେ କଟକଣା ଜାରି କରିବା ଉଚିତ୍ ନୁହେଁ। ଏହି ମହାମାରୀ ସମୟରେ ସେମାନଙ୍କ ଅଭିଯୋଗ ଶୁଣିବା ଉଚିତ୍। ଆଜି ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏନେଇ ଗୁରୁତ୍ବାରୋପ କରିବା ସହ ସମସ୍ତ ସରକାର ଏବଂ ଡିଜିପିଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଆଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସ୍ବାସ୍ଥ୍ୟ

ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ କରୋନା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ବ୍ୟସ୍ତ ଅଭିନେତା ମଧ୍ୟରୁ ଅକ୍ଷୟ କୁମାର ଅନ୍ୟତମ। ୨୦୨୦ ମସିହାରେ ଲାଗିଥିବା କରୋନା କଟକଣା ତଥା ଲକଡାଉନ ପରଠାରୁ ଅକ୍ଷୟ କୁମାର ଲଗାତର ଶୁଟିଙ୍ଗ ଜାରି ରଖିଛନ୍ତି। ସେ ତାଙ୍କ ଫିଲ୍ମକୁ ସମୟ ପୂର୍ବରୁ ଶେଷ କରିବା ପାଇଁ ଲାଗି ପଡିଛନ୍ତି। ହେଲେ ଏହା ଭିତରେ ସେ କରୋନା ଭୂତାଣୁର ସଂସ୍ପର୍ଶରେ ଆସି ସଂକ୍ରମଣ ହୋଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି।

ଅକ୍ଷୟ ବର୍ତ୍ତମାନ ପୃଥକବାସରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ଏହାସହ ସେ ଶୀଘ୍ର ସୁସ୍ଥ ହୋଇ କାମକୁ ଫେରିବେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପକ୍ଷରୁ ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଉପରେ ସୂଚନା ଦେଇଛନ୍ତି।

ସେ ଏହି ଅବସରରେ କହିଛନ୍ତି ଯେ, ଦେଶରେ ସାମାଜିକ ଗଣମାଧ୍ୟମକୁ ଅପବ୍ଯବହାର କରାଯାଉଛି। ଏହି ମାଧ୍ୟମରେ ଅନେକ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଆସୁଛି। ଯାହାକୁ ଗ୍ରହଣ କରିବା ସମ୍ଭବ ନୁହେଁ। ସୀମାପାରରୁ ମଧ୍ୟ ଦେଶରେ ଅଶାନ୍ତ ସୃଷ୍ଟି କରିବା ପାଇଁ ଏହାକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ଏସବୁ ଦୂର କରିବା ପାଇଁ ଗାଇଡଲାଇନ ଜାରି କରାଯାଉଛି।

ସବୁ ସର୍ଭିସ ପ୍ରୋଭାଇଡରଙ୍କୁ ଅଭିଯୋଗ ସେଲ ରଖିବା ଆବଶ୍ୟକ। କୌଣସି ଅଭିଯୋଗ ଆସିଲେ ୨୪ ଘଣ୍ଟା ମଧ୍ୟରେ ଏହାକୁ ଗ୍ରହଣ କରିବା ସହ ୧୫ ଦିନ ଭିତରେ ଏହାର ସମାଧାନ କରିବାକୁ ପଡିବ। କୌଣସି ସନ୍ଦିଗ୍ଧ ଟୁଇଟ କିମ୍ବା ମେସେଜ ଆସିଲେ ସୃଷ୍ଟିକର୍ତ୍ତାର ତଥ୍ୟ ଦେବା ଅନିବାର୍ଯ୍ୟ। ଜାତୀୟ ଏକତା ପ୍ରତି ବିପଦ ସୃଷ୍ଟି କରୁଥିବା ମେସେଜକୁ ଅଧ୍ୟୟନ କରି ମେସେଜ କରିଥିବା ବ୍ୟକ୍ତିର ତଥ୍ୟ ଜଣାଇବା ଆବଶ୍ୟକ। ଏହାସହ ତିନି ମାସ ମଧ୍ୟରେ ଏକ ନୂତନ ଗାଇଡଲାଇନ ଲାଗୁ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ରବୀଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।

ସେହିପରି ଓଟିଟି ପ୍ଲାଟଫର୍ମ ପାଇଁ ଗାଇଡଲାଇନ ଜାରି କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବେଦକର କହିଛନ୍ତି ଯେ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡ଼ିଆକୁ ନିଜ କାମ ଉପରେ ସୂଚନା ଦେବାକୁ ପଡିବ। ଏଥିପାଇଁ ସୁପ୍ରିମକୋର୍ଟର ଏକ ଅବସରପ୍ରାପ୍ତ ବିଚାରିପତିଙ୍କୁ ନେଇ ଏକ କମିଟି ଗଠନ କରାଯିବ। ବିଦ୍ୟୁତ ଗଣମାଧ୍ୟମ ଭଳି ଡିଜିଟାଲ ଗଣମାଧ୍ୟମକୁ ମଧ୍ୟ ତ୍ରୁଟି ପାଇଁ କ୍ଷମା ପ୍ରସାରଣ କରିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ସାମାଜିକ ଗଣମାଧ୍ୟମରେ ବିବାଦୀୟ ଟିପ୍ପଣୀ ଦେଲେ ହେବ ବଡ କାର୍ଯ୍ୟାନୁଷ୍ଠାନ

ପାଟଣା: ସାମାଜିକ ଗଣମାଧ୍ୟମରେ ବିବାଦୀୟ ଟିପ୍ପଣୀ ଦେଉଥିବା ବ୍ୟକ୍ତିଙ୍କ ଉପରେ ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିହାର ପୋଲିସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଯଦି କୌଣସି ସାମାଜିକ ଗଣମାଧ୍ୟମ ୟୁଜର କୌଣସି ସାଂସଦ, ବିଧାୟକ କିମ୍ବା ଅଧିକାରୀଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରନ୍ତି, ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ବିହାର ପୋଲିସ ପକ୍ଷରୁ ଜାରି ହୋଇଥିବା ଏକ ଚିଠି ମାଧ୍ୟମରେ ଦର୍ଶାଯାଇଛି।

ଏହି ଚିଠିରେ ଲେଖା ଯାଇଛି ଯେ, ଏମିତି ବହୁତ ମାମଲା ଦେଖିବାକୁ ମିଳୁଛି। ଯେଉଁଥିରେ ସାମାଜିକ ଗଣମାଧ୍ୟମରେ ସରକାର, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଉଛି। ଏହା ଆଇନଗତ ଅପରାଧ ଏବଂ ସାଇବର ଅପରାଧ ଅନ୍ତର୍ଗତ ଅଟେ। ତେଣୁ ସେଭଳି ବ୍ୟାକ୍ତିଙ୍କ ଉପରେ କାର୍ଯ୍ଯନୁଷ୍ଠାନ ହେବା ଆବଶ୍ୟକ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହାତରସ ପିଡିତାର ପରିଚୟ ପ୍ରଘଟ କରିଥିବାରୁ ବିଭିନ୍ନ ଗଣମାଧ୍ୟମକୁ ଗଲା କୋର୍ଟ ନୋଟିସ

ନୂଆଦିଲ୍ଲୀ, ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ ଗୋପନୀୟତା ଅଧିକାରର ଉଲ୍ଲଂଘନ ମାମଲରା ଶୁଣାଣି କରିଥିଲେ। ଏଥିରେ ହାତରସ ବଳାତ୍କାର ପୀଡିତା ତଥା ପୀଡିତାର ପରିବାରର ପରିଚୟ ପ୍ରକାଶ କରିଥିବା ମିଡିଆ ଓ ସୋସିଆଲ ମିଡିଆକୁ କୋର୍ଟ ନୋଟିସ ଜାରୀ କରିଛନ୍ତି। ଏଥିରେ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ  ଟ୍ୱିଟର, ୟୁଟ୍ୟୁବ, ବଜଫିଡ, ନ୍ୟୁଜ 18, ଫେସବୁକ ପ୍ରଭୃତିଙ୍କୁ ନୋଟିସ କରାଯାଇଛି। କଣ ପାଇଁ ଏପରି ଗୋପନୀୟତାକୁ ପ୍ରଘଟ କଲେ ତାହାର ଜବାବ ରଖିବାକୁ କୁହାଯାଇଛି।

ଦିଲ୍ଲୀ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଉପଯୁକ୍ତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟକୁ ନିବେଦନ କରିଛନ୍ତି।  ଉକ୍ତ ବିଷୟବସ୍ତୁର ପ୍ରସାରକୁ ରୋକିବା ଏବଂ ପୋଷ୍ଟ କରାଯାଇଥିବା ବିଷୟବସ୍ତୁକୁ ହଟାଇବାକୁ ମଧ୍ୟ ଦାବି କରାଯାଇଛି। ଆବେଦନକାରୀ ସମ୍ବିଧାନର ଧାରା 226 ଅନୁଯାୟୀ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ନିବେଦନ କରିଛନ୍ତି। ଆବେଦନକାରୀ ହେଉଛନ୍ତି ଦିଲ୍ଲୀ କୋର୍ଟର ଜଣେ ଓକିଲ।