Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜି ଆର୍ ଏସ ହତ୍ୟା ମାମଲାର ଫର୍ଦ୍ଦଫାସ: ପରକୀୟା ପ୍ରୀତି ଯୋଗୁଁ ଅସହିଷ୍ଣୁ ହୋଇ ହତ୍ୟା କରିଥିଲା ଅଭିଯୁକ୍ତ

ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଵେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଂଚାୟତ ଅଧୀନରେ ଥିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉସ୍ତ।ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜି ଆର ଏସ ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ ଭାଲିଆଝର ଗ୍ରାମର ମୋହନପୁର ସାହି ବାସିନ୍ଦା ମନୋଜ କୁମାର ସାହୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ମନୋଜ ଓ ସୁଶିଲ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କୁ ପ୍ରେମ କରିଆସୁଥିଲେ। ମନୋଜ ଏ ନେଇ ସୁଶିଲକୁ ୨ମାସ ତଳେ ତାଗିଦ କରିଥିଲେ। ଗତ ୪ ତାରିଖ ଦିନ ରାତିରେ ମନୋଜ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରୁ ବାହାରି ଆସିବା ପରେ ସୁଶୀଲ ଉକ୍ତ ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଥିଲେ। କିଛି ସମୟ ପରେ ମନୋଜ ପୁଣି ଯାଇ ଦେଖିବା ବେଳକୁ ସୁଶୀଲ ଉକ୍ତ ମହିଳାଙ୍କ ଘରେ ଅଛନ୍ତି। ଓ ତାଙ୍କ ଗାଡି ବାହାରେ ଅଛି। ଏହା ଦେଖି ସେ ଉତକ୍ଷିପ୍ତ ହୋଇ ସେଠାରୁ ଫେରି ସୁମଣ୍ଡଳରୁ ଏକ କଟୁରୀ ଧରି ଉକ୍ତ ମହିଳାଙ୍କ ଘରକୁ ଯାଇ ସୁଶୀଲ ସହିତ ଯୁକ୍ତି ତର୍କ କରିଥିଲେ।

ସୁଶୀଲ କାହିଁକି ବାରମ୍ବାର ତାଙ୍କ ଘରକୁ ଆସୁଛି ବୋଲି ତାକୁ ତାଗିଦ୍ କରିବା ପରେ ସୁଶିଲ ମଦ୍ୟପାନ କରିଥିବା ଯୋଗୁଁ ସେହି ସ୍ଥାନରେ ପାଟି ନକରି ଦୂରକୁ ଯିବା ପାଇଁ କହିଥିଲେ ଓ ସେ ଗାଡ଼ି ଚଲେଇ ପାରିବନି ବୋଲି କହିବା ପରେ ସୁଶିଲ ଙ୍କ ବାଇକ ସେଠାରେ ରଖି ମନୋଜ ନିଜ ଗାଡ଼ିରେ ତାକୁ ଗାଁ ନିକଟସ୍ଥ ଏକ ବିଲ ପାର୍ଶ୍ୱକୁ ଆଣି ସେଠାରେ ଉଭୟଙ୍କ ମଧ୍ୟରେ ବଚସା ସହ ହାତାହାତି ଓ ଧସ୍ତାଧସ୍ତି ହେବା ପରେ ମନୋଜ ସାଥିରେ ନେଇଥିବା କଟୁରୀ ସାହାଯ୍ୟରେ ସୁଶୀଲକୁ ନିର୍ମମ ଭାବେ ହତ୍ୟା କରିଥିଲେ ଓ ସେଠାରୁ ଫେରିଆସିଲେ।

ପରେ ଗଞ୍ଜାମ ଏସ ପି ଜଗ ମୋହନ ମୀନାଙ୍କ ନିର୍ଦ୍ଦେଶରେ ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀ କାନ୍ତ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆପଡ଼ା ଥାନା ଏସ ଆଈ ସଂଗ୍ରାମ କୁମାର ଦେହୁରୀ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଥିଲା।

ଶେଷରେ ଅଭିଯୁକ୍ତ ମନୋଜ ସାହୁଙ୍କୁ ପୋଲିସ୍ କେଶ୍ ନମ୍ୱର୍ ୩୯୪/୨୦୨୩ ଅନୁସାରେ ଗିରଫ କରି ଦଫା ୩୦୨ରେ ଆଜି କୋର୍ଟ ଚାଲାଣ କରିବା ସହ କଟୁରୀ ଓ ରକ୍ତ ଭିଜା ସାର୍ଟ ଜବତ କରିଛି ବୋଲି ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ସୂଚନା ଦେଇଛନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ବ୍ୟକ୍ତିତ୍ୱ ସଂସ୍କୃତି

ପରକୀୟା ପ୍ରୀତିରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା

ନୂଆଦିଲ୍ଲୀ: ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍‌ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ ବୋଲି ବିବେଚନା କରାଯାଏ। ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଖରାପ ନଜରରେ ଦେଖାଯାଇଥାଏ। କିନ୍ତୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟ ମହିଳାମାନେ ଭାରତୀୟ ପୁରୁଷଙ୍କଠାରୁ ଅଧିକ ପରକୀୟା ପ୍ରୀତି କରିଥା’ନ୍ତି ବୋଲି ଜଣାପଡିଛି। ଏକ୍ସଟ୍ରା ମ୍ୟାରେଟିଆଲ୍‌ ଡେଟିଂ ଆପ୍‌ର ଆସିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟମାନେ ଏବେ ଏହି ପ୍ରସଙ୍ଗକୁ ନେଇ ବେଶ୍‌ ବୋଲ୍ଡ ହୋଇଯାଇଛନ୍ତି।

ଏକ୍ସଟ୍ରା ମ୍ୟାରିଟିଆଲ୍‌ ଡେଟିଂ ଆପ୍‌ ଗ୍ଲୀଡେନ୍‌ର ସର୍ଭେ ଅନୁସାରେ ୫୩ ପ୍ରତିଶତ ଭାରତୀୟ ମହିଳା ପରକୀୟା ପ୍ରୀତିକୁ ସ୍ବୀକାର କରିଛନ୍ତି। ସେମାନେ ନିଜ ସ୍ବାମୀଙ୍କ ଛଡା ଅନ୍ୟ ପୁରୁଷ ସହ ଅନ୍ତରଙ୍ଗ ସମ୍ପର୍କରେ ରହିଥିବାର ଜଣାଇଛନ୍ତି । ସେହିପରି ବିବାହ ପରେ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖୁଥିବା ପୁରୁଷଙ୍କ ସଂଖ୍ୟା ୪୩ ପ୍ରତିଶତ ବୋଲି ଜଣାପଡିଛି।

ଗ୍ଲୀଡେନ୍‌ର ମାର୍କେଟିଂ ଡାଇରେକ୍ଟରଙ୍କ ମତରେ ରୋମାନ୍ସ ଓ ଧୋକ୍କା ମାମଲାରେ ଭାରତୀୟ ମହିଳା ବେଶ୍‌ ଖୋଲା ଚିନ୍ତାଧାରା ରଖୁଛନ୍ତି । ମହିଳାମାନେ ନିଜ ପାର୍ଟନର୍‌ ସହ ସମ୍ପର୍କକୁ ପ୍ରଭାବିତ ନ କରିବା ପାଇଁ ସେହିପରି ପରିବେଶ ସୃଷ୍ଟି କରିଥା’ନ୍ତି ।  ମହିଳାମାନେ ନିଜ ପାର୍ଟନରଙ୍କୁ ହଇରାଣ ନ କରି ଅନ୍ୟ ଏକ ପ୍ରେମ ସମ୍ପର୍କକୁ ଆରାମରେ ଆରମ୍ଭ କରିପାରନ୍ତି ବୋଲି କହିଛନ୍ତି ଗ୍ଲୀଡେନ୍‌ର ମାର୍କେଟିଂ ଡାଇରେକ୍ଟର। ଏହି ସର୍ଭେରେ ଦିଲ୍ଳୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ପୁଣେ, ଅହମଦାବାଦ ପରି ବଡ ବଡ ସହରର ୧୫୦୦ ଲୋକଙ୍କୁ ନେଇ ଅନଲାଇନ୍‌ ଜରିଆରେ ସର୍ଭେ କରାଯାଇଥିଲା।

ସେହିପରି ପ୍ରତ୍ୟହ ନିଜ ସ୍ବାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିବା ମହିଳାଙ୍କ ସଂଖ୍ୟା ୪୦ ପ୍ରତିଶତ ବୋଲି ପଡିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୨୬ ପ୍ରତିଶତ ବୋଲି ଜଣାପଡିଛି।  ସେହିପରି ୪୭ ପ୍ରତିଶତ ବ୍ୟକ୍ତି ନିଜ ପାର୍ଟନର୍‌ଙ୍କ ଛଡା ଅନ୍ୟ ପ୍ରତି କାଜୁଆଲ ରିଲେସନ୍‌ସିପ୍‌ରେ ରହିଥିବାର ସ୍ବୀକାର କରିଥିବାବେଳେ ୪୬ ପ୍ରତିଶତ ଓ୍ବାନ୍‌ ନଇଟ୍‌ ଷ୍ଟାଣ୍ଟକୁ ସ୍ବୀକାର କରିଛନ୍ତି।

ସେହିପରି ୪୮ ପ୍ରତିଶତ ଭାରତୀୟଙ୍କ ମତରେ ଏକ ସମୟରେ ଦୁଇଜଣଙ୍କୁ ପ୍ରେମ କରିବା ସମ୍ଭବ ବୋଲି କହିଛନ୍ତି। ୪୬ ପ୍ରତିଶତ ଭାରତୀୟମାନେ ନିଜ ପାର୍ଟନର୍‌ଙ୍କୁ ଧୋକ୍କା ଦେବା ପରେ ବି ତାଙ୍କ ପ୍ରତି ପ୍ରେମ କମି ନଥିବାର କହିଛନ୍ତି । ସେହିପରି ୩୭ ପ୍ରତିଶତ ଲୋକେ ଧୋକ୍କା ମିଳିବାର ଜାଣିବା ପରେ ତାଙ୍କ ପାର୍ଟନର୍‌ଙ୍କୁ କ୍ଷମା କରିଦେଉଥିବାବେଳେ ୪୦ ପ୍ରତିଶତ ପରିସ୍ଥିତିକୁ ଦେଖି କ୍ଷମା କରାଯିବା ଉପରେ ମତ ରଖିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଫେସବୁକରୁ ପରକୀୟା ପ୍ରୀତି, ସ୍ତ୍ରୀ ଓ ପିଲାକୁ ଛାଡି ସ୍ୱାମୀ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିକାଲି ସାମାଜିକ ଗଣମାଧ୍ୟମ ବିନା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡୁଛି। ସାମାଜିକ ଗଣମାଧ୍ୟମ ଦ୍ଵାରା ଅନେକ ଲାଭ ମିଳୁଥିବା ବେଳେ ମାନବ ସଭ୍ୟତା ପାଇଁ ସମ ପରିମାଣରେ କ୍ଷତି ମଧ୍ୟ ହେଉଛି।

ଫେସବୁକ ଦ୍ୱାରା ବିବାହ ବନ୍ଧନରେ ଯୁବକ ଯୁବତୀ ଯୋଡି ହେଉଥିବା ବେଳେ କେତେକାଂଶରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଫେସବୁକ ଯୋଗୁଁ ଜଣେ ବିବାହିତ ପୁରୁଷ ଅନ୍ୟ ଏକ ଅଜଣା ଯୁବତୀଙ୍କୁ ପ୍ରେମ କରି ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳରେ ଠିକ ଏଭଳି ଏକ ଘଟଣା ଘଟିଯାଇଛି। ସ୍ଵାମୀ ଫେସବୁକ ମାଧ୍ୟମରେ ଜଣେ ଅଜଣା ଯୁବତୀଙ୍କୁ ପ୍ରେମ କରିବା ପରେ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି ଫେରାର ହୋଇଯାଇଛି। ଫଳରେ ସ୍ତ୍ରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳଙ୍କ ପାଞ୍ଚବର୍ଷ ତଳେ ପୁରୀ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁତ୍ର ରବି ନାରାୟଣ ଗୋଡ଼ିଙ୍କ ସହ ହିନ୍ଦୁ ରିତିରେ ବିବାହ ହୋଇଥିଲା। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ବିଭିନ୍ନ ଆସବାବପତ୍ର, ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ଦେଇଥିଲେ। ବର୍ତ୍ତମାନ ଉଭୟଙ୍କ ଏକ ଚାରି ବର୍ଷର ଝିଅ ଟିଏ ଅଛି।

ତେବେ କିଛି ମାସ ତଳେ ରବିଙ୍କ ଗୋଆରେ ଚାକିରୀ ହୋଇଯିବାରୁ ସପରିବାର ଗୋଆରେ ରହୁଥିଲେ। ଗୋଆରେ ରହିବା ସମୟରେ ଫେସବୁକ ଜରିଆରେ ରବି ନାରାୟଣଙ୍କ ଅନ୍ୟ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହାକୁ ନେଇ ଦୀପାଞ୍ଜଳି ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ନାରାୟଣଙ୍କ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାର ଦୀପାଞ୍ଜଳି ଅଭିଯୋଗ କରିଛନ୍ତି। ଏପରିକି ଏକଥା କାହାରିକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥାନ୍ତି।

ପରିଶେଷରେ ଗତ ୧୨ ତାରିଖ ଦିନ ସ୍ବାମୀ ରବି ନାରାୟଣ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଗୋଆରେ ଛାଡିଦେଇ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ବାରମ୍ବାର ସ୍ୱାମୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ତେବେ ବାପ ଘର ଲୋକଙ୍କ ସହଯୋଗ ଦ୍ୱାରା ଦୀପାଞ୍ଜଳି ଏବଂ ତାଙ୍କର ଚାରି ବର୍ଷର ଝିଅ ସୁଦୂର ଗୋଆରୁ ଗମ୍ଭାରୀମୁଣ୍ଡା ଆସିଛନ୍ତି।

ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କୁ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଅଶ୍ରୁଳ ନିବେଦନ କରିଥିଲେ। ଯାହାଦ୍ୱାରା ଗତକାଲି ରାତିରେ ମିଶନ ଶକ୍ତିର ମହିଳାମାନଙ୍କ ଉପସ୍ଥିତିରେ ଦୀପାଞ୍ଜଳି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।