Categories
ଆଜିର ଖବର ଜାତୀୟ ଖବର

ଫେସବୁକ୍, ଇନଷ୍ଟାଗ୍ରାମ ହେଲା ଡାଉନ୍, ଆପେ ଆପେ ଲଗ୍ ଆଉଟ୍ ହେଉଛି ଆକାଉଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହଠାତ୍ ଆଜି ଡାଉନ୍ ହୋଇଯାଇଛି। ବ୍ୟବହାରକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହଠାତ୍ ଲଗ୍ ଆଉଟ୍ ହୋଇଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ନିର୍ବାଚନ: ଫେସବୁକରେ ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା, ୨୦୧୪ ପରଠାରୁ ଅନେକ ପରିସଂଖ୍ୟାନ

ଭୁବନେଶ୍ୱର: ଗଣତନ୍ତ୍ରରେ ଲୋକଙ୍କ ଭୋଟରେ ସରକାର ଗଠନ ଓ ଭଙ୍ଗ ହୋଇଥାଏ। ସମଗ୍ର ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପ୍ରଚାର। ଦୁଇ ଦଶନ୍ଧି ପୂର୍ବରୁ ଟିଭି ଓ ଖବରକାଗଜ ପ୍ରଚାରର ସବୁଠାରୁ ବଡ଼ ମାଧ୍ୟମ ଥିଲା।

୨୪ ଘଣ୍ଟାରେ ଥରେ ଖବରକାଗଜ ପ୍ରକାଶ ପାଇବା ପରେ ଖବରକାଗଜ ସର୍ବସାଧାରଣଙ୍କ ପାଖରେ ପହଞ୍ଚୁଥିବାବେଳେ ଟେଲିଭିଜନରେ ୨୪ ଘଣ୍ଟିଆ ଖବର ପ୍ରକାଶ ପାଇଥାଏ। କିନ୍ତୁ ଏବେ ସେକେଣ୍ଡରେ ଲୋକଙ୍କ ପାଖରେ ସୂଚନା ପହଞ୍ଚୁଛି ଏବଂ ଏହାର ସବୁଠାରୁ ବଡ଼ ମାଧ୍ୟମ ହେଉଛି ସୋସିଆଲ ମିଡିଆ।

୨୦୧୪ ଲୋକସଭା ନିର୍ବାଚନ ପରଠାରୁ ସୋସିଆଲ ମିଡିଆ ଭାରତରେ ନିର୍ବାଚନର ପ୍ରକୃତ ଆଧାର ପାଲଟିଛି। ହ୍ଵାଟ୍ସଆପ୍, ଫେସବୁକ୍, ଏକ୍ସ (ପୂର୍ବରୁ ଟ୍ୱିଟର), ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଏବଂ ଗୁଗୁଲ୍ ଭଳି ପ୍ଲାଟଫର୍ମ ନିର୍ବାଚନ ଫଳାଫଳ ବଦଳାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସୋସିଆଲ ମିଡିଆକୁ ସବୁଠାରୁ ବଡ଼ ଅସ୍ତ୍ର କରିଥିଲା। ସେତେବେଳେ କ୍ଷମତାରେ ଥିବା କଂଗ୍ରେସ ନିଜର ଶକ୍ତିକୁ ବୁଝି ପାରିନଥିଲା ଏବଂ ବାକି ବିରୋଧୀ ଦଳମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଥିଲା।

କିନ୍ତୁ ୨୦୧୯ ଲୋକସଭା ନିର୍ବାଚନବେଳକୁ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ମଧ୍ୟ ଏହି ଖେଳରେ ପାରଙ୍ଗମ ହୋଇଯାଇଥିଲେ। ୨୦୧୫ ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ ବହୁ ସଂଖ୍ୟାରେ ବୃଦ୍ଧି ପାଇଛି। ଭାରତରେ ଇଣ୍ଟରନେଟ୍ ଲୋକଙ୍କ ପାଖରେ ପହଞ୍ଚିବା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପହଞ୍ଚିବା ଆରମ୍ଭ କରିଛନ୍ତି।

ଏବେ ସୋସିଆଲ ମିଡିଆରେ ନ ଥିବା ପାର୍ଟି ଖୁବ୍ କମ୍ ହେବ। ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏବଂ ସମାଜବାଦୀ ପାର୍ଟି ଭଳି ପ୍ରମୁଖ ରାଜନୈତିକ ଦଳମାନେ ନିଜସ୍ୱ ‘ସାଇବର ଆର୍ମି’ ପ୍ରସ୍ତୁତ କରିଛନ୍ତି। ଏହି ଟିମଗୁଡ଼ିକ ୨୪ ଘଣ୍ଟା ଧରି କିଛି ଏଜେଣ୍ଡା କିମ୍ବା ପ୍ରଚାର ପ୍ରସାରରେ ନିୟୋଜିତ ଅଛନ୍ତି। କୌଣସି ସୂଚନା ସେକେଣ୍ଡରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚୁଛି। ଯୁବପିଢ଼ି ଏହି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିଥାନ୍ତି ଏବଂ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସୋସିଆଲ ମିଡିଆ ହେଉଛି ସବୁଠାରୁ ସହଜ ମାଧ୍ୟମ।

୨୦୧୯ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ୨୦୧୪ ପୂର୍ବରୁ ପ୍ରତି ୧୦ ଜଣ ଭୋଟରଙ୍କ ମଧ୍ୟରୁ ମାତ୍ର ଜଣେ ଫେସବୁକ୍ ବ୍ୟବହାର କରୁଥିଲେ। କିନ୍ତୁ ୨୦୧୭ ବେଳକୁ ଏହା ୨୦ ପ୍ରତିଶତ ବୃଦ୍ଧି ପାଇଥିଲା ଅର୍ଥାତ୍ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା। ଏହାପରେ ୨୦୧୯ ନିର୍ବାଚନରେ ଏହା ୩୨ ପ୍ରତିଶତ ବୃଦ୍ଧି ପାଇଥିଲା।

ହ୍ୱାଟ୍ସଆପରେ ମଧ୍ୟ ସମାନ ତଥ୍ୟ ଥିଲା ଏବଂ ୨୦୧୭ରେ ୨୨% ଏବଂ ୨୦୧୯ ସୁଦ୍ଧା ୩୪% ବୃଦ୍ଧି ଘଟିଥିଲା। ଏହି ସମୟ ମଧ୍ୟରେ ଫେସବୁକ୍ ଓ ହ୍ଵାଟ୍ସଆପ୍ ଭଳି ୟୁଟ୍ୟୁବ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ସମାନ ପ୍ରତିଶତରେ ବୃଦ୍ଧି ପାଇଛି। ୨୦୧୯ରେ ୩୧ ପ୍ରତିଶତ ଭୋଟର ଏହାକୁ ବ୍ୟବହାର କରୁଥିଲେ। ସେହିପରି ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ସଂଖ୍ୟା ୧୫ ପ୍ରତିଶତ ଥିଲା।

ଟ୍ୱିଟର ବିଷୟରେ କହିବାକୁ ଗଲେ ୨୦୧୪ରେ ୨ ପ୍ରତିଶତ ଭୋଟର ଏହାକୁ ବ୍ୟବହାର କରୁଥିଲେ, କିନ୍ତୁ ୨୦୧୯ରେ ଏହି ସଂଖ୍ୟା ୧୨ ପ୍ରତିଶତରେ ପହଞ୍ଚିଥିଲା। ପ୍ରତି ୮ ଜଣ ଭୋଟରଙ୍କ ମଧ୍ୟରୁ ଜଣେ ଏହି ସୋସିଆଲ ମିଡିଆରେ ସକ୍ରିୟ ଥିଲେ।

କିଏ କେତେ ଟଙ୍କା ଖର୍ଚ୍ଚ କରୁଛି?

ପାଖାପାଖି ଗତ ୫ ବର୍ଷ ଅର୍ଥାତ୍ ୨୦୧୯ରୁ ୨୦୨୩ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଫେସବୁକରେ ପ୍ରଚାର ପାଇଁ ୩୩ କୋଟି ଟଙ୍କା ଖର୍ଚ୍ଚ କରିଛି। ତେବେ ଏହା ସମସ୍ତ ପରାମର୍ଶଦାତାଙ୍କ ଦ୍ୱାରା ଫେସବୁକରେ ଖର୍ଚ୍ଚ କରାଯାଇଥିବା ମୋଟ ଅର୍ଥର ୧୦ ପ୍ରତିଶତ ଅଟେ।

ଏହି ସମୟ ମଧ୍ୟରେ କଂଗ୍ରେସ ୧୦.୫୮ କୋଟି, ତୃଣମୂଳ କଂଗ୍ରେସ ୮.୦୪ କୋଟି, ଡିଏମକେ ୪.୩୧ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ସମ୍ପୂର୍ଣ୍ଣ ତଥ୍ୟ ବିଜନେସ୍ ଲାଇନ୍ ଦ୍ୱାରା କରାଯାଇଥିବା ଏକ ଗବେଷଣା ଉପରେ ଆଧାରିତ। ଏହା ହେଉଛି ଫେସବୁକରେ ଥିବା ପେଜଗୁଡ଼ିକର ଡାଟା ଯାହା ପାର୍ଟି ନାମରେ ଚାଲୁଛି। ଏଥିରେ ନେତାଙ୍କ ବ୍ୟକ୍ତିଗତ ପୃଷ୍ଠାରୁ ତଥ୍ୟ ଅନ୍ତର୍ଭୁକ୍ତ ନାହିଁ।

worldpopulationreview.com ଅନୁଯାୟୀ, ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଫେସବୁକ ବ୍ୟବହାରକାରୀ ଦେଶ। ବର୍ତ୍ତମାନ ଏହି ସଂଖ୍ୟା ୩୧.୫ କୋଟି ରହିଛି। ଏବେ ଏହି ତଥ୍ୟରୁ ଆପଣ ବୁଝିପାରିବେ ଫେସବୁକ କେତେ ବଡ଼ ପ୍ରଚାରର ମାଧ୍ୟମ ଏବଂ ରାଜନୈତିକ ଦଳମାନେ ଫେସବୁକରେ କାହିଁକି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଇଣ୍ଡିଆନ୍ ପଲିଟିକାଲ୍ ଆକ୍ସନ କମିଟି (ଆଇ-ପାକ୍) ଅନେକ ରାଜନୈତିକ ଦଳର ଡିଜିଟାଲ୍ ପ୍ରମୋସନ୍ ଦାୟିତ୍ୱ ନେଇଛି। ଯେଉଁଥିରେ ଏଆଇଟିସି ଓ ୱାଇଏସଆର କଂଗ୍ରେସ ସାମିଲ ଅଛନ୍ତି। ଏହାବ୍ୟତୀତ ଆଇ-ପାକ୍ ୨୦୨୧ରେ ଅନୁଷ୍ଠିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେ ଏବଂ ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପାଇଁ ମଧ୍ୟ କାର୍ଯ୍ୟ କରିଛି।

କିଏ ଅଫିସିଆଲ୍ ପେଜରେ କେତେ ଖର୍ଚ୍ଚ କରିଛି

ଗତ ପାଞ୍ଚବର୍ଷ ମଧ୍ୟରେ ବିଜେପିର ଅଫିସିଆଲ୍ ପେଜରେ ୧୦.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାପରେ କୁପ୍ ଆପ୍ ପାଇଁ ୭.୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟିଏମସିର ପେଜ୍ ‘ବଙ୍ଗଳାର ଗୋର୍ବୋ ମମତା’ ପାଇଁ ୫.୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫେସବୁକରେ ଯେଉଁ ୧୫ଟି ପେଜରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହୋଇଛି, ସେଥିମଧ୍ୟରୁ ୬ଟି ପେଜ ବିଜେପିର ଏବଂ ୨ଟି ପେଜ କଂଗ୍ରେସର। ଏହାବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରଚାର କରିଥିବା ‘ଏକ ଧୋଖା କେଜ୍ରିୱାଲ ନେ’ ପୃଷ୍ଠାରେ ଗତ ୫ ବର୍ଷ ମଧ୍ୟରେ ୩.୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ପୃଷ୍ଠାର ନାମ ପୂର୍ବରୁ ‘ପଲ୍ଟୁ ଏକ୍ସପ୍ରେସ୍’ ଥିଲା। ଏତଦ୍ ବ୍ୟତୀତ ‘ଉଲ୍ଟା ଚସ୍ମା’ ନାମକ ଏକ ପେଜ ରହିଛି ଯେଉଁଥିରେ ବିରୋଧୀ ମେଣ୍ଟରେ ସାମିଲ ରାହୁଲ ଗାନ୍ଧି, ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଭଳି ନେତାଙ୍କ ବିରୋଧରେ ଅଭିଯାନ ଚାଲିଛି। ଗତ ପାଞ୍ଚବର୍ଷ ମଧ୍ୟରେ ଏଥିପାଇଁ ୧.୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହର ପ୍ରଲୋଭନ ଦେଇ ଧୋକା: ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ପ୍ରେମିକକୁ ବାନ୍ଧିଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଫେସବୁକରେ ବନ୍ଧୁତା ପରେ ପ୍ରେମ କରି ପ୍ରେମିକାର ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ବାଲୁଗାଁ ପୋଲିସ।

ସୂଚନା ମୁତାବକ ଗତ ବର୍ଷେ ପୂର୍ବେ ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଚକାଶୀରାମପୁର ଗ୍ରାମର ଗଦାଧର ଦାସଙ୍କ ପୁଅ ବିକାଶ ଦାସ (୨୬) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସବୁକରେ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ।ଧିରେ ଧିରେ ତାହା ପ୍ରେମରେ ପରିଣତ ହୋଇଥିଲା। ଏପରିକି ବିବାହ ପ୍ରଲୋଭନ ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଯାହାକି ପ୍ରେମିକା ଅଗୋଚରରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରି ନିଜ ମୋବାଇଲରେ କଏଦ କରି ରଖିଥିଲେ ପ୍ରେମିକ ଜଣକ।

ଏହାପରେ ଯୁବତୀଙ୍କୁ ବାରମ୍ବାର ଅନୈତିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରିବା ସହ ଟଙ୍କା ଦେବାକୁ କହି ବ୍ଲାକମେଲ କରିଆସୁଥିଲେ। ଯୁବତୀ ଜଣକ ଏଥିରେ ନିରୁତ୍ସାହିତ ହୋଇ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ବିକାଶ ଅଶ୍ଳୀଳ ଫଟୋ ଓ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ।

ଏହି ଘଟଣାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଗତ ବର୍ଷ ଜୁନ ୨୧ ରେ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ କେଶ ନଂ ୧୩୭/୨୩ ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଜାରି ରଖିଥିଲା। ସାଇବର ସେଲର ସହାୟତାରେ ଅଭିଯୁକ୍ତକୁ ଧରିବାପାଇଁ ପୋଲିସ ଜାଲ ବିଛାଇ ଥିଲା।

ତେବେ ଅଭିଯୁକ୍ତ ବିକାଶ ମହାରାଷ୍ଟ୍ର ରାଜ୍ୟ ପୁନେ ଠାରେ ଥିବା ଖବର ପାଇ ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କ ନେତୃତ୍ୱରେ ଏକ ଟିମ ଯାଇଥିବା ବେଳେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ତେବେ ବିକାଶ ଭୁବନେଶ୍ୱରରେ ଥିବା ଖବର ଜଣାପଡିବା ପରେ ଥାନାଧିକାରୀ ଶ୍ରୀ ପରିଡା ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।

ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ପରିଡା କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ହଠାତ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟସ୍ ଆପ୍ ସହିତ ଇନଷ୍ଟାଗ୍ରାମ, ଗ୍ରାହକ ହନ୍ତସନ୍ତ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ବାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମ ଭାରତ ସମେତ ପୃଥିବୀର ଅନେକ ସ୍ଥାନରେ ସୋମବାର ଦିନ ଭାରତୀୟ ସମୟ ରାତି ପ୍ରାୟ 9 ଟା ଠାରୁ ବନ୍ଦ ହୋଇଯାଇଥିଲା। ଏକାସାଙ୍ଗରେ ଏହି ତିନୋଟି ସେବା ବନ୍ଦ ହେବା ପରେ କୋଟି କୋଟି ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏହା ପରେ ଉପଭୋକ୍ତାମାନେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ସେମାନଙ୍କ ସମସ୍ୟା ବିଷୟରେ ଅଭିଯୋଗ କରିବା ଆରମ୍ଭ କରିଥିଲେ। ତେବେ ଖୁସିର କଥା ଯେ, ଦୀର୍ଘ ସମୟ ଧରି ଏହା ବନ୍ଦ ହେବା ପରେ ମଙ୍ଗଳବାରରେ ଏହା କାର୍ଯ୍ୟକାରୀ ହୋଇଛି।

ତେବେ ଏହି ସେବାଗୁଡିକ ବନ୍ଦ ହେବା ପରେ ଫେସବୁକ ଯୋଗାଯୋଗ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଷ୍ଟୋନ ଏକ ଟ୍ୱିଟରେ କହିଛନ୍ତି, “ଆମେ ଜାଣୁ କିଛି ଲୋକ ଆମର ଆପ୍ ରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି ସମସ୍ୟାଗୁଡିକ ଯଥାଶୀଘ୍ର ସମାଧାନ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ।” କୌଣସି ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।

ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍ ଏକାସାଙ୍ଗରେ ବନ୍ଦ ହେବା ପରେ ହ୍ବାଟସ୍ ଆପ୍ ଟ୍ୱିଟ୍ କରି କହିଛି ଯେ ଆମେ ଜାଣୁ ଯେ ଏହି ସମୟରେ ହ୍ବାଟସ୍ ଆପ୍ ସହିତ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହା ସ୍ୱାଭାବିକକୁ ଫେରିବା ପାଇଁ ଆମେ କାର୍ଯ୍ୟ କରୁଛୁ ଏବଂ ଯଥାଶୀଘ୍ର ଉପଭୋକ୍ତାମାନଙ୍କୁ ଅପଡେଟ୍ କରିବୁ |

ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବିଭିନ୍ନ ଦେଶରେ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା। ଯାହା ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଚଳାଉଥିବା କୋଟି ଉପଭୋକ୍ତାଙ୍କୁ କିଛି ଘଣ୍ଟା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

2021 ଜୁଲାଇ ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ ସୁବିଧା ସହ ଆର୍ଥିକ ସାହାଯ୍ୟ ଦେବ ଏହି କମ୍ପାନୀ

ୱାଶିଂଟନ୍ : କରୋନା କାରଣରୁ ଏକାଧିକ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ଅନେକ କମ୍ପାନୀ ୱର୍କ ଫ୍ରମ ହୋମ କୁ ଗୁରୁତ୍ଵ ଦେଉଛନ୍ତି।  ମାର୍କ ଜୁକରବର୍ଗଙ୍କ ଫେସବୁକ ଏବେ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାର ସୁଯୋଗ ପ୍ରଦାନ କରୁଛି । ଶୁକ୍ରବାର ଫେସବୁକ୍ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଆସନ୍ତା ଜୁଲାଇ 2021 ପର୍ଯ୍ୟନ୍ତ ଏହାର କର୍ମଚାରୀ ମାନେ ଘରୁ କାମ କରିପାରିବେ । କର୍ମଚାରୀଙ୍କ ସୁବିଧା ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଫେସବୁକ୍ ପକ୍ଷରୁ କୁହାଯାଇଛି । ଏହା ସହିତ ଫେସବୁକ୍ ପକ୍ଷରୁ ଏହାର କର୍ମଚାରୀଙ୍କୁ 1000 ଡଲାରର ଅତିରିକ୍ତ ସହାୟତା ପ୍ରଦାନ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଗାଇଡଲାଇନ ଆଧାରରେ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ଦେବାକୁ ନିଷ୍ପତ୍ତି ନେଇଛି | ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ କରିବାକୁ ନିଷ୍ପତ୍ତି ନିଆଯାଇଛି। କମ୍ପାନୀ ପକ୍ଷରୁ ଅନେକ ସ୍ଥାନରେ ଏହାର କାର୍ଯ୍ୟାଳୟ ଖୋଲାଯାଉଛି ମାତ୍ର ଆସିବାକୁ ଅସମର୍ଥ ବ୍ୟକ୍ତିଙ୍କୁ ଘରୁ ରହି ମଧ୍ୟ କାମ କରିବାର ସୁଯୋଗ ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରାଯାଇଛି ।

ପୂର୍ବରୁ ଆଲ୍ଫାବେଟ୍ ଏହାର କର୍ମଚାରୀଙ୍କୁ ଜୁନ୍ 2021 ଏବଂ ଟ୍ୱିଟ୍ଟର ଏହାର କର୍ମଚାରୀଙ୍କୁ ଅସୀମିତ ସମୟ ପାଇଁ ଘରୁ କାମ କରିବାର ସୁଯୋଗ ଦେଇଥିଲା । ସେହିପରି ଭାରତରେ ମଧ୍ୟ ବହୁ କମ୍ପାନୀ ୱର୍କ ଫ୍ରମ ହୋମକୁ ଅଗ୍ରାଧିକାର ଦେଇଥିବା ବେଳେ ଓଡିଶା ସରକାର ମଧ୍ୟ ସରକାରୀ ସ୍ତରରେ କିଛି କର୍ମଚାରୀଙ୍କୁ ୱର୍କ ଫ୍ରମ ହୋମ ପାଇଁ ସୁଯୋଗ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଫେସବୁକ ଓ ଇନଷ୍ଟାଗ୍ରାମ ସମେତ 89ଟି ଆପ୍‍ ଡିଲିଟ୍‍ କରିବାକୁ ଯବାନଙ୍କୁ ନିର୍ଦେଶ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ : ତଥ୍ୟ ଚୋରି ସନ୍ଦେହରେ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ 89ଟି ଆପ୍‍ ଡିଲିଟ୍‍ କରିବାକୁ ନିର୍ଦ୍ଦେଶ ଦେଇଛି। କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଚୋରି ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି 89ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 15 ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ଆପ୍‌ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି। ଏହି ଆପ୍‍ଗୁଡ଼ିକ ମଧ୍ୟରେ ଟିକ୍‍ଟକ୍‍, ଟ୍ରୁକଲର ଓ ଇନ୍‍ଷ୍ଟାଗ୍ରାମ ଆଦିର ସମେତ 89ଟି ଆପ ନାଁ ମଧ୍ୟ ସାମିଲ ଅଛି। ଏନେଇ ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଯବାନମାନଙ୍କୁ ଟିଣ୍ଡର ଭଳି ଡେଟିଂ ଆପ୍‍ ଓ ଡେଲୀହଣ୍ଟ ଭଳି ସମାଚାର ଆପ୍‍ ମଧ୍ୟ ଡିଲିଟ୍‍ କରିବାକୁ କୁହାଯାଇଛି।ଅନ୍ୟାନ୍ୟ ଆପ୍‍ଗୁଡ଼ିକ ମଧ୍ୟରେ ଫେସବୁକ୍‍, ଭିଚାଟ୍‍, ହାଇକ୍‍, ଲାଇକୀ, ସେୟାର ଇଟ୍‍, ୟୁସି ବ୍ରାଉଜର, ବିଗୋ ଲାଇଭ, ଜୁମ୍‍, କ୍ୟାମ୍‍ସ୍କାନର, ବ୍ୟୁଟି ପ୍ଲସ, ପବଜୀ ସମେତ ଟେନ୍‍ସେଣ୍ଟ୍‍ର ସମସ୍ତ ଗେମିଂ ଆପ୍‍, କ୍ଲବ ଫ୍ୟାକ୍ଟ୍ରୀ, ହେପ୍ପନ୍‍, ବମ୍ବଲ, 360 ସିକ୍ୟୁରିଟୀ, ପ୍ରତିଲିପି, ହଙ୍ଗାମା ଆଦି ଆପ୍‍ର ନାଁ ସାମିଲ ଅଛି।

ଦେଶର ସୁରକ୍ଷା ତଥ୍ୟ ଚୋରି ଆଶଙ୍କାରେ ସେନା ପଦକ୍ଷେପ ନେଇଛି ।  “ପାକିସ୍ତାନ ଓ ଚାଇନାର ଗୁଇନ୍ଦା ବିଭାଗ ସଦସ୍ୟମାନେ ଅନଲାଇନ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସେନାର ଅଧିକାର କହିଛନ୍ତି ।

ପୂର୍ବରୁ ନଭେମ୍ବର ମାସରେ ଅଫିସିଆଲ କାମ ପାଇଁ ହ୍ୱାଟସଆପ ବ୍ୟବହାର ନ କରିବାକୁ ସେନା ପକ୍ଷରୁ ଯବାନମାନଙ୍କୁ କୁହାଯାଇଥିଲା। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ଜିଓରେ ୪ ହଜାର ୫୪୬ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଟିପିଜି, ନିବେଶ ପରିମାଣ ୧ ଲକ୍ଷ କୋଟି ଟଙ୍କା ଟପିଲା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଟିପିଜି ଏହି ପୁଞ୍ଜିନିବେଶ କରିବ।

ଟିପିଜିର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୯୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ। ଏହି ନିବେଶ ସହିତ ୨୦୨୦ ଏପ୍ରିଲ୍ ୨୨ ପରଠାରୁ ଅଗ୍ରଣୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ନିବେଶକ ଯଥା ଫେସବୁକ୍‌, ସିଲ୍‌ଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟ୍‌ଲାଟିଂକ୍‌, କେକେଆର୍‌, ମୁବାଦଲା ଓ ଟିପିଜି ଠାରୁ ଜିଓ ପ୍ଲାଟଫର୍ମସ୍ ହାସଲ କରିଥିବା ପୁଞ୍ଜିନିବେଶ ପରିମାଣ ଏକ ଲକ୍ଷ କୋଟି ଅତିକ୍ରମ କରି ୧୦୨,୪୩୨.୪୫ କୋଟି ଟଙ୍କାରେ ପହଞ୍ଚିିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଆଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି ।

ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ ସମୂହ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିରେ ସାମିଲ୍ କରିବା ସହ ଏହାର ଫଳ ପ୍ରଦାନ କରିପାରିବ।

୧୯୯୨ରେ ସ୍ଥାପିତ ହୋଇଥିବା ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ହେଊଛି ଟିପିଜି ଯାହାର ପରିଚାଳନା ଅଧୀନରେ ପ୍ରାଇଭେଟ୍ ଇକ୍ୱିଟି, ରିଅଲ ଇଷ୍ଟେଟ୍ ଓ ପବ୍ଲିକ୍ ଇକ୍ୱିଟି ଭଳି ବିଭିନ୍ନ ପ୍ରକାର ବ୍ୟାପକ ଶ୍ରେଣୀର ୭୯ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି। ଟିପିଜର ୨୫ ବର୍ଷର ଇତିହାସରେ ଏହି ସଂସ୍ଥା ଶତାଧିକ ପୋର୍ଟଫୋଲିଓ କଂପାନି ଏବଂ ସାରା ବିଶ୍ୱରେ ପେସାଦାର (ପ୍ରଫେସନାଲ୍‌), ଏକ୍‌ଜିକ୍ୟୁଟିଭ୍ ଏବଂ ପରାମର୍ଶଦାତାଙ୍କ ଏକ ବହୁମୂଲ୍ୟ ନେ୍‌ଟ୍‌ୱର୍କ ସମ୍ବଳିତ ଇକୋସିଷ୍ଟମ୍ ନିର୍ମାଣ କରିଛିି। ବିଶ୍ୱସ୍ତରୀୟ ପ୍ରଯୁକ୍ତି କଂପାନି ଯଥା ଏୟାରବିଏନବି, ଉବର ଏବଂ ସ୍ପଟିଫାଏ ସମେତ ଅନେକ କଂପାନିରେ ଏହା ପୁଞ୍ଜିନିବେଶ କରିଛି।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଏକ ଡିଜିଟାଲ୍ ପରିବେଶ ବା ଇକୋସିଷ୍ଟମ୍ ସୃଷ୍ଟି ଜରିଆରେ ପ୍ରତିଟି ଭାରତୀୟଙ୍କ ଜୀବନକୁ ଡିଜିଟାଲ୍ ଭାବରେ ସଶକ୍ତ କରିବା ଦିଗରେ ଆମର ନିରନ୍ତର ଉଦ୍ୟମ ପଥରେ ଟିପିଜିକୁ ଏକ ମୂଲ୍ୟବାନ ନିବେଶକ ଭାବେ ସ୍ୱାଗତ କରି ମୁଁ ବେଶ୍ ଉଲ୍ଲସିତ। ବିଶ୍ୱସ୍ତରୀୟ ପ୍ରଯୁକ୍ତି ବ୍ୟବସାୟରେ ଟିପିଜିର ନିବେଶ ଟ୍ରାକ ରେକର୍ଡକୁ ନେଇ ଆମେ ଅତ୍ୟନ୍ତ ପ୍ରଭାବିତ, ଯାହା ଶତାଧିକ ନିୟୁତ ଗ୍ରାହକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ସେବା ଯୋଗାଉଥିବା ବେଳେ ଆମ ସମାଜକୁ ଆହୁରି ଉନ୍ନତ କରିଛି।’’

ଜିମ୍ କୋଲ୍‌ଟର୍‌, ସହ-ସିଇଓ, ଟିପିଜି କହିଛନ୍ତି ଯେ, “ଜିଓରେ ନିବେଶ କରିବା ଲାଗି ରିଲାଏନ୍ସ ସହିତ ସହଭାଗିତାକୁ ନେଇ ଆମେ ଅତ୍ୟନ୍ତ ଉତ୍ସାହିିତ। ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଅଭିବୃଦ୍ଧି, ପରିବର୍ତନ ଏବଂ ନୂତନତ୍ୱରେ ନିବେଶକାରୀ ଭାବେ ତଥା ଭାରତରେ ଦୀର୍ଘ କାଳର ଉପସ୍ଥିତ ସହିତ ଭାରତର ଡିଜିଟାଲ୍ ଅର୍ଥନୀତିକୁ ଆଗକୁ ବଢ଼ାଇବା ଏବଂ ବୈପ୍ଳବିକ ପରିବର୍ତନ ଆଣିବା ଲାଗି ଜିଓ ଜାରି ରଖିଥିବା ଯାତ୍ରାରେ ଭୂମିକା ନିର୍ବାହ କରିିବାକୁ ଯାଉଥିବାରୁ ଆମେ ବେଶ୍ ଉତ୍ସାହିତ।

ଜିଓ କାର୍ଯ୍ୟ କରୁଥିବା ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବାରେ ନେତୃତ୍ୱ ନେଉଥିବା ଏକ ସଂସ୍ଥା ଯାହା ଭାରତରେ କ୍ଷୁଦ୍ର ବ୍ୟବସାୟ, ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ଗୁରୁତ୍ୱପୂର୍ଣ୍ଣ, ଉଚ୍ଚ ମାନର ସେବା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରୁଛି। ଏହି କଂପାନି ବଜାରରେ ଅତୁଳନୀୟ ସୁଯୋଗ ଏବଂ କାର୍ଯ୍ୟକାରିତା କ୍ଷମତା ଆଣିଛି ଯାହା ଆଗକୁ ଆସିବାକୁ ଥିବା ପ୍ରଯୁକ୍ତି କଂପାନିଗୁଡ଼ିକ ପାଇଁ ଏକ ମାନକ ସୃଷ୍ଟି କରିଛି।’’ ଟିପିଜି ଏହାର ନିବେଶକୁ ଟିପିଜି କ୍ୟାପିଟାଲ୍ ଏସିଆ, ଟିପିଜି ଗ୍ରୋଥ୍ ଓ ଟିପିଜି ଟେକ୍ ଆଡଜାସେନ୍‌ସିଜ୍ (ଟିଟିଏଡି) ଫଣ୍ଡ୍ ଜରିଆରେ କରୁଛିି।

ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ।
ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି। ଟିପିଜି ପାଇଁ ଶାର୍ଦୁଲ ଅମରଚାନ୍ଦ ମଙ୍ଗଲଦାସ ଆଣ୍ଡ୍ କୋ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛି।

Categories
ଆଜିର ଖବର ବ୍ୟବସାୟ

ଜିଓରେ ୪୩ ହଜାର କୋଟି ଟଙ୍କା ନିବେଶ କରିବ ଫେସ୍‌ବୁକ୍‌

ମୁମ୍ବାଇ / ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସରେ ଫେସବୁକ୍ ପକ୍ଷରୁ ୪୩,୫୭୪ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଓ ଫେସବୁକ୍ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏକ ଡଲାରର ବିନିମୟ ମୂଲ୍ୟ ୭୦ ଟଙ୍କା ହିସାବରେ ଜିଓ ପ୍ଲାଟଫର୍ମସ୍‌ର ପ୍ରାକ୍‌-ଅର୍ଥ ସଂସ୍ଥାଗତ ମୂଲ୍ୟାଙ୍କନକୁ ୬୫.୯୫ ବିଲିଅନ ଡଲାର (୪.୬୨ ଲକ୍ଷ କୋଟି ଟଙ୍କା) ହିସାବ କରି ଫେସ୍‌ବୁକ୍ ତରଫରୁ ଏହି ନିବେଶ କରାଯାଇଛି । ଫେସବୁକ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ଭିତ୍ତିରେ ୯.୯୯ ପ୍ରତିଶତ ଇକ୍ୱିଟି ଅଂଶଧନରେ ପରିଣତ ହେବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ଜିଓର ଅଗ୍ରଣୀ ଡିଜିଟାଲ୍ ଆପ୍‌, ଡିଜିଟାଲ୍ ଇକୋସିଷ୍ଟମ୍ ବ୍ୟବସ୍ଥା ଓ ଭାରତର ଏକ ନମ୍ବର ଦ୍ରୁତ ବେଗରେ ଯୋଗାଯୋଗ ପ୍ଲାଟଫର୍ମକୁ ଗୋଟିଏ ଛତା ତଳକୁ ଆଣି ଭାରତରେ ଡିଜିଟାଲ୍ ସମାଜ ଗଠନ କରୁଛି । ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଯାହା ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ଯୋଗାଯୋଗ ସୁବିଧା ପ୍ରଦାନ କରୁଛି ତାହା ଜିଓ ପ୍ଲାଟଫର୍ମସ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ହୋଇରହିବ ।

ଜିଓର ଲକ୍ଷ୍ୟ ହେଉଛି ୧୩୦ କୋଟି ଭାରତୀୟ, ଭାରତୀୟ ବ୍ୟବସାୟ , ବିଶେଷକରି କ୍ଷୁଦ୍ର ବ୍ୟବସାୟୀ, ଲଘୁ-ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ଡିଜିଟାଲ୍ ଇଣ୍ଡିଆ ଗଠନ କରିବା । ଜିଓ ଭାରତୀୟ ଡିଜିଟାଲ୍ ସେବାକ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି ଏବଂ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ପ୍ରଯୁକ୍ତି ଓ ଜ୍ଞାନକୌଶଳର ଦେଶ ହେବା ତଥା ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ଅର୍ଥନୀତି ହେବା ପଥରେ ଭାରତକୁ ଆଗେଇ ନେଉଛି ।

ଫେସ୍‌ବୁକ୍ ସହିତ ଏହି ସହଭାଗିତା ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “୨୦୧୬ରେ ଯେତେବେଳେ ରିଲାଏନ୍ସ ପକ୍ଷରୁ ଜିଓର ଶୁଭାରମ୍ଭ କରାଗଲା ସେତେବେଳେ ଭାରତର ଡିଜିଟାଲ୍ ସର୍ବୋଦୟ ସ୍ୱପ୍ନକୁ ନେଇ ଆମେ ଆଗକୁ ବଢ଼ିଥିଲୁ – ଏହା ଥିଲା ପ୍ରତିଟି ଭାରତୀୟଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଭାରତର ଅନ୍ତର୍ଭୁକ୍ତୀକରଣ ଡିଜିଟାଲ୍ ଅଭ୍ୟୁଦୟ ଓ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର, ବୃଦ୍ଧି ଓ ପୁନଃର୍ବିନ୍ୟାସ ଜାରି ରଖିବା ଲାଗି ଫେସବୁକ୍‌କୁ ଆମର ଦୀର୍ଘ-ମିଆଦୀ ସହଯୋଗୀ ଭାବେ ସ୍ୱାଗତ କରିବାର ସୁଯୋଗକୁ ନେଇ ଆମେ ଅତ୍ୟନ୍ତ କୃତଜ୍ଞ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମୋଦିଙ୍କ ହିନ୍ଦୁତ୍ବବାଦୀ ଚିନ୍ତାଧାରାକୁ ଆମେରିକୀୟ ଶିଳ୍ପପତିଙ୍କ ସମାଲୋଚନା

ଡାଭୋସ୍‌ : ସ୍ବିଜରଲ୍ୟାଣ୍ଡର ଡାଭୋସ୍‌ରେ ଅନୁଷ୍ଠିତ ବିଶ୍ବ ଅର୍ଥନୈତିକ ସମ୍ମିଳନୀରେ ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସ୍‌ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ମୋଦିଙ୍କ ଉଗ୍ର ହିନ୍ଦୁତ୍ବବାଦୀ ଚିନ୍ତାଧାରାକୁ ସୋରୋସ୍‌ ସମାଲୋଚନା କରିଛନ୍ତି । ସେହିପରି ସମଗ୍ର ବିଶ୍ବରେ ଦକ୍ଷିଣପନ୍ଥୀ ରାଜନୈତିକ ଦଳ ମାନଙ୍କର ବର୍ଦ୍ଧିତ ପ୍ରଭାବ ନେଇ ମଧ୍ୟ ସୋରୋସ୍‌ ଚିନ୍ତା ବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ନେଇ ସୋରୋସ୍‌ ମତ ରଖିଥିଲେ । ଭାରତରେ ରାଜନୈତିକ ଫାଇଦା ପାଇଁ ଫେସ୍‌ବୁକ୍‌ର ବ୍ୟବହାର କରାଯାଉଛି ବୋଲି ସୋରସ୍‌ କହିଥିଲେ । କାଶ୍ମୀରରୁ ଧାରା 370 ଉଚ୍ଛେଦ ଏବଂ ବର୍ତ୍ତମାନ ସିଏଏ ଲାଗୁ କରାଯାଇ ମୁସଲିମ ମାନଙ୍କର ନାଗରିକତ୍ବ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି ସୋରୋସ୍‌ କହିଛନ୍ତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଫେସ୍‌ବୁକ୍‌ରେ ଫଲୋଅର୍ସ ବଢିବା ହେଲା କାଳ : ଚାଲିଗଲା ଜୀବନ

ଜୟପୁର : ଜୟପୁରରେ ଜଣେ ମହିଳାଙ୍କୁ ସୋସିଆଲ୍‌ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିବା ବେଶ୍‌ ମହଙ୍ଗା ପଡିଛି। ଫେସ୍‌ବୁକ୍‌ରେ ଫଲୋଅର୍ସଙ୍କ ସଂଖ୍ୟା ବଢିବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଅନୁସାରେ ଫେସ୍‌ବୁକ୍‌ରେ ମହିଳାଙ୍କର 6000ରୁ ଅଧିକ ଫଲୋଅର୍ସ ରହିଥିବାବେଳେ ସେ ଅଧିକାଂଶ ସମୟ ମୋବାଇଲ୍‌ରେ ବ୍ୟସ୍ତ ରହୁଥିଲେ । ମହିଳାଙ୍କ ଏହି ଅଭ୍ୟାସରେ ସ୍ବାମୀଜଣକ ଅତିଷ୍ଠ ହୋଇ ତାଙ୍କର ହତ୍ୟା କରିଛନ୍ତି ।

ଏହି ଘଟଣାଟି ଜୟପୁରର ଆମେର ଥାନା ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରୁ ମହିଳାଙ୍କ ରକ୍ତ ଭିଜା ଶବ ମିଳିଛି । ପୋଲିସ୍‌ ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛନ୍ତି । ମହିଳାଙ୍କୁ ହତ୍ୟା କରିବା ପରେ ତା’ଙ୍କ ପରିଚୟ ଲୁଚାଇବା ପାଇଁ ଇଟାରେ ତାଙ୍କ ମୁହଁ ଓ ମୁଣ୍ଡକୁ ବିଭତ୍ସ କରିଦେଇଥିଲେ । ଦୁଇ ବର୍ଷ ପୂର୍ବେ ଏହି ଦୁଇଜଣ ଗାଜିଆବାଦରେ ଆର୍ଯ୍ୟସମାଜରେ ବିବାହ କରିଥିବାବେଳେ ତିନି ମାସର ଏକ ପୁତ୍ର ମଧ୍ୟ ରହିଛି । ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀଜଣକ ଏପରି ବିଭତ୍ସ କାଣ୍ଡ ଘଟାଇଛନ୍ତି । ସୋସିଆଲ ମିଡିଆରେ ମହିଳାଜଣକ ନିଜର ଫଟୋ ଓ ଭିଡିଓ ସେୟାର କରୁଥିବାବେଳେ ତାଙ୍କର ଅତ୍ୟଧିକ ଫୋଲଅର୍ସ ରହିଥିଲେ । ଏହାକୁ ନେଇ ମହିଳାଙ୍କ ସ୍ବାମୀଜଣକ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ଯାହାର ଫଳ ସ୍ବରୂପ ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦୀର୍ଘ 48 ବର୍ଷ ପରେ ଏକାଠି ହେଲେ ପିତା-ପୁତ୍ର : ମାଧ୍ୟମ ସାଜିଲା ଫେସ୍‌ବୁକ୍‌

ଢାକା: ସୋସିଆଲ ମିଡିଆ ଜରିଆରେ ପୁଣି ଥରେ ଜଣେ ତାଙ୍କ ପରିବାର ପାଖକୁ ଫେରିପାରିଛନ୍ତି। ଜଣେ ବ୍ୟକ୍ତି 48 ବର୍ଷ ପରେ ତାଙ୍କ ପରିବାରକୁ ଭେଟିଛନ୍ତି । ଫେସବୁକ୍ ଭିଡିଓରେ ପରିବାରର ଜଣେ ସଦସ୍ୟଙ୍କୁ ଫେରିପାରିଛନ୍ତି ସମ୍ପୃକ୍ତ ପରିବାର। ବ୍ୟବସାୟ କରିବାକୁ ଯାଇ ଜଣେ ବ୍ୟକ୍ତି 48 ବର୍ଷ ପୂର୍ବେ ଘର ଛାଡିଥିଲେ। ତା’ପରେ ସେ ଆଉ ଘରକୁ ଫେରିନଥିଲେ । ବ୍ୟକ୍ତିଜଣକ ହେଉଛନ୍ତି ହବୀର୍‌ ରହମାନ୍‌। ହବୀର୍‌ ରହମାନ୍‌ ନିଜ ଗ୍ରାମ ସିଲହଟ୍‌ର ବାଜଗ୍ରାମଠାରେ ରଡ୍‌ ଓ ସିମେଣ୍ଟର ବ୍ୟବସାୟ କରୁଥିଲେ । କିଛି ବ୍ୟବସାୟ କାର୍ଯ୍ୟ କାରଣରୁ ନିଜ ହୋମଟାଉନ୍‌ରୁ ବାହାରକୁ ଆସିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଆଉ ଫେରିନଥିଲେ। ତାଙ୍କ ପରିବାର ସଦସ୍ୟ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇନଥିଲେ । ଘରୁ ବାହାରିବା ବେଳକୁ ତାଙ୍କୁ 30 ବର୍ଷ ବୟସ ହୋଇଥିଲା।

ଗତ ଶୁକ୍ରବାର ଦିନ ହବୀର୍‌ଙ୍କ ବଡ ପୁତ୍ରଙ୍କ ପତ୍ନୀ, ଯିଏ ଆମେରିକାରେ ବସବାସ କରୁଛନ୍ତି। ସେ ଏକ ଫେସ୍‌ବୁକ୍‌ ଭିଡିଓ ଦେଖିଥିଲେ। ସେହି ଭିଡିଓରେ ଜଣେ ବ୍ୟକ୍ତି ପଇସା ଅଭାବରୁ ଚିକିତ୍ସିତ ହୋଇପାରୁନଥିଲେ। ସେ ସଙ୍ଗେ ସଙ୍ଗେ ଏହି ଭିଡିଓଟିକୁ ତାଙ୍କ ସ୍ବାମୀଙ୍କୁ ଦେଖାଇଥିଲେ। ସେ ପୂର୍ବରୁ ତାଙ୍କ ଶଶୁରଙ୍କ କାହାଣୀ ଶୁଣିଥିଲେ। ତାଙ୍କ ସ୍ବାମୀ ଏହି ଭିଡିଓଟି ଦେଖି ସଙ୍ଗେ ସଙ୍ଗେ ତାଙ୍କ ଭାଇମାନଙ୍କୁ ସିଲହଟ୍‌କୁ ଯାଇ ସେଠାରେ ଥିବା ରୋଗୀଙ୍କୁ ଦେଖିବାକୁ କହିଥିଲେ। ଶନିବାର ସକାଳୁ ତାଙ୍କ ଭାଇମାନେ ହସ୍ପିଟାଲ୍‌ ଯାଇ ରୋଗୀଙ୍କୁ ଦେଖି ଜାଣିପାରିଲେ ଯେ, ସେ ରୋଗୀ ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ତାଙ୍କର ସେଇ ହଜିଯାଇଥିବା ବାପା।

ହବୀର୍‌ଙ୍କ ପୁତ୍ର କହିଛନ୍ତି ଯେ, ମୋର ମନେ ଅଛି ବାପାଙ୍କୁ ମୋ’ ମା ଓ ଚାଚାମାନେ ବହୁ ବର୍ଷ ପର୍ଯ୍ୟନ୍ତ ଖୋଜାଖୋଜି କଲେ। କିନ୍ତୁ ପାଇନଥିଲେ। 2000 ମସିହାରେ ତାଙ୍କ ମା’ ଆରପାରିକୁ ଚାଲିଯାଇଥିବାବେଳେ ଦୀର୍ଘ 48 ବର୍ଷ ପରେ ତାଙ୍କ ପିତାଙ୍କୁ ଫେରି ପାଇ ସେମାନେ ଖୁସି ହୋଇଛନ୍ତି।

ଗତ 25 ବର୍ଷ ଧରି ହବୀର୍‌ ରାୟସୋରି ଅଞ୍ଚଳରେ ରହୁଥିବାବେଳେ ରେଜିଆ ବେଗମ୍‌ ନାମରେ ଜଣେ ମହିଳା ତାଙ୍କର ଦେଖାରେଖା କରୁଥିଲେ । ରେଜିଆ କହିଛନ୍ତି ଯେ, ତାଙ୍କୁ 1995 ମସିହାରେ ହଜରତ୍‌ ସାହବ୍‌ ଉଦିନ୍‌ ସିରିନ୍‌ଠାରୁ ପାଇଥିଲେ । ଯାଯାବର ଭାବରେ ସେ ଜୀବନଯାପନ କରୁଥିବାରୁ ହବୀର୍‌ଙ୍କୁ ସେ ପୀର୍‌ ବାବା ବୋଲି ସମ୍ମାନ କରୁଥିଲେ ।

ପରିବାରର ସଦସ୍ୟମାନେ ହବୀର୍‌ଙ୍କୁ ନେଇ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଘରୋଇ ହସ୍ପିଟାଲ୍‌କୁ ନେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଫେସ୍‌ବୁକ୍‌ର 4 ନୂତନ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ : ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଫେସ୍‌ବୁକ୍ ପକ୍ଷରୁ 4ଟି ନୂତନ ବୈଶିଷ୍ଟ୍ୟ ଯୋଡାଯାଇଛି । ପ୍ରାଇଭେସୀ ଚେକ୍‌ଅପ୍‌ ଟୁଲ୍‌ ଶେଷଥର ପାଇଁ 2014ରେ ଅପ୍‌ଡେଟ୍‌ କରାଯାଇଥିଲା । ସେହପରି କିଛି ପୋଷ୍ଟ ବା ସେୟାର କଲେ କିଏ ଦେଖିପାରିବେ ତା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିପାରିବେ । ସେହିପରି ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଫଟୋ ଏବଂ ଫୋନ୍‌ ନମ୍ବର କିଏ ଦେଖିବେ ତାହା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିବେ । ସେହିପରି ନିଜ ପାସଓ୍ବାର୍ଡକୁ ବଦଳାଇ ଦୃଢ ପାସଓ୍ବାର୍ଡ ରଖିବା ପାଇଁ ଫେସବୁକ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୋମବାର ଏକ ବ୍ଲଗ୍‌ପୋଷ୍ଟ ଜରିଆରେ ଫେସ୍‌ବୁକ୍‌ ପକ୍ଷରୁ ଏହି ସୂଚନା ଦେଇଛି ।

ସେହିପରି ଫେସ୍‌ବୁକ୍‌ରେ ଆପଣଙ୍କୁ କିଏ ଖୋଜି ପାରିବେ ତାହା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିପାରିବେ । ଫେସ୍‌ବୁକ୍‌ର ଡାଟା ସେଟିଂକୁ ଯାଇ କିଏ ଆପଣଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବେ ତାହା ବ୍ୟବହାରକାରୀ ସ୍ଥିର କରିବେ । କୌଣସି ଆପ୍‌ରେ କିଛି ସେୟାର କରିବାକୁ ଚାହୁଁଥିଲେ ଡାଟା ସେଟିଂ ଜରିଆରେ ଏହାକୁ ଏଡିଟ୍‌ କରାଯାଇପାରିବ । ସେହିପରି ପ୍ରାଇଭାସୀ ଚେକ୍‌ଅପ୍‌ ଆଇକନ୍‌ରେ କ୍ଲିକ୍‌ କରି ନୂତନ ଭାବରେ ଅପଡେଟ୍‌ ହୋଇଥିବା ବୈଶିଷ୍ଟ୍ୟର ଲାଭ ଉଠାଇ ପାରିବେ ଫେସ୍‌ବୁକ୍‌ ବ୍ୟବହାରକାରୀ । (ଏଜେନ୍ସୀ)

Categories
ଆଜିର ଖବର

ଗୁଜବ ସମ୍ପର୍କିତ ୭୦୦ ପେଜ୍‌ ହଟାଇଲା ଫେସ୍‌ବୁକ୍‌

ସାମାଜିକ ଗଣମାଧ୍ୟମର ଅଗ୍ରଣୀ କମ୍ପାନୀ ଫେସ୍‍ବୁକ୍‍ ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଫେସ୍‍ବୁକ୍‍ ଦାବି କରିଛି ଯେ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ସମ୍ପର୍କିତ ପେଜ୍‍ ଏବଂ  କଂଗ୍ରେସ ଦଳ ସମ୍ପର୍କିତ ପେଜ୍‌ଗୁଡ଼ିକୁ ଫେସ୍‍ବୁକ୍‍ରୁ ଅପସାରଣ କରିନିଆଯାଇଛି। ଅନ୍ତର୍ଜାତୀୟ ନ୍ୟୁଜ୍‍ ଏଜେନ୍ସି ରୟଟର୍ସ ଦ୍ୱାରା ଫେଜ୍‍ ଅପସାରଣ ନେଇ ସୂଚନା ଦିଆଯାଇଛି। ଫେସ୍‍ବୁକ୍‍ ପକ୍ଷରୁ କୁହାଯାଇଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସମ୍ପର୍କିତ ୬୮୭ଟି ପେଜ୍‍ ଏବଂ ଆକାଉଣ୍ଟ ଅପସାରଣ କରିନିଆଯାଇଛି। ଏହାସହ ଫେସ୍‍ବୁକ୍‍ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ୧୦୩ ଆକାଉଣ୍ଟ ହଟାଇ ଦେଇଛି। ପ୍ରଥମ ଥର ଫେସ୍‍ବୁକ୍‍ ଏକ ବଡ଼ ରାଜନୈତିକ ଦଳ ସମ୍ପର୍କିତ ପେଜ୍‍ ଓ ଆକାଉଣ୍ଟକୁ ହଟାଇଛି। ଏହି ପେଜ ଏବଂ ଆକାଉଣ୍ଟଗୁଡ଼ିକରୁ ପ୍ରକାଶିତ ପୋଷ୍ଟ ଏବଂ ଫଟୋରେ ଭୁଲ ତଥ୍ୟ ଦିଆଯାଉଥିବା ଜଣାପଡ଼ିବା ପରେ ସେଗୁଡ଼ିକୁ ହଟାଇ ଦିଆଯାଇଛି ବୋଲି ଫେସ୍‍ବୁକ୍‍ ସୂଚନା ଦେଇଛି। ଫେସ୍‍ବୁକ୍‍ ନିଜ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ଲୋକଙ୍କ ନକଲି ଆକାଉଣ୍ଟ ତିଆରି କରାଯାଇ ବିଭିନ୍ନ ପେଜ ସହ ଲିଙ୍କ୍‍ କରାଯାଇଥିଲା। ଏହି ଆକାଉଣ୍ଟ ଓ ପେଜ ଦ୍ୱାରା ଭୁଲ ଏବଂ ଭ୍ରମିତ ତଥ୍ୟର ପ୍ରସାରଣ କରାଯାଉଥିଲା। ଏହି ପେଜ ଓ ଆକାଉଣ୍ଟଗୁଡ଼ିକରେ ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରାଯାଉଥିଲା। ସୂଚନାଯୋଗ୍ୟ ଯେ ଚଳିତ ଥର ଅପ୍ରେଲ ୧୧ରୁ ମଇ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ମଇ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।