ଜିଓରେ ୪୩ ହଜାର କୋଟି ଟଙ୍କା ନିବେଶ କରିବ ଫେସ୍‌ବୁକ୍‌

Published: Apr 22, 2020, 5:50 pm IST

ମୁମ୍ବାଇ / ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସରେ ଫେସବୁକ୍ ପକ୍ଷରୁ ୪୩,୫୭୪ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଓ ଫେସବୁକ୍ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏକ ଡଲାରର ବିନିମୟ ମୂଲ୍ୟ ୭୦ ଟଙ୍କା ହିସାବରେ ଜିଓ ପ୍ଲାଟଫର୍ମସ୍‌ର ପ୍ରାକ୍‌-ଅର୍ଥ ସଂସ୍ଥାଗତ ମୂଲ୍ୟାଙ୍କନକୁ ୬୫.୯୫ ବିଲିଅନ ଡଲାର (୪.୬୨ ଲକ୍ଷ କୋଟି ଟଙ୍କା) ହିସାବ କରି ଫେସ୍‌ବୁକ୍ ତରଫରୁ ଏହି ନିବେଶ କରାଯାଇଛି । ଫେସବୁକ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ଭିତ୍ତିରେ ୯.୯୯ ପ୍ରତିଶତ ଇକ୍ୱିଟି ଅଂଶଧନରେ ପରିଣତ ହେବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ଜିଓର ଅଗ୍ରଣୀ ଡିଜିଟାଲ୍ ଆପ୍‌, ଡିଜିଟାଲ୍ ଇକୋସିଷ୍ଟମ୍ ବ୍ୟବସ୍ଥା ଓ ଭାରତର ଏକ ନମ୍ବର ଦ୍ରୁତ ବେଗରେ ଯୋଗାଯୋଗ ପ୍ଲାଟଫର୍ମକୁ ଗୋଟିଏ ଛତା ତଳକୁ ଆଣି ଭାରତରେ ଡିଜିଟାଲ୍ ସମାଜ ଗଠନ କରୁଛି । ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଯାହା ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ଯୋଗାଯୋଗ ସୁବିଧା ପ୍ରଦାନ କରୁଛି ତାହା ଜିଓ ପ୍ଲାଟଫର୍ମସ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ହୋଇରହିବ ।

ଜିଓର ଲକ୍ଷ୍ୟ ହେଉଛି ୧୩୦ କୋଟି ଭାରତୀୟ, ଭାରତୀୟ ବ୍ୟବସାୟ , ବିଶେଷକରି କ୍ଷୁଦ୍ର ବ୍ୟବସାୟୀ, ଲଘୁ-ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ଡିଜିଟାଲ୍ ଇଣ୍ଡିଆ ଗଠନ କରିବା । ଜିଓ ଭାରତୀୟ ଡିଜିଟାଲ୍ ସେବାକ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି ଏବଂ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ପ୍ରଯୁକ୍ତି ଓ ଜ୍ଞାନକୌଶଳର ଦେଶ ହେବା ତଥା ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ଅର୍ଥନୀତି ହେବା ପଥରେ ଭାରତକୁ ଆଗେଇ ନେଉଛି ।

ଫେସ୍‌ବୁକ୍ ସହିତ ଏହି ସହଭାଗିତା ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “୨୦୧୬ରେ ଯେତେବେଳେ ରିଲାଏନ୍ସ ପକ୍ଷରୁ ଜିଓର ଶୁଭାରମ୍ଭ କରାଗଲା ସେତେବେଳେ ଭାରତର ଡିଜିଟାଲ୍ ସର୍ବୋଦୟ ସ୍ୱପ୍ନକୁ ନେଇ ଆମେ ଆଗକୁ ବଢ଼ିଥିଲୁ – ଏହା ଥିଲା ପ୍ରତିଟି ଭାରତୀୟଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଭାରତର ଅନ୍ତର୍ଭୁକ୍ତୀକରଣ ଡିଜିଟାଲ୍ ଅଭ୍ୟୁଦୟ ଓ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର, ବୃଦ୍ଧି ଓ ପୁନଃର୍ବିନ୍ୟାସ ଜାରି ରଖିବା ଲାଗି ଫେସବୁକ୍‌କୁ ଆମର ଦୀର୍ଘ-ମିଆଦୀ ସହଯୋଗୀ ଭାବେ ସ୍ୱାଗତ କରିବାର ସୁଯୋଗକୁ ନେଇ ଆମେ ଅତ୍ୟନ୍ତ କୃତଜ୍ଞ ।

Related posts