ହଠାତ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟସ୍ ଆପ୍ ସହିତ ଇନଷ୍ଟାଗ୍ରାମ, ଗ୍ରାହକ ହନ୍ତସନ୍ତ

Published: Oct 5, 2021, 9:41 am IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ବାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମ ଭାରତ ସମେତ ପୃଥିବୀର ଅନେକ ସ୍ଥାନରେ ସୋମବାର ଦିନ ଭାରତୀୟ ସମୟ ରାତି ପ୍ରାୟ 9 ଟା ଠାରୁ ବନ୍ଦ ହୋଇଯାଇଥିଲା। ଏକାସାଙ୍ଗରେ ଏହି ତିନୋଟି ସେବା ବନ୍ଦ ହେବା ପରେ କୋଟି କୋଟି ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏହା ପରେ ଉପଭୋକ୍ତାମାନେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ସେମାନଙ୍କ ସମସ୍ୟା ବିଷୟରେ ଅଭିଯୋଗ କରିବା ଆରମ୍ଭ କରିଥିଲେ। ତେବେ ଖୁସିର କଥା ଯେ, ଦୀର୍ଘ ସମୟ ଧରି ଏହା ବନ୍ଦ ହେବା ପରେ ମଙ୍ଗଳବାରରେ ଏହା କାର୍ଯ୍ୟକାରୀ ହୋଇଛି।

ତେବେ ଏହି ସେବାଗୁଡିକ ବନ୍ଦ ହେବା ପରେ ଫେସବୁକ ଯୋଗାଯୋଗ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଷ୍ଟୋନ ଏକ ଟ୍ୱିଟରେ କହିଛନ୍ତି, “ଆମେ ଜାଣୁ କିଛି ଲୋକ ଆମର ଆପ୍ ରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି ସମସ୍ୟାଗୁଡିକ ଯଥାଶୀଘ୍ର ସମାଧାନ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ।” କୌଣସି ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।

ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍ ଏକାସାଙ୍ଗରେ ବନ୍ଦ ହେବା ପରେ ହ୍ବାଟସ୍ ଆପ୍ ଟ୍ୱିଟ୍ କରି କହିଛି ଯେ ଆମେ ଜାଣୁ ଯେ ଏହି ସମୟରେ ହ୍ବାଟସ୍ ଆପ୍ ସହିତ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହା ସ୍ୱାଭାବିକକୁ ଫେରିବା ପାଇଁ ଆମେ କାର୍ଯ୍ୟ କରୁଛୁ ଏବଂ ଯଥାଶୀଘ୍ର ଉପଭୋକ୍ତାମାନଙ୍କୁ ଅପଡେଟ୍ କରିବୁ |

ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବିଭିନ୍ନ ଦେଶରେ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା। ଯାହା ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଚଳାଉଥିବା କୋଟି ଉପଭୋକ୍ତାଙ୍କୁ କିଛି ଘଣ୍ଟା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Related posts