ଫେସ୍‌ବୁକ୍‌ରେ ଫଲୋଅର୍ସ ବଢିବା ହେଲା କାଳ : ଚାଲିଗଲା ଜୀବନ

Published: Jan 21, 2020, 1:14 pm IST

ଜୟପୁର : ଜୟପୁରରେ ଜଣେ ମହିଳାଙ୍କୁ ସୋସିଆଲ୍‌ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିବା ବେଶ୍‌ ମହଙ୍ଗା ପଡିଛି। ଫେସ୍‌ବୁକ୍‌ରେ ଫଲୋଅର୍ସଙ୍କ ସଂଖ୍ୟା ବଢିବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଅନୁସାରେ ଫେସ୍‌ବୁକ୍‌ରେ ମହିଳାଙ୍କର 6000ରୁ ଅଧିକ ଫଲୋଅର୍ସ ରହିଥିବାବେଳେ ସେ ଅଧିକାଂଶ ସମୟ ମୋବାଇଲ୍‌ରେ ବ୍ୟସ୍ତ ରହୁଥିଲେ । ମହିଳାଙ୍କ ଏହି ଅଭ୍ୟାସରେ ସ୍ବାମୀଜଣକ ଅତିଷ୍ଠ ହୋଇ ତାଙ୍କର ହତ୍ୟା କରିଛନ୍ତି ।

ଏହି ଘଟଣାଟି ଜୟପୁରର ଆମେର ଥାନା ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରୁ ମହିଳାଙ୍କ ରକ୍ତ ଭିଜା ଶବ ମିଳିଛି । ପୋଲିସ୍‌ ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛନ୍ତି । ମହିଳାଙ୍କୁ ହତ୍ୟା କରିବା ପରେ ତା’ଙ୍କ ପରିଚୟ ଲୁଚାଇବା ପାଇଁ ଇଟାରେ ତାଙ୍କ ମୁହଁ ଓ ମୁଣ୍ଡକୁ ବିଭତ୍ସ କରିଦେଇଥିଲେ । ଦୁଇ ବର୍ଷ ପୂର୍ବେ ଏହି ଦୁଇଜଣ ଗାଜିଆବାଦରେ ଆର୍ଯ୍ୟସମାଜରେ ବିବାହ କରିଥିବାବେଳେ ତିନି ମାସର ଏକ ପୁତ୍ର ମଧ୍ୟ ରହିଛି । ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀଜଣକ ଏପରି ବିଭତ୍ସ କାଣ୍ଡ ଘଟାଇଛନ୍ତି । ସୋସିଆଲ ମିଡିଆରେ ମହିଳାଜଣକ ନିଜର ଫଟୋ ଓ ଭିଡିଓ ସେୟାର କରୁଥିବାବେଳେ ତାଙ୍କର ଅତ୍ୟଧିକ ଫୋଲଅର୍ସ ରହିଥିଲେ । ଏହାକୁ ନେଇ ମହିଳାଙ୍କ ସ୍ବାମୀଜଣକ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ଯାହାର ଫଳ ସ୍ବରୂପ ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ । (ଏଜେନ୍ସି)

Related posts