ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ପବିତ୍ର ପୀଠରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ ଆରମ୍ଭ ହୋଇଯାଇଛି।
୧୮ ଫେବୃଆରୀରେ ଅଙ୍କୁରାରୋପଣ (ଜଳଯାତ୍ରା) ଶାସ୍ତ୍ରୋକ୍ତ ବିଧିରେ ସମ୍ପନ୍ନ ହୋଇଥିଲା ଏବଂ ୧୯ ଫେବୃଆରୀରେ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ ହୋଇଛି।
ଏହି ପବିତ୍ର ଅବସରରେ କପିଳାସ ନିବାସୀ ପରମାରାଧ୍ୟ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବ, ବିଶ୍ଵପ୍ରସିଦ୍ଧ ପୁରୀସ୍ଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ , ଘଟଗାଁର ଅଧିଷ୍ଠାତ୍ରୀ ମା ତାରିଣୀ ଦେବୀ, ଇଚ୍ଛାପୁର ଗ୍ରାମର ଅଧିଷ୍ଠାତ୍ରୀ ମା ରାମଚଣ୍ଡୀ ଦେବୀ, ହରିପୁର ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ପ୍ରତାପରୁଦ୍ର ଦେବ, ନଈରୀ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ହରିହର ଦେବ ଏବଂ ବାଲିଆ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ଆଜ୍ଞାମାଳ ଯଜ୍ଞବେଦୀରେ ବିରାଜମାନ କରିଛନ୍ତି । ଏହାସହ ହରିପୁର ଗ୍ରାମର ମା ଦୁଆରଶୁଣୀ କାଠି ଠାକୁରାଣୀ ଦେବୀ ଏବଂ ନିଜ ଗ୍ରାମର ଦେବାଦେବୀ ଯଥା ପରମପୂଜ୍ୟ ଶ୍ରୀ ଶ୍ରୀ ଯଜ୍ଞନାରାୟଣ ଦେବ, ଶ୍ରୀ ଶ୍ରୀ ଗାଦିଶ୍ୱର ଦେବ ଓ ଶ୍ରୀ ଶ୍ରୀ ତ୍ରିନାଥ ଦେବ ମଧ୍ୟ ଯଜ୍ଞବେଦୀରେ ବିରାଜମାନହୋଇ ଯଜ୍ଞକୁ ମହିମାମଣ୍ଡିତ କରିଛନ୍ତି।
୨୦ ଠାରୁ ୨୨ ଫେବୃଆରୀ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ଏକଲକ୍ଷ ଆଠ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଚାଲିଛି।ପ୍ରତ୍ୟହ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ଚଣ୍ଡୀପାଠ, ପଞ୍ଚାକ୍ଷରୀ ଜପ, ଘୃତାହୁତି, ୧୦୦୮ ବେଲପତ୍ର ଅର୍ପଣ, ନାମସଙ୍କୀର୍ତ୍ତନ, ପ୍ରବଚନ, ଆରତୀ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଭକ୍ତିଭାବରେ ଅନୁଷ୍ଠିତ ହେଉଛି।
ଭକ୍ତମନଙ୍କ ମନୋରଞ୍ଜନ ନିମନ୍ତେ ଦୁର୍ଗାଶ୍ରୀ ଗଣନାଟ୍ୟ ଦ୍ଵାରା ୨୧ ଠାରୁ ୨୩ ଫେବୃଆରୀ ମଧ୍ୟରେ ରାତ୍ରକାଳରେ ନାଟକ ପରିବେଷିତ ହେଉଅଛି।
ବିଶ୍ୱଶାନ୍ତି ଓ ସମସ୍ତଙ୍କ ମଙ୍ଗଳକାମନ ନିମନ୍ତେ ତା ୨୩/୦୨/୨୦୨୬ ରିଖ ଦିବା ଘ.୩.୩୦ ମି ଗତେ ସନ୍ଧ୍ୟା ୫.୪୫ମି ମଧ୍ୟରେ ପୂର୍ଣାହୂତି ସମ୍ପର୍ଣ୍ଣ ହେବ।


