ଭୁବନେଶ୍ଵର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏକ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି କେନ୍ଦ୍ର ସରକାର, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀର ମୂଲ୍ୟକୁ ତର୍ଜମା କରି ରାଜ୍ୟରେ କିଭଳି ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ କରି ହେବ, ତାହାରି ଉପରେ ବିସ୍ତୃତ ଭାବେ ଆଲୋଚ଼ନା କରିଛନ୍ତି।
ତତସହିତ ପରିବହନ ଖର୍ଚ୍ଚକୁ ହିସାବକୁ ନେଇ ବାଲି, ଗୋଡ଼ି, ଇଟା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଇନ୍ଡୋର ଏବଂ ଆଉଟ୍ଡୋର ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ପ୍ରି-ଫେବ୍ରିକେଟେଡ୍ ସାମଗ୍ରୀ, କୋଠାବାଡ଼ିରେ ବ୍ୟବହୃତ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ନିର୍ମାଣ ସାମଗ୍ରୀର ଗୁରୁତ୍ୱ ଓ ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଶୀଘ୍ର ସମାପ୍ତି କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଗୁରୁତ୍ବାରୋପ କରିଛନ୍ତି।
ଏହି ବୈଠକରେ ଇଆଇସି-ତଥା-ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ଡିଜାଇନ) ଇଂ ସମୀର ହୋତା, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍ସ) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ଇଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ଇଂ ଶିବବ୍ରତ ତରିଆ, ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


