ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ପର୍ବ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟରେ ରୁଷିକୁଲ୍ୟା ନଦୀ କୂଳରେ ପାହାଡ଼ ଶୀର୍ଷରେ ଅବସ୍ଥିତ ଏହି ପ୍ରସିଦ୍ଧ ଶକ୍ତିପୀଠରେ ମା’ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖାଯାଇଛି। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରରେ ମା’ ତାରାତାରିଣୀ ପୀଠରେ ଆୟୋଜିତ ହୁଏ ପବିତ୍ର ଚୈତ୍ର ପର୍ବ। ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ଉତ୍ସବ ଭାବେ ପରିଚିତ ଏହି ପର୍ବରେ ପ୍ରତିବର୍ଷ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏବର୍ଷ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖାଯାଇଛି। ସୂଚାରୁ ରୂପେ ମା’ଙ୍କ ନୀତିକାନ୍ତି ସମ୍ପନ୍ନ କରାଯିବା ପରେ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମନ୍ଦିର ପରିସରରେ ଭକ୍ତି ଓ ଆସ୍ଥାର ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଥିଲା।
ଏହି ପର୍ବର ଅନ୍ୟତମ ଆକର୍ଷଣ ହେଉଛି ମାନସିକ ପୂରଣ ପାଇଁ ମୁଣ୍ଡନ ପ୍ରଥା। ହଜାର ହଜାର ଭକ୍ତ ମୁଣ୍ଡନ କରାଇ ମା’ଙ୍କୁ ପୂଜା ଅର୍ପଣ କରି ନିଜ ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି। ଭକ୍ତମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ, ବିଶ୍ରାମ ସ୍ଥଳ, ଅନ୍ନ ପ୍ରସାଦ ବଣ୍ଟନ ସହ ବିଭିନ୍ନ ସୁବିଧା କରାଯାଇଛି । ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଅଂଶୁଘାତ ଚିକିତ୍ସା ପାଇଁ ଦୁଇଟି ଶୀତତାପ ନିୟନ୍ତ୍ରିତ ଗୃହର ବ୍ୟବସ୍ଥା ମଧ୍ୟ କରାଯାଇଛି। ମନ୍ଦିରକୁ ଯାଉଥିବା ଭକ୍ତମାନଙ୍କ ପାଇଁ ବସ ଓ ରୋପୱେ ବ୍ୟବସ୍ଥା ରହିଛି। ବସ ଭଡା ୩୦ ଟଙ୍କା ଓ ରୋପୱେ ଭଡା ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ, ପ୍ରାଥମିକ ଚିକିତ୍ସା, ଅଗ୍ନିଶମ ଓ ଆମ୍ବୁଲାନ୍ସ ବ୍ୟବସ୍ଥା ସହ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।


