ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଭୋରରୁ ରେଢ଼ାଖୋଲ ଥାନା ଢ଼ୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମାକୁ ଏନକାଉଣ୍ଟର କରିଛି ପୋଲିସ। ତାର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ବୁଲା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଟିମା ନାଁରେ ବିଭିନ୍ନ ଜିଲ୍ଲାରେ ୪୦ ରୁ ଅଧିକ ମାମଲା ଥିବା ପୋଲିସ କହିଛି। ଟିମାର ୩ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି।
ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ନାକଟିଦେଉଳ ବ୍ଲକ ଢୁଙ୍କଛାଲି ଜଙ୍ଗଲ ଅଞ୍ଚଳରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମା ଓ ତାର ତିନି ସହଯୋଗୀ ଥିବା ପୋଲିସ୍ ଜାଣିବାକୁ ପାଇଥିଲା। ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା। କିନ୍ତୁ ପୋଲିସକୁ ଚକମା ଦେଇ ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚାଲାଇଥିଲେ।
ଏହାର ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଅପରାଧୀ ୩ ରାଉଣ୍ଡ ଗୁଳି ଚଲାଇଥିବା ବେଳେ ପୋଲିସ ମଧ୍ୟ ୨ ରାଉଣ୍ଡ ଗୁଳି ଚଲାଇବାକୁ ବାଧ୍ୟ ହୋଇଥିଲା। ତାର ୩ ଜଣ ସହଯୋଗୀକୁ ଘଟଣା ସ୍ଥଳରୁ ପୋଲିସ ଗିରଫ କରିବା ସହିତ ଟିମାକୁ ମଧ୍ୟ କବ୍ଜା କରିବାରେ ସଫଳ ହୋଇଥିଲା।
ପୋଲିସ ଏକ ପିସ୍ତଲ ସହିତ ଜୀବନ୍ତ ଗୁଳି, ଏକ ବୋଲେରୋ ଗାଡ଼ି, ଏକ ତାର କଟର ଓ ବିଦ୍ୟୁତ ତାର କାଟିବାରେ ବ୍ୟବହୃତ ଅନ୍ୟାନ୍ୟ ଉପକରଣ ଜବତ କରିଛି। ସମ୍ବଲପୁର, ରେଢ଼ାଖୋଲ ଓ ନାକଟିଦେଉଳ ପୋଲିସ୍ ମିଳିତ ବାହିନୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।


