ଭୁବନେଶ୍ଵର: ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଘଟିଥିବା ଅଗ୍ନିକାଣ୍ଡ ପରେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏକ ଉଚ୍ଚସ୍ତରୀୟ ବୈଠକରେ ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏ ସଂପର୍କରେ ବିଭିନ୍ନ ପଦକ୍ଷେପ ନେଇ ସଂପୃକ୍ତ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହିତ ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ଯଥେଷ୍ଟ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଅଗ୍ନିଶମ ସେବା ପୁଲିସ୍ ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀ, ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢୀ, ଶକ୍ତି , ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଭୁବନେଶ୍ୱର ମହାନଗର ନିଗମ କମିଶନର ଚଂଚଳ ରାଣାଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ମୁଖ୍ୟ ଶାସନ ସଚିବ ଅଗ୍ନି ନିରାପତ୍ତା ପ୍ରତି ସରକାରଙ୍କ ତରଫରୁ ରହିଥିବା ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ। ଅଗ୍ନି ସୁରକ୍ଷା ସଂପର୍କିତ ନିୟମିତ ଯାଂଚ ସହିତ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଅଭିଯାନ ଆରମ୍ଭ କରି ଏହାକୁ ବ୍ୟାପକ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ, ହାଉସିଂ ସୋସାଇଟି, ବଡ ବଡ କୋଠା ଆଦି ଅଗ୍ନି ସୁରକ୍ଷା ମାର୍ଗଦର୍ଶିକା ଅନୁପାଳନ କରିବା କଥା, ସେମାନଙ୍କୁ ବୈଧ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ରସ୍ତୁତି ସ୍ୱରୂପ ବିଭିନ୍ନ ପ୍ରତିଷ୍ଠାନମାନେ ନିଜ ନିଜର କର୍ମଚାରୀ ବା ରହିଥିବା ମାନବ ସମ୍ବଳ(ଏଚଆର)ଙ୍କ ମଧ୍ୟରୁ ଅଗ୍ନି ସୁପରଭାଇଜର ନିୟୋଜିତ କରିବେ। ସେମାନଙ୍କୁ ଅଗ୍ନିଶମ ସେବା ଦ୍ୱାରା ପ୍ରଶିକ୍ଷଣ ଦିଆଯିବ।
ଏହା ସହିତ ବିଭିନ୍ନ କୋଠାଗୁଡିକରେ ବିଦ୍ୟୁତ୍ ବ୍ୟବସ୍ଥାର ନିୟମିତ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି। ଅଗ୍ନିକାଣ୍ଡ ଧନ ଜୀବନକୁ ବିପଦରେ ପକାଉଥିବାରୁ ପ୍ରତ୍ୟେକ ନାଗରିକଙ୍କର ଏ ଦିଗରେ ସଚେତନ ହେବା ଓ ସୁରକ୍ଷା ନିୟମ ମାନିବା ଅତ୍ୟାବଶ୍ୟକ। ଅଗ୍ନିଶମ ସେବା ଡିଜି ଡଃ. ଷଡ଼ଙ୍ଗୀ ବିଭିନ୍ନ ପରାମର୍ଶ ସମ୍ପର୍କରେ ଆଲୋଚନା କରିବା ସହିତ ଜରୁରୀକାଳୀନ ସ୍ଥିତିରେ ଜନସାଧାରଣ ୧୧୨ ହେଲ୍ପଲାଇନ୍କୁ ତୁରନ୍ତ ଫୋନ୍ କରି ସହାୟତା ନେବାକୁ ଅନୁରୋଧ କରିଛନ୍ତି।


