ଭୁବନେଶ୍ବର: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ସମ୍ବନ୍ଧରେ ଆଜି ବଳଦେବ ସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ ପ୍ରତିବର୍ଷ ହେଉଥିବା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ସମୟରେ ରଥ ଚଳାଚଳରେ ବିଭିନ୍ନ ବିଭ୍ରାଟ ଦେଖାଦେଉଛି। ଏହାର ପରିଣାମରେ ରଥ ନିର୍ଦ୍ଧାରିତ ସମୟରେ ମାଉସୀମା ମନ୍ଦିର ଓ ବଡ଼ ଦେଉଳରେ ପହଞ୍ଚି ପାରୁନାହିଁ।
କେତେକ ଲୋକ ଏହାକୁ ବୈଷୟିକ ତ୍ରୁଟି ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ ଚଳନ ବ୍ୟବସ୍ଥାର ତ୍ରୁଟି ବୋଲି ମତ ପ୍ରକାଶ କରୁଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମୀକ୍ଷା କରି ଚଳିତ ବର୍ଷ ନୂତନ ରଥ ନିର୍ମାଣ ପାଇଁ ମୋଟ ଏକ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି।
ଏହି ଘୋଷଣାକୁ ସାଧାରଣ ଲୋକମାନେ ସ୍ୱାଗତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ରଥ ନିର୍ମାଣ ପାଇଁ କୌଣସି ସ୍ପଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନଥିବାକୁ ବଳଦେବ ସେନା ଅଭିଯୋଗ କରିଛି।
ରଥଯାତ୍ରା ନିକଟବର୍ତ୍ତୀ ଥିବାରୁ ଏହି ବର୍ଷ ମଧ୍ୟରେ କିପରି ଭାବେ ନୂତନ ରଥ ନିର୍ମାଣ କରାଯିବ ସେଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବଳଦେବ ସେନା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁ ଭାବେ ସମ୍ପନ୍ନ ହେବା ପାଇଁ ଶୀଘ୍ର ଉପଯୁକ୍ତ କାର୍ଯ୍ୟପନ୍ଥା ଆରମ୍ଭ କରିବାକୁ ସେନା ଦାବି କରିଛି।


