ଓଁ ସୁରା ସଂପୂର୍ଣ୍ଣ କଲଶଂ
ରୁଧିରାପ୍ଳୁତ ମେବଚ।
ଦଧାନା ହସ୍ତ ପଦ୍ମାଭ୍ୟାଂ
କୁଷ୍ମାଣ୍ଡା ଶୁଭଦାଽସ୍ତୁ ମେ ।।
ଆଜି ନବରାତ୍ର ପୂଜାର ଚତୁର୍ଥ ଦିନ ମାଆ କୁଷ୍ମାଣ୍ଡାଙ୍କ ରୂପରେ ପୂଜା ପାଇଥାନ୍ତି। ଈଷତ୍ ହାସ୍ୟ ମୁଖରେ ଅଣ୍ଡକୁ ଅର୍ଥାତ୍ ବ୍ରହ୍ମାଣ୍ଡକୁ ସିଏ ଉତ୍ପନ୍ନ କରିଛନ୍ତି। ସେହି ଶକ୍ତିକୁ କୁଷ୍ମାଣ୍ଡା କୁହାଯାଏ। ସେ ସୂର୍ଯ୍ୟ ମଣ୍ଡଳ ଭିତରେ ନିବାସ କରନ୍ତି। ତାଙ୍କର ସୂର୍ଯ୍ୟ ତୁଲ୍ୟ ତେଜର ଝଲକ ଦଶଦିଗକୁ ବ୍ୟାପ୍ତ କରୁଥାଏ। ଦେବୀ ଅଷ୍ଟଭୂଜା। ସେ ଧଳା କଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି। କୁଷ୍ମାଣ୍ଡା (ପାଣିକଖାରୁ) ବଳି ତାଙ୍କର ଅତି ପ୍ରିୟ ଅଟେ। ତେଣୁ ଏହି ଶକ୍ତିଙ୍କର ନାମ ‘କୁଷ୍ମାଣ୍ଡା’ ରଖାଯାଇଛି।
ଏହି ଶକ୍ତି ବିଶ୍ଵ ପ୍ରସିଦ୍ଧ ଅଟେ। ଏହି ବ୍ୟାଖ୍ୟା ରୁଦ୍ରଯାମଳ ତନ୍ତ୍ର ଏବଂ କୁଞ୍ଜି କାଗମ ତନ୍ତ୍ରରେ ଲେଖାଅଛି। ଏହି ମା ଆମ୍ଭମାନଙ୍କୁ ସମସ୍ତ ସଙ୍କଟରୁ ରକ୍ଷା କରନ୍ତି। କୁଷ୍ମାଣ୍ଡାଙ୍କର ଆଠ ହାତ ଥିବା ବର୍ଣ୍ଣନା କରାଯାଏ ଯାହା ସାହାଯ୍ୟରେ ସେ ପଦ୍ମ, ଚକ୍ର, କମଣ୍ଡଳୁ, ଧନୁ, ତୀର, ଗଦା, ମାଳା, ଅମୃତ ପାତ୍ର ଓ ରକ୍ତ ଇତ୍ୟାଦି ଧରିଥାଆନ୍ତି। ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ। ବାଘ ହେଉଛି ତାଙ୍କର ବାହନ।
ଏପରି ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀ ବୋଲି କିଛି ନଥିଲା, ଗୋଟିଏ ଶୂନ୍ୟ ସ୍ଥାନ ଅନ୍ଧକାରରେ ଆଚ୍ଛାଦିତ ଥିଲା। ସଂସାରର କୌଣସି ଚିହ୍ନ ବର୍ଣ୍ଣ ନଥିଲା। କେବଳ ଗୋଟିଏ ଆଲୋକ ରେଖା ସର୍ବଦା ବିରାଜମାନ ଥିଲା ଯାହା ଏହି ଶୂନ୍ୟ ସ୍ଥାନକୁ ଆଲୋକିତ କରୁଥିଲା। ଏହି ଆଲୋକ ସାଗରର ଆକାର ନଥିଲା। ହଠାତ ଏହି ଶୂନ୍ୟ ସ୍ଥାନରେ ଆକାର ବିରାଜମାନ ହେଲା ଯାହା ଏକ ସ୍ୱର୍ଗୀୟ ଦେବୀ ଭଳି ପ୍ରତୀତ ହେଲେ ଓ ସେ କୁଷ୍ମାଣ୍ଡା ଥିଲେ।
ଦେବୀଙ୍କର ନିରବ ସ୍ମିତ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ ହେଲା। ସେ ଅନ୍ତରୀକ୍ଷ ଅଣ୍ଡା ଉତ୍ପନ୍ନ କଲେ। ତାଙ୍କ ସ୍ମିତ ହସଦ୍ୱାରା ଅନ୍ଧକାର ଦୂରୀଭୂତ ହୋଇ ଏକ ନୂଆ ବ୍ରହ୍ମାଣ୍ଡ ତିଆରି ହେଲା। ଏହି ହସରୁ ଆଲୋକ ଓ ଜୀବନ ସୃଷ୍ଟି ହେଲା। ପୃଥିବୀ, ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗାର ସୃଷ୍ଟି ହୋଇଥିଲା। ଜୀବ ଜଗତ ବଞ୍ଚିବା ନିମନ୍ତେ ସୂର୍ଯ୍ୟ ଦରକାର ହେଲା। ତେଣୁ ସେ ସୂର୍ଯ୍ୟ ଓ ଶକ୍ତି ସୃଷ୍ଟି କଲେ ଓ ଜୀବ ଜଗତ ବଞ୍ଚି ରହିବା ନିମନ୍ତେ ଶକ୍ତି ଓ ଆଲୋକ ଦେଲେ। ତାଙ୍କର ଶକ୍ତି ପାଇ ସୂର୍ଯ୍ୟ ଶକ୍ତିଶାଳୀ ହୋଇଛି।
ସେ ହିଁ ସୂର୍ଯ୍ୟଙ୍କର ଉତ୍ସ। ତାଙ୍କ ବିନା ଆଲୋକ ଓ ଶକ୍ତି ନିଷ୍ପ୍ରଭ ହୋଇଯିବ। ସୃଷ୍ଟିକୁ ସୂର୍ଯ୍ୟ ଆଲୋକିତ କରୁଥିଲେ ମଧ୍ୟ ତାଙ୍କ ଯୋଗୁ ସୂର୍ଯ୍ୟ ଶକ୍ତିପ୍ରାପ୍ତ ହେଉଛନ୍ତି। କୁଷ୍ମାଣ୍ଡା ରୂପରେ ସେ ଶକ୍ତିମୟୀ ହୁଅନ୍ତି। ଦେବତା, ମାନବ ଓ ଅନ୍ୟାନ୍ୟ ପାର୍ଥିବ ଜୀବ ତାଙ୍କର ପୂଜା କଲେ ସେ ସ୍ମିତ ହସ ପ୍ରଦାନ କରନ୍ତି ।ଚତୁର୍ଦିଗ ଅନ୍ଧକାରାଚ୍ଚନ୍ନ ଥିଲାବେଳେ ମାଆ କୁଷ୍ମାଣ୍ଡା ଆଲୋକ ପ୍ରଦାନ କଲେ। ସେ ସୂର୍ଯ୍ୟର କେନ୍ଦ୍ରରେ ରହି ସଂସାରକୁ ଦୀପ୍ତିମାନ କରୁଛନ୍ତି । ତାଙ୍କର ତେଜ ବଳରେ ସୂର୍ଯ୍ୟ ତେଜୀୟାନ ହୁଏ। ସୂର୍ଯ୍ୟଙ୍କୁ ସେ ନିର୍ଦ୍ଦେଶ ଦିଅନ୍ତି।
ଡଃ ପ୍ରକାଶ ତ୍ରିପାଠୀ, ଉତ୍କଳ ବିଶ୍ୱବିଦ୍ୟାଳୟ (ପରିସଂଖ୍ୟାନ ବିଭାଗ)
୯୪୩୭୧୦୦୪୧୫


